ରାଜନଗର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀଙ୍କ ବିବାଦୀୟ ବୟାନ: କହିଲେ, 'ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ'
ଭୁବନେଶ୍ୱର: ରାଜନଗରର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି କି, ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ତାଙ୍କ ମୃତ୍ୟୁ ହୋଇନି ବରଂ ଅନ୍ୟ ରୋଗ ଯୋଗୁଁ ତାଙ୍କ ଦେହାନ୍ତ ହୋଇଛି । ବୟସ ହେଲାଣି ତେଣୁ ଘରକୁ ପହଂଚି ହୃଦଘାତ ହୋଇଥିବ । ଲୋକେ ଅନେକ କଥା କହିବେ । ହେଲେ ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ । ସମବାୟ ବିଭାଗ ତଦନ୍ତ କରୁଛି । ସ୍ଥାନ ନଥିବାରୁ ଧୀରେ ଧୀରେ ଧାନ ଉଠୁଥିଲା । ୩ ଦିନ ତଳୁ ଧାନ ସ୍ୱାଭାବିକ ଭାବେ ଉଠୁଛି । ସେପଟେ ମନ୍ତ୍ରୀଙ୍କ ଏପରି ବୟନକୁ ନିନ୍ଦା କରିଛି କଂଗ୍ରେସ । ମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରୁଛି ।
ସୂଚନାଯୋଗ୍ୟ, ଜାନୁଆରି ୧୬ ତାରିଖରେ ସେ ଟୋକନ ପାଇଥିଲେ । ମଣ୍ଡି ବଦଳରେ ମିଲ୍କୁ ଧାନ ନେଇଯିବାକୁ ପ୍ୟାକ୍ସ ସମ୍ପାଦକ କହିଥିବାବେଳେ ରାମଚଣ୍ଡୀ ମିଲ୍ କୁ ଧାନ ନେଇଯାଇଥିଲେ ତ୍ରିଲୋଚନ । କିନ୍ତୁ ଧାନ ହସ୍ତାନ୍ତର ପାଇଁ ତିନି ଦିନ କାଳ ତାଙ୍କୁ ସେଠାରେ ଜଗି ରହିବାକୁ ପଡିଥିଲା । ଧାନ ବିକ୍ରୀବେଳେ କଟନୀ ଛଟନୀରେ ପ୍ରତି କୁଇଣ୍ଟାଲରେ ତାଙ୍କର ୬ କିଗ୍ରା ଧାନ କଟା ଯାଇଥିଲା । ଏହା ଛଡା ଧାନ ବିକ୍ରି କରିବା ପାଇଁ ମୃତ ତ୍ରିଲୋଚନ ନାୟକଙ୍କୁ ପ୍ରତ୍ୟେକ ସ୍ତରରେ ହତାଶ ହେବାକୁ ପଡିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ମିଲର ଓ ସମ୍ପାଦକଙ୍କ ନିର୍ଯାତନା ଯୋଗୁଁ ମିଲ୍ ରୁ ଫେରି ଘରେ ପହଞ୍ଚିବା କ୍ଷଣି ତାଙ୍କର ପ୍ରାଣ ଚାଲି ଯାଇଥିବା ଅଭିଯୋଗ ହୋଇଛି ।





