ବଲାଙ୍ଗିରରେ ସକ୍ରିୟ ଯୁବତୀ ଚାଲାଣ ର‍୍ୟାକେଟ୍‍: ଗାଁ ଗାଁରେ ଛକିଛନ୍ତି ଦଲାଲ, ଆର୍ଥିକ ପ୍ରଲୋଭନ ଦେଖାଇ କରୁଛନ୍ତି ଚାଲାଣ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ସାଜିଛି ବେଆଇନ ଯୁବତୀ ଚାଲାଣ। ଗାଁ ଗାଁରେ ଦଲାଲ ମାନେ ଜଗିବସିଥିବା ବେଳେ ଗରୀବ ପରିବାରର ଯୁବତୀଙ୍କ ପରିବାରଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏହି ଚାଲାଣ କରୁଥିବା ଅଭିଯୋଗ ହୋଇଛି। କାହାକୁ ବାହାଘର, କାହାକୁ ଚାକିରି ତ ପୁଣି କାହାକୁ ବିଭିନ୍ନ କମ୍ପାନୀରେ ନିୟୋଜିତ କରିବା ପାଇଁ ଲୋଭ ଦେଖାଇ ଏହି ଚାଲାଣ ଚାଲିଥିବା ବେଳେ ପୁଲିସ ଓ ଏଥିପାଇଁ କାମ କରୁଥିବା ବେସରକାରୀ ସଂସ୍ଥା ଗୁଡିକ […]

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ସାଜିଛି ବେଆଇନ ଯୁବତୀ ଚାଲାଣ। ଗାଁ ଗାଁରେ ଦଲାଲ ମାନେ ଜଗିବସିଥିବା ବେଳେ ଗରୀବ ପରିବାରର ଯୁବତୀଙ୍କ ପରିବାରଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏହି ଚାଲାଣ କରୁଥିବା ଅଭିଯୋଗ ହୋଇଛି। କାହାକୁ ବାହାଘର, କାହାକୁ ଚାକିରି ତ ପୁଣି କାହାକୁ ବିଭିନ୍ନ କମ୍ପାନୀରେ ନିୟୋଜିତ କରିବା ପାଇଁ ଲୋଭ ଦେଖାଇ ଏହି ଚାଲାଣ ଚାଲିଥିବା ବେଳେ ପୁଲିସ ଓ ଏଥିପାଇଁ କାମ କରୁଥିବା ବେସରକାରୀ ସଂସ୍ଥା ଗୁଡିକ ନୀରବ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ବଲାଙ୍ଗିର ଜିଲ୍ଲା। ଦାଦନ ପ୍ରବଣ ଜିଲ୍ଲା ଭାବେ ଦୁର୍ନାମ ମୁଣ୍ଡାଇଥିବା ଏହି ଜିଲ୍ଲା ଏବେ ଯୁବତୀ ଚାଲାଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି। ଗାଁ ଗାଁରେ ଯୁବତୀ ଚାଲାଣ କରିବା ପାଇଁ ଦଲାଲ ମାନେ ଛକି ବସିଥିବା ବେଳେ କିଏ ଚାପରେ ତ ଆଉ କିଏ ମଜବୁର ହୋଇ ଯୁବତୀ ମାନଙ୍କୁ ଏହି ଦଲାଲ ହାତକୁ ଟେକି ଦେଉଥିବା ଅଭିଯୋଗ ହୋଇଛି। କିଛି ମାସ ତଳେ ସଦର ବ୍ଲକ ବରକାନୀ ପଞ୍ଚାୟତ ନାରାୟଣପୁର ଗାଁରେ ଥିବା ଏକ ଇଟାଭାଟି ଶ୍ରମିକର ଦୁଇ ଜଣ ଝିଅକୁ ଚାଲାଣ ହୋଇଥିଲା। କାମ କରାଇବା ବାହାନାରେ ଏହି ଦୁଇ ଜଣ ଝିଅକୁ ଦିଲ୍ଲୀ ନେଇ ସେଠାରେ ଏକ ଘରୋଇ କାମରେ କାମ ନିୟୋଜିତ କରାଯାଇଥିଲା। ସେଠାରୁ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।ଘଟଣା ସାମ୍ନାକୁ ଆସିବା ପରେ ଏହି ଦୁଇ ଝିଅ ଘରକୁ ଫେରିଥିଲେ।

କିଛି ବର୍ଷ ପୂର୍ବରୁ ପାଟଣାଗଡ଼ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଏହିଭଳି ଭାବେ ପାଞ୍ଚ ଜଣ ମିଶି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ପାଞ୍ଚଜଣଙ୍କୁ ଗିରଫ କରିଥିଲା। ସେହି ସମୟରେ ପୁଇଁନ୍ତଲା ବ୍ଲକରେ ମଧ୍ୟ ଏହିଭଳି ଜଣେ ଯୁବତୀଙ୍କୁ ଚାଲାଣ ଅଭିଯୋଗ ହୋଇଥିଲା।ଏହିଭଳି ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସୁଥିବା ବେଳେ ବହୁତ ଘଟଣା ଲୋକଲୋଚନକୁ ଆସିପାରେନାହିଁ। ମୁଖୟତଃ ଜିଲ୍ଲାର ଯୁବତୀ ମାନଙ୍କୁ ବିଭିନ୍ନ ପ୍ରଲୋଭଣ ଦେଖାଇ ବିକ୍ରି କରାଯାଇଥାଏ। ବିଶେଷ କରି ବିବାହ କରାଇବା ନାମରେ ଯୁବତୀ ମାନଙ୍କୁ ମଧ୍ୟପ୍ରଦେଶ, ରାଜସ୍ଥାନକୁ ଚାଲାଣ କରାଯାଇଥାଏ। ସେହିପରି କାମ କରାଇଦେବା ବାହାନାରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଲକୁ ଚାଲାଣ କରାଯାଏ। ଅନ୍ୟପକ୍ଷରେ ଯୁବତୀ ମାନଙ୍କୁ ଠକି ପଶ୍ଚିମବଙ୍ଗ ନେଇ ସେଠାରେ ଯୈାନ କାରବାର ପାଇଁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।

ଚାଲାଣ ପରେ ଏହି ଯୁବତୀ ମାନଙ୍କ ପାଇଁ ଥାନାରେ ମାମଲା ରୁଜୁ ହୋଇଥାଏ। କିନ୍ତୁ ବହୁତ କମ ମାମଲାରେ ପୁଲିସ କୁ ସଫଳତା ମିଲିଛି। ଏହି ଯୁବତୀ ମାନଙ୍କ ନିଖୋଜ ମାମଲା ଥାନାରେ ଗଡ଼ୁଥିବା ବେଳେ ଅନେକଙ୍କ ହତ୍ୟା ମଧ୍ୟ କରାଯାଇଥିବା ଚର୍ଚ୍ଚା ହୋଇଥାଏ। ଏମିତି ଭାବେ ବଲାଙ୍ଗିର ଜିଲ୍ଲାରୁ ବାର୍ଷିକ ପାଖାପାଖି ଦେଢ ଶହରୁ ଦୁଇ ଶହ ଯୁବତୀ ଚାଲାଣ ହେଉଥିବା ସୂଚନା ରହିଛି। ବଲାଙ୍ଗିର ଜିଲ୍ଲା ସାମାଜିକ ମଙ୍ଗଳ କାର୍ଯ୍ୟାଳୟ ସୂଚନା ଅନୁସାରେ ୨୦୧୨-୧୩ ରୁ ୨୦୧୬-୧୭ ବର୍ଷ ମଧ୍ୟରେ ୭୫ ଜଣ ଯୁବତୀ, ୨୫ ମହିଲା, ୨୫ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ତନ୍ମଧ୍ୟରୁ ୪୦ ଜଣଙ୍କୁ ଜବରଦସ୍ତି ଯୌନକ୍ରିୟା, ଅଶ୍ଲିଲ ଫଟୋଗ୍ରାଫି ପାଇଁ ବ୍ୟବହାର କରାଯାଉଥିଲା। ୭୦ ଜଣଙ୍କୁ ଜୋରଜବରଦସ୍ତି ବିଭିନ୍ନ କାମରେ ନିୟୋଜିତ କରାଯାଇଥିବା ବେଳେ ୧୫ ଜଣଙ୍କୁ ବାଧ୍ୟକରି ବିବାହ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ବିଶେଷ କରି ୨୦୧୬- ୧୭ ବର୍ଷ ଠାରୁ ଏହି କାରବାର ଜିଲ୍ଲା ଦୁଇଗୁଣା ହୋଇଥିବା ବେଳେ ଏହି ପାଞ୍ଚ ବର୍ଷ ଭିତରେ କେତେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ସେନେଇ କୈାଣସି ସୂଚନା ନାହିଁ।ଅର୍ଥାତ ଏଦିଗରେ ବିଭାଗ ପକ୍ଷରୁ କୈାଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହିଭଳି ମାମଲା ପାଇଁ ପୁଲିସ, ଘରୋଇ ସ୍ୱେଚ୍ଚାସେବୀ ଅନୁଷ୍ଠାନ, ସରକାରୀ ବିଭାଗ କାମ କରୁଥିବା ବେଳେ ଏହାକୁ ରୋକିବାରେ ବିଫଲ ହୋଇଥିବା ଅଭିଯୋଗ ହୋଇଛି। ଏଦିଗରେ ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ କରିବା ପାଇଁ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର