ସଂଗ୍ରହାଳୟରେ ‘ଭାରତୀୟ ରେଳ’, ଜାଣନ୍ତୁ କେଉଁଠି କ’ଣ ରହିଛି…

The Sakala Picture
Published On

ଭାରତୀୟ ରେଳପଥର ସଫଳତାରେ ପୂର୍ବତଟ ରେଳପଥର ଏକ ସମୃଦ୍ଧ ଏବଂ ଚମକ୍ରାର ଇତିହାସ ରହିଛି। ପୂର୍ବତଟ ରେଳପଥ ଭିତ୍ତିଭୂମି ବିକାଶର ମଧ୍ୟ ଅନେକ ରୋଚକ କାହାଣୀ ରହିଛି। ରେଳ ବିଭାଗର ସେହି ପୁରୁଣା ଗରିମାକୁ ଉଜ୍ଜିବୀତ କରିବା ପାଇଁ ୨୦୨୦ ମସିହାରେ ଭୁବନେଶ୍ୱରଠାରେ କଳିଙ୍ଗ ରେଳ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରଠାରେ ଥିବା ରେଳବାଇ କଳିଙ୍ଗ ରେଳ ସଂଗ୍ରହାଳୟ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା। ରେଳବାଇ ପକ୍ଷରୁ ସଂଗ୍ରହାଳୟରେ ପ୍ରମୁଖ ୨ ଟି ଗ୍ୟାଲେରୀ ରହିଛି। ପ୍ରଥମ ଗ୍ୟାଲେରୀରେ […]

ଭାରତୀୟ ରେଳପଥର ସଫଳତାରେ ପୂର୍ବତଟ ରେଳପଥର ଏକ ସମୃଦ୍ଧ ଏବଂ ଚମକ୍ରାର ଇତିହାସ ରହିଛି। ପୂର୍ବତଟ ରେଳପଥ ଭିତ୍ତିଭୂମି ବିକାଶର ମଧ୍ୟ ଅନେକ ରୋଚକ କାହାଣୀ ରହିଛି। ରେଳ ବିଭାଗର ସେହି ପୁରୁଣା ଗରିମାକୁ ଉଜ୍ଜିବୀତ କରିବା ପାଇଁ ୨୦୨୦ ମସିହାରେ ଭୁବନେଶ୍ୱରଠାରେ କଳିଙ୍ଗ ରେଳ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଭୁବନେଶ୍ୱରଠାରେ ଥିବା ରେଳବାଇ କଳିଙ୍ଗ ରେଳ ସଂଗ୍ରହାଳୟ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

ରେଳବାଇ ପକ୍ଷରୁ ସଂଗ୍ରହାଳୟରେ ପ୍ରମୁଖ ୨ ଟି ଗ୍ୟାଲେରୀ ରହିଛି। ପ୍ରଥମ ଗ୍ୟାଲେରୀରେ ୫ଟି ସେକ୍ସନ ରହିଛି। ଦ୍ୱିତୀୟ ଗ୍ୟାଲେରୀରେ ଗୋଟିଏ ସିମୁଲେଟ ଇଞ୍ଜିନର ମଡେଲ୍‌ ରହିଛି। ଏହାର କାର୍ଯ୍ୟ ବର୍ତ୍ତମାନ ଚାଲୁରହିଛି। ପ୍ରଥମ ଗ୍ୟାଲେରୀରେ ଥିହା ସେକ୍ସନଗୁଡ଼ିକରେ ପୂର୍ବତଟ ରେଳପଥର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ନଦୀ ଉପରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକାରର ବ୍ରିଜର ମଡେଲଗୁଡ଼ିକ ରହିଛି। ଏହା ସହ ରେଳବାଇ ପକ୍ଷରୁ ନିର୍ମାଣ ହୋଇଥିବା ବିଭିନ୍ନ ଟନେଲଗୁଡ଼ିକର ମଡେ଼ଲ ମଧ୍ୟ ରହିଛି। ଯାହା ରେଳପଥ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ସୂଚନା ପ୍ରଦାନ କରୁଛି। ସେହିଭଳି ଟନେଲ୍‌ ନିର୍ମାଣ ପାଇଁ ରେଳ ବିଭାଗ କିଭଳି ପଦକ୍ଷେପ ନେଇଥାଏ ତଥା କିଭଳି ଟନେଲ ନିର୍ମାଣ କରିଥାଏ ସେ ସମ୍ପର୍କରେ ଏହି ଗ୍ୟାଲେରୀ ସୂଚନା ପ୍ରଦାନ କରୁଛି। ଏହା ସହ ଏଠାରେ ମଧ୍ୟ ବିଭିନ୍ନ ଡକ୍ୟୁମେଣ୍ଟାରୀ ସହିତ ରେଳବାଇର କର୍ମଚାରୀମାନଙ୍କର ପୋଷାକ ପ୍ରଦର୍ଶନ କରାଯାଇଛି। ଫଳରେ କେଉଁ ପୋଷାକଧାରୀ ରେଳକର୍ମଚାରୀଙ୍କୁ ଦେଖିଲେ ତାଙ୍କର ସେହିପ୍ରକାର ଦାୟିତ୍ୱ ସମ୍ପର୍କରେ ଜନସାଧାରଣ ଅବଗତ ହୋଇପାରିବେ। ରେଳବାଇରେ ପୂର୍ବରୁ ଷ୍ଟେସନ, ରେଳପଥ ଓ ରେଳବାଇରେ ବ୍ୟବହୃତ କରାଯାଉଥିବା ସିଗିନାଲ୍ସଗୁଡ଼ିକ ରହିଛି। ଏହା ସହ ରେଳ ଚାଲିବା ପାଇଁ ବିଭିନ୍ନ ପ୍ରକାର ଇଞ୍ଜିନର ମଡେଲ ରହିବା ସହ ରେଳବିଭାଗ ସହିତ ଜଡ଼ିତ କିଛି ଐତିହାସିକ ଫଟୋଗ୍ରାଫି ରହିଛି। ଯାହା ଭାରତୀୟ ରେଳପଥର ଇତିହାସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରୁଛି।

କୋଇଲା ଇଞ୍ଜିନରୁ ‘ବନ୍ଦେ ଭାରତ’ 

ଏଠାରେ ରେଳବିଭାଗର ବିଭିନ୍ନ ପ୍ରକାରର ଇଞ୍ଜିନ ରହିଛି। ଗୋଟିଏ ଷ୍ଟିମ ଇଞ୍ଜିନ ମଡେଲ ରହିଛି ଯାହା କୋଇଲାରେ ଚାଲିଥାଏ। ଏହା ସହ ଡିଜେଲ ଇଞ୍ଜିନ ସହ ୨ ଟି ବୈଦ୍ୟୁତିକ ଇଞ୍ଜିନ ରହିବା ସହ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଇଞ୍ଜିନ୍‌ର ମଡେଲ୍‌ ମଧ୍ୟ ସ୍ଥାନ ପାଇଛି। ଏହାକୁ ଦେଖିଲେ ରେଳ ବିଭାଗରେ ଇଞ୍ଜିନ୍‌ଗୁଡ଼ିକ ନିର୍ମାଣରେ କ୍ରମନ୍ୱୟ ସମ୍ପର୍କରେ ସୂଚନା ମିଳେ। ସମୟ କ୍ରମେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଭଳି ଭାବେ ଇଞ୍ଜିନ ନିର୍ମାଣ କରାଯାଇଛି ସେ ସମ୍ପର୍କରେ ସୂଚନା ମଧ୍ୟ ଏହି ଗ୍ୟାଲେରୀରୁ ମିଳିଥାଏ। ଅପରପକ୍ଷେ ଏହି ସେକ୍ସନରେ ୱାଗ୍‌ନସର ବିଭିନ୍ନ ଯନ୍ତ୍ରାଂଶ ରହିଛି।

ଏଲ୍‌ଇଡିରେ ‘ରେଳ ଉପରେ ଚିଲିକା ଦର୍ଶନ’

ଏହି ରେଳ ସଂଗ୍ରହାଳୟରେ ୪ ଏଲ୍‌ଇଡି ଲଗାଯାଇଛି। ଏଠାରେ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପରିକଳ୍ପନାତ୍ମକ ପ୍ରମାଣିକ ଚଳଚିତ୍ର ପ୍ରଦର୍ଶିତ ହେଉଛି। ଏଥିରେ ଗୋପବନ୍ଧୁଙ୍କ ରେଳ ଉପରେ ଚିଲିକା ଦର୍ଶନ କବିତାକୁ ସ୍ଥାନିତ କରାଯାଇଛି, ରହ ରହ କ୍ଷଣେ ବାଷ୍ପିୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ। ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ?…କବିତାଟି ଭିଡ଼ିଓ ମାଧ୍ୟମରେ ରହିଛି। ଏହା ସହ ଅନ୍ୟ ଏକ ଟିଭିରେ ରଥଯାତ୍ରା ସମୟରେ ରଥ ଚକର କୌଣସି ସମସ୍ୟାର ସମାଧାନ କରିବା ପାଇଁ ରେଳବାଇର କର୍ମଚାରୀମାନେ ସେଠାରେ ଉପସ୍ଥିତ ରହି ତାହାର ସମାଧାନ କରିଥାନ୍ତି ସେ ବିଷୟରେ ଭିଡ଼ିଓରେ ଉଲ୍ଲେଖ କରାଯାଇଛି। ଅନ୍ୟ ଏକ ଟିଭିରେ ଭିଷ୍ଟାଡେ଼ାମ କୋଚ୍‌ର ଭିଡ଼ିଓ ପ୍ର ଦର୍ଶିତ ହେବା ସହ ଅନ୍ୟ ଟିଭିରେ ବେଙ୍ଗଲ ନାଗପୁର ରେଳବାଇରେ ହୋଟେଲର ଭିଡ଼ିଓ ପ୍ରଦର୍ଶିତ ହେଉଛି।

କଳିଙ୍ଗ କୁଇନ୍‌

କଳିଙ୍ଗ କୁଇନ ନାମରେ ଗୋଟିଏ ଟୟ ଟ୍ରେନ ରହିଛି। ସଂଗ୍ରହାଳୟକୁ ଆସୁଥିବା ଲୋକମାନଙ୍କର ମନୋରଞ୍ଜନ କରିବା ପାଇଁ ଏଠାରେ ଗୋଟିଏ ରେଳବାଇ ଟ୍ରାକ ପ୍ରସ୍ତୁତ କରାଯାଇ ଏକ ଟ୍ରେନ ରହିଛି। ଏହା ମାଧ୍ୟମରେ ଏଠାକୁ ଆସୁଥିବା ପର୍ଯ୍ୟଟକ ପୂର୍ବତଟ ରେଳପଥର ପୁରୁଣା ଇତିହାସ ଜାଣିବା ସଙ୍ଗେ ସଙ୍ଗେ ଟ୍ରେନରେ ବସିବାର ମଜା ନେଇ ପାରିବାର ବ୍ୟବସ୍ଥା କରାଯାଇଛି।

ରେଳ କୋଚ୍‌ରେ ଖାଇବା ମଜା

ସଂଗ୍ରହାଳୟ ମଧ୍ୟରେ ୨ଟି ରେଳ ଡବା ରହିଛି। ଏହା ଭିତରେ ରେସ୍ତୁରାଁ ଖୋଲାଯାଇଛି। ସମସ୍ତେ ବିଭିନ୍ନ ପଞ୍ଚତାରକା ହୋଟେଲଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବସି ଖାଦ୍ୟ ଖାଉଥିବେ। କିନ୍ତୁ ରେଳ ଡବା ଭିତରେ ଖାଦ୍ୟ ଖାଇବା ଅନେକଙ୍କର ସ୍ୱପ୍ନ ରହିଥାଏ। ରେଳଡବା ମଧ୍ୟରେ ଖାଇବାର ମଜା ନେବା ପାଇଁ ରେସ୍ତୁରାଁ ସଂଗ୍ରହାଳୟ ମଧ୍ୟରେ ଖୋଲାଯାଇଛି। ଏଠାରେ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଖାଦ୍ୟ ପରସା ଯାଉଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ରେଳ ସଂଗ୍ରହାଳୟ ବୁଲିବା ସହ ଟ୍ରେନରେ ବସି ଖାଇବାର ମଜା ନେଉଛନ୍ତି।

ବ୍ରିଜ୍‌ ଓ ଟନେଲ୍‌ ମଡେଲ୍‌

ସଂଗ୍ରହାଳୟର ପ୍ରଥମ ସେକ୍ସନରେ ପୂର୍ବତଟ ରେଳ ସଦନ କାର୍ଯ୍ୟାଳୟର ଏକ ମଡେଲ୍‌ ରହିଛି। ବ୍ରାହ୍ମଣୀ ନଦୀ କୂଳରେ ତାଳଚେର-ବିମଳାଗଡ଼ ରେଳ ଲାଇନରେ ଟନେଲର ଗୋଟିଏ ମଡେଲ ରହିଛି। ଏହା ସହ ରେଳ ବିଭାଗର ବ୍ରିଜର ପରିବର୍ତ୍ତନ ସହ ରେଳବାଇର ବିଭିନ୍ନ ପ୍ରକାରର ବ୍ରିଜ୍‌ର ମଡେଲ୍‌ ରହିଛି। ଏହା ସହ ସଟର ସ୍ପିରିଙ୍ଗ ବାଲାନ୍ସ ଏକ ମେସିନ୍‌ର ମଡେଲ୍‌ ରହିଛି। ଏହା ମାଧ୍ୟମରେ ରେଳବାଇର ବିଭିନ୍ନ ଟ୍ରାକ, ପାର୍ଟଗୁଡ଼ିକୁ ଓଜନ କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ। ୧୯୨୩ ମସିହାରେ ଏହାର ବ୍ୟବହାର ହେଉଥିଲା। ଟ୍ରାକର ବିଭିନ୍ନ ପାର୍ଟସ ରହିଛି ଯଥା- ଫିସ୍‌ ପ୍ଲେଟ, ଇଲାଷ୍ଟିକ୍‌ ରେଳ କ୍ଲିପ୍‌, ଟୁଏକ୍ଲିପ୍‌, ଏମାଇ ଇନଷ୍ଟ୍ରକଚର୍‌ ଇତ୍ୟାଦି ବିଭିନ୍ନ ପାର୍ଟସ ରହିଛି। ଟ୍ରାକର ମେଜରିଂ କରିବା ପାଇଁ ମଧ୍ୟ କିଛି ପୁରୁଣା ମେସିନ ରହିଛି। ସ୍ପିରିଟ ଲେବୁଲ, ୱେଡନ କ୍ଲାନ୍ତ, କ୍ୟାନେବୁଲ୍‌ ଇତ୍ୟାଦି ରହିଛି। ଟ୍ରାକର ମିଟର ଗଜ୍‌ ଏବଂ ନ୍ୟାରୋଗ୍ରଜ୍‌, ବ୍ରୋଡ ଗ୍ରଜ ମଡେଲ ରହିଛି। ବିଭିନ୍ନ ପ୍ରକାର ପ୍ଲେଟ ରହିଛି। ରେଳ ବିଭାଗରେ ରାତ୍ରିକାଳୀନ କାର୍ଯ୍ୟରେ ଶ୍ରମିକମାନେ ବ୍ୟବହାର କରୁଥିବା ୧୯୭୪ ମସିହାର ଟେଲିପ୍ରୋଟିଙ୍ଗ ଲାଇଟ୍‌ ମଧ୍ୟ ପ୍ରଦର୍ଶିତ ହୋଇଛି। ଏହା ସହ ଭାରତରେ ନିର୍ମିତ ଲିଓ ପ୍ଲୋଟ ଲାଇଟ ମଧ୍ୟ ଏଠାରେ ରହିଛି।

୧୯୫୭ର ପୁରୁଣା ଘଡ଼ି

ଏଠାରେ ରହିଛି ଷ୍ଟେସନ ମାଷ୍ଟରଙ୍କ ପ୍ୟାନେଲ। ଟୋକେନଲେସ ବଣ୍ଡ ଇନଷ୍ଟ୍ରୁମେଣ୍ଟସ ରହିଛି। ଭିଷ୍ଟାଡ୍ରୋମ କୋଚର ମଡେଲ ରହିଛି। ଦୀନ ଦୟାଲ କୋଚ୍‌ ଭଳି ବିଭିନ୍ନ କୋଚର ମଡେ଼ଲଗୁଡ଼ିକ ରହିଛି। ୧୯୫୭ ମସିହାର ଗୋଟିଏ ପୁରୁଣା ଘଡ଼ି ରହିଛି। ମ୍ୟାଗ୍‌ନେଟ ଟେଲିଫୋନ, ରୋଟାରି ଟେଲିଫୋନ, ପୁସ୍‌ ଟେଲିଫୋନ ଭଳି ପୁରୁଣା ଫୋନ ରହିଛି। ସେମାପୋ ସିଗ୍‌ନାଲ ରହିଛି।

ପୁରୁଣା ଟିକଟ୍‌ ସାଙ୍ଗକୁ ଲ୍ୟାମ୍ପ୍‌

ଦୀର୍ଘଦିନ ପୂର୍ବେ ଟ୍ରେନ୍‌ ଯାତ୍ରୀଙ୍କୁ ଦିଆଯାଉଥିବା ଟିକଟଗୁଡ଼ିକ ଏହି ସେକ୍ସନରେ ରହିଛି। ଯଦିବା ଏହି ଟିକଟଗୁଡ଼ିକ ୨୦୦୭ ମସିହାରୁ ବନ୍ଦ ହୋଇଯାଇଛି, କିନ୍ତୁ ସେ ସମ୍ପର୍କରେ ଜାଣିବା ପାଇଁ ସୂଚନା ମଧ୍ୟ ରହିଛି। ସେହଭଳି ବହୁ ପୁରୁଣା ପ୍ରଥମ ଶ୍ରେଣୀ ଡ୍ୟୁଟି କାର୍ଡ ରହିଛି। ପୂର୍ବରୁ ଭାରତୀୟ ରେଳବାଇରେ ଖାଦ୍ୟ ଖାଇବା ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ବାସନକୁସନ ଏଠାରେ ପ୍ରଦର୍ଶିତ କରାଯାଇଛି। ଏହା ସହ ସଂଗ୍ରହାଳୟରେ ରେଳବିଭାଗରେ ବ୍ୟବହାର କରାଯାଉଥିବା ଗୋଟିଏ ସେରାମିକ୍‌ ଫିଲଟର ସହ ଗୋଟିଏ ମାୟାଦ୍ୱୀପ ଲ୍ୟାମ୍ପ ରହିଛି। ରେଳବାଇରେ ସିଗ୍‌ନାଲରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଲ୍ୟାମ୍ପ ରହିଛି ଏଗୁଡ଼ିକ କିରୋସିନରେ କାର୍ଯ୍ୟକାରୀ ହେଉଥିଲା।

ଗ୍ୟାଲେରୀରେ ‘ଗାନ୍ଧିଜୀଙ୍କ ଓଡ଼ିଶା ଯାତ୍ରା’

ଏଠାରେ ବିଭିନ୍ନ ପ୍ରକାର ଐତିହାସିକ ଫଟୋଗ୍ରାଫି ରହିଛି। ମହାତ୍ମା ଗାନ୍ଧୀ ଟ୍ରେନରେ କେତେଥର ଓଡ଼ିଶା ଆସିଛନ୍ତି, ସେ ସମୟର ଫଟୋ ରହିଛି। ଏଠାରେ ୧ ଗ୍ରାମଠାରୁ ଆରମ୍ଭ କରି ୫ କିଲୋଗ୍ରାମ ପର୍ଯ୍ୟନ୍ତ ବଟକରା ରହିଛି। ପାଇଲଟମାନଙ୍କର ପୁରୁଣା ବ୍ୟାଚ୍‌ ରହିଛି। ବିଏନ୍‌ଆର୍‌ ରେଳ ଇଞ୍ଜିନର ମଡେଲ୍‌ ରହିଛି। ଗୋଟିଏ ବାଲୁକା କଳାର ଚିତ୍ର ରହିଛି। ଚାଉଳ ଏବଂ ଇମୋଲି ଚିତ୍ରକଳା ରହିଛି। ଦେଶ ସ୍ୱାଧୀନତା ପୂର୍ବରୁ ଭାରତୀୟ ରେଳବାଇରେ ବ୍ୟବହାର କରାଯାଉଥିବା ବିଭିନ୍ନ ଲୋଗୋ ଅଛି। ବିଭିନ୍ନ ଅଧିକାରୀଙ୍କ ପୋଷାକ ସବୁ ରହିଛି। ଯଥା ଟ୍ରାକ ମ୍ୟାନ, କୁଲି, ଗାର୍ଡ, ଷ୍ଟେସନ ମାଷ୍ଟର, ଫାୟାରାମ୍ୟାନ, ଟିଟି, ଲୋକପାଇଲଟ, ୱାଟର ବୟ ଏବଂ ଟୋକେନ ପୋଟରଙ୍କ ପୋଷାକ ରହିଛି। ଏହା ସହ ବିଭିନ୍ନ ପ୍ରକାର ଷ୍ଟାମ୍ପ ରହିଛି। ଯାହା ରେଳବାଇ ସମ୍ପର୍କରେ ବିସ୍ତୃତ ଜ୍ଞାନ ପ୍ରଦାନ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର