ଆମ ବିଶାଳ ଜନସଂଖ୍ୟା : ଶକ୍ତି ଓ ସମ୍ପଦ
ଜାତିସଂଘର ସଦ୍ୟପ୍ରକାଶିତ ତଥ୍ୟାନୁଯାୟୀ ଚୀନର ଜନସଂଖ୍ୟାକୁ ଅତିକ୍ରମ କରି ଭାରତ ପୃଥିବୀର ଜନବହୁଳ ରାଷ୍ଟ୍ରର ମାନ୍ୟତା ପାଇଛି। ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ସ୍ୱର୍ଣ୍ଣିମ ଅଧ୍ୟାୟଟିଏ। ସମୟର ଚିତ୍ରପଟରେ ବଦଳି ଯାଇଛି ପୃଥିବୀର ଦୃଶ୍ୟପଟ। ଅବଶ୍ୟ ବିଶେଷଜ୍ଞଙ୍କ ମତରେ ଏହା ଆଦୌ ଆଶ୍ଚର୍ଯ୍ୟଜନକ ବା ଅପ୍ରତ୍ୟାଶିତ ନୁହେଁ। ୧୯୮୦ ମସିହାରେ ଚୀନ ସରକାରଙ୍କ ବିତର୍କିତ ‘ଏକ ସନ୍ତାନ ନୀତି’ ଯୋଗୁ ଚୀନର ଜନସଂଖ୍ୟା ଯେଭଳି ଭାବେ କ୍ରମ ହ୍ରାସମାନ ହେଉଥିଲା ତାହାର ସ୍ୱାଭାବିକ ପରିଣତି ନିଃସନ୍ଦେହରେ ଏହାହିଁ […]
ଜାତିସଂଘର ସଦ୍ୟପ୍ରକାଶିତ ତଥ୍ୟାନୁଯାୟୀ ଚୀନର ଜନସଂଖ୍ୟାକୁ ଅତିକ୍ରମ କରି ଭାରତ ପୃଥିବୀର ଜନବହୁଳ ରାଷ୍ଟ୍ରର ମାନ୍ୟତା ପାଇଛି। ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ସ୍ୱର୍ଣ୍ଣିମ ଅଧ୍ୟାୟଟିଏ। ସମୟର ଚିତ୍ରପଟରେ ବଦଳି ଯାଇଛି ପୃଥିବୀର ଦୃଶ୍ୟପଟ।
ଅବଶ୍ୟ ବିଶେଷଜ୍ଞଙ୍କ ମତରେ ଏହା ଆଦୌ ଆଶ୍ଚର୍ଯ୍ୟଜନକ ବା ଅପ୍ରତ୍ୟାଶିତ ନୁହେଁ। ୧୯୮୦ ମସିହାରେ ଚୀନ ସରକାରଙ୍କ ବିତର୍କିତ ‘ଏକ ସନ୍ତାନ ନୀତି’ ଯୋଗୁ ଚୀନର ଜନସଂଖ୍ୟା ଯେଭଳି ଭାବେ କ୍ରମ ହ୍ରାସମାନ ହେଉଥିଲା ତାହାର ସ୍ୱାଭାବିକ ପରିଣତି ନିଃସନ୍ଦେହରେ ଏହାହିଁ ଥିଲା। କହିବା ବାହୁଲ୍ୟ ଚୀନ ସରକାର ୨୦୧୬ରେ ‘ଏକ ସନ୍ତାନ ନୀତି’ ପ୍ରତ୍ୟାହାର କରି ‘ଦୁଇ ସନ୍ତାନ ନୀତି’ ପ୍ରଚଳନ କଲେ। ତାହା ବିଫଳ ହେବାରୁ ପୁନଶ୍ଚ ୨୦୨୧ ମସିହାରେ ‘ତିନି ସନ୍ତାନ ନୀତି’ ପ୍ରବର୍ତ୍ତନ କଲେ। କିନ୍ତୁ ସେତେବେଳକୁ ଯାହା ଅବଶ୍ୟମ୍ଭାବୀ ତାହା ଇତିହାସର ଭାଲପଟରେ ଲିପିବଦ୍ଧ ହୋଇ ସାରିଥିଲା।
ସେ ଦେଶକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ଚୀନ କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ଚେୟାରମ୍ୟାନ ମାଓ ସେ ତୁଙ୍ଗ ୧୯୫୮ ମସିହାରେ ପ୍ରଣୟନ କରିଥିଲେ ‘ବିଗ ଲିପ ଫରୱାର୍ଡ’ ବା ବୃହତ ଉନ୍ନୟନ ଯୋଜନା। ଏକ କୃଷିଭିତ୍ତିକ ଦେଶକୁ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଏକ ଅତ୍ୟାଧୁନିକ ଶିଳ୍ପୋନ୍ନତ ଦେଶରେ ପରିଣତ କରିବା ପାଇଁ ଯେଉଁ ଅସମ୍ଭବ ଲକ୍ଷ୍ୟ ଥିଲା, ତାହାର ପରିଣତି ଭୟଙ୍କର ହୋଇଥିଲା। ୧୯୫୯ରୁ ୧୯୬୨ ମସିହା ପର୍ଯ୍ୟନ୍ତ କ୍ରମାଗତ ତିନିବର୍ଷ ଧରି ଭୟଙ୍କର ଦୁର୍ଭିକ୍ଷ ଓ ଅନାହାରରେ ପ୍ରପୀଡ଼ିତ ଚୀନ ପରି ଗୋଟିଏ ଦେଶକୁ ବିଶ୍ୱରେ ଏକ ପ୍ରଧାନ ଶକ୍ତି ରୂପେ ପ୍ରତିଭାତ କରିବା ଏକ ଆହ୍ୱାନ ଥିଲା। ଦେଶର ଜନସଂଖ୍ୟା ହୁ ହୁ ହୋଇ ବଢ଼଼ି ଚାଲିଥିଲା। ୧୯୪୯ ମସିହାରେ ଯେଉଁ ଚୀନର ଲୋକସଂଖ୍ୟା ମାତ୍ର ୫୪ କୋଟି ଥିଲା ତାହା ୧୯୭୬ ମସିହାରେ ମାଓ ସେ ତୁଙ୍ଗଙ୍କ ମୃତ୍ୟୁ ବେଳକୁ ପ୍ରାୟ ୯୩ କୋଟିରେ ପହଞ୍ଚି ଯାଇଥିଲା। ମାଓ ସେ ତୁଙ୍ଗ କହୁଥିଲେ ଜନସଂଖ୍ୟା ଏକ ସମସ୍ୟା ନୁହେଁ ବରଂ ଏକ ଶକ୍ତି। ତାଙ୍କର ବିଖ୍ୟାତ ସ୍ଲୋଗାନ ଥିଲା ‘ଅନେକ ହାତ ମାନେ ଅନେକ ଶ୍ରମ’।
ଜନସଂଖ୍ୟାରେ ଯେଉଁ ସ୍ଥାନରେ ଚୀନ ଅବସ୍ଥାନ କରି ଆସୁଥିଲା ଏବେ ସେଇ ଶୀର୍ଷ ସ୍ଥାନରେ ଭାରତ। ଗୋଟିଏ ଜାତିର ଜୀବନରେ ଏପରି ଅପାର ସମ୍ଭାବନାର ଦୁର୍ଲ୍ଲଭ ସମୟ ମାତ୍ର ଥରୁଟିଏ ପ୍ରାୟ ଆସେ। ଏହି ସମ୍ଭାବନାର ନାମ ହେଉଛି ଡେମୋଗ୍ରାଫିକ ଡିଭିଡେଣ୍ଡ ବା ଜନସଂଖ୍ୟାଜନିତ ଲାଭାଂଶ। ଆମଦେଶରେ ଏହା ପ୍ରାୟ ୨୦୫୦ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ। ସ୍ୱାଧୀନତାର ଅମୃତକାଳରେ ଆମେ ଏପରି ଏକ ବିରଳ ସୁଯୋଗ ପାଇଛୁ ଯାହା ଆମ ପାଇଁ ଆଶୀର୍ବାଦ ସ୍ୱରୂପ। ସରଳ ଭାଷାରେ ଗୋଟିଏ ଦେଶର ମୋଟ କର୍ମକ୍ଷମ ଜନସଂଖ୍ୟାର ପରିମାଣ ଯଦି କର୍ମହୀନ ବା ନିର୍ଭରଶୀଳ ଜନସଂଖ୍ୟା ତୁଳନାରେ ଅଧିକ ହୁଏ, ତେବେ ସେହି ଅବସ୍ଥାକୁ ଜନସଂଖ୍ୟାଜନିତ ଲାଭାଂଶ ବୋଲି କୁହାଯାଏ। ୟୁନେସ୍କୋ ରିପୋର୍ଟ ଅନୁଯାୟୀ ୧୫ -୬୪ ବର୍ଷ ବୟସର ଜନଗଣଙ୍କୁ କର୍ମକ୍ଷମ ଭାବେ ବିବେଚନା କରାଯାଏ। ବାକି ଦୁଇ ବର୍ଗର ଜନଗଣଙ୍କୁ ଅର୍ଥାତ ୧୪ ବର୍ଷରୁ କମ ଶିଶୁ ଓ କିଶୋର ଏବଂ ୬୫ ବର୍ଷରୁ ଅଧିକ ବରିଷ୍ଠମାନଙ୍କୁ ନିର୍ଭରଶୀଳ ବୋଲି ବିବେଚନା କରାଯାଏ।
ଜାତିସଂଘର ପରିସଂଖ୍ୟାନ ଅନୁଯାୟୀ ଆମ ଦେଶରେ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କ ସଂଖ୍ୟା ଆମ ଜନସଂଖ୍ୟାର ମାତ୍ର ୭ ପ୍ରତିଶତ ହୋଇଥିଲା ବେଳେ ଚୀନ ଓ ଆମେରିକାରେ ଏହି ସଂଖ୍ୟା ଯଥାକ୍ରମେ ୧୪ ଓ ୧୭ ପ୍ରତିଶତ। ତଥ୍ୟ ବୈଜ୍ଞାନିକଙ୍କ ଆକଳନ ଅନୁସାରେ ୨୦୫୦ ମସିହା ବେଳକୁ ଚୀନରେ କର୍ମକ୍ଷମ ଲୋକଙ୍କ ସଂଖ୍ୟା ମାତ୍ର ୫୮ ଓ ଆମେରିକାରେ ୬୧ ପ୍ରତିଶତ ହେବାର ସମ୍ଭାବନା ଥିଲାବେଳେ ଭାରତରେ ଏହି ସଂଖ୍ୟା ଆଜି ଭଳି ୬୭ ପ୍ରତିଶତରେ ରହିବାର ସମ୍ଭାବନା। ସେଇଥିପାଇଁ ଭାରତକୁ ବିଶ୍ୱର ‘ଯୁବ ରାଷ୍ଟ୍ର’ ବୋଲି କୁହାଯାଉଛି। କାରଣ ଆମର ମେଡିଆନ ବୟସ ମାତ୍ର ୨୮ ବର୍ଷ। ଅର୍ଥାତ ଆମ ଜନସଂଖ୍ୟାର ଅର୍ଦ୍ଧେକ ଲୋକ ୨୮ ବର୍ଷ ବୟସରୁ କମ୍ ଓ ବାକି ଅର୍ଦ୍ଧେକ ୨୮ ବର୍ଷ ବୟସରୁ ବେଶୀ ହୋଇଥିଲାବେଳେ ଚୀନରେ ଓ ଆମେରିକାରେ ଏହି ମେଡିଆନ ବୟସ ଯଥାକ୍ରମେ ୩୯ ଓ ୩୮ ବର୍ଷ। ଏଥି ସହ ପ୍ରଜନନ ଓ ମୃତ୍ୟୁହାରରେ ନିରନ୍ତର ହ୍ରାସ, ଆୟୁରେ ବୃଦ୍ଧି ଓ ଜନ୍ମହାରଠାରୁ ପ୍ରତିସ୍ଥାପନ ହାର କମ ହେବା ଫଳରେ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏହାର ଗତି ଅତି ମନ୍ଥର। ଏହି ଜନସଂଖ୍ୟାଗତ ଲାଭାଂଶ ଯୋଗୁ ଆଗାମୀ ପ୍ରାୟ ତିନି ଦଶନ୍ଧି ଆମ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ୧୯୮୦ ଦଶକରେ ଏହି ଜନସଂଖ୍ୟାଜନିତ ଲାଭାଂଶର ସୁଯୋଗ ନେଇ ଚୀନ, ସିଙ୍ଗାପୁର, କୋରିଆ, ତାଇୱାନ ପ୍ରଭୃତି ଦେଶମାନେ ଆଶ୍ଚର୍ଯ୍ୟଜନକ ଭାବେ ଅର୍ଥନୈତିକ ଅଭିବୃଦ୍ଧି କରି ବିଶ୍ୱ ଦରବାରରେ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି।
ଏବେ ଭାରତବର୍ଷ ପ୍ରାୟ ସମାନ ସ୍ଥିତିରେ। ଆମର ନୀତିନିର୍ଦ୍ଧାରକମାନେ ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା, ଦୁର୍ନୀତିମୁକ୍ତ ସୁଶାସନ, ଉତ୍ତମ ଭିତ୍ତିଭୂମି ନିର୍ମାଣ, ସଂପ୍ରୀତି ଓ ସଦଭାବର ବାତାବରଣ ଏବଂ କର୍ମସଂସ୍ଥାନ ସୁନିଶ୍ଚିତ କରିପାରିଲେ ଆମେ ଜନସଂଖ୍ୟା ଜନିତ ଲାଭାଂଶ ପାଇପାରିବା। ସେଣ୍ଟର ଫର ମନିଟରିଂ ଦି ଇଣ୍ଡିଆନ ଇକୋନମି ସଂସ୍ଥାର ରିପୋର୍ଟ ଅନୁଯାୟୀ ଡିସେମ୍ୱର ୨୦୨୨ ସୁଦ୍ଧା ଭାରତରେ ବେରୋଜଗାର ହାର ଶତକଡା ୮ .୩୦ ପ୍ରତିଶତ ଥିଲା। ଅବଶ୍ୟ କୃଷି ଓ ଅନ୍ୟ ଅସଂଗଠିତ କ୍ଷେତ୍ରରେ ଯେଉଁ କୋଟି କୋଟି ସଂଖ୍ୟାରେ କୃଷକ ଓ ଶ୍ରମଜୀବୀ ପୂର୍ଣ୍ଣ ନିୟୋଜିତ ନୁହନ୍ତି, ସେମାନଙ୍କ ସଂଖ୍ୟାକୁ ବିଚାରକୁ ନେଲେ ବେରୋଜଗାର ହାର ଯଥେଷ୍ଟ ଅଧିକ ହେବ। କର୍ମକ୍ଷେତ୍ରରେ ଉପାର୍ଜ୍ଜନକ୍ଷମ ମହିଳାମାନଙ୍କର ଉପସ୍ଥିତି କମ ହେବା ସହିତ ଏମାନଙ୍କ ସଂଖ୍ୟା ନିରନ୍ତର ହ୍ରାସ ପାଇବା ଅନ୍ୟ ଏକ ପ୍ରମୁଖ ସମସ୍ୟା। ପୁନଶ୍ଚ କୃଷିକ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ କର୍ମରତ ଥିଲେ ହେଁ ଉତ୍ପାଦନଶୀଳତା ବୃଦ୍ଧିରେ ଏମାନଙ୍କର ଭୂମିକା ନଗଣ୍ୟ। ଏହାବ୍ୟତୀତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଇ-ଶ୍ରମ ପୋର୍ଟାଲରେ ଏପର୍ଯ୍ୟନ୍ତ ପ୍ରାୟ ୨୮ କୋଟି ୮୬ ଲକ୍ଷ ଭାରତୀୟ ନାମ ପଞ୍ଜିକରଣ କରିଛନ୍ତି। ଗତବର୍ଷ ଜାନୁଆରୀ ମାସରେ ରେଳ ବିଭାଗରେ ୩୫୦୦୦ ଅଣବୈଷୟିକ ପଦବୀ ପାଇଁ ପ୍ରାୟ କୋଟିଏ ପଚିଶ ଲକ୍ଷରୁ ଅଧିକ ଯୁବକ ଯୁବତୀ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରେ କିଛି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବେଦନକାରୀ ବି ଥିଲେ। ଏଇଥିରୁ ବେକାର ସମସ୍ୟା କେତେ ଯେ ଭୟାବହ ତାହା ସହଜରେ ଅନୁମେୟ।
ଆମେରିକାର ମାକେନଜି ଗ୍ଲୋବାଲ ଇନ୍ଷ୍ଟିଚ୍ୟୁଟ୍ର ଆକଳନ ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ଅଣକୃଷିକ୍ଷେତ୍ରରେ ପ୍ରାୟ ୯ କୋଟି କର୍ମସଂସ୍ଥାନର ଆବଶ୍ୟକ ହେବ। ପ୍ରଶ୍ନ ଉଠେ ଏତେ ଚାକିରି ବା କର୍ମସଂସ୍ଥାନ ଉପଲବ୍ଧ ହେବ କେଉଁଠୁ? ଗତବର୍ଷ ଆମେ ଚୀନରୁ ଯେଉଁ ପରିମାଣର ଆମଦାନୀ କରିଥିଲେ ତାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ୭ ହଜାର କୋଟି ( ୧୦୨ ବିଲିଅନ ଆମେରିକୀୟ ଡଲାର) ଥିଲା। ଆଗାମୀ ସାତ ବର୍ଷ ଭିତରେ ଆତ୍ମନିର୍ଭର ଭାରତ ଯୋଜନା ମାଧ୍ୟମରେ ଆମେ ଯଦି ସେହି ଆମଦାନୀ ପରିମାଣକୁ ଶତକଡ଼ା ୫୦ ପ୍ରତିଶତ ହ୍ରାସ କରିପାରନ୍ତେ, ତେବେ ରୋଜଗାରର ବିପୁଳ ସମ୍ଭାବନା ସୃଷ୍ଟି ହୁଅନ୍ତା। କିଛିଦିନ ତଳେ ନିତି ଆୟୋଗର ଉପାଧ୍ୟକ୍ଷ କହିଥିଲେ ଆମେ ବିନିର୍ମାଣ(ମାନୁଫକଚରିଂ) କ୍ଷେତ୍ରରେ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଏହାକୁ ବାସ୍ତବାୟନ କରିବାକୁ ସଂକଳ୍ପବଦ୍ଧ। ଦ୍ୱିତୀୟତଃ, ଆମେ ପରିସେବା (ସର୍ଭିସେସ) କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏବେ ଜାପାନ ଭଳି ଅନେକ ଦେଶରେ ବରିଷ୍ଠ ଲୋକମାନଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହି କ୍ଷେତ୍ରରେ କାର୍ଯ୍ୟଦକ୍ଷତା ହିଁ ମାନବ ସମ୍ପଦର ପୁଞ୍ଜି। ତେଣୁ କ୍ରମବର୍ଦ୍ଧମାନ ସୁଯୋଗର ସଦବ୍ୟବହାର ହିଁ ଆମର ଲକ୍ଷ୍ୟ ହେବା ବାଞ୍ଛନୀୟ। ତୃତୀୟତଃ, ବାଣିଜ୍ୟ କାରବାର ବିଶେଷତଃ ଆମଦାନୀରେ ଚୀନ ଉପରେ ନିର୍ଭରଶୀଳତା କମେଇବା ପାଇଁ ଆମେରିକା ସହିତ ଭାରତର ଫ୍ରେଣ୍ଡଶୋରିଙ୍ଗ ବା ସହଯୋଗୀ ରଣନୀତି ଆଗାମୀ ଦିନରେ ଦୁଇ ଦେଶର ନିହିତ ସ୍ୱାର୍ଥ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିପାରେ। ଏହା ଏପରି ଏକ ରଣନୀତି ଯେଉଁଠାରେ ଗୋଟିଏ ଦେଶର ବିଚାରଧାରା ସହିତ ମେଳ ଖାଉଥିବା ଅନ୍ୟ ଏକ ଦେଶରୁ କଞ୍ଚାମାଲ ଏପରିକି ଉତ୍ପାଦିତ ସାମଗ୍ରୀକୁ ସଂଗ୍ରହ କରାଯାଇଥାଏ। ଯୋଗାଣ ଶୃଙ୍ଖଳାର ସ୍ଥିରତା ପାଇଁ ବିପଦ ବୋଲି ବିବେଚିତ ହେଉଥିବା ଦେଶଗୁଡ଼ିକ ଉପରେ କ୍ରମଶଃ ନିର୍ଭରଶୀଳତା ହ୍ରାସ କରିବା ଏହାର ଉଦ୍ଦେଶ୍ୟ। ଏଥିସହିତ ଆତ୍ମନିର୍ଭର ଭାରତ ଯୋଜନା ଅନୁସାରେ ଛୋଟ ସହରଗୁଡ଼ିକୁ ଅର୍ଥନୈତିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯାଇ ରପ୍ତାନି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ କୁଶଳୀ କାରିଗରଙ୍କ ଅର୍ଥନୈତିକ ଯୋଗଦାନରେ ବିନିର୍ମାଣ କ୍ଷେତ୍ର ଅନ୍ତର୍ଗତ ପୋଷାକ ପରିଧାନ ଆସବାବପତ୍ର ଇତ୍ୟାଦି ଉପକ୍ଷେତ୍ରଗୁଡ଼ିକୁ ସୁଦୃଢ଼ କରାଯିବା ଆବଶ୍ୟକ। କାର୍ଯ୍ୟଦକ୍ଷତା ଓ ଉତ୍ପାଦିକା ଶକ୍ତି ବୃଦ୍ଧି ହେଲେ ନିଯୁକ୍ତି ସମ୍ଭାବନା ବଢ଼ିବ।
ଏବେ ଉପସଂହାରକୁ ଆସିବା। ଯେଉଁଠି ବୟୋଜ୍ୟେଷ୍ଠମାନେ ବୋଝ ବୋଲି ବିବେଚିତ ହୁଅନ୍ତି ନାହିଁ, ଯେଉଁଠି ଶିଶୁମାନଙ୍କର ଅବାଧ ବିକାଶର ସୁଯୋଗ ଉନ୍ମୁକ୍ତ, ସେଠି ସମସ୍ତେ ନିରାପଦ ବୋଧ କରନ୍ତି। ୨୦୩୦ ମସିହା ବେଳକୁ ଭାରତର ଲୋକସଂଖ୍ୟା ୧୫୧ କୋଟି ହୋଇଥିଲାବେଳେ ଚୀନର ଲୋକସଂଖ୍ୟା ଆଜି ଭଳି ପ୍ରାୟ ୧୪୨ କୋଟିରେ ରହିବାର ସମ୍ଭାବନା ଓ ୨୦୫୦ ମସିହା ବେଳକୁ ଭାରତର ଜନସଂଖ୍ୟା ବୃଦ୍ଧିପାଇ ୧୬୭ କୋଟିରେ ପହଞ୍ଚିଲା ବେଳକୁ ଚୀନର ଜନସଂଖ୍ୟା କ୍ରମଶଃ ହ୍ରାସପାଇ ୧୩୧ କୋଟି ହୋଇଥିବ। ମନେପଡୁଛି ରବର୍ଟ ଫ୍ରଷ୍ଟଙ୍କ ପ୍ରସିଦ୍ଧ କବିତାର ଗୋଟିଏ ପଦର ଅନବଦ୍ୟ ଓଡ଼ିଆ ଅନୁବାଦ – ‘ସୁନ୍ଦର ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ତେଣୁ ତୁ ଆପଣା ସଙ୍କଳ୍ପେ ଅଟଳ ଅଚଳ ରହରେ ମନ। ଆଗରେ ପଡ଼ିଛି ପଥ ବହୁଦୂର ଆହୁରି କେତେଯେ ବାକି, ଚାଲିବି ଚଳିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି।’ ତେଣୁ ନୀତି ନିର୍ଦ୍ଧାରକ ମାନେ ଦୂରଦୃଷ୍ଟିସମ୍ପନ୍ନ ବାସ୍ତବସମ୍ମତ ପରିକଳ୍ପନା ମାଧ୍ୟମରେ ସମୟ ଓ ସୁଯୋଗର ସଦବ୍ୟବହାର କରିପାରିଲେ, ଜନସଂଖ୍ୟା ସମସ୍ୟା ନହୋଇ ଶକ୍ତି ଓ ସମ୍ପଦରେ ପରିଣତ ହୋଇପାରିବ।
ଗିରିଜା ଶଙ୍କର ମିଶ୍ର
ପୁରୀ, ମୋ: ୯୯୫୫୫୪୨୧୫୫