ସବୁ ମଣିଷ ଦେଖିବାକୁ ସମାନ ନୁହନ୍ତି କାହିଁକି?
ଆଖି ଦୁଇଟିକୁ ବନ୍ଦ କରି ଟିକିଏ ଭାବିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ନିକଟରେ ଥିବା ଆପଣଙ୍କ ଚିହ୍ନାଜଣା, ଏପରିକି ପୃଥିବୀର ସବୁ ଲୋକ ଦେଖିବା ପାଇଁ ଏକା ଭଳିଆ ଏବଂ ସେମାନଙ୍କର ପ୍ରକୃତି, ଚିନ୍ତା, ଭାବନା ଇତ୍ୟାଦି ଏକା ରକମ। କିନ୍ତୁ ବାସ୍ତବକ୍ଷେତ୍ରରେ ଏହି ରକମର କିଛି ଘଟି ନଥାଏ। ଏକା ପିତାମାତାଙ୍କଠାରୁ ଜନ୍ମ ନେଇଥିବା ସନ୍ତାନମାନଙ୍କ ମଧ୍ୟରେ ଦୈହିକ ଓ ମାନସିକ ସ୍ତରରେ କିଛି ମେଳ ପରିଲକ୍ଷିତ ହେଉଥିଲେ ମଧ୍ୟ ସେମାନେ କେବେ […]
ଆଖି ଦୁଇଟିକୁ ବନ୍ଦ କରି ଟିକିଏ ଭାବିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ନିକଟରେ ଥିବା ଆପଣଙ୍କ ଚିହ୍ନାଜଣା, ଏପରିକି ପୃଥିବୀର ସବୁ ଲୋକ ଦେଖିବା ପାଇଁ ଏକା ଭଳିଆ ଏବଂ ସେମାନଙ୍କର ପ୍ରକୃତି, ଚିନ୍ତା, ଭାବନା ଇତ୍ୟାଦି ଏକା ରକମ। କିନ୍ତୁ ବାସ୍ତବକ୍ଷେତ୍ରରେ ଏହି ରକମର କିଛି ଘଟି ନଥାଏ। ଏକା ପିତାମାତାଙ୍କଠାରୁ ଜନ୍ମ ନେଇଥିବା ସନ୍ତାନମାନଙ୍କ ମଧ୍ୟରେ ଦୈହିକ ଓ ମାନସିକ ସ୍ତରରେ କିଛି ମେଳ ପରିଲକ୍ଷିତ ହେଉଥିଲେ ମଧ୍ୟ ସେମାନେ କେବେ ବି ସମାନ ହୋଇ ନଥା’ନ୍ତି; କେବଳ କେତେକ ସମରୂପ ଯମଜଙ୍କୁ ଛାଡ଼ି। ଏହା ହିଁ ପ୍ରକୃତିର ନିୟମ। ଏହି କାରଣରୁ ତ ଜୀବଜଗତରେ ଯେତେସବୁ ବୈଷମ୍ୟ।
ଏହି ପ୍ରକାରର ଏକ ଅଳୀକ ସମ୍ଭାବନାର କଥା କାହିଁକି ଉଲ୍ଲେଖ କରାହେଲା ଏବଂ କାହିଁକି ଅବା ସେପରି ଘଟି ନଥାଏ, ତାହା ପ୍ରକୃତିର ଏକ ଅପାର ରହସ୍ୟ। ଆମେ ସମସ୍ତେ ଜାଣୁ ଯେ ପିତା ଓ ମାତାଙ୍କ ଯଥାକ୍ରମେ ଶୁକ୍ରାଣୁ ଓ ଡିମ୍ବାଣୁ ବା ଜନନ କୋଷଦ୍ୱୟର ମିଳନ ଫଳରେ ସୃଷ୍ଟି ହୁଏ ଏକ ପୂର୍ଣ୍ଣାଙ୍ଗ କୋଷ ବା ଭ୍ରୁଣ କୋଷ, ଯାହାକୁ ଆମେ ଯୁଗ୍ମଜ ବା ଜାଇଗୋଟ୍ ବୋଲି କହିଥାଉ। ମାତୃ ଗର୍ଭାଶୟରେ ସେହି ଏକକ କୋଷଟି ବହୁବାର ବିଭାଜିତ ହୋଇ ବହୁକୋଷର ସମନ୍ୱୟରେ ଗଢ଼ି ଉଠେ ଏକ ପୂର୍ଣ୍ଣାଙ୍ଗ ଶିଶୁ। ଗୋଟିଏ କୋଷ ବିଭାଜିତ ହୋଇ ଦୁଇଟି ଅଭିନ୍ନ କୋଷ ସୃଷ୍ଟିର ପଦ୍ଧତିଟି (ବିଜ୍ଞାନର ଭାଷାରେ ଏହାକୁ ମାଇଟୋସିସ୍ ବା ସମବିଭାଜନ ବୋଲି କହନ୍ତି) ଯଥେଷ୍ଟ ଜଟିଳ ହୋଇଥିବାରୁ ଏଠାରେ ଆଲୋଚ୍ୟ ନୁହେଁ।
ଗୋଟିଏ ଜୀବକୋଷରେ ଥାଏ ଜିନ୍ ନାମକ ଅନେକ ଗୁଡ଼ିଏ ବୃହତ୍ ଅଣୁ, ନାନା ଧରଣର ପ୍ରୋଟିନ୍, ଏନ୍ଜାଇମ୍ ଇତ୍ୟାଦି ବିଭିନ୍ନ ରକମର ଜୈବ ଏବଂ ଅଜୈବ ପଦାର୍ଥ। ବିଶେଷଧରଣର ପ୍ରୋଟିନ୍ ଖଣ୍ଡ ଉପରେ ଶକ୍ତ ଭାବରେ ଗୁଡ଼େଇ ହୋଇ ରହିଥିବା ଦୀର୍ଘଦିନର ମାଳାକୁ ଆମେ କହୁ କ୍ରୋମୋଜୋମ୍ ବା ଗୁଣସୂତ୍ର। କାରଣ ପ୍ରତ୍ୟେକ ଗୁଣସୂତ୍ରରେ ଥାଏ ସ୍ୱତନ୍ତ୍ର ଗୁଣଧାରୀ ଅନେକ ଜିନ୍। ମଣିଷଙ୍କ ପ୍ରତ୍ୟେକ କୋଷରେ (କେବଳ ଶୁକ୍ରାଣୁ ଓ ଡିମ୍ବାଣୁକୁ ଛାଡ଼ି) ତେଇଶ ଯୋଡ଼ା କ୍ରୋମୋଜୋମ। କୋଷ ବିଭାଜନର ପୂର୍ବରୁ ଗୋଟିଏ କୋଷ ଭିତରେ ଯେଉଁ କ୍ରୋମୋଜୋମ ତକ ଥାଏ, ତାହା ଦ୍ୱିଗୁଣିତ ହୋଇ ସଠିକ୍ ଭାବରେ ଦୁଇଭାଗରେ ବିଭକ୍ତ ହେବା ଫଳରେ ଜାତହୁଏ ଦୁଇଟି ଅପତ୍ୟ କୋଷ। କୋଷ ଆଭ୍ୟନ୍ତରରେ ଏହି ସବୁ ପ୍ରକ୍ରିୟାକୁ ସମ୍ପାଦନ ଓ ନିୟନ୍ତ୍ରଣ କରିଥା’ନ୍ତି ଜିନ୍ଗୁଡ଼ିକ।
ମାତୃଗର୍ଭରେ କୋଷ ବିଭାଜନ ମାଧ୍ୟମରେ ଭ୍ରୂଣଟିର ବୃଦ୍ଧି ଓ ବିକାଶର ଗୋଟିଏ ପର୍ଯ୍ୟାୟରେ ସଂଘଟିତ ହୋଇଥାଏ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଆରମ୍ଭ ହୋଇଥାଏ ପ୍ରାୟ ଦୁଇଶହ ବିଭିନ୍ନ ଧରଣର କୋଷର ସୃଷ୍ଟି, ବିଜ୍ଞାନର ପରିଭାଷାରେ ଯାହାକୁ କୁହାଯାଏ କୋଷ ବିଭେଦନ ବା ସେଲ୍ଫ ଡିଫେରନ୍ସସିଏସନ୍। ଭିନ୍ନଭିନ୍ନ କୋଷ ତିଆରି କରେ ଶରୀରର ବିଭିନ୍ନଅଂଶର ମାଂସପେଶୀ, ବିଭିନ୍ନ ଅଙ୍ଗ, ଶିରା, ଧମନୀ, ସ୍ନାୟୁ, ମସ୍ତିଷ୍କର ନିଉରନ୍ ଇତ୍ୟାଦି। ଏହି ଭାବରେ ହିଁ ସୃଷ୍ଟି ହୁଏ ଗୋଟିଏ ପୂର୍ଣ୍ଣାଙ୍ଗ ଶିଶୁ। ଆଶ୍ଚର୍ଯ୍ୟର କଥା, ବିଭିନ୍ନ ଧରଣର ବିପୁଳ ସଂଖ୍ୟକ ପ୍ରତ୍ୟେକଟି କୋଷ ମଧ୍ୟରେ ମଧ୍ୟ ରହିଛି ଆଦି ଭ୍ରୂଣକୋଷର ଅଭିନ୍ନ ଜିନ୍ ସମ୍ବଳିତ ତେଇଶ ହଳ କ୍ରୋମୋଜୋମ, ଯେଉଁ କୋଷଗୁଡ଼ିକୁ ଅସାଧାରଣ ନିପୁଣତାର ସହ ଅତ୍ୟନ୍ତ ନିର୍ଭୁଲ ଭାବରେ ତିଆରି କରିଥାଏ ଏହି ଜିନ୍ଗୁଡ଼ିକ। ପ୍ରତ୍ୟେକଟି ଯୁଗଳ କ୍ରୋମୋଜୋମର ଦୁଇଟି ପ୍ରାୟ ଅଭିନ୍ନ ଜିନ୍ ଅଣୁଗୁଡ଼ିକ ମଧ୍ୟରେ ଗୋଟିଏ ଆସିଥାଏ ମାଆର ଡିମ୍ବାଣୁରୁ ଏବଂ ଅନ୍ୟଟି ପିତାର ଶୁକ୍ରାଣୁରୁ।
ସବୁଯାକ କ୍ରୋମୋଜୋମରେ ସନ୍ନିବେଶିତ ଜିନ୍ଗୁଡ଼ିକର ସମାହାରକୁ କୁହାଯାଏ ଜିନୋମ୍। ଜିନୋମର କିଛି କିଛି ଅଂଶ ବିଭିନ୍ନ ଧରଣର ପ୍ରୋଟିନ୍ ସଂଶ୍ଳେଷଣ କରିଥାଏ ଓ ସେହି ନିର୍ଦ୍ଦିଷ୍ଟ କାର୍ଯ୍ୟକାରୀ ଅଂଶଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଜିନ୍। ବିଜ୍ଞାନୀମାନଙ୍କ ମତରେ ମଣିଷ କୋଷର ୨୩ ହଳ କ୍ରୋମୋଜୋମରେ ପାଖାପାଖି ୨୫ ହଜାର ଜିନ୍ ଅଛି। ଏହିସବୁ ଜିନ୍ ମିଳିତ ଭାବରେ ମଣିଷର ଜୀବନକୁ ନିୟନ୍ତ୍ରଣ କରିଥାଏ। ପ୍ରତ୍ୟେକଟି କୋଷ ଭିତରେ ସବୁଗୁଡ଼ିକ ଜିନ୍ ରହିଥିବା ସତ୍ତ୍ବେ ଭିନ୍ନ ଭିନ୍ନ ଧରଣର କୋଷରେ ଭିନ୍ନ ଭିନ୍ନ ଜିନ୍ ସକ୍ରିୟ ଭାବରେ କାର୍ଯ୍ୟ କରନ୍ତି ଏବଂ ଅନେକଗୁଡ଼ିଏ ନିଷ୍କ୍ରିୟ ଥା’ନ୍ତି। ଏହିପରି ଭାବରେ ଜିନ୍ଗୁଡ଼ିକ ପ୍ରୟୋଜନକୁ ଚାହିଁ ବିଭିନ୍ନ ଅଂଶର କୋଷରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାଏ।
ମଣିଷ ଶରୀରର ୨୩ ଯୋଡ଼ କ୍ରୋମୋଜୋମ୍କୁ ୧ ରୁ ୨୩ ନମ୍ବର ଭାବରେ ଚିହ୍ନିତ କରାଯାଏ। ମଣିଷର ୨୩ ନମ୍ବର କ୍ରୋମୋଜୋମ୍କୁ କୁହାଯାଏ ସେକ୍ସ କ୍ରୋମୋଜୋମ ବା ଯୌନ ଗୁଣସୂତ୍ର। ଏହି କ୍ରୋମୋଜୋମ୍ଟି ବ୍ୟକ୍ତିର ଲିଙ୍ଗ ନିର୍ଦ୍ଧାରଣ କରେ। ମହିଳାମାନଙ୍କ କ୍ଷେତ୍ରରେ ଯୌନ ଗୁଣସୂତ୍ର ଦୁଇଟି ଅନୁରୂପ ଏବଂ ଏହି ଦୁଇଟି ‘ଏକ୍ସ’ କ୍ରୋମୋଜୋମ ଭାବରେ ନାମିତ। ପୁରୁଷଙ୍କ କ୍ଷେତ୍ରରେ ଯୌନ ଗୁଣସୂତ୍ର ଦୁଇଟି ଅଲଗା। ଏହି ଦୁଇ ଅଲଗା କ୍ରୋମୋଜୋମ ମଧ୍ୟରୁ ଗୋଟିଏ ହେଲା ‘ଏକ୍ସ’ ଓ ଅନ୍ୟଟି ‘ୱାଇ’।
ଏବେ ଫେରି ଆସନ୍ତୁ ଆମର ପ୍ରଥମ ପ୍ରଶ୍ନକୁ। ପ୍ରଶ୍ନଟି ହେଲା ସମାନ ପିତାମାତାଙ୍କଠାରୁ ଜନ୍ମିତ ଦୁଇଟି ପୁତ୍ର ଅଥବା ଦୁଇଟି କନ୍ୟା କାହିଁକି ସମାନ ପ୍ରକାରର ହୋଇନଥା’ନ୍ତି? ଦୁଇ ଭାଇ କି ଦୁଇ ଭଉଣୀଙ୍କ କୋଷ ଭିତରେ ଯଦି କ୍ରୋମୋଜୋମଗୁଡ଼ିକ ଅଭିନ୍ନ, ତା’ହେଲେ ତ ସେମାନେ ସବୁ ଦିଗରୁ ସମାନ ରକମର ହୋଇଥା’ନ୍ତେ? ଏହି ପ୍ରକାରର ଘଟଣାଟି ଘଟିଥାଏ କ୍ଲୋନିଂ କରାଯାଇଥିବା ଦୁଇଟି ପ୍ରାଣୀଙ୍କ କ୍ଷେତ୍ରରେ। ପୁଅ ହୁଅନ୍ତୁ କି ଝିଅ, ସେମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ପାର୍ଥକ୍ୟଟି ରହିଛି ସେମାନଙ୍କ ପିତା ଓ ମାତାଙ୍କ ଜନନ କୋଷଗୁଡ଼ିକ ଅନ୍ୟାନ୍ୟ କୋଷଗୁଡ଼ିକଠାରୁ ଅଲଗା। ବୟଃସନ୍ଧି ବା କୈଶୋରରେ ପୁଅ ଓ ଝିଅଙ୍କ ଜନନାଙ୍ଗ ଯଥାକ୍ରମେ ଅଣ୍ଡକୋଷ ଏବଂ ଡିମ୍ବକୋଷ ଆରମ୍ଭ କରିଦିଅନ୍ତି ଶୁକ୍ରାଣୁ ଓ ଡିମ୍ବାଣୁ। ଜନନକୋଷ ସୃଷ୍ଟି ସମୟରେ ଏକ ବିଶେଷ ପଦ୍ଧତିରେ କୋଷ ବିଭାଜନ ଘଟେ। ବିଜ୍ଞାନର ପରିଭାଷାରେ ଯାହାକୁ କୁହାଯାଏ ‘ମେୟିଓସିସ୍’ ବା ଅର୍ଦ୍ଧ ବିଭାଜନ। ଏହି ପଦ୍ଧତିରେ ଗୋଟିଏ ସ୍ୱାଭାବିକ କୋଷର ବିଭାଜନର ପ୍ରଥମ ଅବସ୍ଥାରେ ପ୍ରତ୍ୟେକ ହଳର କ୍ରୋମୋଜୋମ ପାଖାପାଖି ଅବସ୍ଥାନ କରେ ଏବଂ ଏହି ସମୟରେ ପ୍ରତ୍ୟେକ ହଳର କ୍ରୋମୋଜୋମ ଖଣ୍ଡର କିଛି ସଂଖ୍ୟକ ଜିନ୍ ମଧ୍ୟରେ ଆଦାନ ପ୍ରଦାନ ଘଟେ। ବିଜ୍ଞାନର ପରିଭାଷାରେ ଏହାକୁ କୁହାଯାଏ ‘ଜିନ୍ର ପୁନର୍ବିନ୍ୟାସ’ ବା ‘କ୍ରସିଂ ଓଭର’। ମାତ୍ର ଏହି ଆଦାନପ୍ରଦାନ ଘଟେ ଯଦୁଚ୍ଚା ବା ବିଶୃଙ୍ଖଳିତ ଭାବରେ। ଏହାପରେ ଜିନ୍ଗୁଡ଼ିକ ଯୋଡ଼ା ଯୋଡ଼ା ଭାବରେ ସଂଯୁକ୍ତ ହୋଇ କ୍ରୋମୋଜୋମ୍ ରୂପ ଧାରଣ କରେ ଏବଂ ତା’ପରେ ବିଭାଜିତ ହୋଇ ଦୁଇଟି ବିଶେଷ କୋଷ ତିଆରି କରେ। ଏହି ବିଶେଷ କୋଷଗୁଡ଼ିକ ପୁନର୍ବିଭାଜିତ ହେଲେ ସେଗୁଡ଼ିକ ଭିତରେ ଥିବା କ୍ରୋମୋଜୋମର ସଂଖ୍ୟା ଦ୍ୱିଗୁଣିତ ହୋଇ ନ ଥାଏ। ଫଳରେ ଏହି କୋଷଗୁଡ଼ିକରେ ଥାଏ କେବଳ ୨୩ଟି କ୍ରୋମୋଜୋମ।
ଏଠାରେ ଲକ୍ଷ୍ୟ କରିବାର କଥା ଯେ ସ୍ତ୍ରୀ ଓ ପୁରୁଷ ଜନନ କୋଷଗୁଡ଼ିକ ମଧ୍ୟରେ ଯେଉଁ ୨୩ କରି କ୍ରୋମୋଜୋମ ବା ଜିନ୍ମାନ ଥାଏ, ତା’ର କୌଣସିଟି ଆଉ ଦେହର ଅନ୍ୟାନ୍ୟ କୋଷର ଜିନ୍ ଭଳି ନୁହେଁ। ଫଳରେ ପିତା ଓ ମାତାଙ୍କ ଜନନ କୋଷ ଦୁଇଟିର ମିଳନରେ ଯେଉଁ ଯୁଗ୍ମଜଟିର ସୃଷ୍ଟି ହୁଏ, ତା’ର ଜିନ୍ଗୁଡ଼ିକ ଆଉ ସମ୍ପୂର୍ଣ୍ଣ ଅବିକଳ ଭାବରେ ମାତା କିମ୍ବା ପିତାଙ୍କର ଜିନ୍ ଅନୁରୂପ ହୋଇ ନଥାଏ। ଏହିପରି ଭାବରେ ପ୍ରତ୍ୟେକଟି ନବଜାତକର ମଧ୍ୟରେ ସୃଷ୍ଟି ହୁଏ ବୈଚିତ୍ର୍ୟ। ଅବଶ୍ୟ ଭାଇ ଭଉଣୀଙ୍କ ମଧ୍ୟରେ ଅନେକ ସାଦୃଶ୍ୟ ପରିଲକ୍ଷିତ ହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ମେଳ ପରିଲକ୍ଷିତ ହୋଇନଥାଏ। ବଂଶରେ କିଛି କିଛି ବୈଶିଷ୍ଟ୍ୟ ଏକାଧିକ ପିଢ଼ି ଧରି ସ୍ଥାୟୀ ହେଉଥିବାର ଦେଖାଯାଏ, ଯେପରିକି ଚିଲାଆଖି, କୁଞ୍ଚକୁଞ୍ଚିଆ କେଶ ଇତ୍ୟାଦି। ଏହାର କାରଣ ହେଲା – ସେହି ବୈଶିଷ୍ଟ୍ୟଗୁଡ଼ିକ ପାଇଁ ଦାୟୀ ଜିନ୍ଗୁଡ଼ିକ ସହଜରେ ଜିନ୍ର ପୁନର୍ବିନ୍ୟାସରେ ଅଂଶ ଗ୍ରହଣ କରିନଥାଏ। ମେୟିଓସିସ୍ ପଦ୍ଧତିଟି ମଣିଷଙ୍କ ସମେତ ସକଳପ୍ରାଣୀ ଏବଂ ବେଶୀ ଭାଗ ଉଦ୍ଭିଦ କ୍ଷେତ୍ରରେ ଘଟିଥାଏ। ପ୍ରତ୍ୟେକ ନୂତନ ଜନ୍ମର କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଘଟିଥାଏ ଜିନ୍ ମଧ୍ୟରେ। ତାହା ହେଉ ନଥିଲେ ଜୀବଜଗତ ଏତେ ବୈଚିତ୍ର୍ୟମୟ ହୋଇ ନଥା’ନ୍ତା।
ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ
କଟକ, ମୋ: ୮୩୨୮୯୭୫୧୧୮






