ଚମକିବ ବାରବାଟୀ: ବର୍ଷା ହେଲେ ବି ଚାଲିବ ମ୍ୟାଚ୍‌, ବିଶ୍ୱସ୍ତରୀୟ ଗ୍ରାଉଣ୍ଡ ତିଆରି ଲାଗି ଚାଲିଛି ପ୍ରସ୍ତୁତି

The Sakala Picture
Published On

କଟକ: ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‍ ହେଉଛି କଟକର ବାରବାଟୀ ଷ୍ଟାଡିୟମ। ଭାରତରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‍ ଏଠାରେ ଅନୁଷ୍ଠିତ ହୋଇଛି। ଦିନିକିଆ କ୍ରିକେଟରୁ ଆରମ୍ଭ କରି ଟେଷ୍ଟ କିମ୍ବା ଟି-୨୦ କ୍ରିକେଟରେ ଏଠାରେ ଅନେକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏଥିଲାଗି ଷ୍ଟାଡିୟମ୍‍କୁ ପ୍ରଶଂସା ମିଳିଥିଲେ ମଧ୍ୟ ବର୍ଷା ହେଲେ ଏଠାରେ ମ୍ୟାଚ୍‍ ଆୟୋଜନ କଷ୍ଟକର ହୋଇପଡ଼ିଛି। ଏପରିକି ବର୍ଷା ଯୋଗୁଁ ୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‍ ବାତିଲ ହୋଇଥିଲାବେଳେ ପଡ଼ିଆକୁ […]

କଟକ: ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‍ ହେଉଛି କଟକର ବାରବାଟୀ ଷ୍ଟାଡିୟମ। ଭାରତରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‍ ଏଠାରେ ଅନୁଷ୍ଠିତ ହୋଇଛି। ଦିନିକିଆ କ୍ରିକେଟରୁ ଆରମ୍ଭ କରି ଟେଷ୍ଟ କିମ୍ବା ଟି-୨୦ କ୍ରିକେଟରେ ଏଠାରେ ଅନେକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏଥିଲାଗି ଷ୍ଟାଡିୟମ୍‍କୁ ପ୍ରଶଂସା ମିଳିଥିଲେ ମଧ୍ୟ ବର୍ଷା ହେଲେ ଏଠାରେ ମ୍ୟାଚ୍‍ ଆୟୋଜନ କଷ୍ଟକର ହୋଇପଡ଼ିଛି। ଏପରିକି ବର୍ଷା ଯୋଗୁଁ ୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‍ ବାତିଲ ହୋଇଥିଲାବେଳେ ପଡ଼ିଆକୁ ନେଇ ଅନେକ ନିନ୍ଦା ମୁଣ୍ଡାଇବାକୁ ପଡ଼ିଛି। ଏଥିରୁ ମୁକ୍ତିମିଳିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଏଠାରେ ପ୍ରସ୍ତୁତ କରାଯାଉଛି ବିଶ୍ୱସ୍ତରୀୟ ଭିତ୍ତିଭୂମି। ଗତ ମାର୍ଚ୍ଚ ମାସରୁ ୫୦ଜଣ କର୍ମଚାରୀ ନିୟମିତ ଗ୍ରାଉଣ୍ଡର ବିକାଶ କାର୍ଯ୍ୟରେ ଲାଗିଛନ୍ତି। ପଡ଼ିଆରେ ଚିକିଟା ମାଟି ଥିବାରୁ ଯେଉଁ ସବୁ ସମସ୍ୟା ଥିଲା ତାହା ଦୂର କରାଯିବ। ସାମାନ୍ୟ ବର୍ଷା ଯୋଗୁଁ ଆଉ କାଦୁଅରେ ଭର୍ତ୍ତି ହେବନି ଏହି ପଡ଼ିଆ। ପଡ଼ିଆକୁ ୨ଫୁଟ ପର୍ଯ୍ୟନ୍ତ ଖୋଳାଯାଇ ଏହି ଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ ବାଲିଆ କରାଯାଉଛି। ଯାହା ଫଳରେ ବର୍ଷା ହେଲେ ଏହା ଖୁବ୍‍ ଶୀଘ୍ର ଶୁଖିଯିବ ଓ ପଡ଼ିଆ ଖେଳ ଲାଗି ପ୍ରସ୍ତୁତ ହୋଇପାରି। ସେହିପରି ରାଜ୍ୟ ବାହାରୁ ଅଣାଯାଇଛି ଅତ୍ୟାଧୁନିକ ସ୍ୱତନ୍ତ୍ର କିସମର ହାଇବ୍ରିଡ ଘାସ। ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବାରବାଟୀ ପଡ଼ିଆର ଆଧୁନିକୀକରଣ ହେବା ସହ ବିଶ୍ୱସ୍ତରୀୟ ହୋଇପାରିବ। ସେପ୍ଟେମ୍ବର ମାସ ସୁଦ୍ଧା ବାରବାଟୀ ନୂତନ ରୂପ ନେଇ ସାରିଥିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟ ଗ୍ରାଉଣ୍ଡ ତୁଳନାରେ ବିଦେଶର କ୍ରିକେଟ ଗ୍ରାଉଣ୍ଡ ଗୁଡ଼ିକ ଭିନ୍ନ। ଅଳ୍ପ ବର୍ଷାରେ ପ୍ରାୟତଃ ଭାରତୀୟ କ୍ରିକେଟ ଗ୍ରାଉଣ୍ଡ ଗୁଡ଼ିକ କାଦୁଅରେ ଭର୍ତ୍ତି ହୋଇଯାଏ। ଆଉଟ୍‍ଫିଲ୍ଡରେ ପାଣି ଜମା ରହିବା ଯୋଗୁଁ ଖେଳ ବାଧାପ୍ରାପ୍ତ ହୁଏ। ହେଲେ ବିଦେଶୀ କ୍ରିକେଟ ଗ୍ରାଉଣ୍ଡ ଗୁଡ଼ିକ ବାଲିଆ ଥିବାରୁ ମ୍ୟାଚ୍‍ ଉପରେ ବର୍ଷାର ପ୍ରଭାବ ଖୁବ କମ୍‍ ପଡ଼ିଥାଏ। ଗତ କିଛି ବର୍ଷ ହେବ ଭାରତର ଅନେକ କ୍ରିକେଟ ଷ୍ଟାଡିୟମ ବିଦେଶୀ ଫର୍ମାଟକୁ ଆପଣାଇ ବାଲି ମିଶ୍ରିତ ପଡ଼ିଆ ନିର୍ମାଣକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସରୁ ବାରବାଟୀରେ ବାଲିମିଶ୍ରିତ ପଡ଼ିଆ ପାଇଁ ପ୍ରସ୍ତୁତି ଆଗେଇଛି। ଏକ ଘରୋଇ ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ କରୁଛି। ସମ୍ପୂର୍ଣ୍ଣ ପଡ଼ିଆକୁ ୨ଫୁଟ ପର୍ଯ୍ୟନ୍ତ ଖୋଳାଯାଇ ମାଟିରସ୍ତରକୁ ଢ଼ାଲୁଆ କରାଯାଇଛି। ପରେ ବାଲି ପକାଯିବା ସହିତ ବିଭିନ୍ନ ସ୍ଥାନରେ ସଂଯୋଗ ହୋଇଛି ୱାଟର ସ୍ପ୍ରିଙ୍କଲର। ଜଳସିଞ୍ଚନ ବ୍ୟବସ୍ଥାକୁ ପୂର୍ବାପେକ୍ଷା ବଢାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ବାରବାଟୀରେ ୱାଟର ସ୍ପ୍ରିଙ୍କଲର ବ୍ୟବସ୍ଥା ଦୁର୍ବଳ ଥିବା ବେଳେ ଏବେ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଏହା ଖଞ୍ଜା ଯାଇଛି। ଏହା ଉପରେ ମାଟି ପକା ସରିଛି। କେବଳ ଘାସ ରୋପଣକୁ ଅପେକ୍ଷା। ରାଜ୍ୟ ବାହାରୁ ଏକ ସ୍ୱତନ୍ତ୍ର କିସମର ହାଇବ୍ରିଡ ଘାସ ଅଣାଯାଇଛି। ଏହାଛଡ଼ା ଗ୍ରାଉଣ୍ଡ ଚତୁଃପାର୍ଶ୍ବରେ ଥିବା ଡ୍ରେନେଜ ବ୍ୟବସ୍ଥାର ନବୀକରଣ କରାଯିବ। ବର୍ଷା ଜଳ ଅଧିକ ସମୟ ଗ୍ରାଉଣ୍ଡରେ ନରହି କିପରି ଶୀଘ୍ର ନିଷ୍କାସିତ ହେବ ଓ ଗ୍ରାଉଣ୍ଡକୁ କାଦୁଅ ନକରିବ ସେଥି ପାଇଁ ଏହି ବ୍ୟବସ୍ଥା କରାଯାଉଛି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ୬ଟି ଯାକ ପିଚ ଆଦୌ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି କୁହାଯାଇଛି। ଓସିଏ ସମ୍ପାଦକ ସଞ୍ଜୟ ଏ ସମ୍ପର୍କରେ କୁହନ୍ତି, ପଡ଼ିଆର ୭୦ ପ୍ରତିଶତ କାମ ଶେଷ ହେଲାଣି। ବାକି ଥିବା କାମ ଆଉ ମାସେ କିମ୍ବା ଦୁଇ ମାସ ମଧ୍ୟରେ ଶେଷ ହେବ। ଏହା ଫଳରେ ଦେଶର ଅନେକ ଷ୍ଟାଡିୟମ ଭଳି ଏଠାରେ ବାଲିଆ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇଯିବ। ବର୍ଷା ହେବା ସତ୍ତ୍ବେ ପଡ଼ିଆ କିପରି ଶୀଘ୍ର ଶୁଖିବ ଓ ମ୍ୟାଚ୍‍ ହୋଇ ପାରିବ ତାହାକୁ ଗୁରତ୍ୱ ଦେଇ ଏହି ପଡ଼ିଆ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ସୂଚନା ଯୋଗ୍ୟ, ୧୯୮୨ ମସିହା ଜାନୁୟାରୀ ୨୭ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ଏହି ମ୍ୟାଚ୍‍କୁ ଭାରତ ୫ ୱିକେଟରେ ଜିତିଥିଲା। ଏହା ପରେ ୧୯ଟି ଏକଦିବସୀୟ, ୨ଟି ଟେଷ୍ଟ ଓ ୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ଏପରିକି ଭାରତୀୟ ଦଳର ତାରକା ଖେଳାଳି ଦିଲ୍ଲୀପ ଭେଙ୍ଗସରକାର, ଯୁବରାଜ ସିଂ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ବାରବାଟୀ ଷ୍ଟାଡିୟମରେ ହିଁ କରିଛନ୍ତି। ଆଗାମୀ ଦିନରେ ଭିତ୍ତିଭୂମିର ବିକାଶ ଯୋଗୁଁ ବାରବାଟୀକୁ ପୁଣି ଥରେ ଟେଷ୍ଟ ମ୍ୟାଚ୍‍ ଫେରିପାରେ ବୋଲି କ୍ରୀଡ଼ାପ୍ରେମୀ ଆଶା ବାନ୍ଧିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର