ମନୋରଞ୍ଜନ
ଶିକ୍ଷାକ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା
ମାନବ କେନ୍ଦ୍ରୀକରଣରୁ ପ୍ରଯୁକ୍ତି କେନ୍ଦ୍ରୀକରଣ ପର୍ଯ୍ୟନ୍ତ ମାନବତାର ବହୁମୁଖୀ ବିଜୟଯାତ୍ରା ନିଶ୍ଚିତ ଭାବେ ଆନନ୍ଦଦାୟକ ଓ ଫଳପ୍ରସୂ। କିନ୍ତୁ ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଉପରେ ଏହି ପ୍ରଗତି କିପରି ପ୍ରଭାବ ପକାଇପାରେ, ତାହା ଗଭୀର ଚିନ୍ତାର ବିଷୟ। ଚାଟ୍ ଜିପିଟି ଉପଲବ୍ଧ ହେବା ଦ୍ୱାରା ବିଭିନ୍ନ ବର୍ଗର ଲୋକଙ୍କ ଉପରେ ବିଶେଷ କରି ଶିକ୍ଷାକ୍ଷେତ୍ରରେ ଏହାର ଉପକାରିତା ଓ ଅପକାରିତାକୁ ନେଇ ଅନେକ ବିତର୍କ ଚାଲିଛି; ଯାହାର ନିଷ୍କର୍ଷ ଭିନ୍ନ ଭିନ୍ନ। ଯେହେତୁ ବର୍ତ୍ତମାନ […]
ମାନବ କେନ୍ଦ୍ରୀକରଣରୁ ପ୍ରଯୁକ୍ତି କେନ୍ଦ୍ରୀକରଣ ପର୍ଯ୍ୟନ୍ତ ମାନବତାର ବହୁମୁଖୀ ବିଜୟଯାତ୍ରା ନିଶ୍ଚିତ ଭାବେ ଆନନ୍ଦଦାୟକ ଓ ଫଳପ୍ରସୂ। କିନ୍ତୁ ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଉପରେ ଏହି ପ୍ରଗତି କିପରି ପ୍ରଭାବ ପକାଇପାରେ, ତାହା ଗଭୀର ଚିନ୍ତାର ବିଷୟ। ଚାଟ୍ ଜିପିଟି ଉପଲବ୍ଧ ହେବା ଦ୍ୱାରା ବିଭିନ୍ନ ବର୍ଗର ଲୋକଙ୍କ ଉପରେ ବିଶେଷ କରି ଶିକ୍ଷାକ୍ଷେତ୍ରରେ ଏହାର ଉପକାରିତା ଓ ଅପକାରିତାକୁ ନେଇ ଅନେକ ବିତର୍କ ଚାଲିଛି; ଯାହାର ନିଷ୍କର୍ଷ ଭିନ୍ନ ଭିନ୍ନ।
ଯେହେତୁ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହୋଇଛି, ତେଣୁ ସ୍ମାର୍ଟ ଶ୍ରେଣୀଗୃହ ଓ ପ୍ରଯୁକ୍ତି ବିଦ୍ୟାର କାର୍ଯ୍ୟକାରିତାକୁ ପୁନଃମୂଲ୍ୟାୟନ କରିବାର ସମୟ ଆସିଛି। ପାରମ୍ପରିକ ଶ୍ରେଣୀଗୃହ, ଯାହା ଏକଦା ପ୍ରଗତିର ବାର୍ତ୍ତାବହ ଭାବେ ପରିଚିତ ଥିଲା, ବର୍ତ୍ତମାନର ଦ୍ରୁତ ବୈଷୟିକ ବିକାଶର ପ୍ରଭାବରେ ପରିବର୍ତ୍ତନର ନୂଆ ସ୍ୱାଦ ଚାଖିଛି। ପ୍ରାକ୍ତନ ଶିକ୍ଷାପଦ୍ଧତିରୁ ଆଧୁନିକତାକୁ ବିବର୍ତ୍ତନ କେବଳ କେତେକ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ସ୍ୱାଧୀନତା ହ୍ରାସ କରି ନାହିଁ, ବରଂ ସେମାନଙ୍କ ଶିକ୍ଷାଗ୍ରହଣ ପ୍ରଣାଳୀ ଉପରେ ଗଭୀର ପ୍ରଭାବ ପକାଇଛି।
କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଅଧ୍ୟାପନା ଦକ୍ଷତା ବୃଦ୍ଧି ସହିତ ବିଭିନ୍ନ ବୟସର ଏବଂ ଭିନ୍ନ ଭିନ୍ନ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାଗତ ସୁଯୋଗ ପ୍ରଦାନର ଲକ୍ଷ୍ୟ ରଖିଛି। ଏହି ପ୍ଲାଟଫର୍ମଗୁଡ଼ିକ ଶିକ୍ଷକମାନଙ୍କୁ ବିଶ୍ୱସ୍ତରୀୟ ବିଷୟବସ୍ତୁ ଏବଂ ଉତ୍ସଗୁଡ଼ିକର ସୁବିଧା ମଧ୍ୟ ପ୍ରଦାନ କରୁଛି। ଶ୍ରେଣୀ ବିଭାଜନ, ତଥ୍ୟ ବିଶ୍ଲେଷଣ ଭଳି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟଗୁଡ଼ିକୁ ସ୍ୱୟଞ୍ଚାଳିତ କରି ଏହା ଶିକ୍ଷକମାନଙ୍କର ବହୁମୂଲ୍ୟ ସମୟକୁ ବଞ୍ଚାଇବାରେ ସକ୍ଷମ ହୋଇଛି, ଯାହାକି ସେମାନଙ୍କୁ ଉଚ୍ଚସ୍ତରୀୟ କାର୍ଯ୍ୟ ଉପରେ ଧ୍ୟାନ ଦେବାର ସୁଯୋଗ ଦେଇଛି।
ଅଧିକନ୍ତୁ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପରିଚାଳିତ ପ୍ଲାଟଫର୍ମଗୁଡ଼ିକ ମିଶ୍ରିତ ଶିକ୍ଷା ପଦ୍ଧତି ସହ ନିରବଚ୍ଛିନ୍ନ ଭାବରେ ସମ୍ପୃକ୍ତ ହୋଇପାରିଛି। ସେଗୁଡ଼ିକ ସଞ୍ଚାର ଓ ଶ୍ରେଣୀଗୃହ ଶିକ୍ଷା ମଧ୍ୟସ୍ଥ ବ୍ୟବଧାନକୁ ଦୂର କରି ଛାତ୍ରଛାତ୍ରୀମାନଙ୍କୁ ଉଭୟ ଦୁନିଆର ସର୍ବୋତ୍ତମ ଶିକ୍ଷା ପ୍ରଦାନ କରିପାରିଛି। ଛାତ୍ରଛାତ୍ରୀମାନେ ପଠନ ସମ୍ୱନ୍ଧୀୟ ତଥ୍ୟ ସହଜରେ ପାଇ ସାଥୀମାନଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ଏବଂ ସେମାନଙ୍କର ଶାରୀରିକ ସହବସ୍ଥାନ ନିର୍ବିଶେଷରେ ଶିକ୍ଷକମାନଙ୍କଠାରୁ ବ୍ୟକ୍ତିଗତ ମତାମତ ଗ୍ରହଣ କରିବାରେ ସକ୍ଷମ ହୋଇପାରିଛନ୍ତି। ମହାମାରୀ ପରବର୍ତ୍ତୀ ଦୁନିଆରେ ଏହା ସମୂହ ଶିକ୍ଷାକୁ ଅଧିକ ସୁଗମ, ଆକର୍ଷଣୀୟ ଏବଂ ପ୍ରଭାବଶାଳୀ କରିପାରିଛି।
ଯଦିଓ ଉଦୀୟମାନ ଶିକ୍ଷାଗତ ଅନୁସନ୍ଧାନ ଭବିଷ୍ୟତର ଅସଂଖ୍ୟ ଆହ୍ୱାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଭଲ ଭାବରେ ପ୍ରସ୍ତୁତ କରିବାକୁ ଏବଂ ନିଜସ୍ୱ ଚିନ୍ତାଧାରା ପୋଷଣର ମହତ୍ତ୍ୱକୁ ଆଲୋକିତ କରିବାର ଲକ୍ଷ୍ୟ ରଖିଛି, ସଦ୍ୟ ବିକଶିତ କୃତ୍ରିମ ବୁଦ୍ଧିମତ୍ତା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ କ୍ଷମତାକୁ ଅନୁଶୀଳନ ତଥା କାର୍ଯ୍ୟକାରୀ କରିବାର କୌଣସି ସୁଯୋଗ ଦେଲାଭଳି ପ୍ରତୀତ ହେଉନାହିଁ। ପୂର୍ବେ ବୈଷୟିକ ସହାୟତା କେବଳ ଗୁଗୁଲରେ ଅନ୍ୱେଷଣକୁ ବୁଝାଉଥିଲା, ଯାହା ଶିକ୍ଷାର୍ଥୀମାନଙ୍କୁ ବିଶ୍ୱାସଯୋଗ୍ୟ ଓ ପ୍ରାସଙ୍ଗିକ ସୂଚନା ପାଇବା ପାଇଁ ଏକ ବିକଳ୍ପ ଯୋଗାଉଥିଲା। ଯେହେତୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଅନୁସନ୍ଧାନ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଦକ୍ଷତା ବୃଦ୍ଧି ଦିଗରେ ସକ୍ରିୟ ଓ ସଚେତନ ମନୋଭାବ ନେଇ ନିଜସ୍ୱ ବିଷୟର ଚୟନ କରୁଥିଲେ, ତେଣୁ ଏହି ପ୍ରକ୍ରିୟା ଏକ ମୂଲ୍ୟବାନ ଶିକ୍ଷଣୀୟ ଅଭିଜ୍ଞତା ଭାବରେ କାର୍ଯ୍ୟ କରୁଥିଲା। ଆଜିକାଲି ଛାତ୍ରଛାତ୍ରୀମାନେ ଦାଖଲ କରୁଥିବା ବିଭିନ୍ନ ଅଭିହସ୍ତାଙ୍କନ ବା ସ୍ୱତ୍ତ୍ୱର୍ପଣ(ଆସାଇନ୍ମେଣ୍ଟ)ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଚାଟ୍ ଜିପିଟି ଦ୍ୱାରା ପ୍ରଭାବିତ।
ଏକ ସମୟ ଥିଲା, ଯେତେବେଳେ ଆମେ ଆମ ପ୍ରିୟଜନଙ୍କର ମୋବାଇଲ୍ ନମ୍ୱରକୁ ଅତି ସହଜରେ ମନେ ରଖିପାରୁଥିଲୁ। ବର୍ତ୍ତମାନ କିନ୍ତୁ ଆମ ସ୍ମୃତିଶକ୍ତି କଳଙ୍କିତ ହୋଇଯାଇଥିବାରୁ ଆମ ପ୍ରିୟଜନଙ୍କର ସ୍ୱତନ୍ତ୍ର ଦିନଗୁଡ଼ିକୁ ମନେରଖିବା ପାଇଁ ଆମେ ଗୁଗୁଲ୍ କ୍ୟାଲେଣ୍ଡର୍ ଉପରେ ନିର୍ଭର କରୁଛୁ। କିଛି ତଥ୍ୟ ମନେରଖିବା ଓ ମନେପକାଇବା ପ୍ରାୟ ଅନାବଶ୍ୟକ ହୋଇଗଲାଣି ଏବଂ ଯାନ୍ତ୍ରିକ ଉପକରଣ ସହିତ ଆମର ବନ୍ଧନ ଆଜୀବନ ବ୍ୟାପି ହୋଇଯାଇଛି।
ବିଶ୍ୱବ୍ୟାପୀ ଶିକ୍ଷା କ୍ଷେତ୍ରରେ ବ୍ଲୁମଙ୍କ ବର୍ଗୀକରଣ ଅନୁଯାୟୀ, ଶିକ୍ଷାର ବ୍ୟାପକ ସ୍ୱୀକୃତିପ୍ରାପ୍ତ ପର୍ଯ୍ୟାୟଗୁଡ଼ିକ ହେଉଛି ମନେରଖିବା, ବୁଝିବା, ପ୍ରୟୋଗ କରିବା, ବିଶ୍ଳେଷଣ କରିବା, ମୂଲ୍ୟାଙ୍କନ କରିବା ଏବଂ ସୃଷ୍ଟି କରିବା। ପ୍ରଥମ ତିନୋଟି ପର୍ଯ୍ୟାୟ ଶିକ୍ଷକଙ୍କ ଉପରେ ପର୍ଯ୍ୟବସିତ ହୋଇଥିବାବେଳେ ପରବର୍ତ୍ତୀ ତିନୋଟି ଛାତ୍ର ସ୍ୱାଧୀନତାକୁ ପ୍ରାଧାନ୍ୟ ଦେଇଥାଏ। ଦୁର୍ଭାଗ୍ୟବଶତଃ, ଚାଟ୍ ଜିପିଟି ଏହି ସମସ୍ତ ପର୍ଯ୍ୟାୟରେ ଶିକ୍ଷାର୍ଥୀମାନଙ୍କୁ ସୁବିଧା ଦେଇ ସେମାନଙ୍କ ଚିନ୍ତା, ଅନୁସନ୍ଧାନ ଏବଂ ଉତ୍ପାଦନ କରିବାର କ୍ଷମତା ହ୍ରାସ କରୁଛି।
ନ୍ୟୁୟର୍କ ସହରର କେତେକ ସରକାରୀ ବିଦ୍ୟାଳୟରେ ଚାଟ୍ ଜିପିଟିକୁ ସେମାନଙ୍କ ନେଟୱାର୍କ ବ୍ୟବସ୍ଥାରୁ ନିଷିଦ୍ଧ କରାଯାଇଛି, କିନ୍ତୁ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଚାଟ୍ ଜିପିଟି ପରି କୃତ୍ରିମ ବୁଦ୍ଧିମତ୍ତାର ଚାଟବଟଗୁଡ଼ିକ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିବ, ଏ କଥାକୁ ଅସ୍ୱୀକାର କରାଯାଇନପାରେ। ତେଣୁ ଆମେ ସଞ୍ଚାରରୂପୀ ଏହି ଅଦ୍ଭୁତ ଶକ୍ତିସମ୍ପନ୍ନ ରାକ୍ଷସ ମଧ୍ୟରେ ଆମ ଜୀବନକୁ ସୁଗମ କରିବାର ମାଧ୍ୟମ ଖୋଜିବା ଉଚିତ। ‘କୋଠରିରେ ହାତୀ’ ରୂପକ ଚମତ୍କାର ବାସ୍ତବତାକୁ ବୁଝି ଆମକୁ ସଚେତନତାର ସହ ବିଭିନ୍ନ ସାଧନର ସଠିକ୍ ବ୍ୟବହାର ଦିଗରେ ସତର୍କ ହେବା ଉଚିତ।
ପ୍ରଯୁକ୍ତି ପରିବେଷ୍ଟିତ ସାମ୍ପ୍ରତିକ ଜୀବନଧାରାରେ କ୍ରମବର୍ଦ୍ଧିଷ୍ଣୁ କୃତ୍ରିମ ବୁଦ୍ଧିମତ୍ତାର ପ୍ରବେଶ ଏହାକୁ ଯେତିକି ସୁବିଧାଜନକ କରିଛି, ତାହାଠାରୁ ଅଧିକ ଏକ ଅନିଶ୍ଚିତ ଭବିଷ୍ୟତର ଅଙ୍କୁରୋଦଗମ୍ କରିଛି। ବୈଷୟିକ ପ୍ରଗତିର ଅଗଣିତ ଉପକାରିତା ଅଛି, କିନ୍ତୁ ଶିକ୍ଷା ପଥରେ ପ୍ରଯୁକ୍ତି ବିଦ୍ୟା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ଅନୁଚିତ, ଯାହାକି ପରବର୍ତ୍ତୀ ପିଢ଼ିର ବୁଦ୍ଧିମତ୍ତାକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେବ। ବୁଦ୍ଧି, ବିବେକ, ଦୟା, କରୁଣା, ଅନୁକମ୍ପା ଭଳି ସମସ୍ତ ଦୈବଦତ୍ତ ଗୁଣରେ ଭରା ଚେତନଶୀଳ ମଣିଷ ସାମାନ୍ୟ ନିଷ୍ପତ୍ତିଟିଏ ପାଇଁ ସମ୍ପ୍ରତି ନିଜ ଦ୍ୱାରା ସୃଷ୍ଟ କୃତ୍ରିମ ବୁଦ୍ଧିମତ୍ତା ଉପରେ ନିର୍ଭର କରିବା ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି ବୋଲି କୁହାଯାଇପାରେ। ନିର୍ଭରଶୀଳତା କିଛିମାତ୍ରାରେ ଗ୍ରହଣଯୋଗ୍ୟ, କିନ୍ତୁ ସମ୍ପୂର୍ଣ୍ଣ ନିର୍ଭରଶୀଳତା ଅଗ୍ରହଣୀୟ। ହୃଷିକେଶ ପ୍ରଧାନ
ମହେନ୍ଦ୍ରଗଡ଼(ହରିୟାଣା), ମୋ: ୮୦୧୮୧୭୨୩୦୧





