କୌଟିଲ୍ୟଙ୍କ ରାଷ୍ଟ୍ରନୀତି

The Sakala Picture
Published On

ଆଧୁନିକ ଯୁଗରେ ପ୍ଲାଟୋଙ୍କ ‘ଦି ରିପବ୍ଲିକ’ ଗ୍ରନ୍ଥ ପରି କୌଟିଲ୍ୟଙ୍କର ‘ଅର୍ଥଶାସ୍ତ୍ର’ ଅତ୍ୟନ୍ତ ପ୍ରାସଙ୍ଗିକ। କୌଟିଲ୍ୟଙ୍କ ପୂର୍ବରୁ ଭାରତରେ ରାଜନୀତିଶାସ୍ତ୍ରର ପରମ୍ପରା ମଧ୍ୟ ଅତି ପ୍ରାଚୀନ। ବୃହସ୍ପତି, ବାହୁଦନ୍ତୀପୁତ୍ର(ଇନ୍ଦ୍ର), ପିଶୁନ(ନାରଦ), ପରାଶର, ଭରଦ୍ୱାଜ (ଦ୍ରୋଣ), ବିଶାଳାକ୍ଷ, କୌଣପଦନ୍ତ(ଭୀଷ୍ମ), ବାତବ୍ୟାଧି(ଶ୍ରୀକୃଷ୍ଣଙ୍କ ମନ୍ତ୍ରୀ ଉଦ୍ଧବ) ଓ ବ୍ୟାସ ଇତ୍ୟାଦିଙ୍କ ଶତାଧିକ ରାଜନୀତି ଶାସ୍ତ୍ରର ଗ୍ରନ୍ଥ ଏବେ ପ୍ରାୟ ବିଲୁପ୍ତ କିମ୍ୱା ପୋଥି ଆକାରରେ କୋଉଠି ଶଢୁଛନ୍ତି। ତେଣୁ ଗ୍ରୀସର ଦୁଃଖାନ୍ତ ନାଟକ ପରମ୍ପରାଠୁ ଆମ ନାଟକ ପରମ୍ପରା ଯେପରି ସହସ୍ରବର୍ଷ […]

ଆଧୁନିକ ଯୁଗରେ ପ୍ଲାଟୋଙ୍କ ‘ଦି ରିପବ୍ଲିକ’ ଗ୍ରନ୍ଥ ପରି କୌଟିଲ୍ୟଙ୍କର ‘ଅର୍ଥଶାସ୍ତ୍ର’ ଅତ୍ୟନ୍ତ ପ୍ରାସଙ୍ଗିକ। କୌଟିଲ୍ୟଙ୍କ ପୂର୍ବରୁ ଭାରତରେ ରାଜନୀତିଶାସ୍ତ୍ରର ପରମ୍ପରା ମଧ୍ୟ ଅତି ପ୍ରାଚୀନ। ବୃହସ୍ପତି, ବାହୁଦନ୍ତୀପୁତ୍ର(ଇନ୍ଦ୍ର), ପିଶୁନ(ନାରଦ), ପରାଶର, ଭରଦ୍ୱାଜ (ଦ୍ରୋଣ), ବିଶାଳାକ୍ଷ, କୌଣପଦନ୍ତ(ଭୀଷ୍ମ), ବାତବ୍ୟାଧି(ଶ୍ରୀକୃଷ୍ଣଙ୍କ ମନ୍ତ୍ରୀ ଉଦ୍ଧବ) ଓ ବ୍ୟାସ ଇତ୍ୟାଦିଙ୍କ ଶତାଧିକ ରାଜନୀତି ଶାସ୍ତ୍ରର ଗ୍ରନ୍ଥ ଏବେ ପ୍ରାୟ ବିଲୁପ୍ତ କିମ୍ୱା ପୋଥି ଆକାରରେ କୋଉଠି ଶଢୁଛନ୍ତି। ତେଣୁ ଗ୍ରୀସର ଦୁଃଖାନ୍ତ ନାଟକ ପରମ୍ପରାଠୁ ଆମ ନାଟକ ପରମ୍ପରା ଯେପରି ସହସ୍ରବର୍ଷ ପ୍ରାଚୀନ, ସେହିପରି ପାଶ୍ଚାତ୍ୟ ରାଷ୍ଟ୍ର ଶାସ୍ତ୍ର ପରମ୍ପରାଠୁ ଆମର ଅର୍ଥଶାସ୍ତ୍ର ପରମ୍ପରା ମଧ୍ୟ ସହସ୍ର ବର୍ଷ ପ୍ରାଚୀନ। କୌଟିଲ୍ୟଙ୍କ ମତରେ ‘ଅର୍ଥ’ ଶବ୍ଦର ଅର୍ଥ ହେଉଛି ‘ମନୁଷ୍ୟବତୀ ଭୂମି’। ଅର୍ଥାତ ମଣିଷମାନେ ବସବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ସୀମାରେଖା ଥିବା ଭୂମି। କୌଟିଲ୍ୟ ଏହି ଚିନ୍ତନକୁ ପ୍ରାଚୀନ ଭାରତୀୟ ରାଜନୀତି ବିଶାରଦମାନଙ୍କଠୁ ଗ୍ରହଣ କରିଛନ୍ତି। ତେଣୁ ‘ଅର୍ଥଶାସ୍ତ୍ର’ର ସହଜ ଅର୍ଥ ହେଉଛି ‘ରାଷ୍ଟ୍ରଶାସ୍ତ୍ର’ ବା ରାଜ୍ୟଶାସ୍ତ୍ର ଅଥବା ‘ରାଜନୀତିଶାସ୍ତ୍ର’।

ଏକ ଉଚ୍ଚଶିକ୍ଷିତ ବର୍ଗରେ ଏବେ ବି ଏକ ଧାରଣା ଅଛି ଯେ ପ୍ରାଚୀନ ଭାରତରେ ରାଷ୍ଟ୍ରର କଳ୍ପନା ନଥିଲା। ଋଗବେଦରେ ରାଷ୍ଟ୍ରକଳ୍ପନାକୁ ନେଇ ଲେଖକର ଏକ ଦୀର୍ଘ ପ୍ରବନ୍ଧ ପଞ୍ଜାବର ‘ବିଶ୍ୱେଶ୍ୱରାନନ୍ଦ’ ପତ୍ରିକାରେ ଗତବର୍ଷ ପ୍ରକାଶିତ। ‘ଅର୍ଥଶାସ୍ତ୍ର’ରେ କୌଟିଲ୍ୟ ‘ରାଷ୍ଟ୍ର’ ଶବ୍ଦକୁ ବାରମ୍ୱାର ବ୍ୟବହାର କରିଛନ୍ତି। ପ୍ରଥମ ଅଧିକରଣର ଇନ୍ଦ୍ରିୟଜୟ ପ୍ରକରଣରେ ଅନୈତିକ ଓ ଇନ୍ଦ୍ରିଭୋଗରେ ଲିପ୍ତ ରାଜନେତାମାନେ ବନ୍ଧୁବର୍ଗ ଓ ରାଷ୍ଟ୍ର ସହିତ ନଷ୍ଟ ହୋଇଯା’ନ୍ତି ବୋଲି ସେ କହୁଛନ୍ତି – ‘ସବନ୍ଧୁରାଷ୍ଟ୍ରା ରାଜାନୋ ବିନେଶୁରଜିତେନ୍ଦ୍ରିୟାଃ’।
କୌଟିଲ୍ୟଙ୍କ ମତରେ ଉଭୟ ବିପଦ ଓ ସମ୍ପଦ ସମୟରେ ବୁଦ୍ଧିକୁ ସମସ୍ତଙ୍କ ଉପକାର ପାଇଁ ଅବିକୃତ ରଖିବା ଶାସକ ଓ ନେତାମାନଙ୍କ ପାଇଁ ଖୁବ ଆବଶ୍ୟକ। କେବଳ ସ୍ୱାର୍ଥଦୃଷ୍ଟି ରଖିଲେ ନେତା ଓ ଜନତା ଅବନତିର ସମ୍ମୁଖୀନ ହୁଅନ୍ତି। ଏଇ କାରଣରୁ ସେମାନେ ସବୁବେଳେ ଆନ୍ୱିକିକ୍ଷୀ ବା ପରିଷ୍କାର ବିଚାରର ଅଭ୍ୟାସ କରୁଥିବା ଦରକାର। ଏହା ଦ୍ୱାରା ସେମାନଙ୍କର ପ୍ରଜ୍ଞା, ବାକ୍ୟ ଓ କାର୍ଯ୍ୟରେ ବିଚକ୍ଷଣତା ସୃଷ୍ଟି ହୁଏ ଏବଂ ସେମାନେ ରାଜ୍ୟ ପାଇଁ ବହୁ ଉପକାରୀ ପଦକ୍ଷେପ ନେବାକୁ ସମର୍ଥ ହୋଇଥାନ୍ତି। ଆନ୍‌‌ୱିକ୍ଷିକୀ ସ୍ଥାପନା ପ୍ରକରଣ ରେ କୌଟିଲ୍ୟ ନେତା ଓ ଶାସକମାନଙ୍କୁ ସରଳ ଭାବେ ବୁଝାଉଛନ୍ତି – ‘ଆନ୍ୱିକ୍ଷିକୀ ଲୋକସ୍ୟ ଉପକରୋତି, ବ୍ୟସନେ ଅଭ୍ୟୁଦୟେ ଚ ବୁଦ୍ଧିଂ ଅବସ୍ଥାପୟତି। ପ୍ରଜ୍ଞା -ବାକ୍ୟ -କ୍ରିୟା- ବୈଶାରଦ୍ୟଂ ଚ କରୋତି।’

ପାଶ୍ଚାତ୍ୟର ବିଖ୍ୟାତ ରାଜନୀତି ଦାର୍ଶନିକ ମାକିଆଭେଲି କୌଟିଲ୍ୟଙ୍କ ପରି କୁଟିଳ ଥିଲେ ବୋଲି କହି ସେଠାକାର ଚିନ୍ତକମାନେ ବସ୍ତୁତଃ କୌଟିଲ୍ୟଙ୍କର ଏକ ଭୁଲ ପ୍ରଚାର କରିଛନ୍ତି। କାରଣ କୌଟିଲ୍ୟ ରାଜନୀତିରେ ପରିଷ୍କାର ଓ ସ୍ୱାର୍ଥ ଦୃଷ୍ଟିହୀନ ବିଚାରକୁ ମହତ୍ତ୍ୱ ଦେଇଛନ୍ତି। ଉପରୋକ୍ତ ପ୍ରକରଣର ଶେଷରେ ଏହାକୁ ସେ ସବୁ ବିଦ୍ୟାର ଦୀପ, ସବୁକାମର ଉପାୟ ଓ ସବୁଧର୍ମର ଆଶ୍ରୟ ବୋଲି ଘୋଷଣା କରୁଛନ୍ତି। ତେଣୁ ନେତାଟିଏ ଯେ ଯାଏଁ ରାଜ୍ୟ କଥା ଓ ଲୋକଙ୍କର ବାସ୍ତବ ଉନ୍ନତି କଥା ନ ଭାବି ଖାଲି ନିଜ ପେଟ, ନିଜ ପରିବାର ଓ ନିଜ ଦଳ କଥା ଭାବି ରାଜନୀତି କରୁଥିବ, ସେଯାଏଁ ସେ କୌଟିଲ୍ୟଙ୍କ ଆନ୍ୱିକ୍ଷିକୀ ନୀତିକୁ ଲଂଘନ କରି ନିଜର ଓ ରାଜ୍ୟର ଅପୂରଣୀୟ କ୍ଷତି ଘଟାଇ ଚାଲୁଥିବ।

ଶାସକ, ନେତା ଓ ମନ୍ତ୍ରୀମାନେ ଏପରି କିଛି କାମ କରିବେନି, ଯାହାଦ୍ୱାରା ପ୍ରଜାମାନେ ନିଜ ନିଜ ବିଭାଗର କାମ ପ୍ରତି ଉଦାସୀନ ହୋଇଯିବେ। ଆଧୁନିକ ଯୁଗରେ ଜାତିର କିଛି ମହତ୍ତ୍ୱ ରହିବା ଉଚିତ ନୁହେଁ। ଲୋକମାନେ ସମାଜର ବିଭିନ୍ନ ବିଭାଗରେ କାମ କରନ୍ତି। ସେଇସବୁ ବିଭାଗକୁ କୌଟିଲ୍ୟ ‘ଧର୍ମ’ ବୋଲି କହୁଛନ୍ତି। ତା’କୁ ହିଁ ଆମେ ଆଧୁନିକ ଜାତି ବୋଲି ବୁଝିପାରୁ। ଶାସକ ନେତା ଏପରି କିଛି ଭ୍ରାନ୍ତ ସିଦ୍ଧାନ୍ତର ପ୍ରଚାର କରିବେନି କିମ୍ୱା ଏପରି କିଛି ନିଜ ସ୍ୱାର୍ଥ ପ୍ରଣୋଦିତ କାର୍ଯ୍ୟକ୍ରମ ହାତକୁ ନେବେନି, ଯାହା ଲୋକମାନଙ୍କୁ ନିଜ ନିଜ ବିଭାଗର କାମରୁ ନିବୃତ୍ତ କରାଇଦେବ। କୌଟିଲ୍ୟଙ୍କର ଏହି ଧର୍ମ ବା ବିଭାଗ ତତ୍ତ୍ୱ ପ୍ଲାଟୋନୀୟ ନ୍ୟାୟତତ୍ତ୍ୱ ସହ ବେଶ ସାମଞ୍ଜସ୍ୟ ରଖେ। ପ୍ଲାଟୋଙ୍କ ‘ଆଦର୍ଶ ରାଜ୍ୟ’ରେ ଦାର୍ଶନିକ ଶାସକଗଣ, ଯୋଦ୍ଧୃବର୍ଗ ଓ କୃଷକ -ଏଇ ତିନିଟି ବିଭାଗ ପରିକଳ୍ପିତ। କିଏ କାହାର ବିଭାଗ ଲଂଘନ କଲେ ତାକୁ ପ୍ଲାଟୋନୀୟ ନ୍ୟାୟର ଅବମାନନା ବୋଲି ଧରାଯିବ। କୌଟିଲ୍ୟ କିନ୍ତୁ ଖାଲି ଲଂଘନ ନୁହେଁ, ନିଜ କାମ ପ୍ରତି ଉଦାସୀନତାକୁ ମଧ୍ୟ ଏକ ବଡ଼ ଅଧର୍ମ ବୋଲି କହୁଛନ୍ତି। କାରଣ ଏହା ଫଳରେ ରାଜ୍ୟ ନଷ୍ଟ ହୋଇଯାଏ। କିନ୍ତୁ ତାଙ୍କର ଚିନ୍ତନ ଆହୁରି ସୂକ୍ଷ୍ମ। ସେ କହୁଛନ୍ତି, ଯଦି ଏପରି ଉଦାସୀନତା ସାମୂହିକ ଧରଣର, ତେବେ ଏହା ପଛରେ ଶାସକ ଓ ନେତାମାନଙ୍କର କିଛି ସ୍ୱାର୍ଥ ପ୍ରଣୋଦିତ କାର୍ଯ୍ୟକ୍ରମ ଅଛି, ଯାହା ଫଳରେ ଲୋକେ ନିଜ ନିଜ କାମ ପ୍ରତି ବିତୃଷ୍ଣ। ‘ତ୍ରୟୀସ୍ଥାପନା’ ପ୍ରକରଣରେ କୌଟିଲ୍ୟ ଏସବୁ କାର୍ଯ୍ୟକ୍ରମକୁ ନିବାରଣ କରୁଛନ୍ତି – ‘ତସ୍ମାତ ସ୍ୱଧର୍ମଂ ଭୂତାନାଂ ରାଜା ନ ବ୍ୟଭିଚାରୟେତ’।

ଅର୍ଥଶାସ୍ତ୍ରର ‘ଇନ୍ଦ୍ରିୟଜୟ’ ପ୍ରକରଣରେ କୌଟିଲ୍ୟ କାମାକ୍ରୋଧାଦି ଛ’ଟି ଶତ୍ରୁଙ୍କୁ ଦମନ କରିବାର କଠୋର ଉପଦେଶ ରାଜା ଓ ରାଜନ୍ୟବର୍ଗଙ୍କୁ ଦେଉଛନ୍ତି। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭାରତରେ ସେମାନଙ୍କୁ ରାଜର୍ଷି ପଦରେ ପ୍ରତିଷ୍ଠିତ ରଖିବା ଓ ନାଗରିକମାନଙ୍କ ପ୍ରତି ଅତ୍ୟାଚାରୀ କରାଇ ନଦେବା ଲକ୍ଷ୍ୟରେ ସେ ଏପରି ଉପଦେଶ ଦେଇଥିବା ସମ୍ଭବ। ଐତିହାସିକ ଓ ଆଧୁନିକ ଯୁଗରେ ବଳାତ୍କାର, ଧନଶୋଷଣ, ଦର୍ପ, ଜିଦ ଓ ଅହଂକାର ଇତ୍ୟାଦି କାରଣରୁ ଶାସକବର୍ଗ, ରାଜନୈତିକ ଦଳ ଏପରିକି ଦେଶର ପତନ ହୋଇଥିବାର ଯଥେଷ୍ଟ ଉଦାହରଣ ରହିଛି। ସବୁଠୁ ବଡ଼ କଥା ହେଲା ସଂଯମୀ ନେତାମାନେ ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ନଷ୍ଟ କରିବାକୁ ଦେଇ ନଥା’ନ୍ତି। ତେଣୁ ଏ ଦିଗରେ ଯତ୍ନଶୀଳ ହେବା ରାଜ୍ୟକୁ ବହୁ ସୁଖ, ଶାନ୍ତି ଓ ଉତ୍କର୍ଷ ଦେଇଥାଏ। ଶାସକ ଓ ନେତାମାନଙ୍କୁ ସତର୍କ କରାଇବାକୁ କୌଟିଲ୍ୟ କିଛି ପ୍ରାଚୀନ ଉଦାହରଣ ମଧ୍ୟ ଦେଉଛନ୍ତି। ଭୋଜ ବଂଶର କାମୀ ରାଜା ଦାଣ୍ଡକ୍ୟ ବଳାତ୍କାରୀ ହୋଇ ନିଜ ରାଜନ୍ୟ ବର୍ଗ ଓ ରାଷ୍ଟ୍ରକୁ ନଷ୍ଟ କରିଦେଲେ। ରାଜା ତାଳଜଙ୍ଘ ପ୍ରଜାଙ୍କ ଉପରେ କ୍ରୋଧୀ ହୋଇ ରାଜ୍ୟର ସର୍ବନାଶ କଲେ। ରାଜା ଦମ୍ଭୋଦଭବ ପ୍ରଜାମତର ବିରୋଧୀ ହୋଇ ନରନାରାୟଣଙ୍କ ଦ୍ୱାରା ନିହତ ହେଲେ। ପକ୍ଷାନ୍ତରେ ଜନକ, ନାଭାଗ ଓ ଅମ୍ୱରୀଶଙ୍କ ପରି ସଂଯମୀ ରାଜର୍ଷିମାନେ ପ୍ରଜାମଙ୍ଗଳ ସାଧନ କରି ଦେଶର ପ୍ରଭୂତ ଉନ୍ନତି ଘଟାଇଥିଲେ। ତେଣୁ ‘ରାଜର୍ଷି ବୃତ୍ତ’ପ୍ରକରଣରେ କୌଟିଲ୍ୟ କହୁଛନ୍ତି ଯେ ରାଜ୍ୟର ଜ୍ଞାନୀବୃଦ୍ଧଙ୍କ ସାହଚର୍ଯ୍ୟରେ ନେତାମାନେ ନିଜର ପ୍ରଜ୍ଞା ଉଦ୍ରେକ କରାଇବେ ଏବଂ ଶିକ୍ଷିତ ହୋଇ ବିନୟୀ ହେବେ। ନିଜ କାମରେ ଶୃଙ୍ଖଳା ରକ୍ଷା କରି ନାଗରିକମାନଙ୍କୁ ନିଜ ନିଜ କାମରେ ପ୍ରବାର୍ତ୍ତାଇବେ। କାରଣ ସେମାନେ ଅଳସୁଆ ହେଲେ ରାଜ୍ୟ ନଷ୍ଟ ହୋଇଯାଏ। ନାଗରିକମାନଙ୍କୁ ନିଜନିଜ ପୁରୁଷାର୍ଥ ବା ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ପାଇବା ପାଇଁ ଶାସକ ଓ ନେତାମାନେ ସୁଯୋଗ ଓ ପରିସର ଦେଇ ଲୋକପ୍ରିୟ ହେବେ। ରାଜନୈତିକ ଶକ୍ତି ପ୍ରୟୋଗ କରି ଅନ୍ୟର ଦ୍ରବ୍ୟ ଅପହରଣ କରିବେ ନାହିଁ। ଅକାଳ ଶୟନ, ମିଥ୍ୟା ବ୍ୟବହାର, ଉଦ୍ଧତ ବେଷଭୂଷା ଧାରଣ ତଥା ଅଧର୍ମ ଓ ଅନର୍ଥକାରୀ କାମରେ ମନୋନିବେଶ କରିବେ ନାହିଁ। ପ୍ରାୟ ପାଞ୍ଚ ହଜାର ବର୍ଷ ଆଗରୁ କୌଟିଲ୍ୟ ଦେଇଥିବା ଏସବୁ ଉପଦେଶ ଏବେ ମଧ୍ୟ ଉପକାରୀ ମନେ ହୁଏ।

କୌଟିଲ୍ୟଙ୍କର ‘ରାଜର୍ଷି’ ତତ୍ତ୍ୱଟି ତାଙ୍କଠୁ ପୁରୁଣା ବହୁ ରାଜନୈତିକ ଚିନ୍ତକଙ୍କଠୁ ଗ୍ରହଣ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ଲାଟୋଙ୍କର ‘ଫିଲୋସଫର କିଙ୍ଗ’ ତତ୍ତ୍ୱଟି ତା’ର ଏକ ପ୍ରତିଛବି। ରାଜର୍ଷିମାନେ ସଂଯମୀ ହେବା କଥାଟିକୁ ପ୍ଲାଟୋ ବଡ଼ ଉପଭୋଗ୍ୟ ଢଙ୍ଗରେ ଗ୍ରହଣ କରିଛନ୍ତି। ସେକଥା ପରେ। ତେବେ ଶାସକମାନଙ୍କ ପାଖରେ ଋଷିମାନଙ୍କୁ ରଖିବାର ବ୍ୟବସ୍ଥାର ଜଣେ ବଡ଼ ପ୍ରଖ୍ୟାପକ ଥିଲେ କୌଟିଲ୍ୟ। ‘ବୃଦ୍ଧସଂଯୋଗ’ ପ୍ରକରଣରେ ସେଥିପାଇଁ ସେ କହୁଛନ୍ତି – ‘ବିଦ୍ୟାବିନୀତୋ ରାଜା ହି, ପ୍ରଜାନାଂ ବିନୟେ ରତଃ/ ଅନନ୍ୟାଂ ପଦବୀଂ ଭୁଂକ୍ତେ ସର୍ବଭୂତ ହିତେ ରତଃ।’ ମନ୍ତ୍ରାଧିକାର ପ୍ରକରଣରେ ମଧ୍ୟ ସେ ପ୍ରାଚୀନ ବୈଦିକ ପ୍ରଶାସନ ତନ୍ତ୍ରକୁ ଅନୁସରଣ କରି ଇନ୍ଦ୍ର ମଧ୍ୟ ନିଜ ମନ୍ତ୍ରୀ ପରିଷଦରେ ସହସ୍ର ଋଷିଙ୍କୁ ଆସନ ଦେଉଥିବା କଥାକୁ ପ୍ରଶଂସା କରିଛନ୍ତି। ବସ୍ତୁତଃ ପ୍ରଜ୍ଞା ଓ ପ୍ରଶାସନ ର ଏକ ସମନ୍ୱୟକୁ କୌଟିଲ୍ୟ ଜନମଙ୍ଗଳର ଆଦର୍ଶ ମାର୍ଗ ବୋଲି ସ୍ୱୀକାର କରିଛନ୍ତି।

ପ୍ରଫେସର ଅରୁଣ ରଞ୍ଜନ ମିଶ୍ର
ଶାନ୍ତିନିକେତନ, ମୋ: ୯୪୩୪୮୩୮୩୦୯

22 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର