ଭୂତ-ଗୁଣିଆ ଉପାଖ୍ୟାନ
ମେ’୩୧ ତାରିଖରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ନିଶାଦ୍ରବ୍ୟ, ଅପମିଶ୍ରିତ/ବିଷାକ୍ତ ମାଦକଦ୍ରବ୍ୟ ସେବନକୁ ନିରୁତ୍ସାହିତ କରିବା ଲାଗି ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ଲୋଗୋ ବା ପ୍ରତୀକ ରହିଛି – ‘ଆମ ସଂକଳ୍ପ: ନିଶା ନୁହେଁ ଜୀବନ’। ରାଜ୍ୟ ଅବକାରୀ ବିଭାଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ କହିଛି ଯେ ‘ଆଜି ହିଁ ସଂକଳ୍ପ ନେବା- ନିଶା ନୁହେଁ ଜୀବନକୁ ବାଛିବା।’ ସଂକଳ୍ପକୁ ସାକାର କରିବା ପାଇଁ ଗଣମାଧ୍ୟମରେ ସରକାରୀ ବିଜ୍ଞାପନମାନ […]
ମେ’୩୧ ତାରିଖରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ନିଶାଦ୍ରବ୍ୟ, ଅପମିଶ୍ରିତ/ବିଷାକ୍ତ ମାଦକଦ୍ରବ୍ୟ ସେବନକୁ ନିରୁତ୍ସାହିତ କରିବା ଲାଗି ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ଲୋଗୋ ବା ପ୍ରତୀକ ରହିଛି – ‘ଆମ ସଂକଳ୍ପ: ନିଶା ନୁହେଁ ଜୀବନ’। ରାଜ୍ୟ ଅବକାରୀ ବିଭାଗ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ କହିଛି ଯେ ‘ଆଜି ହିଁ ସଂକଳ୍ପ ନେବା- ନିଶା ନୁହେଁ ଜୀବନକୁ ବାଛିବା।’ ସଂକଳ୍ପକୁ ସାକାର କରିବା ପାଇଁ ଗଣମାଧ୍ୟମରେ ସରକାରୀ ବିଜ୍ଞାପନମାନ ପ୍ରକାଶ ପାଇଛି। ରାଜ୍ୟ ସରକାର ଯଦି ଆନ୍ତରିକତାର ସହ ନିଶାମୁକ୍ତ ସମାଜର ପରିକଳ୍ପନା କରିଥା’ନ୍ତି, ତେବେ ଏହା ଅତି ଉତ୍ତମ କଥା। ଏହା ମଧ୍ୟ ସମୟୋପଯୋଗୀ ଅପରିହାର୍ଯ୍ୟ ଆବଶ୍ୟକତା। କିନ୍ତୁ ଏହି ସଂକଳ୍ପ ଅଭିଯାନ ଆଢ଼ୁଆଳରେ ଅନେକ କିଛି ପ୍ରଶ୍ନ ଊହ୍ୟ ରହିଯାଉଛି, ଯାହାକୁ କିଞ୍ଚିତ୍ ତର୍ଜମା କଲେ ପ୍ରଶ୍ନ ଉଠୁଛି – ଏହା କେବଳ ଧର୍ମକୁ ଆଖିଠାର ନୁହେଁ ତ?
ଅପ୍ରିୟ ଓ ନଗ୍ନ ସତ୍ୟ ହେଉଛି ସରକାରୀ ସଚେତନତା ଏକ ପ୍ରହସନରେ ପରିଣତ ହୋଇଯାଇଛି। ଓଡ଼ିଆରେ ଏକ ଢଗ ଅଛି – ଭୂତ ହୋଇ ଲାଗିବ, ଗୁଣିଆ ହୋଇ ଝାଡ଼ିବ। ଅର୍ଥାତ୍ ଯିଏ ସମସ୍ୟା ସୃଷ୍ଟି କରୁଛି ସେ ହିଁ ଉପଚାରକର ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଏଥିରେ ଲାଭ-କ୍ଷତି କାହାର ତାହା ବୋଧହୁଏ ବିଜ୍ଞ ପାଠକଙ୍କୁ ବୁଝାଇ କହିବା ଅନାବଶ୍ୟକ। ତମାଖୁ ବର୍ଜନ ଓ ନିଶା ନିବାରଣ ପାଇଁ ସରକାରଙ୍କର ସଦ୍ୟତମ ବିଜ୍ଞାପନକୁ ଉଦାହରଣ ରୂପେ ନେଲେ ଏହି ଉକ୍ତିର ବିଶ୍ଲେଷଣ ଆହୁରି ସ୍ପଷ୍ଟ ହେବ। ନିଶା ରାକ୍ଷସର ଦୌରାତ୍ମ୍ୟରେ କେତେ ଯେ ପରିବାର ଉଜୁଡ଼ି ଯାଉଛି, ସଡ଼କ ଦୁର୍ଘଟଣାରେ କେତେ ଯେ ନିରୀହ ଜୀବନ ଅକାରଣରେ ଅକାଳରେ ଯାଉଛି, କେତେ ଯେ ଅପରାଧ ଘଟୁଛି ସେ ବିଷୟରେ ସରକାର ବାହାଦୂର ନିଶ୍ଚୟ ଅଜ୍ଞ ନୁହନ୍ତି, ତାହାର ପ୍ରମାଣ ହେଉଛି ମେ’ ୩୧ରୁ ଆରମ୍ଭ ହେଉଥିବା ସରକାରଙ୍କ ନିଶାମୁକ୍ତ ସଂକଳ୍ପ ଓ ସଚେତନତା ଅଭିଯାନ। ଏହା କିନ୍ତୁ ସରକାରଙ୍କ ବାହ୍ୟ ବା ଲୋକଦେଖାଣିଆ ରୂପ। ଏହାର ପ୍ରଚ୍ଛଦପଟ୍ଟରେ ଲୁଚି ରହିଥିବା ଅନ୍ୟ ରୂପଟି ହେଉଛି ଅସାମାଜିକ ପରିବେଶ ଓ ପରିସ୍ଥିତିକୁ ଜନ୍ମ ଦେବାରେ ନିଶାର ପ୍ରଭାବ ଜାଣି ମଧ୍ୟ ମଦ ଦୋକାନ ଖୋଲିବା ପାଇଁ ଆଖିବୁଜା ଅନୁମତି ଦେଇ ଚାଲିବାର ଦାୟିତ୍ୱହୀନ ମାନସିକତା। ତମାଖୁ ବିକ୍ରିକୁ ଅନୁମତି ବନାମ ସଚେତନତା ମଧ୍ୟ ସେହି ସମାନ ବିରୋଧାଭାସରୁ ମୁକ୍ତ ନୁହେଁ। ଏକପକ୍ଷରେ ତମାଖୁ ସେବନର କ୍ଷତିକାରକ ଦିଗ ଉପରେ ଅସୁମାରି ସଚେତନତା ବିଜ୍ଞାପନ ସରକାର ଜାରି ରଖିଛନ୍ତି। ଅଥଚ ସରକାରଙ୍କ ଆଖି ସାମ୍ନାରେ ହିଁ ଗଳିକନ୍ଦିରେ ମାଳମାଳ ତମାଖୁ ବିକ୍ରି ହେଉଛି। ନିଶାମୁକ୍ତ ସମାଜ ଗଠନ ଦିଗରେ ସରକାରଙ୍କ ଯଦି ତିଳେମାତ୍ର ଆନ୍ତରିକତା ଥାଏ ତେବେ ପ୍ରଥମେ ମଦ ଦୋକାନ ଏବଂ ତମାଖୁ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତୁ ଏବଂ ଏ ସମ୍ପର୍କିତ ଦୃଢ଼ ନୀତି ପ୍ରଣୟନ କରନ୍ତୁ।
ବିଡ଼ମ୍ବନା ହେଉଛି ସଦ୍ୟତମ ନିଶାମୁକ୍ତ ସମାଜ ଗଠନ ସଂକଳ୍ପ ଅଭିଯାନ ଆରମ୍ଭ କରିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଅବକାରୀ ନୀତିରେ ଥିବା ବ୍ୟବସ୍ଥା ମୁତାବକ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)କୁ ଠିପିଖୋଲା ମଦ ଲାଇସେନ୍ସ ବାବଦରେ ଅନ୍ୟମାନଙ୍କ ତୁଳନାରେ ଅଧା ଅର୍ଥ ଦେବାକୁ ହେବ। ଏହାର ଅର୍ଥ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଓଟିଡିସି କିମ୍ୱା ଆଇଟିଡିସି ମଦ ପରିବେଷଣ କରିପାରିବେ। ପର୍ଯ୍ୟଟନ ବିଭାଗର ନିଷ୍ପତ୍ତିରେ ସ୍ଥାନେ ସ୍ଥାନେ ‘ମଦ କୁଡ଼ିଆ’ ଖୋଲିବ। ଘରୋଇ କାର୍ଯ୍ୟକ୍ରମ ବା ଉତ୍ସବାନୁଷ୍ଠାନରେ ମଦ ପରିବେଷଣ ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଅସ୍ଥାୟୀ ଅନୁମତି ଦେଇପାରିବେ। ଭୋଜିଭାତରେ ଚୋରା ଲୁଚାରେ ମଦ ପିଇବା ପରିବର୍ତ୍ତେ ମଦୁଆମାନେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମଦ ଖୋଲାଖୋଲି ପାନ କରି ମସଗୁଲ୍ ହେବାର ସୁଯୋଗ ପାଇବେ। ତେଣୁ ମଦ ନିଶା ଛଡ଼ାଇବା ପାଇଁ ସଂକଳ୍ପ ଅଭିଯାନ ଜରିଆରେ ଗୁଣିଆ ଭୂମିକାରେ ଅବତୀର୍ଣ୍ଣ ସରକାରଙ୍କ ଅବକାରୀ ନୀତି ଏବଂ ତମାଖୁ ବିକ୍ରିକୁ ଆଖିବୁଜା ପରୋକ୍ଷ ସମର୍ଥନ ତାଙ୍କର ଭୂତ ଭୂମିକାକୁ ପ୍ରମାଣିତ କରୁନାହିଁ କି? ସଚେତନ ନାଗରିକ ମନରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ।
କେବଳ ମଦ ଓ ତମାଖୁ ନୁହେଁ, ପ୍ଲାଷ୍ଟକ୍ ଓ ଶବ୍ଦ ପ୍ରଦୂଷଣ ମଧ୍ୟ ସମାନ ଅଭିଯୋଗରେ ଅଭିଯୁକ୍ତ। କାଗଜ କଲମରେ ପଲିଥିନ ମୁକ୍ତ ସହର ଓ ଦେଶଗଠନ ହୋଇସାରିଛି। ଏକକ ବ୍ୟବହାରଯୁକ୍ତ ପଲିଥିନ, ପ୍ଲାଷ୍ଟିକ୍ ସାମଗ୍ରୀର ଉତ୍ପାଦନ, ବିକ୍ରିବଟା ଓ ବ୍ୟବହାରକୁ ନିଷିଦ୍ଧ କରାଯାଇ ଦଣ୍ଡବିଧାନର ବ୍ୟବସ୍ଥା ଅଛି। କିନ୍ତୁ ବିଡ଼ମ୍ବନା ଏହା ଯେ ଯେଉଁମାନେ ଏହି ନୀତି ନିର୍ଦ୍ଧାରଣର ଶବ୍ଦବିନ୍ୟାସ କରିଛନ୍ତି ସେମାନଙ୍କ ହାତରେ ମଧ୍ୟ ପଲିଥିନ ଶୋଭା ପାଉଛି। ମଝିରେ ମଝିରେ କର୍ତ୍ତୃପକ୍ଷ ବିଭିନ୍ନ ଦୋକାନବଜାର ଉପରେ ଚଢ଼ଉ କରି ପଲିଥିନ ମୁଣା ଜବତ କରିବା ସହିତ ଜରିମାନା ଆଦାୟ କରୁଛନ୍ତି, ଅଥଚ ଏହାର ଉତ୍ପାଦନ ସ୍ଥଳ ବା ଫ୍ୟାକ୍ଟ୍ରିକୁ ଆଡ଼ ଆଖିରେ ମଧ୍ୟ ଚାହୁଁନାହାନ୍ତି। ସେହିପରି ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଲାଗି କଟକଣା ରହିଛି; ଅଥଚ ଉଚ୍ଚଶବ୍ଦଯୁକ୍ତ ବାଣ ଓ କାନଫଟା ଶବ୍ଦ ସୃଷ୍ଟି କରୁଥିବା ଡିଜେର ଉତ୍ପାଦନ ଓ ଉପକରଣକୁ ବନ୍ଦ କିମ୍ବା ଜବତ କରାଯାଇପାରୁନାହିଁ।
ଯଦି ଗୋଟିଏ ରାଜ୍ୟର ସରକାର ଚାହିଁବେ ତେବେ ଅସାମାଜିକ ଓ ଅବାଞ୍ଛିତ ତତ୍ତ୍ୱଗୁଡ଼ିର ବିଲୋପ ସମ୍ଭବ। ଯଦି ଉତ୍ପାଦନ ବା ଉତ୍ସ ହିଁ ବନ୍ଦ ହୋଇଯିବ ଆପେ ଆପେ ତାହାର ପ୍ରଭାବ ମଧ୍ୟ ଶୂନ୍ୟ ହୋଇଯିବ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚେତନତା ଅଭିଯାନର ଆବଶ୍ୟକତା ହିଁ ପଡ଼ିବ ନାହିଁ। କିନ୍ତୁ ଭୂତ-ଗୁଣିଆ ଭୂମିକାକୁ ପସନ୍ଦ କରୁଥିବା ସରକାର ବାହାଦୂରଙ୍କୁ ବୁଝେଇବ କିଏ? ଆଣ୍ଟିଭାଇରସ ବିକାଶ କରୁଥିବା ସଂସ୍ଥା ହିଁ ଭାଇରସ ସୃଷ୍ଟି କରେ ଏବଂ ଟିକା ପ୍ରସ୍ତୁତକାରୀ କମ୍ପାନୀମାନେ ହିଁ ଭୂତାଣୁ ସୃଷ୍ଟି କରନ୍ତି। ଆଉ ରାଜସ୍ୱ ସଂଗ୍ରହ ନିଶାରେ ମସ୍ଗୁଲ୍ ସରକାର ନିଶାମୁକ୍ତ ଅଭିଯାନର ଛଳନା କରି ନିଜ ଭାବମୂର୍ତ୍ତି ସଜାଡ଼ିବାର ଉଦ୍ୟମ କରନ୍ତି। ଏହା ହିଁ ଆଜିର ବଜାର ଅର୍ଥନୀତିର ଅପରିଣାମଦର୍ଶୀ ବାସ୍ତବତା।
ଯଦି ନିଶାମୁକ୍ତ ସମାଜ ଗଠନ ଲାଗି ସରକାରଙ୍କ ଆନ୍ତରିକତା ଓ ନିଷ୍ଠା ଥାଏ ତେବେ ଏହି ଅଭିଯାନରେ ନିଶାଦ୍ରବ୍ୟ ଓ ତମାଖୁ ଜାତୀୟ ଦ୍ରବ୍ୟର ଉତ୍ପାଦନ ଓ ବିକ୍ରି ବନ୍ଦ ପାଇଁ ସରକାର ହିଁ ପ୍ରଥମେ ଆତ୍ମସଂକଳ୍ପ ନିଅନ୍ତୁ। ସମ୍ବିଧାନର ୪୭ ଧାରାରେ ଥିବା ନିଶା ନିବାରଣ ଏବଂ ୨୧ ଧାରାରେ ଥିବା ବଞ୍ଚିବାର ଅଧିକାରକୁ ଦୃଷ୍ଟିରେ ରଖି ପ୍ରଚଳିତ ଅବକାରୀ ନୀତି ଓ ଆଇନ୍ରେ ସଂଶୋଧନ ଆଣିବା ଲାଗି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଐତିହାସିକ ରାୟ ଦେଇଛନ୍ତି, ତାହାର ଅନୁପାଳନ କରନ୍ତୁ। ନ ହେଲେ ଯାଦୁଆ ଯାଦୁର ମଲମ ବିକିବା ଭଳି ଅପବାଦ ସରକାରଙ୍କୁ ମୁଣ୍ଡାଇବାକୁ ପଡ଼ିବ।






