ସୁଶାସନର ସ୍ମରଣୀୟ ଅଧ୍ୟାୟ

The Sakala Picture
Published On

ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ଦଳ ଦ୍ୱାରା ଅପ୍ରତ୍ୟାଶିତ ବିଜୟ ପରେ ଓଡ଼ିଶା ରାଜନୀତିରେ ଏକ ନୂତନ ଯୁଗର ପ୍ରାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପଦରୁ ଗତ ବୁଧବାର ନବୀନ ପଟ୍ଟନାୟକ ଇସ୍ତଫା ଦେବା ସହିତ ଓଡ଼ିଶାରେ ଏକ ଦୀର୍ଘ ସଫଳ ଶାସନ କାଳଖଣ୍ଡର ଅବସାନ ଘଟିଛି। ପ୍ରକୃତିମାତାର କ୍ରୋଧରୁ ସୃଷ୍ଟ ୧୯୯୯ର ମହାବାତ୍ୟା ବିଧ୍ୱସ୍ତ ଦରିଦ୍ର ଓ ଅସହାୟ ଓଡ଼ିଶାକୁ ଉଦ୍ଧାର କରିବାକୁ ସେ ସତେଯେପରି ବିଭୁପ୍ରେରିତ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିଥିଲେ। ତାହାର […]

ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ଦଳ ଦ୍ୱାରା ଅପ୍ରତ୍ୟାଶିତ ବିଜୟ ପରେ ଓଡ଼ିଶା ରାଜନୀତିରେ ଏକ ନୂତନ ଯୁଗର ପ୍ରାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପଦରୁ ଗତ ବୁଧବାର ନବୀନ ପଟ୍ଟନାୟକ ଇସ୍ତଫା ଦେବା ସହିତ ଓଡ଼ିଶାରେ ଏକ ଦୀର୍ଘ ସଫଳ ଶାସନ କାଳଖଣ୍ଡର ଅବସାନ ଘଟିଛି। ପ୍ରକୃତିମାତାର କ୍ରୋଧରୁ ସୃଷ୍ଟ ୧୯୯୯ର ମହାବାତ୍ୟା ବିଧ୍ୱସ୍ତ ଦରିଦ୍ର ଓ ଅସହାୟ ଓଡ଼ିଶାକୁ ଉଦ୍ଧାର କରିବାକୁ ସେ ସତେଯେପରି ବିଭୁପ୍ରେରିତ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିଥିଲେ। ତାହାର ଅଳ୍ପ କେଇବର୍ଷ ଆଗରୁ ରାଜନୀତିରେ ତାଙ୍କର ଆବିର୍ଭାବ ଘଟିଥିଲା ତାଙ୍କର ଖ୍ୟାତନାମା ଲୋକପ୍ରିୟ ପିତା ବିଜୁବାବୁଙ୍କ ନିଧନ ପରେ। ବିଜୁବାବୁଙ୍କ ସ୍ମୃତିଧାରାକୁ ଆଗକୁ ବଢ଼଼ାଇବାକୁ ବିଜୁବାବୁଙ୍କ ଅନୁଗତମାନେ ଜଣେ ଉପଯୁକ୍ତ ଉତ୍ତରାଧିକାରୀ ଖୋଜୁଥିବା ସମୟରେ ନବୀନ ବାବୁଙ୍କୁ ଏହି ଗୁରୁଦାୟିତ୍ୱ ଦେଲେ। ସେତେବେଳକୁ ନବୀନ ରାଜନୀତିରେ ଅନଭିଜ୍ଞ ଥିଲେ ଏବଂ ଲେଖାପଢ଼଼ା, ଚିତ୍ରକଳା ଭଳି ସୌଖୀନ ତଥା ଜଞ୍ଜାଳମୁକ୍ତ କାମରେ ନିଜକୁ ଲଗାଇ ଏକ ଶାନ୍ତ ସରଳ ଜୀବନଯାପନ କରୁଥିଲେ।

ଶୁଭେଚ୍ଛୁଙ୍କ ଅନୁରୋଧ ଓ ପରିବାରର ଚାପରେ ସେ ରାଜନୀତିକୁ ଆସିଲେ ଏବଂ ଚୁପ୍‌‌ଚାପ, କମ୍‌‌କଥା କହୁଥିବା, କାମରେ ବେଶି ଆଗ୍ରହ ଦେଖାଉଥିବା ଶାନ୍ତ ଓ ଭଦ୍ର ମଣିଷଟିଏ ଅନାୟାସରେ ଏକ ଇତିହାସ ସୃଷ୍ଟି କରିଚାଲିଲେ। ନିଜର ମହାନ ପିତା ତାଙ୍କର ପଚାଶ ବର୍ଷ ରାଜନୈତିକ ଜୀବନରେ ଯେଉଁ ସଫଳତା ପାଇଥିଲେ, ନବୀନ ବାବୁ ତାହାକୁ ଟପିଗଲେ। ବିଜୁବାବୁ ତାଙ୍କର ପାଞ୍ଚ ଦଶକରୁ ଊର୍ଦ୍ଧ୍ବ ରାଜନୈତିକ ଜୀବନ କାଳରେ ଦୁଇଥର ମୁଖ୍ୟମନ୍ତ୍ରୀ (ଥରେ ପୂର୍ଣ୍ଣକାଳୀନ) ଓ ଦୁଇଥର କେନ୍ଦ୍ରମନ୍ତ୍ରୀ ଏମିତି ମୋଟ୍‌‌ ୧୨ /୧୩ ବର୍ଷ କ୍ଷମତାରେ ଥିଲେ। ନବୀନବାବୁ କିନ୍ତୁ ପ୍ରାୟ ଦୁଇବର୍ଷ କେନ୍ଦ୍ରମନ୍ତ୍ରୀ ହେବା ସହିତ କ୍ରମାଗତ ଭାବେ ୨୦୦୦ ରୁ ଏଯାବତ ୨୪ ବର୍ଷରେ ଲଗାତାର ପାଞ୍ଚଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ବିରଳ ସୌଭାଗ୍ୟ ଲାଭ କରିଥିଲେ।

ବାସ୍ତବରେ ୨୦୦୦ ରୁ ୨୦୨୪ ଥିଲା ନୂଆ ଓଡ଼ିଶାର ନିର୍ମାଣ ଯୁଗ ଏବଂ ଯାହାର ପ୍ରମୁଖ ସ୍ଥପତି ଥିଲେ ନବୀନବାବୁ। ଉତ୍ତମ ରାଜନୈତିକ ନେତୃତ୍ୱ, ସୁସଂଗଠନ, ରାଜନୈତିକ ପ୍ରତ୍ୟୁତ୍ପନ୍ନମତିତା, ଦୂରଦୃଷ୍ଟି, ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମ, ଦୁର୍ନୀତି ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଓ ସମର୍ପିତ ଅମଲାତନ୍ତ୍ରକୁ ନେଇ ଗୋଟିଏ ଗରିବ ରାଜ୍ୟର ଭାଗ୍ୟକୁ କିପରି ବଦଳାଯାଇପାରେ, ସେ ତାହା କରି ଦେଖାଇଯାଇଛନ୍ତି। ସେ ଓଡ଼ିଶାର ବହୁମୁଖୀ ସମସ୍ୟା- ଦାରିଦ୍ର୍ୟ, ଖରାପ ସ୍ୱାସ୍ଥ୍ୟସେବା, ଅଶିକ୍ଷା, ବେରୋଜଗାର, ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ସହିତ ସୁନିୟୋଜିତ ଭାବେ ଲଢ଼ୁଥିଲେ। ରିକ୍ତ ରାଜକୋଷର ସ୍ଥିତିରେ ଉନ୍ନତି ଆଣି ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା, କର୍ମଚାରୀଙ୍କୁ ଠିକ୍‌‌ ସମୟରେ ବେତନ ପ୍ରଦାନ, କେନ୍ଦ୍ର ସହିତ ଲଢ଼ି ଓଡ଼ିଶା ପାଇଁ ହକ୍‌‌ ଆଦାୟ, ବିଭିନ୍ନ ସାମାଜିକ ଓ ଆର୍ଥିକ ଯୋଜନାର ପ୍ରଣୟନ କ୍ଷେତ୍ରରେ ତାଙ୍କର ଶାସନ କୌଶଳ ଅତୁଳନୀୟ।

ନିର୍ଦ୍ଧନ ଲୋକଙ୍କୁ ବିଭିନ୍ନ ଯୋଜନାରେ ନାନା ପ୍ରକାର ସହାୟତା ଯୋଗାଣ, ଟଙ୍କିକିଆ ଚାଉଳ ଯୋଜନା ପ୍ରବର୍ତ୍ତନ, ଗର୍ଭବତୀ, ମହିଳା, ଶିଶୁ, ବୃଦ୍ଧ, କନ୍ୟା, ଛାତ୍ରଛାତ୍ରୀ, ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ଅକ୍ଷମ ବୟସ୍କ ନାଗରିକ ଆଦି ସମାଜର କୌଣସି ବର୍ଗ ତାଙ୍କ ଜନକଲ୍ୟାଣ ଯୋଜନାରୁ ବାଦ ପଡ଼ିନଥିଲେ। ସେ ହରିଶ୍ଚନ୍ଦ୍ର ଯୋଜନା ହେଉ ବା ଆମ୍ବୁଲାନ୍ସ ସେବା, ବିଏସ୍‌‌କେୱାଇ ଅଥବା ମମତା, ମିଶନଶକ୍ତି କିମ୍ବା ମଧୁବାବୁ ପେନ୍‌‌ସନ୍‌‌, ଗୋପବନ୍ଧୁ କଲ୍ୟାଣ ଯୋଜନା, କାଳିଆ, ଲକ୍ଷ୍ମୀ ଓ ଜାଗାମିଶନ- ପ୍ରତ୍ୟେକ ଯୋଜନାର ନିଦ୍ଦିଷ୍ଟ ଲକ୍ଷ୍ୟ ଥିଲା ସୁଚିନ୍ତିତ ଏବଂ ଉଦ୍ଦେଶ୍ୟ ଥିଲା ସମାବେଶୀ, କଲ୍ୟାଣ ଓ ବିକାଶ। ବିପର୍ଯ୍ୟୟ ପରିଚାଳନା ସମେତ ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ଅନେକ ଯୋଜନା କେବଳ ଦେଶରେ ଶ୍ରେଷ୍ଠ ବିବେଚିତ ହୋଇ ଜାତୀୟ ମଡେଲ ହୋଇନାହିଁ, ବରଂ ସେଥିରୁ ଅନେକ ମଧ୍ୟ ଜାତିସଂଘର ଦୃଷ୍ଟି ଆକର୍ଷଣ କରି ପ୍ରଶଂସିତ ହୋଇଛି। ଏ ସମ୍ପର୍କରେ ନବୀନ ବାବୁଙ୍କ ଆଦର୍ଶ ଓ ଘୋଷଣା ‘ପ୍ରତିଟି ଜୀବନ ମୂଲ୍ୟବାନ’ ଓ ‘ଶୂନ୍ୟ ଜୀବନ ହାନି’ ବିପର୍ଯ୍ୟୟ ନିୟନ୍ତ୍ରଣ କ୍ଷେତ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରହିବ। ଚୁପ୍‌‌ଚାପ ରହିବାକୁ ଭଲ ପାଉଥିବା ଗୋଟେ ମଣିଷ ସାଧାରଣରେ ଦି’ଚାରିପଦ କଥା କହି ହାତ ହଲାଇ ଦେଉଥିଲେ ଲୋକେ ମୁଗ୍ଧ ହୋଇ ତାଙ୍କର ଜୟ ଜୟକାର କରୁଥିଲେ। କୌଣସି ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ ତାଙ୍କର ଗୋଟିଏ ସରଳ ସହଜ ନିର୍ଦ୍ଦେଶ ହିଁ ଯଥେଷ୍ଟ ଥିଲା। ଐତିହ୍ୟ ସଂରକ୍ଷଣ, ମନ୍ଦିର ଓ ଉପାସନାସ୍ଥଳର ବିକାଶ, ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ନିର୍ମାଣ ଓ ଅଭଡ଼ା ଯୋଜନା ଆଦି ତାଙ୍କ ଶାସନର ଅନ୍ୟତମ କୃତି।

ଚବିଶ ବର୍ଷ ମଧ୍ୟରେ ଓଡ଼ିଆ ଜନଜୀବନ, ରାଜ୍ୟ ଶାସନ ଓ ବିକାଶରେ ଏମିତି କୌଣସି କ୍ଷେତ୍ର ନାହିଁ, ଯେଉଁଠି ‘ନବୀନ ଛାପ’ ପଡ଼ିନାହିଁ। ସେ ଥିଲେ ଜଣେ ମିତଭାଷୀ ଜନନାୟକ, ପ୍ରଚାରହୀନ ସମାଜ ନିର୍ମାତା ଓ ସ୍ୱାର୍ଥହୀନ ରାଜନେତା। ସେଥିପାଇଁ ତାଙ୍କୁ ଓଡ଼ିଶାବାସୀ ପ୍ରଚୁର ଶ୍ରଦ୍ଧା କରିବା ସହିତ ବାରମ୍ବାର ତାଙ୍କ ନେତୃତ୍ୱ ଉପରେ ବିଶ୍ୱାସ ସ୍ଥାପନ କରୁଥିଲେ। ବିରୋଧୀମାନେ ମଧ୍ୟ ତାଙ୍କ ନେତୃତ୍ୱର ସଫଳତାର ରହସ୍ୟ ବୁଝିପାରୁ ନଥିଲେ। କୋମଳ ହୃଦୟ ସମ୍ପନ୍ନ ତଥା କ୍ଷମାଶୀଳ ନବୀନବାବୁ କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତିଳେମାତ୍ର କୁଣ୍ଠା ପ୍ରକାଶ କରୁନଥିଲେ। ପ୍ରାୟ ଅଢ଼େଇ ଦଶନ୍ଧିକାଳ ସେ ଓଡ଼ିଶାର ରାଜନୀତି ଓ ଜନଜୀବନରେ ଏକ ବିଶାଳ ମହାଦ୍ରୁମ ପରି ଛାଇ ହୋଇଥିଲେ- ଏହା ତାଙ୍କର ଶତ୍ରୁ, ମିତ୍ର ସମସ୍ତେ ସ୍ୱୀକାର କରିବେ।

ରାଜନୀତିରେ ବେଳେବେଳେ କଠିନ ଏବଂ ବିସ୍ମୟକର ସମୟ ଆସେ। ବିରୋଧୀ କ୍ଷମତାଲୋଭ ଆଶାରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଜନମତକୁ ପ୍ରଭାବିତ କରନ୍ତି। ବାରମ୍ବାର ନକାରାତ୍ମକ ପ୍ରଚାର ଫଳରେ ସଫଳ ନେତାଙ୍କର କାର୍ଯ୍ୟ ମଧ୍ୟ ସନ୍ଦେହର ଘେରକୁ ଆସିପାରେ। ଏକ ସଂଘର୍ଷପୂର୍ଣ୍ଣ ନିର୍ବାଚନ ଅଭିଯାନ ସତ୍ତ୍ବେ ବିଜୁ ଜନତା ଦଳ ନୂତନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଲେ ମଧ୍ୟ ଏକ ଦୃଢ଼ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅବତୀର୍ଣ୍ଣ ହୋଇଛି, ଯାହା ଗତ ୨୪ ବର୍ଷ ଧରି ଦୃଷ୍ଟିଗୋଚର ହେଉ ନ ଥିଲା। ଜଣେ ପୁରୁଖା, ଅନୁଭବୀ ରାଜନେତା ଭାବେ ନବୀନ ବାବୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟର ଜନସାଧାରଣ ଆଶା ରଖିବେ।

ଭାଗ୍ୟ ଓ ପୁରୁଷାର୍ଥ ଦୁଇଟି ଭିନ୍ନ କଥା। ନବୀନବାବୁଙ୍କ କ୍ଷେତ୍ରରେ ଏ ଦୁଇଟିର ବିରଳ ମିଶ୍ରଣ ଘଟିଥିଲା। ରାଜନୈତିକ ରଣଭୂମିରେ କେତେ ନାୟକ ଆସିବେ ଓ ଯିବେ; ତେବେ ନବୀନ ପଟ୍ଟନାୟକଙ୍କ ଶାସନର ସମୟକୁ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟାୟ କହିଲେ ଭୁଲ୍‌‌ ହେବ ନାହିଁ। ଏହି ସମୟରେ ଓଡ଼ିଶାର ସବୁକ୍ଷେତ୍ରରେ ଏକ ନୂଆ ଅଭ୍ୟୁଦୟ ଓ ସଫଳତା ମାର୍ଗ ପ୍ରଶସ୍ତ ହୋଇଛି। ସାମ୍ପ୍ରତିକ ଓଡ଼ିଶାର ନବନିର୍ମାଣରେ ନବୀନ ବାବୁଙ୍କ ବହୁମୁଖୀ ବିକାଶର ପର୍ଯ୍ୟାୟ ଓଡ଼ିଶାର ଜନମାନସରେ ବହୁକାଳ ଧରି ଅମ୍ଳାନ ରହିବ। କ୍ଷମତା ରାଜନୀତିର ପ୍ରେକ୍ଷାପଟରେ ଗଣତାନ୍ତ୍ରିକ ପରିବର୍ତ୍ତନ ଏକ ଚିରନ୍ତନ ଧାରା। କ୍ରମାଗତ ପରିବର୍ତ୍ତନର ଏହି ପ୍ରକ୍ରିୟା ମଧ୍ୟରେ ଯେଉଁ ଜନନେତା ରାଜଧର୍ମ ପ୍ରତିପାଳନରେ ଓ ଜନହିତରେ ପୁରୁଷାର୍ଥ ସାଧନ କରିପାରନ୍ତି ସେହିମାନଙ୍କ ମଧ୍ୟରୁ ନବୀନ ବାବୁ ଅନ୍ୟତମ।

06 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର