ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା
ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ମା' ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ସପ୍ତାହ ବ୍ୟାପୀ ଚାଲିଥିବା ଶାରଦୀୟ ଦୁର୍ଗା ପୂଜାର ଅବସାନ ଘଟିବ। କଟକ ଓ ଭୁବନେଶ୍ୱରରେ ଭସାଣୀ ଶୋଭାଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସିସିଟିଭି ଲଗାଯାଇଛି । ଶାନ୍ତିଶୃଙ୍ଖଳାର ସହ ମୂର୍ତ୍ତି ବିସର୍ଜନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ସହରରେ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୦୦ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ସ୍ପଷ୍ଟ କରିଛନ୍ତି ଯେ ଭସାଣି ଶୋଭାଯାତ୍ରାରେ ଡିଜେ (DJ) ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯଦି କୌଣସି ପୂଜା କମିଟି ନିୟମ ଉଲ୍ଲଂଘନ କରନ୍ତି, ତେବେ ଡିଜେ ଜବତ ହେବା ସହ ଏକ ଅପରାଧିକ ମାମଲା ରୁଜୁ କରାଯିବ।
ଆଜି ଦିନ ୨ଟାରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହେବ ଏବଂ ଟ୍ରାଫିକ୍ କଟକଣା ରାତି ୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ନୂଆପଲ୍ଲୀ ପୂଜା କମିଟି ସମେତ ଅନ୍ୟ ୨୦ଟି କମିଟି ନୂଆପଲ୍ଲୀ ଛକରୁ ବାହାରି ସିଆରପି, ଡିଏଭି ଛକ, ଗୋପବନ୍ଧୁ ଛକ ଓ ସିରିପୁର ଦେଇ ଏୟାରପୋର୍ଟ ଛକରେ ପହଞ୍ଚିବେ। ସେହିପରି ସହିଦ ନଗର କମିଟି ସହିତ ୨୪ଟି ମେଢ଼ ରାମ ମନ୍ଦିର ଓ ମାଷ୍ଟର କ୍ୟାଣ୍ଟିନ୍ ଦେଇ ରାଜମହଲ ଛକରେ ପହଞ୍ଚିବେ। ଉତ୍ତର ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ କମିଟି ନାଲକୋ ଛକ ଦେଇ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଜନସାଧାରଣଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ରୁଟ୍ରେ ଟ୍ରାଫିକ୍ ଡାଇଭର୍ସନ୍ କରାଯାଇଛି।
ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ପକ୍ଷରୁ କୁଆଖାଇ ନଦୀ ନିକଟସ୍ଥ ପଳାଶୁଣି, ହଂସପାଳ, ବାସୁଆଘାଇ, ଟଙ୍କପାଣି ରୋଡ୍ ଏବଂ ଦୟା ନଦୀର ଲିଙ୍ଗିପୁରଠାରେ ୬ଟି ଅସ୍ଥାୟୀ ପୋଖରୀ ଖୋଳାଯାଇଛି। ସେହିପରି ସେଞ୍ଚୁରିଆନ୍, ଚନ୍ଦକା ଏବଂ କୁଶଭଦ୍ରା ନଦୀରେ ମଧ୍ୟ ସମାନ ବ୍ୟବସ୍ଥା ହୋଇଛି। ମୂର୍ତ୍ତିଗୁଡ଼ିକର ଶୃଙ୍ଖଳିତ ବିସର୍ଜନ ପାଇଁ ସମସ୍ତ ପୋଖରୀ ନିକଟରେ ଜେସିବି (JCB), ଟ୍ରାକ୍ଟର ଏବଂ ସ୍ୱତନ୍ତ୍ର ଟିମ୍ ମୁତୟନ ରହିବେ।
ଅନ୍ୟପଟେ କଟକରେ ମଧ୍ୟ ଭସାଣି ଯାତ୍ରା ଆରମ୍ଭ ହୋଇ ସାରିଛି । ପାରମ୍ପରିକ ବାଜା, ରୋଷଣିର ଶୋଭାଯାତ୍ରାରେ ମାଆଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ । କଟକ ସହରରେ ପ୍ରାୟ 130ରୁ ଉର୍ଦ୍ଧ ମେଢ଼ ଆଜି ଭସାଣ କରାଯିବ । ମା’ଙ୍କ ମୃଣୟ ମୂର୍ତ୍ତି ବିସର୍ଜନ ଲାଗି ଦେବୀଗଡ଼ାରେ ନଦୀରେ ୩ଟି ଅସ୍ଥାୟୀ ଜଳାଶୟର ବନ୍ଦୋବସ୍ତ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ଭସାଣି ଶୋଭାଯାତ୍ରା ପାଇଁ କମିସନରେଟ ପୁଲିସ ପକ୍ଷରୁ ୬୨ ପ୍ଲାଟୁନ୍ ଅଧିକ ଫୋର୍ସ ମୁତୟନ କରାଯାଇଛି । କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ସିଆର୍ପିଏଫ୍ ଓ ରାପିଡ୍ ଆକ୍ସନର ଫୋର୍ସ ମଧ୍ୟ ପୃଥକ୍ ଭାବେ ମୁତୟନ କରାଯାଇଛି । ସେହିପରି ୩ ଶହରୁ ଅଧିକ ଅଫିସର ମଧ୍ୟ ନିୟୋଜିତ କରାଯାଇଛି ।






