ସତ୍ୟୋତ୍ତର ସମ୍ବାଦ!

The Sakala Picture
Published On

ଆଜିର ଯୁଗ ହେଲା ତଥ୍ୟ, ସୂଚନା ଓ ସମ୍ବାଦର ଯୁଗ। ଅନେକେ ଏହାକୁ ସୂଚନା ବିସ୍ଫୋରଣର ସମୟ ବୋଲି ଆଖ୍ୟା ଦେଉଛନ୍ତି। ବହୁ ପ୍ରାଚୀନ କାଳରୁ ମାନବ ସମାଜରେ ସୂଚନା ଆଦାନ ପ୍ରଦାନର ପ୍ରାଧାନ୍ୟ ଓ ପରମ୍ପରା ରହି ଆସିଛି। ତେବେ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରସାର ଫଳରେ ତଥ୍ୟ ସୂଚନା ଓ ଯୋଗାଯୋଗର ପ୍ରସାର କ୍ଷେତ୍ରରେ ବୈପ୍ଳବିକ ଉଦ୍‌‌ବର୍ତ୍ତନ ଘଟିଛି। ସମାଜରେ ମଣିଷର ସ୍ଥିତି, ଚଳଣି, ସାମାଜିକ ନୀତି […]

ଆଜିର ଯୁଗ ହେଲା ତଥ୍ୟ, ସୂଚନା ଓ ସମ୍ବାଦର ଯୁଗ। ଅନେକେ ଏହାକୁ ସୂଚନା ବିସ୍ଫୋରଣର ସମୟ ବୋଲି ଆଖ୍ୟା ଦେଉଛନ୍ତି। ବହୁ ପ୍ରାଚୀନ କାଳରୁ ମାନବ ସମାଜରେ ସୂଚନା ଆଦାନ ପ୍ରଦାନର ପ୍ରାଧାନ୍ୟ ଓ ପରମ୍ପରା ରହି ଆସିଛି। ତେବେ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରସାର ଫଳରେ ତଥ୍ୟ ସୂଚନା ଓ ଯୋଗାଯୋଗର ପ୍ରସାର କ୍ଷେତ୍ରରେ ବୈପ୍ଳବିକ ଉଦ୍‌‌ବର୍ତ୍ତନ ଘଟିଛି। ସମାଜରେ ମଣିଷର ସ୍ଥିତି, ଚଳଣି, ସାମାଜିକ ନୀତି ନିୟମର ପରିଚାଳନା, ରାଜନୈତିକ କ୍ଷମତାର ପ୍ରବର୍ତ୍ତନ, ପ୍ରକରଣ ତଥା ସାମୂହିକ ଜୀବନର ପ୍ରତ୍ୟେକ ସ୍ତରରେ ତଥ୍ୟ ଓ ସୂଚନା ପ୍ରବାହର ଘୋର ଆବଶ୍ୟକତା ପଡ଼ୁଛି। ମୁଦ୍ରଣ ଯନ୍ତ୍ର ଉଦ୍‌‌ଭାବନ ହେବାଠାରୁ ଖବରକାଗଜ, ପତ୍ରପତ୍ରିକା, ରେଡିଓ, ଟେଲିଭିଜନ୍‌‌, ସିନେମା ଏବଂ ସମ୍ପ୍ରତି ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମଗୁଡ଼ିକ ମନୁଷ୍ୟ ସମାଜରେ ପ୍ରାକୃତିକ ଓ ମୌଳିକ ପାରିବାରିକ ଓ ସାମାଜିକ ସୂଚନା ସଞ୍ଚାର ଆଧୁନିକ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପଡ଼ିଛି। ଚଳିତ ଏକବିଂଶ ଶତାବ୍ଦୀରେ ଡିଜିଟାଲ୍‌‌ ଗଣମାଧ୍ୟମର ସମ୍ପ୍ରସାରଣ ଏତେ ପ୍ରବଳ ଭାବରେ ହୋଇଛି ଯେ ତାହା ବର୍ତ୍ତମାନ ରେଡିଓ, ଟିଭି ଓ ଖବରକାଗଜ ଆଦି ମୁଖ୍ୟସ୍ରୋତର ଗଣମାଧ୍ୟମକୁ ମଧ୍ୟ ଟପି ସାରିଛି। ଆଜି ଆବାଳବୃଦ୍ଧବନିତା ନିର୍ବିଶେଷରେ, ଧନୀଦରିଦ୍ର ତଥା ଶିକ୍ଷିତ ଓ ଅଶିକ୍ଷିତ ନିର୍ବିଶେଷରେ ଡିଜିଟାଲ୍‌‌ ଗଣମାଧ୍ୟମ ସକ୍ରିୟ ଜୀବନଯାତ୍ରାର ବହୁଭାଗର ପରିଚୟ ସାଜିଛି। ଏକ ଆକଳନ ଅନୁସାରେ ଭାରତରେ ଯୁବଗୋଷ୍ଠୀ ଦୈନିକ ତିନିରୁ ଚାରି ଘଣ୍ଟା ଫେସ୍‌‌ବୁକ୍‌‌, ଏକ୍ସ(ଟ୍ୟୁଟର), ୟୁଟୁବ୍‌‌ ଓ ହ୍ୱାଟ୍‌‌ସଆପ୍‌‌ ଆଦି ଡିଜିଟାଲ୍‌‌ ମଞ୍ଚର ଉପଯୋଗ କରୁଛନ୍ତି। ସମ୍ବାଦ ଓ ସୂଚନା, ବିଶେଷକରି ଡିଜିଟାଲ୍‌‌ ଗଣମାଧ୍ୟମରେ ଉପଲବ୍ଧ ବହୁ କିସମର ସୂଚନା ସେବା ଦ୍ୱାରା ଲାଭାନ୍ୱିତ ମଧ୍ୟ ହେଉଛନ୍ତି। କୋଭିଡ୍‌‌ ମହାମାରୀ କାଳରେ ସ୍ମାର୍ଟଫୋନ୍‌‌, ଇଣ୍ଟରନେଟ୍‌‌ ଓ ଅନ୍‌‌ଲାଇନ୍‌‌ ଶିକ୍ଷା ସେବାର ମହତ୍ତ୍ୱ ଆମେ ଅଙ୍ଗେ ନିଭେଇଛୁ।

ଆମେ ଏ ପର୍ଯ୍ୟନ୍ତ ଯାହା କହିଲୁ, ତାହା ଊଣା-ଅଧିକେ ସମସ୍ତଙ୍କୁ ଜଣା। ତେବେ ସମ୍ବାଦ ଓ ସୂଚନାର ବିଷୟବସ୍ତୁକୁ ନେଇ ଦୁଇଟି ମୁଖ୍ୟ ଧାରା ଆମେ ଦେଖିବାକୁ ପାଉ। ଗୋଟିଏ ହେଲା ସତ୍ୟ ମାର୍ଗ। ଆଉ ଗୋଟିଏ ହେଲା ମିଥ୍ୟା ଓ ଏହାର ଅସଂଖ୍ୟ ପ୍ରଜାତି। ସାମାଜିକ ପରମ୍ପରାରେ ସତ୍ୟର ଆଦର ବେଶୀ। କାରଣ ଏହା ବ୍ୟକ୍ତି ଓ ସମଷ୍ଟିର ହିତକର ଓ ସର୍ବୋପରି ରାଷ୍ଟ୍ର ମଙ୍ଗଳ ପାଇଁ ଆବଶ୍ୟକ। ସେଇଥିପାଇଁ ତ ନୀତିବାକ୍ୟରେ କୁହାଯାଇଛି – ‘ସତ୍ୟଂ ବ୍ରୁୟାତ୍‌‌, ପ୍ରିୟଂ ବ୍ରୁୟାତ୍‌‌…’। କିନ୍ତୁ ମିଥ୍ୟା ମାର୍ଗକୁ ଗଲେ ଏହା ଅହିତକର, ଅନୈତିକ, ଏପରିକି ଅପରାଧ ବୋଲି ମଧ୍ୟ ଧରାଯାଏ ଏବଂ ଉପଯୁକ୍ତ ଦଣ୍ଡବିଧାନର ବ୍ୟବସ୍ଥା ଥାଏ। କିନ୍ତୁ ଏକବିଂଶ ଶତାବ୍ଦୀରେ ଦେଖାଯାଉଛି ଯେ ସତ୍ୟ ଓ ମିଥ୍ୟା, ଆଲୋକ ଓ ଅନ୍ଧାର ଭଳି ନିର୍ଦ୍ଦିଷ୍ଟ ଗୁଣାତ୍ମକ ବସ୍ତୁ ହୋଇ ରହିନାହିଁ। ଯେହେତୁ ମଣିଷ ସମାଜ ଆଜି ବିଶ୍ୱବ୍ୟାପୀ ବିସ୍ତୃତ ଓ ବିଭିନ୍ନ ରାଷ୍ଟ୍ର, ଅଞ୍ଚଳ ଓ ଗୋଷ୍ଠୀ ଇତ୍ୟାଦିରେ ବିଭକ୍ତ ତଥା ପରସ୍ପର ଉପରେ ନିର୍ଭରଶୀଳ, ତେଣୁ ଉଭୟ ସତ୍ୟ ଓ ମିଥ୍ୟାର ମଧ୍ୟ ବିବର୍ତ୍ତନ ଘଟିଚାଲିଛି। ଏହି ପ୍ରକ୍ରିୟାରେ ଗଣମାଧ୍ୟମ, ବିଶେଷକରି ଡିଜିଟାଲ୍‌‌ ସାମାଜିକ ଗଣମାଧ୍ୟମମାନେ ମୁଖ୍ୟ ସାରଥି ପାଲଟୁଛନ୍ତି। ଏବେ ସାରା ବିଶ୍ୱରେ ଗଣମାଧ୍ୟମ, ସେ ପାରମ୍ପରିକ ହେଉ ବା ଅତ୍ୟାଧୁନିକ ଡିଜିଟାଲ୍‌‌ କ୍ଷେତ୍ର ହେଉ, ଏକ ବିକୃତ ବଜାର ବ୍ୟବସ୍ଥାର ତଥା ଅନୈତିକ ସ୍ୱାର୍ଥକୈନ୍ଦ୍ରିକ ଉପସ୍ଥାପନର ବନ୍ଧକ୍‌‌ ହୋଇପଡ଼ିଛନ୍ତି। ତେଣୁ ସତ୍ୟ ଆଉ ମିଥ୍ୟା ଉଭୟର ତାତ୍ତ୍ୱିକ, ବ୍ୟାବହାରିକ ଓ ବ୍ୟାବସାୟିକ ସମର୍ଥନ ପ୍ରସଙ୍ଗ ଅନୁସାରେ ଖୋଲାଖୋଲି ଏକତ୍ର ଭାବେ କରାଯାଉଛି।

ଗୋଟିଏ ଶ୍ରେଣୀର ଦର୍ଶନ ହେଲା ‘ସତ କହିବାକୁ କିଅାଁ ଡରିବି…’। ଆଗରୁ ଏହି ଗୋଷ୍ଠୀରେ ବହୁ ଗହଳଚହଳ ହେଉଥିଲା। ଭାରତରେ ଗାନ୍ଧୀ ମହାତ୍ମା ସମ୍ବାଦପତ୍ରରେ ସତ୍ୟକୁ ଏକ ନୈତିକ ଓ ରାଷ୍ଟ୍ରୀୟ କର୍ତ୍ତବ୍ୟବୋଧ ବୋଲି ବହୁ ଉଚ୍ଚସ୍ଥାନ ଦେଇଥିଲେ। ଭାରତ ସ୍ୱାଧୀନ ହେବା ପରେ ଗାନ୍ଧିଜୀଙ୍କ ସତ୍ୟାନୁସରଣର ବାକ୍ୟ ସବୁ ଗ୍ରନ୍ଥାବଳୀରେ ବନ୍ଦ ହୋଇ ରହିଗଲା ପରି ମନେ ହୁଏ। ସ୍ୱାଧୀନତାର ଅନେକ ବର୍ଷ ପର ପର୍ଯ୍ୟନ୍ତ ଅନେକ ସମ୍ବାଦପତ୍ର ସତ୍ୟଧର୍ମୀ ସମ୍ବାଦ ଓ ଆଲେଖ୍ୟ ଉପସ୍ଥାପନ କରି ନିଜ ନିଜ ସମ୍ବାଦ ସଂସ୍ଥାର ଅଳଂକରଣ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ସମ୍ବାଦପତ୍ରକୁ ଗରିବ ଓ ଦଳିତଙ୍କ ମୁଖପତ୍ର ଭାବେ ସଂରଚନା କରିଥିଲେ। ତେବେ ଆଜି ସବୁ ଓଲଟି ଯାଇଛି। ସମସ୍ତ ଗଣମାଧ୍ୟମରେ ଲେଖିବା ଓ କହିବା ତଥା ଚଳଚ୍ଚିତ୍ର ଓ ଭିଡିଓର ପ୍ରସାରଣକୁ ଭାରତୀୟ ସମ୍ବିଧାନରେ ଥିବା ବ୍ୟକ୍ତି ସ୍ୱାଧୀନତା ତଥା ବାକ୍‌‌ ସ୍ୱାଧୀନତାର ମର୍ଯ୍ୟାଦା ଦିଆଯିବା ପରେ ସବୁ କେମିତି ଅଡ଼ୁଆ ଧରି ଯାଇଛି। ଆଗରୁ ଧର୍ମକୁ ଆଖିମିଟିକା ମାରୁଥିଲେ, ଏବେ କିନ୍ତୁ ଧର୍ମ ମହତପଣିଆ ହୋଇ ରହିନାହିଁ। ‘ପେଟ ପୋଷ ନାହିଁ ଦୋଷ’ ନ୍ୟାୟରେ ନେଇ ଆଣି ଥୋଇ ପାରିଲେ ସବୁ ବିଦ୍ୟା ଭଲ ବୋଲି ଆପ୍ତ ବାକ୍ୟ ହୋଇସାରିଲାଣି। କେଉଁଠି କେଉଁଠି ତମାଖୁ ବ୍ୟବସାୟୀ, ଝୋଟ ବ୍ୟବସାୟୀ, ଲୁଗାକଳ ମାଲିକ, ଖଣି ମାଲିକ ଆଦି ଖବରକାଗଜ, ରେଡିଓ, ଟେଲିଭିଜନ୍‌‌ ଓଗେର ପ୍ରତିଷ୍ଠା କରି ଚଲାଇଲେଣି ତ କେଉଁଠି ଅନୈତିକ ବ୍ୟାପାରରେ ଲିପ୍ତ ଥିବା ବ୍ୟକ୍ତିମାନେ ପରୋକ୍ଷରେ ପୁଞ୍ଜିଲଗାଣ କରି ନିଜନିଜର ପୋଷା ଗଣମାଧ୍ୟମଗୁଡ଼ିଏ ଚଲାଇଲେଣି। ସମ୍ବାଦ ଆଉ ସାମୂହିକ, ସାମାଜିକ ଓ ରାଷ୍ଟ୍ରୀୟ ସେବା ହୋଇ ରହିନାହିଁ। ଯଦିବା ସତ୍ୟର ଉପସ୍ଥାପନ କେତେକ ଗଣମାଧ୍ୟମ ସଂସ୍ଥା କରୁଛନ୍ତି, ତଥାପି ଅଧିକାଂଶ ‘ଗଣ’ମାଧ୍ୟମର କଷଟି ଆଉ ଜନହିତ ବା ଜନସେବା ଓ ନ୍ୟାୟ ହୋଇ ରହିନାହିଁ। ଯିଏ ଜନସେବା ବା ଜନହିତ ପାଇଁ କିଛି ଲେଖିଲେ ବା କହିଲେ ତାଙ୍କୁ ‘ଗୋଦୀ ମିଡିଆ’ ବୋଲି କଟାକ୍ଷ କରାଯାଉଛି। ଏବେ ଆମେ ଦେଖିଛୁ ‘ଇଣ୍ଡିଆ’ ମେଣ୍ଟର ଦଳମାନେ ଦେଶର ୧୪ଜଣ ଆଗଧାଡ଼ିର ପତ୍ରକାର ଓ ସମୀକ୍ଷକଙ୍କୁ ‘ବାସନ୍ଦ’ କରିଦେଇଛନ୍ତି। ଏଥିରୁ ଜଣାପଡ଼ିଲା ଯେ ସେହି ଦଳମାନେ ବାସନ୍ଦ ସାମ୍ବାଦିକମାନଙ୍କର ନିର୍ଭୀକ ଆଲୋଚନାର ସମ୍ମୁଖୀନ ହୋଇପାରୁନାହାନ୍ତି। ଏଭଳି ଅବସ୍ଥା ହେଲାଣି ଯେ ଅର୍ଦ୍ଧସତ୍ୟର ମଧ୍ୟ ସାମ୍ନା କରିବାକୁ ସର୍ବସାଧାରଣ ଅନୁଷ୍ଠାନମାନେ ପ୍ରସ୍ତୁତ ନୁହନ୍ତି। ସମାଜରେ ଅର୍ଦ୍ଧସତ୍ୟ, ଗୁଜବ, ଅପପ୍ରଚାର, କାମଳ ସାମ୍ବାଦିକତା, ଚରିତ୍ର ହନନ ଓ ଗଣମାଧ୍ୟମର କଙ୍ଗାରୁ ଅଦାଲତ ଆଦିର ପ୍ରକରଣରେ ଅଧିକାଂଶ ଗଣମାଧ୍ୟମ ସଂସ୍ଥା କଳଙ୍କିତ ହୋଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଭାରତର ଗୋଟିଏ ମୁଖ୍ୟ ରାଜନୈତିକ ଦଳ ଗୋଟିଏ ଆଗୁଆ ବୈଶ୍ୱିକ ଡିଜିଟାଲ୍‌‌ ଗଣମାଧ୍ୟମର ସହାୟତା ନେଇଥିଲେ ଭାରତର ଅନେକ ବୁଦ୍ଧିଜୀବୀଙ୍କୁ କିପରି ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ପରୋକ୍ଷ ଭାବରେ ପ୍ରଭାବିତ କରିବା ପାଇଁ! ଅନ୍ୟପକ୍ଷରେ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେହିଭଳି ଡିଜିଟାଲ୍‌‌ ଗଣମାଧ୍ୟମର ଅନୈତିକ ସହାୟତାରେ ବହୁସଂଖ୍ୟକ ବିରୋଧୀ ଦଳ ସମର୍ଥକମାନଙ୍କୁ ଅର୍ଦ୍ଧସତ୍ୟ ଓ ଗୁଜବ ସମ୍ବାଦ ପ୍ରସାରଣ କରି ସେମାନଙ୍କ ମତ ପରିବର୍ତ୍ତନ କରିବାର ଅପଚେଷ୍ଟା କରାଯାଇଥିଲା। ସେ ସମୟରେ ଗୋଟିଏ କୌତୁକିଆ ଯୁଗ୍ମ ଶବ୍ଦର ସଂରଚନା ହୋଇଥିଲା। ତାହା ହେଲା – ଉତ୍ତର-ସତ୍ୟ-ବିଶ୍ୱ(ପୋଷ୍ଟ ଟ୍ରୁଥ୍‌‌ ୱାଲର୍ଡ)। ଯଦିବା ଲାଭାର୍ଥୀ ରାଜନୈତିକ ଦଳର ପରାଜୟ ଘଟିଥିଲା ତେବେ ସତ୍ୟ ଓ ମିଥ୍ୟାର ଯୁଗ୍ମ ତର୍କର ଊର୍ଦ୍ଧ୍ବକୁ ଯାଇ ଡିଜିଟାଲ୍‌‌ ସାମାଜିକ ଗଣମାଧ୍ୟମ ଏବେ ସତ୍ୟୋତ୍ତର ସମ୍ବାଦକୁ ସାକାର କରିବାରେ ଲାଗିଛନ୍ତି।

ସତ୍ୟୋତ୍ତର ସମ୍ବାଦ ପରିବେଷଣରେ ଜନହିତର ପ୍ରଶ୍ନ ଉଠେନାହିଁ। ସେଠାରେ କେବଳ ଥାଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମ-ସେଠ୍‌‌ମାନଙ୍କର ବ୍ୟକ୍ତିଗତ କ୍ଷମତା ଲାଳସା, ଈର୍ଷା ଓ ଅସୂୟା ଭାବ, ବ୍ୟକ୍ତିଗତ ନିରାଶା, ଭଲ କାମଟିଏ କରୁଥିବା ଲୋକର ନିନ୍ଦାଗାନ। ସେଥିରେ ଦେଶର ବା ଦଶର ଯେତେ କ୍ଷତି ହେଉ ଯା’ ଆସ ନାହିଁ। ଖାଲି ବିଷ ଉଦ୍‌‌ଗାର ଆଉ ବ୍ୟକ୍ତିଗତ ପାପପୁଞ୍ଜି ଉପରେ ଧଳାଚାଦର। ସର୍ବୋପରି ପାଠକ, ଶ୍ରୋତା ଓ ସମ୍ବାଦ ଉପଭୋକ୍ତାମାନଙ୍କ ପାଇଁ ଘୋର ଉପେକ୍ଷା। ଗଣମାଧ୍ୟମର ଏଭଳି ଅପବ୍ୟବହାର ବିରୁଦ୍ଧରେ ଜନମତ ଜାଗ୍ରତ କରିବା ସମସ୍ତ ସତ୍ୟ ଓ ସେବାଧର୍ମୀ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କର ପରମ କର୍ତ୍ତବ୍ୟ। ସାମ୍ବାଦିକତାରେ ନୈତିକତାର ଅବକ୍ଷୟ ନ ହେଉ, ଜନହିତକାରୀ ଗଣମାଧ୍ୟମର ଜୟ ହେଉ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର