ପାର୍ବଣରେ ପ୍ରଦୂଷଣ

The Sakala Picture
Published On

ନବରାତ୍ର ବା ଶାରଦୀୟ ଦୁର୍ଗାପୂଜା ଉତ୍ସବ ସହିତ ପାର୍ବଣ ଋତୁ ଜୋର ଧରିଛି। ଆସନ୍ତା ସରସ୍ୱତୀ ପୂଜା ପର୍ଯ୍ୟନ୍ତ ଏହି ଧାର୍ମିକ ଧୂମ୍‌‌ଧାମ ଜାରି ରହିବ। ଗତକାଲିଠାରୁ ଆରମ୍ଭ ନବରାତ୍ରର ବିଶେଷତ୍ତ୍ୱ ହେଲା ମର୍ତ୍ତ୍ୟଲୋକରେ ଆଦିମାତାଙ୍କ ଜନକଲ୍ୟାଣୀ ଅବତରଣ। ସୃଷ୍ଟି ତତ୍ତ୍ୱ ମୂଳରେ ରହିଛି ପ୍ରକୃତି ବା ଆଦିଶକ୍ତି ଓ ପୁରୁଷ ବା ବ୍ରହ୍ମତତ୍ତ୍ୱର ସଂସାର ଲୀଳା। ଦୈବବଳର ପ୍ରାଧାନ୍ୟ ତଥା ମାନବ ଜୀବନର ସୀମିତ ସ୍ଥିତିକୁ ବାରମ୍ବାର ମନେ ପକାଇବା ପାଇଁ ବୋଧହୁଏ ଏହି ପୂଜା […]

ନବରାତ୍ର ବା ଶାରଦୀୟ ଦୁର୍ଗାପୂଜା ଉତ୍ସବ ସହିତ ପାର୍ବଣ ଋତୁ ଜୋର ଧରିଛି। ଆସନ୍ତା ସରସ୍ୱତୀ ପୂଜା ପର୍ଯ୍ୟନ୍ତ ଏହି ଧାର୍ମିକ ଧୂମ୍‌‌ଧାମ ଜାରି ରହିବ। ଗତକାଲିଠାରୁ ଆରମ୍ଭ ନବରାତ୍ରର ବିଶେଷତ୍ତ୍ୱ ହେଲା ମର୍ତ୍ତ୍ୟଲୋକରେ ଆଦିମାତାଙ୍କ ଜନକଲ୍ୟାଣୀ ଅବତରଣ। ସୃଷ୍ଟି ତତ୍ତ୍ୱ ମୂଳରେ ରହିଛି ପ୍ରକୃତି ବା ଆଦିଶକ୍ତି ଓ ପୁରୁଷ ବା ବ୍ରହ୍ମତତ୍ତ୍ୱର ସଂସାର ଲୀଳା। ଦୈବବଳର ପ୍ରାଧାନ୍ୟ ତଥା ମାନବ ଜୀବନର ସୀମିତ ସ୍ଥିତିକୁ ବାରମ୍ବାର ମନେ ପକାଇବା ପାଇଁ ବୋଧହୁଏ ଏହି ପୂଜା ପାର୍ବଣ ଓ ଧର୍ମ ମହିମା ଗାନର ସୃଷ୍ଟି। ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାଠାରୁ ବାସନ୍ତୀ ଦୁର୍ଗାପୂଜା ନବରାତ୍ର ପର୍ଯ୍ୟନ୍ତ ଭାରତ ବର୍ଷରେ ଯେଉଁ ସାମାଜିକ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପରିବେଶ ଏହି ପାର୍ବଣ ଋତୁରେ ପୂର୍ବକାଳରେ ସୃଷ୍ଟି ହେଉଥିଲା ତା’ର ପ୍ରଭାବ ଗଭୀର ଓ ସୁଦୂର ବିସ୍ତାରୀ ଥିଲା। ବହୁ ପ୍ରାଚୀନ କାଳରୁ ଜାତୀୟ ଐକ୍ୟ, ସାମାଜିକ ସଂହତି, ସାଂସ୍କୃତିକ ଉତ୍‌‌ଥାନ ଓ ସାମୂହିକ ଜନମଙ୍ଗଳ ଚିନ୍ତନ ମାଧ୍ୟମରେ ଜନସମାଜ ଉପକୃତ ହୋଇଆସୁଥିଲେ। ଯୁଗ ବଦଳିଲା। ସମୟ ବଦଳିଲା। ଆଧ୍ୟାତ୍ମିକ ଚେତନା ଅସ୍ତମିତ ହେବାକୁ ଲାଗିଲା ଏବଂ ପୁରୁଷାର୍ଥର ବସ୍ତୁବାଦୀ ଓ ହେତୁବାଦୀ ଅର୍ଥ ହୋଇ ରହିଗଲା ସ୍ୱାର୍ଥପର, ଏକାନ୍ତ ବ୍ୟକ୍ତିବାଦ, ଯେନତେନ ପ୍ରକାରେଣ ଆର୍ଥିକ ଉନ୍ନତି, ପ୍ରିୟାପ୍ରୀତି ତୋଷଣ, ନୈତିକ ସ୍ଫଳନ, ଅନ୍ତହୀନ ଶୋଷଣ ଓ ଅତ୍ୟାତାର ତଥା ବ୍ୟକ୍ତି ସ୍ୱାଧୀନତା ନାମରେ ସ୍ୱୈରଚାର, ଦୁରାଚାର, ଅତ୍ୟାଚାର ଓ ଭ୍ରଷ୍ଟାଚାର ଆଦି ତାତ୍କାଳିକ ସଫଳତାର ପ୍ରଶଂସନୀୟ ଆଭୂଷଣ। ଧର୍ମ ଆଖିମିଟିକାରେ ଅନ୍ତର୍ହିତ ହେଲା। ଏବେ ପୂଜା, ଉପାସନା ଓ ସେବା ବିସ୍ତୀର୍ଣ୍ଣ ମରୁଭୂମିରେ ଓଏସିସ୍‌‌(ମରୁଦ୍ୟାନ) ଭଳି ଅପହଞ୍ଚ ତଥା ମାୟାଜାଲରେ ଘେରା। ଧର୍ମପ୍ରଚାରକମାନେ ମଧ୍ୟ କହିଲେ ‘କଳୌ ହରିନାମ କେବଳମ୍‌‌’ ଇତ୍ୟାଦି। ଅର୍ଥାତ୍‌‌ ଖାଲି ନାମ ସ୍ମରଣ କଲେ ଯଥେଷ୍ଟ। ସେ ପୁଣି ନାମକୁ ମାତ୍ର। ପ୍ରବଳ ଆୟୋଜନ, ବହୁ ଆଡ଼ମ୍ବର ଓ ଶକ୍ତି ପ୍ରଦର୍ଶନ ମାଧ୍ୟମରେ ଆରମ୍ଭ ହେଲା ଧର୍ମ, କର୍ମ ପାଳନ। ଅବଶ୍ୟ ହର୍ଷବର୍ଦ୍ଧନଙ୍କ ରାଜତ୍ୱ ପରଠାରୁ ପ୍ରାୟ ଊନବିଂଶ ଶତାବ୍ଦୀ ଅନ୍ତ ପର୍ଯ୍ୟନ୍ତ ବିଭିନ୍ନ ଔପନିବେଶକ ନିୟନ୍ତ୍ରଣ ହେତୁ ଧର୍ମ ଉତ୍ସବ ପାଳନ ଆଦି ସୁପ୍ତ ଓ ଅବଦମିତ ଅବସ୍ତାରେ ରହିଥିଲା। ଆଜି ଦିନରେ କିନ୍ତୁ କାଳଚକ୍ରର ଆବର୍ତ୍ତନ ଆମ ସମାଜକୁ ପୁଣି ଥରେ ଭାବହୀନ ଧାର୍ମିକ ଧୂମ୍‌‌ଧାମ୍‌‌ କାଳଖଣ୍ଡରେ ଆଣି ପହଞ୍ଚାଇଛି।

ଆଜିକାଲି ଏହି ପାର୍ବଣ ଋତୁ ଉଲ୍ଲାସ ସହିତ ଅନେକ ସହଯୋଗୀ ସମସ୍ୟାର ଶୋଭାଯାତ୍ରା ପାଲଟିଛି। ଏହି ସମସ୍ୟାଗୁଡ଼ିକ ମଧ୍ୟରେ ଚାନ୍ଦା ଜୁଲମ୍‌‌ଠାରୁ ଆରମ୍ଭ କରି ଶବ୍ଦ ପ୍ରଦୂଷଣ, ଆଡ଼ମ୍ବରପୂର୍ଣ୍ଣ ତୋରଣରେ ବିପୁଳ ଅର୍ଥ ବ୍ୟୟ, ଅସମ୍ଭାଳ ଟ୍ରାଫିକ୍‌‌ ଭିଡ଼, ଭିଡ଼ ଭିତରେ ଚୋରି, ରାହାଜାନି, ଅସଦାଚରଣ, ନିଶା ପାନ ଓ ଅସାମାଜିକ କାର୍ଯ୍ୟକଳାପର ପ୍ରାଦୁର୍ଭାବ ବଢ଼଼ି ଚାଲିଛି। ଏସବୁକୁ ବଳି ଯାଉଛି ବିସର୍ଜନ ବେଳେ ଅଶୋଭନୀୟ ନୃତ୍ୟ, ଗୀତ ଓ କାନଫଟା ଡିଜେ ଶବ୍ଦ। ବର୍ଷକରେ ଥରେ ଆସୁଛି କହି ପାର୍ବଣକୁ ଉପଭୋଗ କରୁଥିବା ଏବଂ ଉପରୋକ୍ତ ସମସ୍ୟାଗୁଡ଼ିକୁ ପ୍ରଶ୍ରୟ ଦେଉଥିବା ଲୋକେ ନିଜେ ବି ଛଟପଟ ହୁଅନ୍ତି ଓ ଅନ୍ୟ ସମସ୍ତଙ୍କ ସହିତ ଧାର୍ମିକ ଉତ୍ସବର ଔପଚାରିକ ଅତ୍ୟାଚାରର ପ୍ରସାଦ ବାଣ୍ଟିଥା’ନ୍ତି, ଯଥା ଦୁର୍ଗାମେଢ଼ ପାଖରେ ଥିବା କଲୋନୀରେ ରୋଗୀ ଶାନ୍ତିରେ ବିଶ୍ରାମ କରିପାରେ ନାହିଁ, ବରିଷ୍ଠ ନାଗରିକ ଅନେକ ପ୍ରକାର ଯନ୍ତ୍ରଣାର ଶିକାର ହୁଅନ୍ତି, ଛାତ୍ର ଶାନ୍ତିରେ ପଢ଼଼ିପାରେ ନାହିଁ, ଜନସାଧାରଣ ରାସ୍ତାରେ ଗାଡ଼ି ଚଳାଇ ଯିବା ଦୂରରେ ଥାଉ, ପାଦରେ ଚାଲି ଯିବାକୁ ମଧ୍ୟ ଡରନ୍ତି ଏବଂ ଏହି ସମୟରେ ଲାଗେ ସତେ ଯେମିତି ମା’ଦୁର୍ଗା ମାଟିର ମହିଷାସୁରକୁ ସିନା ମେଢ଼ ମଣ୍ଡପରେ ମାରି ଦେଲେ, କିନ୍ତୁ ବାଟବଜାର ସବୁଆଡ଼େ ତା’ର ବନ୍ଧୁ ପରିଜନ ବେଶ ଉତ୍ସବ ଉଲ୍ଲାସ ପାଳନ କରନ୍ତି ସାଧାରଣ ଭକ୍ତମାନଙ୍କଠାରୁ ଟଙ୍କା ଲୁଟି ମଦ-ରଞ୍ଜିତ ନାଲି ଆଖି ଦେଖାଇ, ଭକ୍ତଙ୍କ ଶ୍ରବଣଯନ୍ତ୍ରରେ କର୍ଣ୍ଣପିଶାଚୀ ଆକ୍ରମଣ କରି ତଥା ପୁରୁଷାର୍ଥ ଶବ୍ଦର ସମ୍ପୂର୍ଣ୍ଣ ବିପରୀତବୋଧକ ଭାବନା ଓ ଆଚରଣ ପ୍ରଦର୍ଶନ କରି। ଆଉ ଆମେସବୁ ନିରୀହ ଜନସାଧାରଣ ଭକ୍ତ ଧର୍ମୀୟ ଉଲ୍ଳାସର ଏହି ଆସୁରୀ ଶାସନକୁ ଅନାୟାସରେ ଦେଇ ଚାଲୁ ଭକ୍ତିର ନୂଆ ଟିକସ – ସହନଶୀଳତା, ଆତ୍ମନିୟନ୍ତ୍ରଣ, ଅଶ୍ରୁମୋଚନ, ଅର୍ଥଶ୍ରାଦ୍ଧ, ଦେବୀ ମୂର୍ତ୍ତି ବିସର୍ଜନ ଦ୍ୱାରା ଜଳ ପ୍ରଦୂଷଣ ତଥା ଧର୍ମବିଦ୍ୱେଷ ଆଦି ବିଭିନ୍ନ ନବ୍ୟ ରୂପାୟନରେ। ତେଣୁ ଥରେ ଭାବି ଦେଖନ୍ତୁ ତ ବର୍ଷକରେ ଥରେ ଆସୁଥିବା ପାର୍ବଣର ଏହିସବୁ ସମସ୍ୟା ପାଇଁ ଆମକୁ କେତେ ମୂଲ୍ୟ ଦେବାକୁ ପଡ଼ୁଛି? ପୂଜା, ଉପାସନା, ଉତ୍ସବ କରିବାରେ ମନା ନାହିଁ। କିନ୍ତୁ ଜଗତ ମଙ୍ଗଳ କାମନା ଅପେକ୍ଷା ଏହି ମୌକାରେ ମଉଜ ମଜଲିସ୍‌‌ ଓ ସମାଜ ଉପରେ ତା’ର କୁପ୍ରଭାବକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ। ଉପରକୁ ନ କହିଲେ ମଧ୍ୟ ମନରେ ଏହାକୁ ସ୍ୱୀକାର କରିବେ। ଅଧିକନ୍ତୁ ପାର୍ବଣରେ ଆଜିକାଲି ପୂଜା ଓ ଭକ୍ତିଭାବନା ଅପେକ୍ଷା ଉଦ୍ଭଟ ଓ ବିଶୃଙ୍ଖଳ ଆଚରଣ ଅଧିକ ହେଉଥିବା ସମସ୍ତେ ଲକ୍ଷ୍ୟ କରୁଥିବେ।

ପଣ୍ଡିତେ କହନ୍ତି, ମାନବୀୟ କର୍ତ୍ତବ୍ୟର ପାଳନ ଯେତେବେଳେ ସତ୍ୟ, ପ୍ରେମ, କରୁଣା ଓ ସେବା ଉପରେ ଆଧାରିତ ହୋଇ ଈଶ୍ୱରାର୍ପିତ ହୋଇଯାଏ ତାହାକୁ ହିଁ ପ୍ରକୃତ ଧର୍ମର ଆଖ୍ୟା ଦିଆଯାଏ। ଦେବୀ ବିସର୍ଜନ ଯାତ୍ରାରେ ଅଶ୍ରାବ୍ୟ ଡିଜେ ସଙ୍ଗୀତର ବିସ୍ଫୋରକ ଶବ୍ଦରେ ବିଭିନ୍ନ ନିଶାଦ୍ରବ୍ୟର ସେବନରେ ଯେଉଁ ନୃତ୍ୟ ପରିବେଷଣ ହୁଏ, ତାହାକୁ ଯଦି ଆମେ ଧର୍ମପାଳନର ନାମ ଦେଇପାରିବା, ତାହା ହେଲେ କାହାରି କିଛି କହିବାର ନାହିଁ।

ଆଜିର ଏହି ନୂତନ ‘ଧାର୍ମିକ ଅନୁଶାସନ’ ଯୁଗରେ ଆମେ ଯେଉଁ ‘ଧର୍ମୀୟ ଟିକସ’ ଦେଇ ଆଧୁନିକ ସମାଜ ବ୍ୟବସ୍ଥାକୁ ଉତ୍ସାହିତ କରୁଛେ, ତାହାର କିଛିଟା ଭଲ ଦିଗ ମଧ୍ୟ ଅଛି। ଦଶହରା ପାଳନ ପୂର୍ବରୁ ପ୍ରତ୍ୟେକ ବଡ଼ ବଡ଼ ସହରରେ ପୁଲିସ ଓ ପ୍ରଶାସନ ଶାନ୍ତି କମିଟି ଆବାହନ କରୁଛନ୍ତି ଏବଂ ଧର୍ମୀୟ ଉଚ୍ଛୃଙ୍ଖଳତା ଉପରେ ପରୋକ୍ଷରେ ମୋହର ଲଗାଉଛନ୍ତି। ମଧୁଶାଳା, ଅପ୍‌‌ସରା ନୃତ୍ୟଶାଳା, ଦ୍ୟୁତ କ୍ରୀଡ଼ା କେନ୍ଦ୍ର, ନିଶାଦ୍ରବ୍ୟ ବିକ୍ରିର ବାଣିଜ୍ୟିକ ବିଷଚକ୍ର ଓ ଏହିଭଳି ଆଧୁନିକ ସମାଜର ବହୁ ‘ଧାର୍ମିକ ଓ ନୈତିକ’ ଅନୁଷ୍ଠାନ ଉପରେ ଚଢ଼ଉ କରି ନିର୍ଣ୍ଣୟ କରିଦିଅନ୍ତି ଯେ ସହରର ନାଗରିକମାନେ ଏଥର କୁଆଡ଼େ ଶାନ୍ତି ଓ ନିରାପଦରେ ରହିପାରିବେ! ଏହି ପର୍ବପର୍ବାଣୀଗୁଡ଼ିକରେ ସାର୍ବଜନିକ ଉତ୍ସବ ପରମ୍ପରାରେ ସମସ୍ତେ ଦି ପଇସା ପାଆନ୍ତି ଚାନ୍ଦା ଦେଉଥିବା ଲୋକଙ୍କ ବ୍ୟତୀତ। ଏହାକୁ ‘ନବ୍ୟ ସାମ୍ୟବାଦ’ର ଅଭ୍ୟୁଦୟ ବୋଲି କହିବା ସିନା! ମା’ ଦୁର୍ଗେ ସବୁ ଜାଣନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର