ଧର୍ମାନ୍ତରୀକରଣକୁ ନେଇ ତେଜିଲା ବିବାଦ: ୩ଦିନ ଧରି ରାସ୍ତାରେ ପଡ଼ିରହିଛି ଦାଦନ ଶ୍ରମିକଙ୍କ ଶବ, ଗାଁରେ ଉତ୍ତେଜନା
ବାରିପଦା: ଧର୍ମାନ୍ତରୀକରଣକୁ ନେଇ ଗାଁରେ ଉପୁଜିଛି ତୀବ୍ର ବିବାଦ। ଗତ ତିନି ଦିନ ଧରି ଗାଁ ରାସ୍ତାରେ ପଡ଼ିରହିଛି ଜଣେ ଗରିବ ଆଦିବାସୀ ଦାଦନ ଶ୍ରମିକଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାହଳଦା ବ୍ଲକ କାଙ୍କି ପଞ୍ଚାୟତ ଅନ୍ତର୍ଗତ ବିଞ୍ଜୁଆ ଗ୍ରାମରେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନର ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଥାଉକି, ଏକଦା ଟସର ରେଶମ ଶିଳ୍ପ ପାଇଁ ପରିଚିତ ଥିବା ବିଞ୍ଜୁଆ ଗ୍ରାମ ଆଜି ଜାତି ଓ ଧର୍ମକୁ ନେଇ ଦୁଇ ଭାଗରେ ବିଭକ୍ତ। ସୂଚନା ଅନୁଯାୟୀ, ଗ୍ରାମର ମାଝି ସାହି ବାସିନ୍ଦା କାରୁ ମାଝି ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ମୃତଦେହକୁ ଗ୍ରାମକୁ ଅଣାଯାଇଥିଲା।
କାରୁ ମାଝି ପୂର୍ବରୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ଖବର ପ୍ରଚାରିତ ହେବା ପରେ ଗ୍ରାମରେ ବିରୋଧ ଆରମ୍ଭ ହୋଇଥିଲା। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ଶ୍ମଶାନରେ ମୃତଦେହ ସତ୍କାର କରିବାକୁ ସଫା ସଫା ମନା କରିଦେଇଥିଲେ। ସେମାନଙ୍କ ଯୁକ୍ତି ହେଉଛି, ଧର୍ମ ପରିବର୍ତ୍ତନ କରିଥିବାରୁ କାରୁ ମାଝି ଆଉ ଆଦିବାସୀ ପରମ୍ପରାରେ ଅନ୍ତର୍ଭୁକ୍ତ ନୁହନ୍ତି।
କେବଳ ସେତିକି ନୁହେଁ, ମୃତକଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ଉପରେ ଗ୍ରାମବାସୀ ସାମାଜିକ ବାସନ୍ଦ ଜାରି କରିଛନ୍ତି। ସେମାନଙ୍କୁ ସାଧାରଣ ନଳକୂପରୁ ପାଣି ନେବା କିମ୍ବା ଗାଁ ଲୋକଙ୍କ ସହ ମିଶିବା ଉପରେ କଟକଣା ଲଗାଯାଇଛି।
ସ୍ଥାନୀୟ ସମାଜସେବୀ ସୁଦର୍ଶନ ଏହି ଘଟଣା ସମ୍ପର୍କରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝି, ସ୍ଥାନୀୟ ବିଧାୟକ ଜଲେନ ନାଏକ ଏବଂ ରାଇରଙ୍ଗପୁର ପୁଲିସକୁ ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ମୃତଦେହ ରାସ୍ତାରେ ପଡ଼ିରହିଥିବା ବେଳେ ମୃତକଙ୍କ ଘରକୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଘେରି ରହିଛନ୍ତି। ପରିସ୍ଥିତି ଯେକୌଣସି ମୁହୂର୍ତ୍ତରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଆଡ଼କୁ ଗତି କରିବାର ଆଶଙ୍କା ଥିବାରୁ ତୁରନ୍ତ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏକ ସମ୍ମାନଜନକ ଶେଷକୃତ୍ୟ ସମ୍ପନ୍ନ କରିବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।






