ଲାଭ ଉଠାଉଛି ଏଜେନ୍ସି ,ଗ୍ରାହକଙ୍କୁ ମିଳୁନି ରନ୍ଧନ ଗ୍ୟାସ୍ ଦୁର୍ଘଟଣା ବୀମା
ଭୁବନେଶ୍ବର : ରାଜ୍ୟରେ ୯୩ ପ୍ରତିଶତରୁ ଅଧିକ ପରିବାର ପ୍ରତିଦିନର ଖାଦ୍ୟ ପ୍ରସ୍ତୁତି ପାଇଁ ରନ୍ଧନ ଗ୍ୟାସ ବ୍ୟବହାର କରୁଥିବାବେଳେ ତୁଳନାତ୍ମକ ଭାବେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ହାର ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଗ୍ୟାସ ସିଲିଣ୍ଡର ଅଗ୍ନିକାଣ୍ଡ ଘଟଣାରେ ଧନଜୀବନ ହାନି ହେବା ସହ ବହୁ ପରିବାର ସର୍ବସ୍ୱାନ୍ତ ହେଉଛନ୍ତି। ଅଗ୍ନିକାଣ୍ଡ ପରେ ରାଜସ୍ୱ ବିଭାଗରୁ ଖଣ୍ଡେ ପଲିଥିନ ଓ ମାତ୍ର କେତେ ହଜାର ଟଙ୍କା ପାଇ ଅଗ୍ନିବିପନ୍ନ ଭାଗ୍ୟକୁ ଆଦରି ରହୁଥିବାବେଳେ ଏ ବାବଦରେ […]
ଭୁବନେଶ୍ବର : ରାଜ୍ୟରେ ୯୩ ପ୍ରତିଶତରୁ ଅଧିକ ପରିବାର ପ୍ରତିଦିନର ଖାଦ୍ୟ ପ୍ରସ୍ତୁତି ପାଇଁ ରନ୍ଧନ ଗ୍ୟାସ ବ୍ୟବହାର କରୁଥିବାବେଳେ ତୁଳନାତ୍ମକ ଭାବେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ହାର ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଗ୍ୟାସ ସିଲିଣ୍ଡର ଅଗ୍ନିକାଣ୍ଡ ଘଟଣାରେ ଧନଜୀବନ ହାନି ହେବା ସହ ବହୁ ପରିବାର ସର୍ବସ୍ୱାନ୍ତ ହେଉଛନ୍ତି। ଅଗ୍ନିକାଣ୍ଡ ପରେ ରାଜସ୍ୱ ବିଭାଗରୁ ଖଣ୍ଡେ ପଲିଥିନ ଓ ମାତ୍ର କେତେ ହଜାର ଟଙ୍କା ପାଇ ଅଗ୍ନିବିପନ୍ନ ଭାଗ୍ୟକୁ ଆଦରି ରହୁଥିବାବେଳେ ଏ ବାବଦରେ ଥିବା ରନ୍ଧନ ଗ୍ୟାସ ଗ୍ରାହକ ବୀମା ଯୋଜନା ସେମାନଙ୍କ କାମରେ ଆସୁ ନ ଥିବ ଅଭିଯୋଗ ହୋଇଛି। ରନ୍ଧନ ଗ୍ୟାସ ସିଲିଣ୍ଡର ବିକି ଗ୍ୟାସ୍ କମ୍ପାନୀ କୋଟି କୋଟି ଟଙ୍କା ଲାଭ କରୁଥିବାବେଳେ ଏହି ବୀମା ସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଦିଗରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରୁ ନ ଥିବା ଅଭିଯୋଗ ହେଉଛି।
ପ୍ରତ୍ୟେକ ପଞ୍ଜିକୃତ ରନ୍ଧନ ଗ୍ୟାସ ଗ୍ରାହକଙ୍କ ପାଇଁ ବୀମା ସୁବିଧା ରହିଛି। ରନ୍ଧନ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ପ୍ରତି ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ଆହତଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ୨୫ ହଜାରରୁ ୨ ଲକ୍ଷ ଟଙ୍କା ଓ ସମ୍ପତ୍ତି ନଷ୍ଟ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ରହିଛି। ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟଣାର ୫ ଦିନ ମଧ୍ୟରେ ଏ ସମ୍ପର୍କରେ ଗ୍ୟାସ ଏଜେନ୍ସି ପାଖରେ ଗ୍ରାହକ ଲିଖିତ ଅଭିଯୋଗ କଲେ, କମ୍ପାନୀ ପକ୍ଷରୁ ଏହାର ତଦନ୍ତ କରାଯାଇ ଗ୍ରାହକଙ୍କୁ ବୀମା ସୁବିଧା ପ୍ରଦାନ କରାଯାଇଥାଏ। ତେବେ ବିଭିନ୍ନ ଗ୍ୟାସଜନିତ ଅଗ୍ନିକାଣ୍ଡ ଘଟଣାରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ରିପୋର୍ଟ ଦିଆଯାଉଥିଲେ ମଧ୍ୟ କୌଣସି ଗ୍ରାହକ ଏବାବଦରେ ଆବେଦନ କରୁ ନ ଥିବା ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ବୀମା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଗ୍ୟାସ କମ୍ପାନୀ ସହଯୋଗ କରୁ ନ ଥିବାରୁ ବୀମା ସମ୍ପର୍କିତ ସଚେତନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରୁ ନ ଥିବା ବିଷୟ ଅଗ୍ନିଶମ ବିଭାଗ ସ୍ୱୀକାର କରିଛି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପ୍ରତିବର୍ଷ ୫୦ରୁ ଅଧିକ ଦୁର୍ଘଟଣା ଘଟୁ ଥିଲେ ହେଁ ଏଲପିଜି ଗ୍ରାହକ ବା ତାଙ୍କ ପରିବାରକୁ କ୍ଷତିପୂରଣ ମିଳୁନାହିଁ। ନିକଟରେ ଖୋର୍ଦ୍ଧା ଜିଲାରେ ଗ୍ୟାସ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ପରଲୋକ ଘଟିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିଛନ୍ତି, ମାତ୍ର ଗ୍ୟାସ କମ୍ପାନୀ ଏଥିନେଇ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି।
ତଥ୍ୟ ଅନୁଯାୟୀ, ଏଲପିଜି ଗ୍ୟାସ ଦୁର୍ଘଟଣା ପାଇଁ ସର୍ବଭାରତୀୟସ୍ତରରେ ଲୋକଙ୍କୁ ବୀମା ସହାୟତା ମିଳିଛି। ୨୦୧୬-୧୭ରେ ୯୨୯ ଜଣ , ୨୦୧୭-୧୮ ବର୍ଷରେ ୧୧୫୧ ଜଣ ଓ ୨୦୧୮-୧୯ରେ ୯୮୩ ଜଣ ଏଲପିଜି ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ବୀମା ସୁବିଧା ମିଳିଛି। ତେବେ ଜଗତସିଂହପୁର ଜିଲ୍ଲାରେ ୨୦୧୯ରେ ୮ଟି ,୨୦୨୦ରେ ୧୦ଟି ଓ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ପ୍ରାୟ ୪ଟି ଏଲପିଜି ଗ୍ୟାସଜନିତ ଦୁର୍ଘଟଣା ଘଟିଥିବାବେଳେ ଏଥି ମଧ୍ୟରୁ ଜଣକୁ ହେଲେ ମଧ୍ୟ ବୀମା ସୁବିଧା ମିଳିନାହିଁ। ଗତ ଜୁନ ୧୨ ତାରିଖରେ ଜଗତସିଂହପୁର ଥାନା ଅନ୍ତର୍ଗତ ବେଲପୋଖରୀ ଗ୍ରାମରେ ଘଟିଥିବା ରନ୍ଧନ ଗ୍ୟାସ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ମୋଟ ୪ ଜଣ ଗୁରୁତର ହୋଇଥିଲେ। ଘଟିଥିବା ଏହି ଭୟାବହ ରନ୍ଧନଗ୍ୟାସ ଦୁର୍ଘଟଣାରେ ଜଣେ ମହିଳା ମୃତାହତ ହୋଇଥିଲେ ମଧ୍ୟ ଘର ସହ ଟଙ୍କା, ସୁନା, ଟିଭି, ଫ୍ରିଜ, ଖଟ, ଆଲମିରା ଓ ପୋଷାକ ପୋଡ଼ିି ପାଉଁଶ ହୋଇଯାଇଥିଲା। ପ୍ରାୟ ଦୁଇଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଇଥିଲେ ମଧ୍ୟ ଏଥିପାଇଁ କମ୍ପାନୀ ପକ୍ଷରୁ କୌଣସି ବୀମା ସୁବିଧା ଦୁର୍ଘଟଣା ଘଟିଥିବା ପରିବାରକୁ ମିଳି ନ ଥିବା ଜଣାପଡ଼ିିଛି। ଏହି ପରିପ୍ରେକ୍ଷୀରେ ଏଲପିଜି ଗ୍ୟାସ ଦୁର୍ଘଟଣାଜନିତ ବୀମା ସୁବିଧା ସମ୍ପର୍କରେ କମ୍ପାନୀମାନେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।






