୫-ଜିର ମନ୍ଥର ପ୍ରଗତି

The Sakala Picture
Published On

ଭାରତରେ ୫-ଜି ଟେଲିକମ୍‌‌ ସେବା ପ୍ରବର୍ତ୍ତନର ଏକବର୍ଷ ପୂରଣ ହୋଇଛି। ଏହି ୩୬୫ ଦିନ ମଧ୍ୟରେ ଦେଶରେ ୫-ଜି ବ୍ୟବହାରକାରୀଙ୍କ ସଂଖ୍ୟା ୧୧ କୋଟିରୁ ଅଧିକରେ ପହଞ୍ଚିଛି। ଭାରତର ଡାଟା ବ୍ୟବହାରକାରୀ ଲୋକଙ୍କ ସଂଖ୍ୟା ୧୦୨ କୋଟିରୁ ଅଧିକ। ସେହି ତୁଳନାରେ ଦେଖିଲେ ଭାରତରେ ୫-ଜି ର ପ୍ରସାର ଏହି ବର୍ଷକ ଭିତରେ ନଗଣ୍ୟ। ଆଧୁନିକ ଜୀବନ ଓ ପ୍ରଯୁକ୍ତିରେ ବ୍ରଡ୍‌‌ବ୍ୟାଣ୍ଡ ଟେକ୍‌‌ନୋଲଜିର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ। ଜ୍ଞାନ ଅର୍ଥନୀତିର ଏହା ଏବେ ବାହକ। ଭାରତର ଜନସଂଖ୍ୟା ଓ […]

ଭାରତରେ ୫-ଜି ଟେଲିକମ୍‌‌ ସେବା ପ୍ରବର୍ତ୍ତନର ଏକବର୍ଷ ପୂରଣ ହୋଇଛି। ଏହି ୩୬୫ ଦିନ ମଧ୍ୟରେ ଦେଶରେ ୫-ଜି ବ୍ୟବହାରକାରୀଙ୍କ ସଂଖ୍ୟା ୧୧ କୋଟିରୁ ଅଧିକରେ ପହଞ୍ଚିଛି। ଭାରତର ଡାଟା ବ୍ୟବହାରକାରୀ ଲୋକଙ୍କ ସଂଖ୍ୟା ୧୦୨ କୋଟିରୁ ଅଧିକ। ସେହି ତୁଳନାରେ ଦେଖିଲେ ଭାରତରେ ୫-ଜି ର ପ୍ରସାର ଏହି ବର୍ଷକ ଭିତରେ ନଗଣ୍ୟ। ଆଧୁନିକ ଜୀବନ ଓ ପ୍ରଯୁକ୍ତିରେ ବ୍ରଡ୍‌‌ବ୍ୟାଣ୍ଡ ଟେକ୍‌‌ନୋଲଜିର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ। ଜ୍ଞାନ ଅର୍ଥନୀତିର ଏହା ଏବେ ବାହକ। ଭାରତର ଜନସଂଖ୍ୟା ଓ ବିକାଶଶୀଳ ଅର୍ଥନୀତି ବ୍ରଡ୍‌‌ବ୍ୟାଣ୍ଡ ଏବଂ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ଟେକ୍‌‌ନୋଲଜି ତଥା ଡାଟା ସେବା ପାଇଁ ବିପୁଳ ସୁଯୋଗ ଦେଉଛି। ଏହାସତ୍ତ୍ବେ ଏ କ୍ଷେତ୍ରରେ ଆମର ପ୍ରଗତିକୁ ସନ୍ତୋଷଜନକ କୁହାଯାଇପାରିବ ନାହିଁ।

ଟେଲିକମ୍‌‌ ବିପ୍ଳବ ଭାରତରେ ଏକ ନୂଆ ସ୍ତରରେ ପହଞ୍ଚିଛି। ନୂଆ ପିଢ଼ିରେ ବ୍ରଡ୍‌‌ବ୍ୟାଣ୍ଡ ସେବା ଓ ଉନ୍ନତ ମାନର ତଥ୍ୟ ସେବା ଯୋଗାଣ ନିମନ୍ତେ ଭିତ୍ତିଭୂମି ବିକାଶ ହେଉଛି ମୌଳିକ ଆବଶ୍ୟକତା। ସରକାର ଏଥିପାଇଁ ବିଭିନ୍ନ ନୀତି ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି। ଟେଲିକମ୍‌‌ ସେବା ଯୋଗାଣକାରୀ କମ୍ପାନୀମାନଙ୍କୁ ରିହାତି ହାରରେ ସ୍ପେକ୍ଟ୍ରମ୍‌‌ ବା ଧ୍ୱନି ତରଙ୍ଗ ଯୋଗାଇ ଦିଆଯାଇଛି। ଗ୍ରାହକମାନେ ଯେପରି ଉଚିତ ମୂଲ୍ୟରେ ଉନ୍ନତମାନର ସେବା ପାଇପାରିବେ ସେଥିପାଇଁ ସମସ୍ତ ପ୍ରୟାସ ସରକାରୀ ସ୍ତରରେ କରାଯାଉଛି। ଏହାସତ୍ତ୍ବେ ସବୁ ଘରୋଇ ଟେଲିକମ୍‌‌ କମ୍ପାନୀଙ୍କ ୫-ଜି ସେବା ଯୋଗାଣ ସନ୍ତୋଷଜନକ ନୁହେଁ। କଲ୍‌‌ଡ୍ରପ୍‌‌, ମନ୍ଥର ଇଣ୍ଟରନେଟ୍‌‌ ସେବା ଓ ଅନ୍ୟାନ୍ୟ ବିଭ୍ରାଟ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ବିଏସ୍‌‌ଏନ୍‌‌ଏଲ୍‌‌ ତ ଏ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କଠାରୁ ବହୁପଛରେ ପଡ଼ିଛି। କେବଳ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ୍‌‌ ନିଜର ୫-ଜି ନେଟ୍‌‌ୱର୍କକୁ ଏହି ବର୍ଷକ ମଧ୍ୟରେ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ତଥାପି ସମଗ୍ର ଦେଶରେ ନିଜର ୫-ଜି ସେବା ଉପଲବ୍ଧ କରାଇବାକୁ ଏହି ଦୁଇ କମ୍ପାନୀଙ୍କୁ ଆହୁରି କିଛି ସମୟ ଲାଗିବ। ଭୋଡାଫୋନ୍‌‌ ଆଇଡିଆ ଭଳି କମ୍ପାନୀଠାରୁ ଏ କ୍ଷେତ୍ରରେ ବିଶେଷ କିଛି ଆଶା କରାଯାଉଥଥିବା ବେଳେ ଏହା କିନ୍ତୁ ତାହାର ନିଜସ୍ୱ ସମସ୍ୟା ଯୋଗୁଁ ବିଶେଷ ଅଗ୍ରଗତି କରିପାରିନାହିଁ।

୫-ଜି ସେବା ସହର-ମଫସଲ, ଅଗ୍ରସର-ଅନଗ୍ରସର ଅଞ୍ଚଳ ନିର୍ବିଶେଷରେ ସବୁଠି ପହଞ୍ଚିବା ଦରକାର। ଏ କ୍ଷେତ୍ରରେ ପାତର ଅନ୍ତର ହେବା ଉଚିତ ନୁହେଁ। ଆମେ ଆମ ରାଜ୍ୟ ଓଡ଼ିଶାରେ ଦେଖୁଛୁ ଯେ କେତେକ ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳରେ ୫-ଜି ତଥା ବ୍ରଡ୍‌‌ବ୍ୟାଣ୍ଡ ସେବା ଦୁର୍ବଳ। ଇ-ପ୍ରଶାସନ ଯୁଗରେ ଇଣ୍ଟରନେଟଟ୍‌‌ର ଗୁରୁତ୍ୱ ଅତି ଅଧିକ। ଏହା ଯେତେ ଉନ୍ନତ ଓ ବେଗଗାମୀ ହେବ ଅର୍ଥନୈତିକ ବିକାଶ ପ୍ରକ୍ରିୟା ସେତେ ଅଧିକ ତ୍ୱରାନ୍ୱିତ ହୋଇପାରିବ। ସମ୍ପ୍ରତି ୫-ଜି ଆଉ ସ୍ମୋର୍ଟଫୋନ୍‌‌ରେ ସୀମିତ ହୋଇ ରହିନାହିଁ। ଗ୍ରାହକ ଏହି ସେବାକୁ ନିଜର ଘର, ମୋଟରଗାଡ଼ି, ଚ୍ୟାନେଲ୍‌‌, କମ୍ପ୍ୟୁଟର, ଟିଭି ଆଦି ସବୁଥିରେ ଉପଯୋଗ କରି ଏହାର ଲାଭ ଉଠାଇବାକୁ ବ୍ୟଗ୍ର। କୁହାଯାଉଛି ୪-ଜି ଠାରୁ ୫-ଜିର ବେଗ କାହିଁ କେତେଗୁଣ ଅଧିକ। କିନ୍ତୁ ଆମେ ଯେଉଁ ୫-ଜି ସେବା ପାଇଛୁ ତାହା ଏହି ଦାବି ଅନୁସାରେ ଠିକ୍‌‌ ଲାଗୁନାହିଁ। ଫଳେନ ପରିଚୟେତ ପରି ଭାରତର ମୋବାଇଲ ଡାଉନ୍‌‌ଲୋଡ୍‌‌ ବେଗ ସ୍ଥିତି ଏବେ (୫-ଜି ପ୍ରବର୍ତ୍ତନ ପରେ) ୧୧୯ରୁ ଖସି ୪୭ ସ୍ଥାନରେ ପହଞ୍ଚି ଯାଇଛି। ତେଣୁ ଏ କ୍ଷେତ୍ରରେ ଆମକୁ ଆହୁରି ଅନେକ କିଛି ହାସଲ କରିବାକୁ ପଡ଼ିବ। ସତକଥାଟି ହେଲା ଶସ୍ତା ୫-ଜି ଫୋନ୍‌‌ର ଅଭାବ ଏବଂ ଦେଶରେ ଏଭଳି ଫୋନ୍‌‌ ଓ ତତ୍‌‌ସଂଲଗ୍ନ ଉପକରଣ ଉତ୍ପାଦନ କରି ଘରୋଇ ଚାହିଦା ମେଣ୍ଟାଇବାରେ ସାମର୍ଥ୍ୟ ଆମର ଏ ପର୍ଯ୍ୟନ୍ତ ଆସିପାରିନାହିଁ, ଯଦିଓ ଏ ଦିଗରେ ସବୁମନ୍ତେ ଉଦ୍ୟମ ସରକାରୀ ସ୍ତରରେ ଜାରି ରହିଛି। ଆମେରିକା, ଚୀନ୍‌‌ ଓ ଅନ୍ୟାନ୍ୟ ଅଗ୍ରଣୀ ଦେଶଙ୍କ ତୁଳନାରେ ଭାରତ ଏ କ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଛି। କେତେକ ଭିତ୍ତିଭୂମି ଜନିତ ଅଭାବ ଯୋଗୁଁ ଏବଂ ୫-ଜିର ଅପେକ୍ଷାକୃତ ଅଧିକ ମୂଲ୍ୟ ଯୋଗୁଁ ଏଥିପାଇଁ ବିପୁଳ ଗ୍ରାହକ ଭିତ୍ତି ସୃଷ୍ଟି ହୋଇପାରୁନାହିଁ। ତେଣୁ ଘରୋଇ କମ୍ପାନୀ ଓ ନିବେଶକମାନେ ୫-ଜି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ପାଇଁ କୁଣ୍ଠାବୋଧ କରୁଛନ୍ତି। କେତେକ କମ୍ପାନୀ ୪-ଜି ଦେୟରେ ୫-ଜି ସେବା ଯୋଗାଇବାକୁ ବାଧ୍ୟ ହୋଇଛନ୍ତି।

ଏବେ ସରକାର ୫-ଜିକୁ ଅଧିକ ଲୋକପ୍ରିୟ କରିବାକୁ ଏଫଡବ୍ଲ୍ୟୁଏ ସେବା ପ୍ରବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ଗ୍ରାହକ ସ୍ଥାୟୀ ଓୟାରଲେସ୍‌‌ ସୁବିଧା ପାଇପାରିବେ। ଏହାଛଡ଼ା ପାଖାପାଖି ଏକ କୋଟି ଘରକୁ ୫-ଜି ମାଧ୍ୟମରେ ଟିଭି କାର୍ଯ୍ୟକ୍ରମ ସହିତ ବ୍ରଡ୍‌‌ବ୍ୟାଣ୍ଡ ସେବା ଯୋଗାଇଲେ ୫-ଜି ସେବା ବେପାର ଲାଭଜନକ ହୋଇପାରିବ। ଭାରତରେ ମୋଟ ପ୍ରାୟ ୩୦ କୋଟି ପରିବାର ମଧ୍ୟରୁ ଏବେ ମାତ୍ର ୩୦ ନିୟୁତ ପରିବାର ପାଖରେ ସ୍ଥାୟୀ ବ୍ରଡ୍‌‌ବ୍ୟାଣ୍ଡ ସୁବିଧା ରହିଛି। ସେହି ପରିବାର ମଧ୍ୟରୁ ଅଧିକାଂଶ ସହରାଞ୍ଚଳର। ଏଭଳି ସ୍ଥିତିରେ ୫-ଜି ଲାଭଦାୟକ ହେବା କଷ୍ଟ। ତେଣୁ ଅଧିକରୁ ଅଧିକ ପରିବାରକୁ ଫିକ୍ସଡ୍‌‌ ବ୍ରଡ୍‌‌ବ୍ୟାଣ୍ଡ ସେବା ଯୋଗାଣ ସହିତ ଏହାକୁ ଟିଭି ଓ ଇଣ୍ଟରନେଟ୍‌‌/କମ୍ପ୍ୟୁଟର ସହିତ ଯୋଡ଼ା ଗଲେ ଦେଶରେ ପ୍ରାୟ ୧୦ ବିଲିୟନ ଡଲାର ରାଜସ୍ୱ ସୁଯୋଗ ସୃଷ୍ଟି ହେବ।

ହିସାବରେ ତ ଏହା ଅତି ସହଜ ଓ ଲାଭଜନକ। ବାସ୍ତବତା ହେଲା ଆମକୁ ପ୍ରଥମେ ଆମ ଭିତ୍ତିଭୂମି ସଜାଡ଼ିବାକୁ ପଡ଼ିବ ଏବଂ ସେବା ଯୋଗାଣର ମାନକୁ ବଢ଼଼ାଇବାକୁ ହେବ। ଚୀନ୍‌‌, ଆମେରିକା ଭଳି ଦେଶ ୬-ଜି, ୭-ଜି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆମେ ୫-ଜିରେ ମଧ୍ୟ ବହୁପଛରେ ପଡ଼ିଛୁ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଟେଲିକମ୍‌‌, ବ୍ରଡ୍‌‌ବ୍ୟାଣ୍ଡ ଓ ନୂଆ ପିଢ଼ି ଇଣ୍ଟରନେଟ୍‌‌ ସେବାର ଗୁରୁତ୍ୱ ଅତିଅଧିକ। ଏହା ବିନା ଯେ ଆମେ ବିକଶିତ ରାଷ୍ଟ୍ର ହୋଇପାରିବା ନାହିଁ, ଏ କଥା ସରକାରଙ୍କୁ ବୁଝାଇବାର ଆବଶ୍ୟକତା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର