ଦଣ୍ଡବିଧି ଓ ନାଗରିକ ସୁରକ୍ଷା ଆଇନର ଐତିହାସିକ ସଂଶୋଧନ ପ୍ରସ୍ତାବ: ସାକ୍ଷ୍ୟ, ଦଣ୍ଡ ଓ ତଦନ୍ତ ପାଇଁ ‘ସ୍ମାର୍ଟ ଆଇନ୍‌‌’

The Sakala Picture
Published On

ଭାରତୀୟ ପିଙ୍ଗଳ ଦଣ୍ଡବିଧି ଆଇନ (ଆଇପିସି) ବ୍ରିଟିଶ୍‌‌ ଶାସନ କାଳର ଏକ ନ୍ୟାୟ ବିଧି। ଗୋଟିଏ ଉପନିବେଶକୁ ନିଜର ନିୟନ୍ତ୍ରଣରେ ରଖି ଏହାର ସର୍ବସାଧାରଣଙ୍କୁ କିପରି ଜବତ କରିହେବ ତାହାକୁ ଆଖି ଆଗରେ ରଖି ଏହି ଆଇନ ପ୍ରଣୀତ ହେବା ସହିତ ଦୀର୍ଘବର୍ଷର ବ୍ରିଟିଶ୍‌‌ ଶାସନ କାଳରେ ବିଭିନ୍ନ ସମୟରେ ସଂଶୋଧିତ ଓ ପରିବର୍ଦ୍ଧିତ ମଧ୍ୟ ହୋଇଥିଲା। ବିଡ଼ମ୍ବନା ଏହା ଯେ ଭାରତ ସ୍ୱାଧୀନ ହେବା ପରେ ନୂଆ ସମ୍ବିଧାନ ଓ ବିଧିବ୍ୟବସ୍ଥାର ପ୍ରବର୍ତ୍ତନ ସତ୍ତ୍ବେ ବ୍ରିଟିଶ୍‌‌ […]

ଭାରତୀୟ ପିଙ୍ଗଳ ଦଣ୍ଡବିଧି ଆଇନ (ଆଇପିସି) ବ୍ରିଟିଶ୍‌‌ ଶାସନ କାଳର ଏକ ନ୍ୟାୟ ବିଧି। ଗୋଟିଏ ଉପନିବେଶକୁ ନିଜର ନିୟନ୍ତ୍ରଣରେ ରଖି ଏହାର ସର୍ବସାଧାରଣଙ୍କୁ କିପରି ଜବତ କରିହେବ ତାହାକୁ ଆଖି ଆଗରେ ରଖି ଏହି ଆଇନ ପ୍ରଣୀତ ହେବା ସହିତ ଦୀର୍ଘବର୍ଷର ବ୍ରିଟିଶ୍‌‌ ଶାସନ କାଳରେ ବିଭିନ୍ନ ସମୟରେ ସଂଶୋଧିତ ଓ ପରିବର୍ଦ୍ଧିତ ମଧ୍ୟ ହୋଇଥିଲା। ବିଡ଼ମ୍ବନା ଏହା ଯେ ଭାରତ ସ୍ୱାଧୀନ ହେବା ପରେ ନୂଆ ସମ୍ବିଧାନ ଓ ବିଧିବ୍ୟବସ୍ଥାର ପ୍ରବର୍ତ୍ତନ ସତ୍ତ୍ବେ ବ୍ରିଟିଶ୍‌‌ ଶାସନ କାଳର ଅଧିକାଂଶ ନ୍ୟାୟ ବିଧି ଏ ଯାଏଁ ଭାରତରେ ପ୍ରଚଳିତ।

ସୁଖର କଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂସଦରେ ଭାରତୀୟ ନ୍ୟାୟ ସଂହିତା ବିଲ୍‌‌ ଉପସ୍ଥାପନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଲା ଭାରତୀୟ ପିଙ୍ଗଳ ଆଇନ, ଅପରାଧ ନିୟନ୍ତ୍ରଣ ପ୍ରକ୍ରିୟା ସଂହିତା ଓ ଭାରତୀୟ ସାକ୍ଷ୍ୟ ଆଇନର ଅବସାନ ଘଟାଇ ତା’ ସ୍ଥାନରେ ନୂତନ ସମୟ ଉପଯୋଗୀ ନ୍ୟାୟ ବିଧି ପ୍ରବର୍ତ୍ତନ କରିବା। ଏଠାରେ ସୂଚନାଯୋଗ୍ୟ ଯେ ପରାଧୀନ ଭାରତରେ ବ୍ରିଟିଶ୍‌‌ ଶାସକଙ୍କ ଦ୍ୱାରା ଗଠିତ ଥୋମାସ୍‌‌ ବାବିଙ୍ଗଟନ୍‌‌ ମ୍ୟାକଲେଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ ଆଇନ ଆୟୋଗ (ଲ’ କମିଶନ)ଙ୍କ ସୁପାରିସରେ ଏହି ତିନୋଟି ମୁଖ୍ୟ ଆଇନ ପ୍ରସ୍ତୁତ ହୋଇଥିଲା। ଏହି ଆଇନଗୁଡ଼ିକ ୧୮୬୨ରେ ପ୍ରଥମେ ଭାରତ ତିନି ପ୍ରେସିଡେନ୍ସି କଲିକତା, ମାଡ୍ରାସ ଓ ବମ୍ବେରେ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଭାରତର ଦେଶୀୟ ରାଜ୍ୟମାନଙ୍କ ପାଇଁ ଏହି ଆଇନଗୁଡ଼ିକ ପ୍ରଯୁଜ୍ୟ ନଥିଲା। କାରଣ ସେମାନଙ୍କର ନିଜସ୍ୱ ଅଦାଲତ ଓ ଆଇନ ବ୍ୟବସ୍ଥା ଥିଲା। ଚତୁର ବ୍ରିଟିଶ୍‌‌ ଶାସକମାନେ ଦେଶୀ(ନେଟିଭ୍‌‌) ଭାରତୀୟମାନଙ୍କୁ ବିଭାଜନକାରୀ ଓ ନିଜକୁ ସୁହାଉଥିବା ପରି ଆଇନ୍‌‌ ବ୍ୟବସ୍ଥା ଦେଇ ଯାଇଥିଲେ। ତେବେ ଅତ୍ୟାଚାରୀ ରାଜାରାଜୁଡ଼ାମାନେ ସେମାନଙ୍କର ନିଜର ସ୍ୱତନ୍ତ୍ର ନ୍ୟାୟ ଓ ଆଇନ ବ୍ୟବସ୍ଥାରେ ଦଖଲ ନ ଦେଉଥିବାରୁ ଚୁପ୍‌‌ ରହିଥିଲେ।

ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ପରେ ଏହି ତିନୋଟି ଯାକ ନ୍ୟାୟିକ ବିଧି ବ୍ୟବସ୍ଥାରେ ସଂଶୋଧନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ଅତି ବିଳମ୍ବିତ ହେଲେ ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ। ଭାରତୀୟ ନ୍ୟାୟ ସଂହିତା ବିଲ୍‌‌ ଆଇନ୍‌‌ରେ ପରିଣତ ହେଲେ ଭାରତୀୟ ପିଙ୍ଗଳ ଆଇନ ବା ଦଣ୍ଡବିଧି ଆଇନ(ଆଇପିସି) ସମେତ ଉପରୋକ୍ତ ତିନି ପୁରାତନ ଆଇନର ଅବସାନ ଘଟିବ। ଏଥିସହିତ ଅନେକ ଅତି ପୁରୁଣା ଓ ଅନାବଶ୍ୟକ ଆଇନର ମଧ୍ୟ ବିଧିବଦ୍ଧ ଅବସାନ ଘଟିବ ଏବଂ ଅନେକ ଆନୁଷଙ୍ଗିକ ଆଇନରେ ସଂଶୋଧନ ଅଣାଯାଇ ଏହାକୁ ଯୁଗ ଉପଯୋଗୀ କରାଯିବ। ତଥ୍ୟ ଅନୁସାରେ, ଆଇପିସିରେ ୫୧୧ଟି ଧାରା ଥିବାବେଳେ ଏହାର ନୂତନ ସଂସ୍କରଣ ବିଲ୍‌‌ରେ ୩୫୬ଟି ଧାରା ରହିଛି।
ଆମ ପ୍ରଚଳିତ ଆଇନ ବ୍ୟବସ୍ଥା ବା ନ୍ୟାୟବିଚାରର ବଡ଼ ତ୍ରୁଟି ହେଲା ଏହାର ଦଫା ସବୁ ଅତି କଠୋର ଏବଂ ଭାଷା ଅତ୍ୟନ୍ତ ଜଟିଳ। ନିର୍ଦ୍ଦିଷ୍ଟ ଭାବେ ଏହା ଶାସିତକୁ ଦମନ କରି ରଖିବାକୁ ବ୍ରିଟଶ ଶାସକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ତେଣୁ ଏହାକୁ ଅଧିକ ସରଳ, ଗଣତାନ୍ତ୍ରିକ, ନ୍ୟାୟିକ ଓ ସମାବେଶୀ କରିବା ପାଇଁ ଏହି ସଂଶୋଧନ ବିଲ୍‌‌ଗୁଡ଼ିକରେ ବ୍ୟବସ୍ଥା ରହିଛି। ଆହୁରି ମଧ୍ୟ ଆଇନଗତ ଜଟିଳତା ଓ ଅବୋଧ୍ୟ ପୁରୁଣାକାଳିଆ ଭାଷା ଯୋଗୁଁ ନ୍ୟାୟ ପ୍ରଦାନରେ ଯେଉଁ ବିଳମ୍ବ ଘଟୁଛି, ତାହାକୁ ଦୂର କରି ଯଥାସମ୍ଭବ ତ୍ୱରିତ୍‌‌ ନ୍ୟାୟ ପ୍ରଦାନ ପାଇଁ ସଂଶୋଧିତ ବିଲ୍‌‌ଗୁଡ଼ିକରେ ପ୍ରୟାସ କରାଯାଇଛି। ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’ ବୋଲି ଯେଉଁ କଥା ରହିଛି ସେହି ବଡ଼ ଅସୁବିଧାଟିକୁ ଦୂର କରିବା ନୂଆ ଆଇନର ପ୍ରମୁଖ ଉଦ୍ଦେଶ୍ୟ।

ବେଶ୍‌‌ କିଛିକାଳ ହେବ ଆମ ଆଇପିସିର କେତେକ ଧାରା ଓ ଆଇନର ଦୁରୁପଯୋଗ ନେଇ ବିଭିନ୍ନ ମହଲରେ ସରକାରଙ୍କ ବିରୋଧରେ ସ୍ୱର ଉଠୁଥିଲା। ବ୍ରିଟିଶ୍‌‌ ଶାସକଙ୍କ ଭଳି ବିଭିନ୍ନ ସମୟରେ ଭାରତ ସରକାର ଓ ରାଜ୍ୟ ସରକାରମାନେ ନିଜର ଓ ଦେଶର ସୁରକ୍ଷା ନାମରେ କଥା କଥାକେ ଦେଶଦ୍ରୋହ ଭଳି ଜଘନ୍ୟ ଆଇନ ପ୍ରତିପକ୍ଷ ବା ଜନତାଙ୍କ ବିରୋଧରେ ପ୍ରୟୋଗ କରି ଆସୁଥିଲେ। ଏଥିରେ ମଧ୍ୟ ରାଜନୈତିକ ଓ ଆଦର୍ଶଗତ ପକ୍ଷପାତିତା ରହୁଥିଲା। ତେଣୁ ସ୍ୱାଧୀନ ଭାରତରେ ଏ ସବୁ ଦମନମୂଳକ ଓ ନାଗରିକ ବିରୋଧୀ ବ୍ରିଟିଶ୍‌‌ ଶାସନକାଳୀନ ଆଇନର ଉଚ୍ଛେଦ ଆବଶ୍ୟକ ଥିଲା। କେବଳ ସେତିକି ନୁହେଁ, ଆଇପିସିର କିଛି ଧାରା ଅତ୍ୟନ୍ତ ଜଟିଳ, ସୁଦୀର୍ଘ ବିଚାର ପ୍ରକ୍ରୟା ବିଶିଷ୍ଟ, ଏକତରଫା, ବାଛବିଚାରମୂଳକ ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ବର୍ଗଙ୍କ ପାଇଁ ଅତ୍ୟନ୍ତ ଦମନମୂଳକ ଥିଲା। ବିଲ୍‌‌ରେ ଯଦିଓ ନୂଆ ନୂଆ ଅପରାଧ ସଂକ୍ରାନ୍ତ ଆଇନ ଓ ବିଧାନର ବ୍ୟବସ୍ଥାକୁ ଏବଂ ନୂଆ ଶବ୍ଦାବଳୀକୁ ଅନ୍ତର୍ଭୁକ୍ତ କରାଯାଇଛି, କେତେକ ମହଲରୁ ପ୍ରଶ୍ନ ହେଉଛି ଏହା କେତେଦୂର ଜନତାଙ୍କ ଉପକାରରେ ଆସିବ? ଆଇନର ପଞ୍ଝାରୁ ନାଗରିକ ସୁରକ୍ଷିତ ହୋଇପାରିବ ତ?

ବିଲ୍‌‌ରେ ନାରୀ ଧର୍ଷଣ, ନିର୍ଯାତନା, ଶିଶୁଙ୍କୁ ଯୌନଶୋଷଣ, ଗଣଧର୍ଷଣ, ପରିବାର ହିଂସା ଆଦିର ତ୍ୱରିତ ବିଚାର ଏବଂ ସହସା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଆଦି ନିୟମର ପ୍ରସ୍ତାବ ରହିଛି। ତେଣୁ ତାହାକୁ ଅଧିକ ସୁସଂହତ କରି ନାଗରିକ ସୁରକ୍ଷା ସଂହିତା ନାମରେ ଯେଉଁ ସଂଶୋଧନ ଅଣାଯାଉଛି, ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ। ସେହିଭଳି ଭାରତୀୟ ସାକ୍ଷ୍ୟ ଆଇନ୍‌‌ ଓ ଅପରାଧ ନିୟନ୍ତ୍ରଣ ପ୍ରକ୍ରିୟା ସଂହିତାରେ ମଧ୍ୟ ଅନୁରୂପ ସମୟ ଉପଯୋଗୀ ପରିବର୍ତ୍ତନର ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଚିଠା ବିଲ୍‌‌ଗୁଡ଼ିକ ସମ୍ପ୍ରତି ଲୋକସଭାର ସିଲେକ୍ଟ କମିଟିକୁ ହସ୍ତାନ୍ତରିତ କରାଯାଇଛି, ଯେଉଁଠାରେ ଏହି ପ୍ରସ୍ତାବିତ ଆଇନଗୁଡ଼ିକର ପୁଙ୍ଖାନୁପୁଙ୍ଖ ତର୍ଜମା ଓ ସମୀକ୍ଷା କରାଯିବା ସହିତ ବିଭିନ୍ନ ବିଷୟକ ବିଶେଷଜ୍ଞମାନଙ୍କ ଉପଦେଶ ଓ ମାର୍ଗଦର୍ଶନ ନିଆଯିବ। ସ୍ୱାଧୀନତା ପ୍ରାପ୍ତିଠାରୁ ଆଜି ପର୍ଯ୍ୟନ୍ତ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟଗୁଡ଼ିକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାୟଗୁଡ଼ିକର ସାରାଂଶ ମଧ୍ୟ ପ୍ରସ୍ତାବିତ ନ୍ୟାୟସଂହିତାଗୁଡ଼ିକରେ ସମାବିଷ୍ଟ କରାଯିବ। ସିଲେକ୍ଟ କମିଟି ସ୍ତରକୁ କୌଣସି ଚିଠା ଆଇନକୁ ପଠାଇବାର ଉଦ୍ଦେଶ୍ୟ ହେଲା ପ୍ରସ୍ତାବିତ ଆଇନଗୁଡ଼ିକର ବିଭିନ୍ନ ଧାରା ଓ ଉପଧାରା ତଥା ଏଥିରେ ବ୍ୟବହୃତ ଭାଷା ବିଷୟରେ ମଧ୍ୟ ଜାତୀୟ ସ୍ତରରେ ତର୍କବିତର୍କ ଜାରି ରହିବ।

ନୂତନ ଯୁଗ, ନୂତନ ସମାଜ ଓ ବୈଶ୍ୱିକ ପରିଦୃଶ୍ୟକୁ ନେଇ ପ୍ରଶାସନରେ ଘଟୁଥିବା ଅନିବାର୍ଯ୍ୟ ସଂସ୍କାରମୂଳକ ପଦକ୍ଷେପ ପାଇଁ ‘ସ୍ମାର୍ଟ ଆଇନ’ର ଆବଶ୍ୟକତା ପଡ଼େ। ଦେଶର ଏକତା ଓ ସଂହତି ରକ୍ଷା ଏବଂ ସରକାର ତଥା ଶାସନର ସୁରକ୍ଷା ପାଇଁ ତ କିଛି କଠୋର ଆଇନ ରହିବା ଆବଶ୍ୟକ। ତା’ ନ ହେଲେ ସଂସଦ ବାହାରେ ସଡ଼କରେ ଲୋକେ ପ୍ରତିବାଦ କରି ଅଥବା ଭିଡ଼ ହିଂସା ଭିଆଇ ଆଇନକୁ ନିଜ ହାତକୁ ନେଇ ଅରାଜକତା ସୃଷ୍ଟି କରିବେ। ଦଣ୍ଡବିଧି ଓ ଆନୁଷଙ୍ଗିକ ଆଇନର ଆଧୁନିକୀକରଣ, ସରଳୀକରଣ ଏବଂ ଏହାକୁ ତ୍ୱରିତ ନ୍ୟାୟ ପ୍ରଦାନକାରୀ କରାଯିବାର ଆବଶ୍ୟକତା ଅସ୍ୱୀକାର କରାଯାଇ ନ ପାରେ। ସଂସଦର ଉଭୟ ସଦନରେ ସରକାରଙ୍କ ଏବର ସ୍ଥିତି ଯାହା, ସେଥିରେ ଏହି ବିଲ୍‌‌ଗୁଡ଼ିକ ସହଜରେ ପାରିତ ହୋଇଯିବ ବୋଲି ଆଶା। ଜାତୀୟ ସ୍ତରରେ ଏଭଳି ମହତ୍ତ୍ୱପୂର୍ଣ୍ଣ ଆଇନଗୁଡ଼ିକର ବ୍ୟାପକ ସଂଶୋଧନ କରିବା ପାଇଁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ମଧ୍ୟ ପଡ଼ିପାରେ। କାରଣ ନାଗରିକମାନଙ୍କ ମୌଳିକ ଅଧିକାର, ଅଦାଲତୀ ନ୍ୟାୟିକ ପ୍ରକ୍ରିୟା, ସଂସଦ ଓ ବିଧାନପାଳିକାମାନଙ୍କର କ୍ଷମତା ବଳୟ ଓ ‘ତ୍ରିଶକ୍ତି’ (ଯଥା-ବିଧାନପାଳିକା, ନ୍ୟାୟପାଳିକା, କାର୍ଯ୍ୟପାଳିକା) ମଧ୍ୟରେ କ୍ଷମତାର ପୃଥକୀକରଣ, ସମ୍ବିଧାନର ମୌଳିକ ଢାଞ୍ଚା, ଜାତୀୟ ସଂହତି ଓ ସାର୍ବଭୌମର ସୁରକ୍ଷା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ବିଷୟ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଆଇନ ସଂଶୋଧନ ଦ୍ୱାରା ଊଣାଅଧିକେ ପ୍ରଭାବିତ ହୋଇପାରେ। ତେଣୁ ଏହିଭଳି ସମସ୍ତ ସମ୍ଭାବ୍ୟ ପରିସ୍ଥିତିର ଗଭୀର ସମୀକ୍ଷା କରାଯାଇ ନ୍ୟାୟ ସଂହିତା ଓ ସାକ୍ଷ୍ୟ ଆଇନ୍‌‌ଗୁଡ଼ିକର ସଂଶୋଧନ କରାଯିବା ଆବଶ୍ୟକ। ଏ କ୍ଷେତ୍ରରେ ଯେଉଁ ସୁଯୋଗ ବହୁଦିନ ପରେ ଆସିଛି ତାହାର ସଦୁପଯୋଗ ହେଉ ଏବଂ ଆମ ନ୍ୟାୟ ବିଧି ସରଳ, ସମୟ ଉପଯୋଗୀ, ତ୍ୱରିତ ଓ ନାଗରିକ ସ୍ୱାର୍ଥ ସମ୍ବଳିତ ହେଉ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର