ଚୁକ୍ତିଆ ଭୁଞ୍ଜିଆ ଜନଜାତିଙ୍କ ନିଆରା ବିବାହ ପରମ୍ପରା…

The Sakala Picture
Published On

ବିବାହ ଏକ ସାମାଜିକ ସ୍ୱୀକୃତି। ମଣିଷ ଜାତିର ବଂଶରକ୍ଷାର ଏକ ଶୃଙ୍ଖଳିତ ବିଧି। ଯାହା କାଳ କାଳ ଧରି ଚାଲି ଆସୁଛି। ବିଭିନ୍ନ ଧର୍ମ ତଥା ସମ୍ପ୍ରଦାୟର ବିବାହରେ ଭିନ୍ନ ପରମ୍ପରା ତଥା ରୀତି, ନୀତି ଦେଖିବାକୁ ମିଳେ। ଏ ସମସ୍ତ ପରମ୍ପରାରେ ଲୁଚି ରହିଥାଏ ଗୋଟିଏ ସମ୍ପ୍ରଦାୟର ସାମାଜିକ ଚିନ୍ତାଧାରା ଓ ଆଉ କିଛି ଚିରାଚରିତ ନୀତି ନିୟମ। ଆଧୁନିକର ତାଳେ ତାଳେ ବିବାହର ରୂପ ପରିବର୍ତ୍ତନ ହୋଇଛି। ଆଧୁନିକତାର ଢାଞ୍ଚାରେ ନିଜକୁ ବଦଳାଇ ଭିନ୍ନ […]

ବିବାହ ଏକ ସାମାଜିକ ସ୍ୱୀକୃତି। ମଣିଷ ଜାତିର ବଂଶରକ୍ଷାର ଏକ ଶୃଙ୍ଖଳିତ ବିଧି। ଯାହା କାଳ କାଳ ଧରି ଚାଲି ଆସୁଛି। ବିଭିନ୍ନ ଧର୍ମ ତଥା ସମ୍ପ୍ରଦାୟର ବିବାହରେ ଭିନ୍ନ ପରମ୍ପରା ତଥା ରୀତି, ନୀତି ଦେଖିବାକୁ ମିଳେ। ଏ ସମସ୍ତ ପରମ୍ପରାରେ ଲୁଚି ରହିଥାଏ ଗୋଟିଏ ସମ୍ପ୍ରଦାୟର ସାମାଜିକ ଚିନ୍ତାଧାରା ଓ ଆଉ କିଛି ଚିରାଚରିତ ନୀତି ନିୟମ। ଆଧୁନିକର ତାଳେ ତାଳେ ବିବାହର ରୂପ ପରିବର୍ତ୍ତନ ହୋଇଛି। ଆଧୁନିକତାର ଢାଞ୍ଚାରେ ନିଜକୁ ବଦଳାଇ ଭିନ୍ନ ଭିନ୍ନ ଢଙ୍ଗରେ ବିବାହ ଦେଖିବାକୁ ମିଳୁଛି। କିନ୍ତୁ ଆଜି ବି ଅନେକାଂଶରେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖି ପାରମ୍ପରିକ ଶୈଳୀରେ ବିବାହ ପ୍ରଥା ଦେଖିବାକୁ ମିଳୁଛି। ଓଡ଼ିଶାରେ ଅନେକ ପ୍ରକାର ଆଦିମ ଜନଜାତି ବସବାସ କରୁଥିବା ବେଳେ, ସେମାନଙ୍କ ମଧ୍ୟରେ ଚୁକ୍ତିଆ ଭୁଞ୍ଜିଆ ଜନଜାତିଙ୍କ ନିଆରା ବିବାହ ପରମ୍ପରାଙ୍କୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା ।

ଚୁକ୍ତିଆ ଭୁଞ୍ଜିଆ ଜନଜାତି ମୁଖ୍ୟତଃ ନୂଆପଡ଼ା ଜିଲ୍ଲାରେ ବାସ କରନ୍ତି। ସେମାନଙ୍କ ସମ୍ପ୍ରଦାୟର ପ୍ରତ୍ୟେକ ଝିଅ ଥରେ ନୁହେଁ ବରଂ ଦୁଇ ଥର ବିବାହ କରନ୍ତି। ଆଦିବାସୀ ସମ୍ପ୍ରଦାୟର ଚୁକ୍ତିଆ ଭୁଞ୍ଜିଆ ଜନଜାତିଙ୍କ ମଧ୍ୟରେ ଏପରି ଏକ ଭିନ୍ନ ଧରଣର ବିବାହ ପ୍ରଥା ଦେଖିବାକୁ ମିଳିଥାଏ। ପୂର୍ବ କାଳରୁ ଜନଜାତି ସଂସ୍କୃତି ଓ ପରମ୍ପରା ସହ ଜଡିତ ଏହି ଭିନ୍ନ ପ୍ରକାରର ବିବାହକୁ ଅତି ଧୁମ ଧାମ ସହ ପାଳନ କରି ଆସୁଛନ୍ତି ଏହି ସମ୍ପ୍ରଦାୟର ଲୋକେ। ସ୍ଥାନୀୟ ଭାଷାରେ ଏହି ବିବାହର ନାମ ହେଉଛି “କଣାବରା” ବା ଅଧା ବିବାହ। କଣାବରା ବା ଅଧା ବିବାହ” ଚୁକ୍ତିଆ ଭୁଞ୍ଜିଆ ଜନଜାତିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା। ଏହା ମୁଖ୍ୟତଃ ବୈଶାଖ ମାସର ବିବାହ ତିଥିରେ ପାଳନ କରାଯାଏ। ଝିଅଟିର ଋତୁସ୍ରାବ ହେବା ପୂର୍ବରୁ ଦଶ ବର୍ଷ ବୟସରେ ନିଜ ପରିବାର ଏବଂ ସମ୍ପ୍ରଦାୟର ଲୋକଙ୍କ ଉପସ୍ଥିତିରେ କଣାବରା ବା ବିବାହ କରାଯାଇଥାଏ। ସାଧାରଣ ବିବାହ ପରି କୌଣସି ପୁଅ ସହ ନୁହେଁ ବରଂ ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ଏହି ବିବାହ ଧନୁତୀର ସହ କରାଯାଇଥାଏ। ଏହି ଦିନ ପ୍ରଥମେ ନୂଆ ଧାନର ଚାଉଳକୁ ଚୁନା କରି ବେଦୀରେ ଝୋଟି ଅଙ୍କାଯାଏ। ବାଉଁଶର ପରା, ବାଉଁଶ ବିଛଣା, ବାଉଁଶ ପଙ୍ଖା, ଢ଼ିଙ୍କି କୁଟା କଞ୍ଚା ହଳଦୀ, ମାଟି କଳସ, ତେଲ ଏବଂ ବତୀ ଆଦି ସାମଗ୍ରୀକୁ ରଖାଯାଇ ବିବାହ କର୍ମ ଆରମ୍ଭ କରାଯାଏ।

ପ୍ରଥମ ଦିନ କନ୍ୟାକୁ ବେଦୀ ମଝିରେ ବସାଇ ଦୀପ ଜାଳି ସମସ୍ତେ ସାରା ରାତି ଦେବୀ ବନ୍ଦନା ଗାନ କରନ୍ତି। ସକାଳ ହେଲେ କନ୍ୟାକୁ ଧଳା ଶାଢ଼ି ପିନ୍ଧାଇ ଧରମ ଖଟିଲା ଦିଆଯାଏ। ସେଥିରେ ନାଲି ଫୁଲ, ନାଲି ଫିତା, ଅରୁଆ ଚାଉଳ, କଞ୍ଚା ହଳଦୀ, ଧରମ ଖଟିଲାରେ ଦିଆଯାଇ ମୂଷରରେ କୁଟାଯାଏ। ଏହାପରେ କନ୍ୟାକୁ ଖାଇବା ପାଇଁ ଜଳଖିଆ ଦିଆଯାଇଥାଏ। ସେହିପରି ଭାବେ ବିବାହର ଦ୍ୱିତୀୟ ଦିନରେ ପାରମ୍ପରିକ ଗୀତ, ନୃତ୍ୟ ପରିବେଷଣ ହେବା ସହ ଭୋଜି ଭାତ କରାଯାଇ ଏହି ବିବାହ ଉତ୍ସବ ପାଳନ କରାଯାଇଥାଏ। ପ୍ରାତଃ ସ୍ନାନ ପରେ କନ୍ୟାର ପିଇସୀ ତା’ ମୁଣ୍ଡରେ ସିନ୍ଦୁର ଏବଂ ହଳଦୀ ଲଗାଇ ଦେବା ସହ ଭିଣେଇ ଖଜୁରୀ ପଟରେ ମୋଉଡ଼ ତିଆରି କରି ଧନୁତୀର ଏବଂ କନ୍ୟାର ମୁଣ୍ଡରେ ବାନ୍ଧି ଦେବା ପରେ ଅନୁକୂଳ ଲଗ୍ନରେ ବିବାହ କରାଯାଇଥାଏ।

ଏହି ବିବାହ ଝିଅମାନଙ୍କ ପାଇଁ ଏକ ଶୁଭ ଦିନ ମାନୁଥିବା ହେତୁ, ଏହା ପ୍ରତ୍ୟେକ ଝିଅର ଋତୁସ୍ରାବ ପୂର୍ବରୁ କରାଯାଇଥାଏ। ଯଦି କୌଣସି ଝିଅର ଋତୁସ୍ରାବ ପୂର୍ବରୁ କଣାବରା ବିବାହ ନ କରାଯାଏ, ତେବେ ସେ ପରବର୍ତ୍ତୀ ସମୟରେ ସମ୍ପ୍ରଦାୟ ମଧ୍ୟରେ ବିବାହ କରିପାରିବ ନାହିଁ ବୋଲି ବିଶ୍ୱାସ ରହିଛି। ଯଦିଓ ସେ ମୃତ୍ୟୁବରଣ କରେ, ତେବେ ତାର ପରିବାର ତରଫରୁ କୌଣସି କ୍ରିୟା କର୍ମ କରାଯାଏ ନାହିଁ। ତେଣୁ ଝିଅ ଦଶ ବର୍ଷର ହୋଇଗଲେ ତାର କଣାବରା କରାଯାଇଥାଏ।

ଭୁଞ୍ଜିଆ ସମ୍ପ୍ରଦାୟର ସଂସ୍କୃତି ପରମ୍ପରା ସହ ନିବିଡ଼ ଭାବେ ଜଡିତ ଥିବା ଏହି ଅଧା ବିବାହ ବା କଣାବରା ପ୍ରଥା ପୂର୍ବଜଙ୍କ ସମୟରୁ ଚାଲିଆସୁଛି। ବର୍ତ୍ତମାନ ବିବାହର ରୂପ ବଦଳିଛି, ଢାଞ୍ଚାରେ ପରିବର୍ତ୍ତନ ଆସିଛି, କିନ୍ତୁ ଜନଜାତି ସମ୍ପ୍ରଦାୟରେ ବହୁ ପୁରାତନ ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ ରହିଛି। ପାରମ୍ପରିକ ରୀତିନୀତି ପାଳନ କରିବା ସହ ସେମାନେ ଆଧୁନିକ ସମାଜରେ ସାମିଲ ହୋଇଛନ୍ତି। ବିବାହ ପରେ ମଧ୍ୟ ଝିଅମାନେ ସାଧାରଣ ଭାବେ ପାଠ ପଢିବାଠାରୁ ଆରମ୍ଭ କରି ପ୍ରତ୍ୟେକଟି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଆଧୁନିକତାରେ ପାଦ ଦେଇ ମଧ୍ୟ ସେମାନେ ନିଜର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ଏନେଇ ଭୁଞ୍ଜିଆ ସମ୍ପ୍ରଦାୟର ରାମାୟଣ ଭୁଞ୍ଜିଆ କୁହନ୍ତି “ମୋର ମଧ୍ୟ ଛୋଟ ଥିବା ବେଳେ କଣାବରା କରାଯାଇଥିଲା। ଏହି ବିବାହକୁ ଆମ ପରମ୍ପରାରେ ବହୁତ ଶୁଭ ଏବଂ ସ୍ୱତନ୍ତ୍ର ପ୍ରଥା ଭାବେ ଆମେ ମାନିଥାଉ। ଏଥିରେ ଗୋଟିଏ ଝିଅର କୌଣସି ସମସ୍ୟା ହୋଇନଥାଏ। ଆମ ସମ୍ପ୍ରଦାୟରେ ଝିଅମାନେ “ପଢନ୍ତୁ ଓ ଆଗକୁ ବଢନ୍ତୁ” ବୋଲି ଚିନ୍ତା କରି ଆମେ ଝିଅମାନଙ୍କୁ ପାଠ ପଢିବାଠାରୁ ନେଇ ସମସ୍ତ କାମ କରିବା ପାଇଁ ଉତ୍ସାହିତ କରୁଛୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp