ବିଜୟାନନ୍ଦ ପଟ୍ଟନାୟକରୁ ଓଡ଼ିଆଙ୍କ ପ୍ରିୟ ବିଜୁବାବୁ

The Sakala Picture
Published On

ଯୁଗସ୍ରଷ୍ଟା ବିଜୁବାବୁ ଥିଲେ ନବ କଳିଙ୍ଗର ଐରଖାରବେଳ,କଳିଙ୍ଗବୀର,ଝଡର ଇଗଲ,ଉତ୍କଳ ମାଟିର ବୀରପୁତ୍ର । ଭାରତବର୍ଷର ବୀରତ୍ବ, ବିବେକ, ବିଚାର, ଆତ୍ମବିଶ୍ବାସ ଓ ସାହସିକତାର ମୂର୍ତ୍ତିମନ୍ତ ପ୍ରତୀକ। ବୀର ଓଡ଼ିଆ ଭାବରେ ବିଜୁ ପଟ୍ଟନାୟକ ସାରାବିଶ୍ବରେ ଅନନ୍ୟ କୀର୍ତ୍ତି ପ୍ରତିଷ୍ଠା କରିପାରିଛନ୍ତି। ମହାକାଳକୁ ବିସ୍ମିତ ଓ ଚକିତ କରି ବେଳେବେଳେ ଏପରି ଯୋଗଜନ୍ମା ପୁରୁଷଙ୍କର ଆବିର୍ଭାବ ଘଟେ, ଯିଏ ଇତିହାସ ସୃଷ୍ଟି କରନ୍ତି, ଇତିହାସ ବଦଳେଇ ଦେଇପାରନ୍ତି ଓ ଇତିହାସ ନିର୍ମାଣର ସ୍ବପ୍ନ ଭରିଦିଅନ୍ତି ଉତ୍ତରପୁରୁଷ ଆଖିରେ। ପୁଣି […]

ଯୁଗସ୍ରଷ୍ଟା ବିଜୁବାବୁ ଥିଲେ ନବ କଳିଙ୍ଗର ଐରଖାରବେଳ,କଳିଙ୍ଗବୀର,ଝଡର ଇଗଲ,ଉତ୍କଳ ମାଟିର ବୀରପୁତ୍ର । ଭାରତବର୍ଷର ବୀରତ୍ବ, ବିବେକ, ବିଚାର, ଆତ୍ମବିଶ୍ବାସ ଓ ସାହସିକତାର ମୂର୍ତ୍ତିମନ୍ତ ପ୍ରତୀକ। ବୀର ଓଡ଼ିଆ ଭାବରେ ବିଜୁ ପଟ୍ଟନାୟକ ସାରାବିଶ୍ବରେ ଅନନ୍ୟ କୀର୍ତ୍ତି ପ୍ରତିଷ୍ଠା କରିପାରିଛନ୍ତି। ମହାକାଳକୁ ବିସ୍ମିତ ଓ ଚକିତ କରି ବେଳେବେଳେ ଏପରି ଯୋଗଜନ୍ମା ପୁରୁଷଙ୍କର ଆବିର୍ଭାବ ଘଟେ, ଯିଏ ଇତିହାସ ସୃଷ୍ଟି କରନ୍ତି, ଇତିହାସ ବଦଳେଇ ଦେଇପାରନ୍ତି ଓ ଇତିହାସ ନିର୍ମାଣର ସ୍ବପ୍ନ ଭରିଦିଅନ୍ତି ଉତ୍ତରପୁରୁଷ ଆଖିରେ। ପୁଣି ଇତିହାସ ସେମାନଙ୍କ କୀର୍ତ୍ତିକୁ ସ୍ବର୍ଣ୍ଣାଭ ପୃଷ୍ଠାରେ ଧାରଣ କରି ନିଜେ ଆୟୁଷ୍ମାନ ହୁଏ, ଯଶସ୍ବୀ ହୁଏ ଓ ଧନ୍ୟ ହୁଏ। ସମୟର ଏକ ପରମ ବିସ୍ମୟ ଥିଲେ ବିଜୟାନନ୍ଦ ପଟ୍ଟନାୟକ-ଓଡ଼ିଆର ପ୍ରିୟ ବିଜୁବାବୁ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ଆହୁରି ପଢ଼ନ୍ତୁ: ପୁରୀରେ ନିମ୍ନମାନର ଓ ଭେଜାଲ ଖଜା ଗୋଦାମ ଉପରେ ପୋଲିସର ଚଢ଼ାଉ: ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କଡ଼ା ପଦକ୍ଷେପ

