ଆଜି ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି-୨୦; ସିରିଜ୍‌ ଅଗ୍ରଣୀ ଲକ୍ଷ୍ୟରେ ଖେଳିବ ଭାରତ, ଦଳରେ ନାହାନ୍ତି କୁଲଦୀପ...

Deviprasad Mohanty Picture
Published On

ଗୋଲ୍ଡ କୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ବରାବର ସ୍ଥିତିରେ ରହିଛି। ସିରିଜ୍‌ରେ ୩ଟି ମ୍ୟାଚ ପରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ଅବସ୍ଥାରେ ରହିଛନ୍ତି। ଏହା ମଧ୍ୟରେ ଗୁରୁବାର ଚତୁର୍ଥ ଏବଂ ଶନିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଉଭୟ ଦଳ ଅଗ୍ରଣୀ ନେବା ଲକ୍ଷ୍ୟରେ ରହିଛନ୍ତି। ବିଶେଷ କରି ଘରୋଇ ଦଳର ପ୍ରତିଷ୍ଠିତ ଖେଳାଳି ଜୋଶ ହାଜ୍‌ଲେଉଡ୍‌,  ଟ୍ରାଭିସ ହେଡ ଓ ସିନ ଆବଟ ଦଳରେ ନାହାନ୍ତି। ଏମାନେ ସମସ୍ତେ ପର୍ଥରେ ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଆସେସ ସିରରିଜ୍‌ର ପ୍ରଥମ ଟେଷ୍ଟ ଲାଗି ଦଳରେ ସାମିଲ ହୋଇଛନ୍ତି। ଏହି ଦଳରେ ସାମିଲ ହୋଇଥିବା କେବଳ ଜଣେମାତ୍ର ଖେଳାଳି ୱିକେଟରକ୍ଷକ ଜୋଶ ଇଂଲିଶ ଏବେ ଟି-୨୦ ଦଳରେ ଖେଳୁଛନ୍ତି। ଅନ୍ୟ ପକ୍ଷରେ ଆସନ୍ତାକାଲିଠାରୁ ଦକ୍ଷିଣ ଆଫ୍ରିକା-ଏ’ ସହ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ ଖେଳିବାକୁ କୁଲଦୀପ ଯାଦବ ଭାରତରେ ପହଞ୍ଚି ପ୍ରସ୍ତୁତ ହୋଇଛନ୍ତି। ଶୁବମନ ଗିଲ୍‌ ଟେଷ୍ଟ ଦଳର ନେତୃତ୍ୱ ନେଉଥିଲାବେଳେ ଏଠାରେ ସଂଘର୍ଷ କରୁଛନ୍ତି। ଦୁଇ ସ୍ପିନର ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର କିମ୍ବା ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରା ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସ୍ଥାନ ପାଇପାରନ୍ତି। କିନ୍ତୁ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତ ଏଠାରେ ଆଉ ଏକ ସିରିଜ୍‌ ଜିତିବାକୁ ସୁଯୋଗ ପାଇଛି। ଅଷ୍ଟ୍ରେଲିଆ ମାଟିରେ ଭାରତ ୨୦୦୮ ପରଠାରୁ ଟି-୨୦ ଫର୍ମାଟରେ ସିରିଜ୍‌ ହାରିନାହିଁ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଗିଲ୍‌ଙ୍କ ଉପରେ ନଜର
ଏହି ସିରିଜ୍‌ରେ ଟି-୨୦ ଦଳର ଉପଅଧିନାୟକ ଶୁବମନ ଗିଲ୍‌ ରନ୍‌ ଲାଗି ସଂଘର୍ଷ କରୁଛନ୍ତି। ଏହି ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ରେ ଇନିଂସ ଓପନ କରି ଯଥାକ୍ରମେ ଅପରାଜିତ ୩୭, ୫ ଓ ୧୫ ରନ୍‌ କରିବାକୁ ସମର୍ଥ ହୋଇଛନ୍ତି। ଏହାକୁ ନେଇ ସମର୍ଥକମାନେ କ୍ଷୁବ୍ଧ ହୋଇଥିଲେ ମଧ୍ୟ ଗିଲ ଦଳରେ ତିଷ୍ଠି ରହିଛନ୍ତି। ଅଷ୍ଟ୍ରେଲିଆ ଭଳି ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଘରୋଇ ମାଟିରେ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଥିଲା। କିନ୍ତୁ ତାହା ସେ ନ କରି ଟି-୨୦ ଫର୍ମାଟରେ ସଘର୍ଷ କରୁଥିଲେ ମଧ୍ୟ ଖେଳୁଛନ୍ତି। ଗିଲ୍‌ଙ୍କୁ ଦଳରେ ସାମିଲ କରାଯାଇଥିବାରୁ ସେ ଆଉ ଜଣେ ପ୍ରତିଭାବାନ ଖେଳାଳିଙ୍କ ରାସ୍ତା ବନ୍ଦ କରିଥିଲାବେଳେ ଆଉ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ କରିଦେଇଛନ୍ତି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଭାରତର କିଂବଦନ୍ତୀ କ୍ରିକେଟର କେ. ଶ୍ରୀକାନ୍ତ। ଦଳରେ ଗିଲ ସାମିଲ ହୋଇଥିବାରୁ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ଦଳରେ ନିଆଯାଉନାହିଁ। ସେହିପରି ଗିଲ ଇନିଂସ ଓପନ କରିବା ଫଳରେ ସଞ୍ଜୁ ସାମସନଙ୍କ କ୍ୟାରିୟର ମଧ୍ୟ ଏକପ୍ରକାର ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ତାଙ୍କ ଉପରେ ନଜର ରହିବା ସ୍ୱାଭାବିକ୍‌। ଏହା ମଧ୍ୟରେ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଫିଟ୍‌ ହୋଇଯାଇଛନ୍ତି। ବୋଲିଂ କୋଚ୍‌ ମୋର୍ଣ୍ଣ ମୋର୍କେଲଙ୍କ କହିବା ଅନୁଯାୟୀ ବ୍ୟାଟିଂ, ଫିଲ୍ଡିଂ ଓ ବୋଲିଂ କରିବାରେ ରେଡ୍ଡୀ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। କିନ୍ତୁ ସେ କେତେ ପରିମାଣରେ ମ୍ୟାଚ୍‌ ଫିଟ୍‌ ଅଛନ୍ତି ତାହାକୁ ଜାଣିବା ପରେ ଦଳରେ ସାମିଲ କରାଯିବ କି ନାହିଁ ସ୍ଥିର ହେବ। ତୃତୀୟ ଟି-୨୦ରେ ଭାରତ ଅଭିଷେକ ଶର୍ମାଙ୍କୁ ଶୀଘ୍ର ହରାଇଥିଲେ ମଧ୍ୟ ଅନ୍ୟମାନଙ୍କ ମିଳିତ ସଫଳତା ଯୋଗୁ ଭାରତ ମ୍ୟାଚ୍‌ ଜିତିଥିଲା। ବିଶେଷ କରି ପ୍ରଥମ ମ୍ୟାଚ୍‌ ଖେଳି ୱାଶିଂଟନ ସୁନ୍ଦର ବଡ଼ ବଡ଼ ସଟ୍‌ ଖେଳି ସର୍ବାଧିକ ସ୍କୋର କରିଥିଲାବେଳେ ସାମସନ୍‌ଙ୍କ ସ୍ଥାନରେ ଖେଳିଥିବା ଜିତେଶ ଶର୍ମାଙ୍କ ଆତ୍ମବିଶ୍ୱାସଭରା ବ୍ୟାଟିଂ ତାଙ୍କୁ ଦଳରେ ରଖିବାକୁ ବାଧ୍ୟ କରିଛି। ବୋଲିଂରେ ଦଳର ସେପରି କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉନାହିଁ। ଅଲରାଉଣ୍ଡର ଶିବମ ଦୁବେଙ୍କ ସ୍ଥାନରେ ଫିଟ୍‌ ହୋଇଥିଲେ ନୀତୀଶଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରୁ ହାଜ୍‌ଲେଉଡ୍‌, ହେଡ୍‌ ଓ ସିନ ଆବଟଙ୍କୁ ପ୍ରତ୍ୟାହାର କରିନିଆଯାଇଛି। ଏମାନଙ୍କ ସ୍ଥାନରେ ବେନ୍‌ ଡ୍ୱାରଶୁଇସ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କୁ ସାମିଲ କରାଯାଇଛି। ଉଭୟ ମ୍ୟାଚ୍‌ ଫିଟ୍‌ ନାହାନ୍ତି। ଏଣୁ ସେମାନଙ୍କୁ ଦଳରେ ସାମିଲ କରାଯିବ କି ନାହିଁ ତାହା ଶେଷ ମୁହୂର୍ତ୍ତରେ ସ୍ଥିର ହେବ। ତୃତୀୟ ମୁକାବିଲାରେ ଟିମ୍‌ ଡେଭିଡ୍‌ଙ୍କ ବିଗ୍‌ ହିଟିଂ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ଚମକ୍ରାର ଇନିଂସ ଅଷ୍ଟ୍ରେଲିଆକୁ ଫାଇଦାରେ ରଖିବ। ହେଡ୍‌ଙ୍କ ଅନୁପସ୍ଥିତିରେ ମାଥ୍ୟୁ ସର୍ଟ ଇନିଂସ ଓପନ କରିବେ। ଉପରୋକ୍ତ ଦୁଇ ଖେଳାଳିଙ୍କୁ ନେଇ ଦଳ ପରିବର୍ତ୍ତନ ହୋଇପାରେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତ - ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଜିତେଶ ଶର୍ମା (ୱିକେଟରକ୍ଷକ), ଶିବମ ଦୁବେ, ଅର୍ଶଦୀପ ସିଂହ, ଯଶପ୍ରୀତ୍‌ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀ।
ଅନ୍ୟ ଖେଳାଳି- ନୀତୀଶ କୁମାର ରେଡ୍ଡୀ, ସଞ୍ଜୁ ସାମସନ, ରିଙ୍କୁ ସିଂ, ହର୍ଷିତ ରାଣା।

ପ୍ରସାରଣ : ଷ୍ଟାରସ୍ପୋର୍ଟ୍ସ ନେଟ୍‌ୱର୍କ, ଆରମ୍ଭ: ଅପରାହ୍ଣ ୧ଟା ୪୫

ଅଷ୍ଟ୍ରେଲିଆ - ମାଥ୍ୟୁ ସର୍ଟ, ମିଚେଲ ମାର୍ଶ (ଅଧିନାୟକ), ଜୋଶ ଇଂଲିଶ (ୱିକେଟ ରକ୍ଷକ), ଟିମ୍‌ ଡେଭିଡ୍‌, ମିଚେଲ ଓଏନ, ମାର୍କସ ଷ୍ଟୋଇନିସ, ଗ୍ଲେନ୍‌ ମ୍ୟାକ୍ସୱେଲ, ଜାଭିୟର ବାର୍ଟଲେଟ, ବେନ୍‌ ଡ୍ୱାରଶୁଇସ୍‌, ନାଥାନ ଏଲିସ, ମାଥ୍ୟୁ କୁନେମାନ୍‌।
ଅନ୍ୟ ଖେଳାଳି- ମାହଲି ବିୟର୍ଡମ୍ୟାନ୍‌, ତନ୍‌ବୀର ସାଙ୍ଗା, ଜୋଶ ଫିଲିପ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର