କଳାକାର ଓ ଦର୍ଶକଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ସହ କାର୍ଯ୍ୟକ୍ରମକୁ ଦର୍ଶକଙ୍କୁ ପାଛୋଟି ଆଣିଥାଏ ଉପସ୍ଥାପକ

The Sakala Picture
Published On

ଭୁବନେଶ୍ୱର(ସୁମିତ୍ରା): ଉପକ୍ରମ ବିନା ପ୍ରବନ୍ଧଟିଏ ଯେପରି ରୁଚିହୀନ, ଉପସ୍ଥାପନା ବିନା କଳା ପ୍ରଦର୍ଶନ ସେପରି ରସହୀନ। ତେଣୁ ଉପସ୍ଥାପନାକୁ ଏକ ଉତ୍କୃଷ୍ଟ କଳା ଭାବେ ମାନ୍ୟତା ଦିଆଯାଏ। ବିଶେଷକରି ଉପସ୍ଥାପନା ଯେତେବେଳେ ମଞ୍ଚ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଉପସ୍ଥାପକର ଭୂମିକା ବଢ଼଼ିଯାଏ। ନାଟକଟିଏ ହେଉ ଅବା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଅବା ରାଜନୈତିକ ସଭା ଓ ସମ୍ବର୍ଦ୍ଧନା ପର୍ବ; ଉପସ୍ଥାପକ ହିଁ କାର୍ଯ୍ୟକ୍ରମର ସୂତ୍ରଧର ସାଜେ। ଉପସ୍ଥାପନା ଶୈଳୀ ଯେତିକି ଆକର୍ଷଣୀୟ ହୁଏ […]

ଭୁବନେଶ୍ୱର(ସୁମିତ୍ରା): ଉପକ୍ରମ ବିନା ପ୍ରବନ୍ଧଟିଏ ଯେପରି ରୁଚିହୀନ, ଉପସ୍ଥାପନା ବିନା କଳା ପ୍ରଦର୍ଶନ ସେପରି ରସହୀନ। ତେଣୁ ଉପସ୍ଥାପନାକୁ ଏକ ଉତ୍କୃଷ୍ଟ କଳା ଭାବେ ମାନ୍ୟତା ଦିଆଯାଏ। ବିଶେଷକରି ଉପସ୍ଥାପନା ଯେତେବେଳେ ମଞ୍ଚ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଉପସ୍ଥାପକର ଭୂମିକା ବଢ଼଼ିଯାଏ। ନାଟକଟିଏ ହେଉ ଅବା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଅବା ରାଜନୈତିକ ସଭା ଓ ସମ୍ବର୍ଦ୍ଧନା ପର୍ବ; ଉପସ୍ଥାପକ ହିଁ କାର୍ଯ୍ୟକ୍ରମର ସୂତ୍ରଧର ସାଜେ। ଉପସ୍ଥାପନା ଶୈଳୀ ଯେତିକି ଆକର୍ଷଣୀୟ ହୁଏ କାର୍ଯ୍ୟକ୍ରମଟି ଦର୍ଶକଙ୍କୁ ସେତିକି ବାନ୍ଧି ରଖିବାରେ ସକ୍ଷମ ହୁଏ। ମଞ୍ଚ କାର୍ଯ୍ୟକ୍ରମର ମୁଖଶାଳାରେ ଉପସ୍ଥାପକଟିଏ ଅଭ୍ୟର୍ଥନାର ଦାୟିତ୍ୱ ନିର୍ବାହ କରେ, ଦର୍ଶକଙ୍କୁ ପାଛୋଟି ଆଣେ କାର୍ଯ୍ୟକ୍ରମ ଭିତରକୁ ଏବଂ କଳାକାର ଓ ଦର୍ଶକଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରେ। ଏହି କ୍ରମରେ ମଞ୍ଚ ଉପସ୍ଥାପକଙ୍କୁ ନେଇ ସ୍ୱତନ୍ତ୍ର ଆଲେଖ୍ୟ….

ଆହୁରି ପଢ଼ନ୍ତୁ: ମାଇକ୍ରୋମାକ୍ସର ଉତ୍ଥାନ ଓ ପତନ: କିପରି ଏକ ବିଲିୟନ ଡଲାରର ଭାରତୀୟ ବ୍ରାଣ୍ଡ୍‌ ହଠାତ୍ ବଜାରରୁ ହଜିଗଲା?

ଆମ ପାଇଁ ମଞ୍ଚ ପରୀକ୍ଷା ହଲ୍‌‌
କଲେଜ୍‌‌ ଷ୍ଟେଜ୍‌‌ରୁ ଆରମ୍ଭ ହୋଇଥିବା ଆଙ୍କରିଂକୁ ୮ବର୍ଷ ବିତିଗଲାଣି। ଯଦିଓ ମୁଁ ଟିଭି ଆଙ୍କରିଂରୁ କ୍ୟାରିଅର୍‌‌ ଆରମ୍ଭ କରିଛି, କିନ୍ତୁ ମଞ୍ଚ ଓ ଟିଭି ଆଙ୍କରିଂ ଦୁଇଟା ସମ୍ପୂର୍ଣ୍ଣ ଭାବେ ଭିନ୍ନ। ତେଣୁ ଦୁଇଟା ଯାକ ଭଲ ଲାଗେ। କାରଣ ଅନେକ ପ୍ରତିବନ୍ଧକ ରହିଥାଏ, ଷ୍ଟେଜ୍‌‌ରେ ବହୁତ ସେନ୍‌‌ସିବୁଲ ହେବାକୁ ପଡ଼େ। ମଞ୍ଚ ଉପରେ ଆଙ୍କରର ସର୍ବାଧିକ ଦାୟିତ୍ୱ ରହିଥାଏ। ଷ୍ଟାଇଲ୍‌‌, ଗୁଡ୍‌‌ ଲୁକିଂ ସାଙ୍ଗକୁ ସ୍ୱର, ଶବ୍ଦ ଉଚ୍ଚାରଣ ଓ କେଉଁ ବିଷୟରେ କହୁଛନ୍ତି ସବୁକିଛି ଗୁରୁତ୍ୱ ରଖେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ହୋମ୍‌‌ୱାର୍କ। ଷ୍ଟେଜ୍‌‌ର ବିଷୟ, ଅତିଥି, ସ୍ଥାନ ଆଦି ସମସ୍ତଙ୍କ ବିଷୟରେ ଜାଣିବା ଦରକାର। କାରଣ ପ୍ରତ୍ୟେକ ଆଙ୍କରମାନଙ୍କ ପାଇଁ ଷ୍ଟେଜ୍‌‌ ହେଉଛି ପରୀକ୍ଷା ହଲ୍‌‌। ତେଣୁ ନିୟମିତ ହୋମ୍‌‌ୱାର୍କ କରିବାକୁ ପଡ଼ିଥାଏ। (ଶୁଭମ)

ଉପସ୍ଥାପନାକୁ ଉଜ୍ଜ୍ବଳ କ୍ୟାରିଅର୍‌‌ କରାଯାଇପାରିବ
ମଞ୍ଚ ଉପରେ ମଞ୍ଚ ଉପସ୍ଥାପନାର ଚାହିଦା ଦିନକୁ ଦିନ ବୃଦ୍ଧିପାଉଛି। ଓଡ଼ିଶାରେ ବହୁ ସଂଖ୍ୟାରେ ଇଭେଣ୍ଟ ଆୟୋଜନ କରାଯାଉଛି। କ୍ରୀଡ଼ା ଠାରୁ ଆରମ୍ଭ କରି, ସାଂସ୍କୃତିକ, ରାଜନୈତିକ, ବିବାହ, ଜନ୍ମଦିନ ସମେତ ବିଭିନ୍ନ କନ୍‌‌ଫରେନ୍ସ ସାଙ୍ଗକୁ କବି ସମ୍ମିଳନୀ, ସାହିତ୍ୟ ସଭା, ସଭା ସମିତିରେ ମଧ୍ୟ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ଅନେକ ଯୁବଗୋଷ୍ଠୀ ରୋଜଗାର ପାଇପାରିଛନ୍ତି। ପ୍ରାୟ ୨୦ ଦୀର୍ଘ ଧରି ଇଭେଣ୍ଟ ଆରମ୍ଭ କରିବା ଭିତରେ ଅନେକ ପରିବର୍ତ୍ତନ ଦେଖାଦେଇଛି। ପୂର୍ବରୁ ଇଭେଣ୍ଟ କ’ଣ ଲୋକେ ଜାଣି ନ ଥିଲେ। କିନ୍ତୁ ବର୍ତ୍ତମାନ ଜନ୍ମଦିନଟିଏ ହେଲେ ବି ଲୋକେ ଉପସ୍ଥାପକ, ଉପସ୍ଥାପିକାମାନଙ୍କୁ ଖୋଜୁଛନ୍ତି। ତେଣୁ ନିଶ୍ଚିତ ଭାବେ ଏହି ଦିଗରେ ଏକ ଉଜ୍ୱଳ କ୍ୟାରିଅର୍‌‌ କରାଯାଇପାରିବ। ତେବେ ଏଥିପାଇଁ ଭାଷାର ଉଚିତ୍‌‌ ବ୍ୟବହାର ହେବା ଆବଶ୍ୟକ, କାରଣ ଅନେକ ସ୍ଥାନରେ ଭାଷାକୁ ବିକୃତ ଭାବେ ବ୍ୟବହାର କରାଯାଇଥାଏ। (ସାନୁ ରଥ, ପ୍ରିଲ୍ୟୁଡ୍‌‌ ମୁଖ୍ୟ)

ଓଡ଼ିଶାରେ ରହିଛି ଅଧିକ ସୁଯୋଗ
ପୂର୍ବରୁ ସଭାପତିମାନେ ସଭା ପରିଚାଳନା ଦାୟିତ୍ୱ ତୁଲାଉଥିଲେ। କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ସଭା ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରାଯିବାକୁ ପେସାଦାର ଉପସ୍ଥାପନ ଉପସ୍ଥାପିକାଙ୍କୁ ଖୋଜା ପଡ଼ୁଛି। ପ୍ରତିଦିନ ଇନ୍‌‌ଡୋର ଏବଂ ଆଉଟ୍‌‌ଡୋରରେ ହେଉଥିବା ଇଭେଣ୍ଟ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଦକ୍ଷ ଉପସ୍ଥାପକଙ୍କ ପାଇଁ ଅନେକ ସୁଯୋଗ ରହିଛି। ଏଥିପାଇଁ କୌଣସି ପତିଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଏବାବାଦରେ ପେସାଦାର ପାଠ୍ୟକ୍ରମ ବ୍ୟବସ୍ଥା କରିନାହାନ୍ତି। କେବଳ ଉପସ୍ଥାପନାକୁ କମ୍ୟୁକେସନ୍‌‌ର ଏକ ଅଂଶ ଭାବେ କେତେକ ସ୍ଥାନରେ ସ୍ପେଶାଲ ୱାର୍କସପ୍‌‌ ସମେତ ମାସ୍‌‌ କମ୍ୟୁନିକେସନ୍‌‌ର ଗଣଯୋଗଯୋଗ ବିଭାଗରେ ରହିଥିବା କଲେଜ ଓ ୟୁନିଭରସିଟିରେ କର୍ମଶାଳା ଆୟୋଜନ ହୋଇଥାଏ। ଠିକ୍‌‌ ସେହିପରି ଆଉଟ୍‌‌ରିଚ୍‌‌ ପକ୍ଷରୁ ବର୍ଷକୁ ଦୁଇଥର ଆଙ୍କରିଂ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଯେଉଁଥିରେ ଟିଭି, ରେଡିଓ ସମେତ ମଞ୍ଚ ଉପସ୍ଥାପନା ଉପରେ ଗୁରୁତ୍ୱ ଦିଆଯାଇଥାଏ। ଓଡ଼ିଶାର ନାମି ମଞ୍ଚ ଉପସ୍ଥାପକମାନେ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି। (ସୁବ୍ରତ କୁମାର ପତି, ଆଉଟ୍‌‌ରିଚ୍‌‌ର ମୁଖ୍ୟ)

ମଞ୍ଚ ଉପସ୍ଥାପନାରେ ବ୍ୟକ୍ତିତ୍ୱ ବୃଦ୍ଧି ପାଏ
ପିଲାଦିନରୁ ମୁଁ ବିଭିନ୍ନ ରିୟାଲିଟି ଶୋ’ରେ ଭାଗନେଇ ୱିନର ହୋଇଥିଲି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ମୋତେ ଉପସ୍ଥାପନା ପାଇଁ ସୁଯୋଗ ଦିଆଯାଏ। ଏକ ଘରୋଇ ଚ୍ୟାନେଲ ଦ୍ୱାରା ଆୟୋଜିତ ରିୟାଲିଟି ଶୋ ମାଧ୍ୟରେ ମୁଁ ଟେଲିଭିଜନ୍‌‌ ଜଗତକୁ ପ୍ରବେଶ କରିଥିଲି। ଏହାସହିତ ଏବେ ଉଭୟ ମଞ୍ଚ ଓ ଟେଲିଭଜିନ୍‌‌ରେ ମୁଁ ଉପସ୍ଥାପକ ଭାବେ କାମ କରୁଛି। ଦୀର୍ଘ ୧୧ ବର୍ଷ ହେବ ମୁଁ ଅନୁଭବ କରିଛି ଯେ, ଏଥିରେ ବହୁ ସମ୍ମାନ ମିଳେ ଏବଂ ନିଜର ବ୍ୟକ୍ତିତ୍ୱ ବୃଦ୍ଧି ପାଇଥାଏ। ମଞ୍ଚ କେବଳ ଓଡ଼ିଶା ମଧ୍ୟରେ ସୀମିତ ନାହିଁ, ରାଜ୍ୟ ଏବଂ ଦେଶ ବାହାରେ ମଧ୍ୟ କାମ କରିବାକୁ ସୁଯୋଗ ମିଳୁଛି। ତେଣୁ ପ୍ରତ୍ୟେକ ଉପସ୍ଥାପକ କାର୍ଯ୍ୟକ୍ରମକୁ ଭାଲ୍ୟୁଏବୁଲ କରିବା ତା’ର ଦକ୍ଷତାର ପରିଚୟ ଦିଏ। ଏଥିପାଇଁ ଆଙ୍କରମାନେ ମଧ୍ୟ ସେତିକି ଗୁରୁତ୍ୱ ଦେଇ କାମ କରିବା ଆବଶ୍ୟକ । (ପ୍ରେରଣା ପ୍ରତୀକ୍ଷା)

ମଞ୍ଚରେ ମନକଥା ବୁଝନ୍ତି ମିଲନ୍‌‌
ପ୍ରତ୍ୟେକ ଦର୍ଶକ ଓ ଶିଳ୍ପୀଙ୍କ ମଧ୍ୟରେ ସେତୁବନ୍ଧ ସାଜିଥାନ୍ତି ଆଙ୍କର୍‌‌। ଉପସ୍ଥାପକଟିଏ ବହୁବିଧ ପ୍ରତିଭାର ଏକ ସମନ୍ୱିତ ପରିପ୍ରକାଶ। ଯଦିଓ ମଞ୍ଚରେ ନିଜସ୍ୱ ବିଭାଗରେ ବିଶେଷଜ୍ଞ ପାଲଟିଥିବା ପ୍ରତିଭାମାନେ ନିଜସ୍ୱ ପ୍ରତିଭା ପ୍ରଦର୍ଶନ କରନ୍ତି, କିନ୍ତୁ ଉପସ୍ଥାପକକୁ ସାମଗ୍ରିକ ଭାବେ ସମସ୍ତଙ୍କ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାକୁ ପଡ଼େ। ସେ ରାଜନୀତିର ମଞ୍ଚ ହେଉ ଅବା କଳା, ସଂସ୍କୃତି ମଞ୍ଚ, କ୍ରୀଡ଼ା ବା ଆଧ୍ୟାତ୍ମିକ ମଞ୍ଚ। ଉପସ୍ଥାପକଟିଏ ଯେତେବେଳେ ମଞ୍ଚ ଆରୋହଣ କରେ, ସେ କେବଳ ସେ ମଞ୍ଚର ହୋଇଥାଏ। କାରଣ ଅନୁଷ୍ଠାନ ନିଜର ହୋଇ ତାହାର ଆଭିମୁଖ୍ୟକୁ ଦର୍ଶକଙ୍କ ଆଗରେ ପରିପ୍ରକାଶ କରିଥାଏ। ଉପସ୍ଥାପକଟିଏ ଉଭୟ ଦର୍ଶକ ଓ କଳାକାରଙ୍କ ମନକଥା ବୁଝିପାରେ। (ଡ. ମିଲନ)

ଆଙ୍କରିଂ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଆବଶ୍ୟକ
ବର୍ତ୍ତମାନ ଆଙ୍କରିଂ ପାଇଁ ଓଡ଼ିଶାରେ ବହୁତ ସୁଯୋଗ ରହିଛି। ସମୟ ଥିଲା ଦୁଇରୁ ତିନିଜଣ ଆଙ୍କର ରହିଥିଲେ। ବର୍ତ୍ତମାନ ଲାଇଭ୍‌‌ ଇଭେଣ୍ଟ, ଟେଲିଭିଜନ୍‌‌ ଆଙ୍କର, ବାହାଘର, କନ୍‌‌ଫରେନ୍ସ ଆଦିଙ୍କୁ ଅନେକ ଜାଗାରେ ସୁଯୋଗ ରହିଛି। ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ଯୁବଗୋଷ୍ଠୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଯଦି ଏଥିପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ବ୍ୟବସ୍ଥା କରାଯାଆନ୍ତା ତେବେ ଆଙ୍କରମାନେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରନ୍ତେ। ଅନ୍‌‌ଲାଇନ୍‌‌ ମାଧ୍ୟମରେ ନିଜର କମ୍ୟୁନିକେସନ୍‌‌ ସ୍କିଲ୍‌‌କୁ ବଢ଼଼ାଇବା ପାଇଁ ଯଦିଓ ବିଭିନ୍ନ ସର୍ଟଟର୍ମ କୋର୍ସ ରହିଛି ହେଲେ ଏଥିପାଇଁ ସ୍ୱତନ୍ତ୍ର କୋର୍ସର ଆବଶ୍ୟକତା ରହିଛି। କାରଣ ଟ୍ୟାଲେଣ୍ଟ ଥାଇ ମଧ୍ୟ ଅନେକ ଆଗକୁ ଆସିପାରୁ ନାହାନ୍ତି। ଏହାଦ୍ୱାରା ଆଙ୍କରମାନେ ମାର୍ଜିତ ହୋଇପାରିବେ। ଆଗ୍ରହ ଓ ଆତ୍ମବିଶ୍ୱାସ ସାଙ୍ଗକୁ ଆବଶ୍ୟକ ପ୍ରଶିକ୍ଷଣ ପାଇଲେ ଅନେକ ନୂଆ ଚେହେରା ଏହି ଲାଇନ୍‌‌କୁ ଆସିପାରିବେ। (ଦୀକ୍ଷା ତିୱାରୀ)

ଭାଷା ଉପରେ ଶାଳୀନତା ଓ ସୃଜନଶୀଳତା ଆବଶ୍ୟକ
ମୁଁ ୧୨ ବର୍ଷ ହେବ ଆଙ୍କରିଂ କରୁଛି। ଜଣେ ଆଙ୍କର ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ହେବା ଉଚିତ୍‌‌। କାରଣ ବିଭିନ୍ନ ଜେନେରେସନ୍‌‌ଙ୍କୁ ଆଡ୍ରେସ୍‌‌ କରିବାକୁ ପଡ଼ିଥାଏ। ଜଣେ ଆଙ୍କରର ଉପସ୍ଥାପନା ଶୈଳୀ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଦକ୍ଷ ହେବା ଉଚିତ୍‌‌। କାରଣ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ଓଡ଼ିଆ ଭାଷା ବୁଝୁଥିବା ଲୋକେ ଉପସ୍ଥିତ ଥାଆନ୍ତି। ମୁଁ ସବୁବେଳେ ଚେଷ୍ଟା କରେ ଉପସ୍ଥାପନା ଶୈଳୀ ନିର୍ଭୁଲ୍‌‌ ଓ ସରଳ କରିବାକୁ। ତେବେ ଆଙ୍କରିଂ କେବଳ ମୋତେ ଏକ ପରିଚୟ ଦେଇନି ବରଂ ମୋତେ ରାଜନୀତି ବିଷୟରେ ଅନେକ କଥା ଜାଣିବାର ସୁଯୋଗ ଦେଇଛି। ଏଥିପାଇଁ ପ୍ରତ୍ୟେକ ଦିନ ମୁଁ କେବଳ ୧ଘଣ୍ଟା ବିଭିନ୍ନ ସୋସିଆଲ ମିଡିଆରେ ନିଉଜ୍‌‌ ଦେଖେ। ବଡ଼କଥା ହେଉଛି ନିକଟରେ ଆଇପିଏଲ୍‌‌ରେ ଆଞ୍ଚଳିକ ଭାଷା (ଓଡ଼ିଆ) ପାଇଁ ମୁଁ ଆଙ୍କର୍‌‌ ଥିଲି। ଯେଉଁଠି ମୁଁ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଥିଲି। (ଶୋଭନା ମିଶ୍ର)

ବୃତ୍ତିରେ ଅଧ୍ୟାପକ, ପ୍ରବୃତ୍ତିରେ ପ୍ରଖ୍ୟାପକ
ଯେତେବେଳେ ଜଣେ ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟକ୍ରମକୁ ଉପସ୍ଥାପନ କରେ, ସେତେବେଳେ ସେ ସାହିତ୍ୟ ଓ ସଂସ୍କୃତି ପରିମଣ୍ଡଳର ଜଣେ ଦେବୀତ୍ୟମାନ ପ୍ରଦୀପ। ସାହିତ୍ୟ, ସଙ୍ଗୀତ, ବାଦ୍ୟ, ନୃତ୍ୟ ଆସର, ସମ୍ପାନରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିବା ହେଉଛି ଗୁରୁ ଦାୟିତ୍ୱ। କେଉଁ କାର୍ଯ୍ୟକ୍ରମରେ କେଉଁ ଭାଷା, ଶବ୍ଦ ବ୍ୟବହାର କରାଯିବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାଷା ଓ ଭାବର ସମନ୍ୱୟରେ ଆବେଗ ଓ ଅନୁରାଗର ମିଶ୍ର ଅନୁଭବରେ ଶବ୍ଦ ମାଧୁରୀ ଶ୍ରୋତାଙ୍କୁ ପୁଲକିତ କରେ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପରିଲେ ସମୟ ଅନୁକୂଳ ହୋଇଯିବ। ମୁଁ ବୃତ୍ତିରେ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ, କିନ୍ତୁ ପ୍ରବୃତ୍ତିରେ ସାହିତ୍ୟ ସଂସ୍କୃତିର ପ୍ରଖ୍ୟାପକ। ଦିବାଲୋକରେ ଅଧ୍ୟାପନା ଓ ସନ୍ଧ୍ୟାଲୋକରେ ସଂଯୋଜନା ଆଧାରରେ ମୁଁ ସମୟର ଉପଯୋଗ କରେ। (ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ)

ସୁନ୍ଦର ଚେହେରା ନୁହେଁ, ଉପସ୍ଥିତ ବୁଦ୍ଧି ଜରୁରି
ମୁଁ ଜଣେ ଆଙ୍କର, ପରେ ଅଭିନେତ୍ରୀ। ୨୨ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମୁଁ ମଞ୍ଚ ଉପସ୍ଥାପନା କରିଆସୁଛି। ଟିଭି ଆଙ୍କରିଂ ଠାରୁ ଷ୍ଟେଜ୍‌‌ ଆଙ୍କରିଂ ବହୁତ ଭଲ ଲାଗେ। ଯଦିଓ ରେକର୍ଡେଡ୍‌‌ ଠାରୁ ଷ୍ଟେଜ୍‌‌ରେ ମ୍ୟାନେଜ୍‌‌ କରିବା କଷ୍ଟ ହୋଇଥାଏ, କିନ୍ତୁ ଦର୍ଶକମାନଙ୍କ ଉପସ୍ଥିତି ଆତ୍ମବିଶ୍ୱାସକୁ ବଢ଼଼ାଇଦିଏ। ଏଥିପାଇଁ ଉପସ୍ଥିତ ବୁଦ୍ଧି ନିଶ୍ଚିତ ରହିବା ଆବଶ୍ୟକ। ଅନେକ ସମୟରେ ମଞ୍ଚରେ ବହୁତ୍‌‌ କିଛି ପରିସ୍ଥିତି ଆସିଥାଏ, ଯାହା ଏଜେଣ୍ଡାରେ ନ ଥାଏ। ସେସବୁକୁ ଯଦି ଜଣେ ମ୍ୟାନେଜ୍‌‌ କରିପାରିଲା ତେବେ ସେ ନିଶ୍ଚିତ ଜଣେ ଭଲ ମଞ୍ଚ ଉପସ୍ଥାପକ ହୋଇପାରିବ। ଏଥିପାଇଁ ସୁନ୍ଦର ଚେହେରାର କୌଣସି ଆବଶ୍ୟକତା ନାହିଁ। (ମଧୁମିତା ମହାନ୍ତି)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp