ମନୋରଞ୍ଜନ
ଓଡ଼ିଶା
ଆନ୍ଧ୍ରରେ ମାଡ ହେଲା ଭୀଷଣ ବାତ୍ୟା 'ଅର୍ଣ୍ଣବ': କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ, ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପ୍ରକ୍ରିୟା ଜାରି ରହିଛି। ଉପକୂଳ ନିକଟରେ ଏହି ବାତ୍ୟାଟି ପ୍ରାୟ ସ୍ଥିର ରହିବା କାରଣରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲୁ ରହିଥିଲା । ଏହି ସମୟରେ ଘଣ୍ଟାପ୍ରତି ୧୨୫ ରୁ ୧୩୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ରେକର୍ଡ କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସମୁଦ୍ରର କରାଳ ରୂପ । ପ୍ରବଳ ପବନ ସାଙ୍ଗକୁ ଉଚ୍ଚ ଉଚ୍ଚ ଜୁଆର ମାଡ଼ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ବିପଦଜନକ ପରିସ୍ଥିତି ।
ପାଣିପାଗ ବିଭାଗ ଅନୁଯାୟୀ, ବୁଧବାର ରାତି ପ୍ରାୟ ୧:୨୦ ସମୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବାତ୍ୟାଟି ବାପଟଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳ, ବିଶେଷକରି ୟାନାମ୍ ନିକଟ ଦେଇ ସ୍ଥଳଭାଗ ଅତିକ୍ରମ କରୁଛି। ମଛିଲିପଟନମ୍ ରାଡାର୍ ତଥ୍ୟ ଅନୁସାରେ, ଝଡ଼ର କେନ୍ଦ୍ରସ୍ଥଳ ନରସାପୁରଠାରୁ ପ୍ରାୟ ୩୦ କିମି ପୂର୍ବରେ ଏବଂ କାକିନାଡ଼ାଠାରୁ ପ୍ରାୟ ୭୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ ରହିଥିଲା। ବାତ୍ୟାର ଉତ୍ତର ସ୍ପାଇରାଲ୍ ବ୍ୟାଣ୍ଡ ପୂର୍ବରୁ ହିଁ ସ୍ଥଳଭାଗରେ ପ୍ରବେଶ କରି ତାଣ୍ଡବ ରଚିଛି।
ବାତ୍ୟା ପ୍ରଭାବରେ ବିଶାଖାପାଟଣା, ଅନକାପଲ୍ଲୀ, ବିଜୟନଗରମ୍, ଶ୍ରୀକାକୁଲମ୍, କାକିନାଡ଼ା ଏବଂ କୋଣସୀମା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ବିଶାଖାପାଟଣାରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପ୍ରାୟ ୮୪,୦୦୦ ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇ ୨୯୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ଉଦ୍ଧାରକାରୀ ଦଳ ହାଇ ଆଲର୍ଟରେ ରହିଛନ୍ତି।
ବାତ୍ୟା ଯୋଗୁଁ ରେଳ ଏବଂ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବହୁ ସଂଖ୍ୟାରେ ଟ୍ରେନ୍ ବାତିଲ କରାଯାଇଛି ଏବଂ ବିମାନ ଚଳାଚଳରେ ବିଭ୍ରାଟ ଘଟିଛି। ସମୁଦ୍ରରେ ପ୍ରାୟ ୧.୫ ରୁ ୨.୫ ମିଟର ଉଚ୍ଚ ଜୁଆର ଆସିବା ଫଳରେ କାକିନାଡ଼ା, ୟାନାମ୍ ଏବଂ ଗୋଦାବରୀ ନଦୀ ମୁହାଣ ନିକଟସ୍ଥ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ଧୀରେ ଧୀରେ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି।