ନିଜ ସ୍ବପ୍ନ ଓ ସଂକଳ୍ପ ବିଷୟରେ ବିଜୁବାବୁ ଏକ ସାକ୍ଷାତକାରରେ କହିଥିଲେ- ‘ଯଦି ମୁଁ ସ୍ବପ୍ନ ଦେଖି ନଥାନ୍ତି, ତା’ହେଲେ ଆଜି ବିଜୟାନନ୍ଦରୁ ବିଜୁହୋଇ ନଥାନ୍ତି। ୧୯୨୬ ମସିହାର ଘଟଣା। କଟକ ସ୍ବରାଜ ଆଶ୍ରମଠାରେ ମହାତ୍ମାଗାନ୍ଧୀଙ୍କୁ ଦେଖିବାକୁ ଯାଇଥିଲି, କିନ୍ତୁୁ ଖାଇଲି ଗୋରା ପୁଲିସ ହାତରୁ ଲାଠିମାଡ଼। ସେହିଦିନ ମୁଁ ସ୍ବପ୍ନ ଦେଖିଲି। ମୁଁ ହେବି ଦୁର୍ଦ୍ଧର୍ଷ, ଆଉ ସେହି ଗୋରା ସାହେବମାନେ ଦିନେ ମୋ ଉପରେ ପ୍ରଶଂସା ଅଜାଡ଼ି ଦେବେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନୀମାନଙ୍କ ଦ୍ବାରା ବନ୍ଦୀ ହୋଇଥିବା ଗୋରା ପରିବାରକୁ ମୁଁ ମୁକୁଳାଇ ଆଣିଥିଲି। ଭାଇସରାୟଙ୍କ ପତ୍ନୀ ମୋତେ ମେଡାଲ ପିନ୍ଧାଇ ସମ୍ମାନିତ କରିଥିଲେ।’

ଆହୁରି ପଢ଼ନ୍ତୁ: ଦିଗ ବଦଳାଉଛି ଘୂର୍ଣ୍ଣିବଳୟ: ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା

ଯେଉଁଦିନ ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇ ହାରଗ୍ରୀଭ ସାହେବଙ୍କଠାରୁ ମାଡ଼ ଖାଇଥିଲେ, ସେଦିନ ମହାତ୍ମା ଗାନ୍ଧୀ ତାଙ୍କ କ୍ଷତରେ ହାତବୁଲାଇ ସ୍ନେହବୋଳା କଣ୍ଠରେ ଆଶୀର୍ବାଦ କରିଥିଲେ ଓ ହାରଗ୍ରୀଭଙ୍କୁ ଭର୍ତ୍ସନା କରିଥିଲେ।
ଆଉ ​ଗୋଟିଏ ଘଟଣାରୁ ପାଇଲଟ ହେବାର ସଂକଳ୍ପ ତାଙ୍କ ଭିତରେ ଜାଗିଉଠିଥିଲା। ଦିନେ ବାଳକ ବିଜୁ କଟକ କିଲା ପଡ଼ିଆରେ ଓ​‌େ​‌ହ୍ଲଇଥିବା ବିମାନଟିକୁ ଛୁଇଁବାକୁ ଯାଇ ଗୋରା ପୁଲିସଙ୍କ ହାତରୁ ମାଡ଼ ଖାଇଥିଲେ। ସେଦିନ ସେ ଶପଥ କରିଥିଲେ – ‘ଦିନେ ମୁଁ ଉଡ଼ାଜାହାଜ ଚଳେଇବି।’ ଘଟଣାଟି ବିଜୁଙ୍କୁ ରୂପାନ୍ତରିତ କରିଦେଇଥିଲା ଦୁର୍ଦ୍ଧର୍ଷ ବୈମାନିକରେ। ବିମାନ ଚାଳନା କରି ସେ କେଜାଣି କେତେ ଇତିହାସ ସୃଷ୍ଟିକଲେ।

ବିଜୁବାବୁଙ୍କ କୈଶୋର ଓ ଶୈଶବ ଥିଲା ବହୁବହୁ ମହାର୍ଘ୍ୟ ଅନୁଭୂତିର ଗନ୍ତାଘର। ତୁଳସୀ ଦୁଇପତ୍ରରୁ ବାସିଲାପରି ତାଙ୍କ ବୀରତ୍ବ,ଶୌର୍ୟ୍ୟ ଓ ପର ପାଇଁ ନିଜକୁ ଉତ୍ସର୍ଗ କରିବାର ମହାନୁଭବତାର ପରିଚୟ ମିଳିଥିଲା ବହୁ ଘଟଣାରୁ। ବିଶ୍ବତୋମୁଖୀ ମାନବବାଦ ଓ ସାର୍ବଜନୀନ ପ୍ରେମ ତାଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ଥିଲା। ବସ୍ତୁତଃ ସେ ସବୁ ମଣିଷକୁ ଭଲ ପାଉଥିଲେ। ଏହି ଭଲପାଇବା ଥିଲା ସ୍ବଚ୍ଛ, ସରଳ, ନିଷ୍କପଟ ଓ ଉଦାର। କାହାର ଦୁଃଖ ସେ ସହିପାରୁ ନଥିଲେ। ସାରା ଓଡ଼ିଶାର ଦୁଃଖଭାରକୁ ସେ ନିଜ ଛାତିରେ ବହନ କରିଥିଲେ ଯେଉଁଥିପାଇଁ ଶିଳ୍ପପତି ବିଜୁବାବୁ ଅନେକ ସମୟରେ କରଜ କରିଛନ୍ତି। ଶିଳ୍ପ ସଂସ୍ଥା ବିକିଛନ୍ତି, କିନ୍ତୁ ତାଙ୍କ ବଡ଼ପଣକୁ କେବେ ଉଣା ହେବାକୁ ଦେଇ ନାହାନ୍ତି। ଏ ନିଃସର୍ତ୍ତ ଭଲପାଇବାର ବହୁ ଦୃଷ୍ଟାନ୍ତ ରହିଛି। ଏ ସୀମିତ ପରିସରରେ ସେ ସବୁ ବର୍ଣ୍ଣନା କରିବା ଅସମ୍ଭବ।

୧୯୩୦ ମସିହାର କଥା। ବନ୍ୟାଞ୍ଚଳ ବରିକୁ ଚୁଡ଼ା, ଚାଉଳ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଧରି ଡଙ୍ଗାରେ ବାହାରିଥାନ୍ତି ଅରକ୍ଷିତର ବନ୍ଧୁ, ବିପଦର ସାଥୀ ‘ଦାସେ ଆପଣେ’। ହଠାତ୍‌ ଦମକାଏ ପବନରେ ଗୋପବନ୍ଧୁଙ୍କ ଛତାଟି ଉଡ଼ିଯାଇ ନଈରେ ପଡ଼ିଗଲା। ଡଙ୍ଗାର ଶେଷମୁଣ୍ଡରେ ବସିଥିବା କିଶୋର ବିଜୁ ବଢ଼ନ୍ତା ନଈକୁ ଡେଇଁ ପଡ଼ିଲେ ଛତାଟିକୁ ଆଣିବା ପାଇଁ, କିନ୍ତୁ ସମସ୍ତଙ୍କୁ ଆଚମ୍ବିତ କରି ଛତାଟିକୁ ଗୋଟିଏ ହାତରେ ଧରି, ଅନ୍ୟହାତରେ ନାଉରିଆ ବଢ଼େଇ ଦେଇଥିବା କାତଟିକୁ ଧରି ଡଙ୍ଗା ଉପରକୁ ଉଠି ଆସିଲେ ବିଜୁ। ଦାସେ ଆପଣେ ଓଦା ସରସର ବିଜୁଙ୍କୁ ନିଜ ଛାତିରେ ଜାବୁଡ଼ି ଧରି କାନ୍ଦକାନ୍ଦ ହୋଇ କହିଥିଲେ- ‘ବାପାରେ ! ଛତାଟାର ମୂଲ୍ୟ ବା କେତେ? ତୋ ଜୀବନର ମୂଲ୍ୟକୁ ବାଜି ଲଗାଇ ଦେଲୁ।’ ବିଜୁ ହସିହସି କହିଲେ- ‘ଏ ଛତାଟା ଦାସେ ଆପଣେଙ୍କ ଛତା। ଓଡ଼ିଆ ଜାତିର ଦରଦୀ ବନ୍ଧୁ ଯେଉଁ ଦାସେ ଆପଣେ।’ ଗୋପବନ୍ଧୁ ଆଶୀର୍ବାଦ ଦେଇ କହିଲେ, ‘ତୋର ଏ ଛୋଟିଆ ମୁଣ୍ଡରେ ଓଡ଼ିଆଙ୍କ ପାଇଁ ଏତେ ଚିନ୍ତା! ତୁ ଜଣେ ଖୁବ୍‌ ବଡ଼ ମଣିଷ ହେବୁ। ଓଡ଼ିଆ ଜାତିର ଟେକ ରଖିବୁ।’

ଆଜି ସେ ଭବିଷ୍ୟତବାଣୀ ସତ୍ୟ ପ୍ରମାଣିତ ହୋଇଛି। ବିଜୁବାବୁ ଦିନେ କହିଥିଲେ- ‘ମୁଁ ଓଡ଼ିଶାକୁ ଭଲପାଏ। ଓଡ଼ିଶା ମତେ ଭଲପାଏ। ଓଡ଼ିଶାର ଲୋକେ ମୋତେ ବିଜୟାନନ୍ଦରୁ ବିଜୁବାବୁରେ ପରିଣତ କରିଛନ୍ତି ସେମାନଙ୍କ ଅଜସ୍ର ଭଲପାଇବା ଦେଇ। ସେ ପୁଣି କିମ୍ବଦନ୍ତୀ ପୁରୁଷ।’ । ତାଙ୍କୁ କିଏ କହେ, ଓଡ଼ିଶାର ଦ୍ବିତୀୟ କୋଣାର୍କ, କିଏ କହେ ଖାରବେଳ। କିଏ କହେ କଳିଙ୍ଗ ସମ୍ରାଟ। ତାଙ୍କୁ କେନ୍ଦ୍ରକରି ଗଢ଼ିଉଠିଛି ବହୁ କାହାଣୀ। ତାଙ୍କ ବଡ଼ପଣର, ଉଦାରତାର, ମହାନୁଭବତାର, ଲୋକଙ୍କ ହୃଦୟର ନିରୋଳା ଭଲ ପାଇବାରୁ ଉତ୍ସରିତ ଏସବୁ ଉପାଧି। ମହାନ ବ୍ୟକ୍ତିତ୍ବର ଗାରିମା।

ସ୍ବାଧୀନତା ସଂଗ୍ରାମୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶିଳ୍ପପତି, ବୈମାନିକ ରାଷ୍ଟ୍ରନୀତିଜ୍ଞ ବିଜୁବାବୁଙ୍କ କଳିଙ୍ଗ ପ୍ରୀତିର ପଟାନ୍ତର ନାହିଁ। ବିଜ୍ଞାନ ପାଇଁ କଳିଙ୍ଗ ପୁରସ୍କାର, ଓଡ଼ିଶାର ବିକାଶ ପାଇଁ ସୁନାବେଡ଼ା ମିଗ କାରଖାନା, ପାରାଦ୍ବୀପ ବନ୍ଦର, ନାରୀ ଜାଗରଣ, ଆଦିବାସୀ ଉନ୍ନୟନ ଯୋଜନା ପରି ବହୁବହୁ ଯୋଜନା ସେ କାର୍ୟ୍ୟକାରୀ କରାଇଥିଲେ। ଓଡ଼ିଶାର ସର୍ବାଙ୍ଗୀଣ ଉନ୍ନତି ଓ ସ୍ବପ୍ନ ତାଙ୍କ ଚିନ୍ତା ଓ ଚେତନାକୁ ସଦା ଆଚ୍ଛନ୍ନ କରି ରଖିଥିଲା।

ପାଇଲଟ ବିଜୁଙ୍କ କୃତି ଓ କୀର୍ତ୍ତି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଜାତି ଓ ରାଷ୍ଟ୍ର ପାଇଁ ଅଶେଷ ଗୌରବ ଆଣି ଦେଇଛି। ଭାରତୀୟ ମୁକ୍ତି ସଂଗ୍ରାମ ସମୟରେ ଜୟପ୍ରକାଶ ନାରାୟଣ, ଅରୁଣା ଆସଫ୍‌ଅଲ୍ଲୀ, ରାମ ମନୋହର ଲୋହିଆ ପ୍ରମୁଖ ବହୁ ସଂଗ୍ରାମୀଙ୍କୁ ଇଂରେଜମାନଙ୍କ ଆଖିରେ ଧୂଳିଦେଇ ଉଡ଼ାଜାହାଜରେ ବିଭିନ୍ନ ଜାଗାକୁ ଆଣି ଲୁଚାଇ ରଖିବାରେ ତାଙ୍କ ସାହସିକତା ଇତିହାସର ଏକ ଅମ୍ଳାନ ସ୍ବାକ୍ଷର। ଏଥିପାଇଁ ସରକାରଙ୍କ ରୋଷର ଶିକାର ହୋଇ ବର୍ଷବର୍ଷ ଧରି କାରାବରଣ କରିଥିଲେ।

ଡାକୋଟା ବିମାନରେ ପତ୍ନୀ ଜ୍ଞାନଦେବୀଙ୍କ ସହିତ ଇଣ୍ଡୋନେସିଆକୁ ଯାତ୍ରା ଯେତିକି ରୋମାଞ୍ଚକର, ସେତିକି ଭୀତିପ୍ରଦ। ଡଚ ସରକାରଙ୍କ ଦୃଷ୍ଟି ଏଡ଼ାଇ ମହମ୍ମଦ ହଟ୍ଟା ଓ ସୁଲତାନ ସାହରିୟଙ୍କୁ ଉଦ୍ଧାର କରି ସେ ବିଶ୍ବ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲେ। ପରବର୍ତ୍ତୀ କାଳରେ ଇଣ୍ଡୋନେସିଆର ସର୍ବଶ୍ରେଷ୍ଠ ଉପାଧି ‘ଭୂମିପୁତ୍ର’ ଓ ସର୍ବଶ୍ରେଷ୍ଠ ଜାତୀୟ ପୁରସ୍କାର ‘ବିନତମଯଶୁ ଉତ୍ତମ’ ସମ୍ମାନ ଲାଭ କରିଛନ୍ତି ବିଜୁବାବୁ। ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣ ଯେତେବେଳେ ପାଞ୍ଚଶହ କୋଟି ଟଙ୍କାର ଅଚଳାଚଳ ସଂପତ୍ତି ବିଜୁଙ୍କ ଭେଟି ଦେଇଥିଲେ, ହସିହସି ବିଜୁ କହିଥିଲେ- ‘କଳିଙ୍ଗ ସମ୍ରାଟ ତା’ର ପ୍ରଜାମାନଙ୍କଠାରୁ ଉପହାର ନିଏ ନାହିଁ।’ କଳିଙ୍ଗର ମହିମା ଓ ଗରିମା ପ୍ରତିଷ୍ଠା ପାଇଁ ଏପରି ମହାନୁଭବତାର ଦ୍ବିତୀୟ ପଟାନ୍ତର ନାହିଁ।

୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ ଘନକୁହୁଡ଼ି, ବରଫପାତ, ଘଞ୍ଚ ଅରଣ୍ୟ ପରିବେଷ୍ଟିତ ମାକମୋହନ ଲାଇନସ୍ଥ ତାକ୍‌ସିଙ୍ଗ ଅଞ୍ଚଳକୁ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ କୃଷ୍ଣମେନନଙ୍କୁ ସାଙ୍ଗରେ ନେଇ ଉଡ଼ାଣକରି ଲଢ଼େଇ କରୁଥିବା ଭାରତୀୟ ସୈନ୍ୟମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ବିଜୁ। ତାଙ୍କ ବୀରତ୍ବର ଗାଥା ବର୍ଣ୍ଣନା କଲାବେଳେ ଦୃଷ୍ଟି ପ୍ରସରିଯାଏ ଅସୀମ ଦିଗ୍‌ବଳୟ ଯାଏ – ସୀମାହୀନ, ବର୍ଣ୍ଣନାତୀତ।

କଳିଙ୍ଗଏୟାର ଲାଇନସ୍‌, କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ଖବରକାଗଜ, କଳିଙ୍ଗରଥ, କଳିଙ୍ଗ ପୁରସ୍କାର ଆଦି ବିଜୁଙ୍କ କଳିଙ୍ଗପ୍ରୀତିର ଉଳ ଦୃଷ୍ଟାନ୍ତ। ସେ କେବଳ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରତିରକ୍ଷା ବିଭାଗର ଉପଦେଷ୍ଟା, ପାଇଲଟ୍‌, ରାଷ୍ଟ୍ରନୀତିଜ୍ଞ, ସ୍ବାଧୀନତା ସଂଗ୍ରାମୀ ନଥିଲେ; ସେ ଥିଲେ କୋଟିକୋଟି ଓଡ଼ିଆଙ୍କ ହୃଦୟ ସିଂହାସନରେ ଅଧିଷ୍ଠିତ ଆପଣାର ପ୍ରିୟ ମଣିଷ, ଓଡ଼ିଶାର ସ୍ବପ୍ନପୁରୁଷ। ଆଜି ତାଙ୍କର ପୁଣ୍ୟ ଜୟନ୍ତୀ ଅବସରରେ ଓ ଓଡ଼ିଆଜାତିର କୋଟିକୋଟି ପ୍ରଣାମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର