ଶିକ୍ଷାବ୍ୟବସ୍ଥାରେ ଜନଭାଗିଦାରୀ
ଆମ ସମୟରେ ସ୍କୁଲ କହିଲେ କିଛି ଟାଇଲ ଛପର ବା ଚାଳ ଛପର ଘର ଥିଲା, ଯେଉଁଥିରେ ବର୍ଷାଋତୁରେ ଶ୍ରେଣୀ ଗୃହକୁ ବର୍ଷା ଅନାୟାସରେ ଆସି ପାରୁଥିଲା। ଶ୍ରେଣୀ ଗୃହର ମେଜିଆ କହିଲେ ଆଣ୍ଠୁଏ ଆଣ୍ଠୁଏ ଦେବୀ ନଦୀର ଚିକ ଚିକ ବାଲି। ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ପାଠ ପଢ଼଼ା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣର ବରଗଛ ଛାଇ ହେଉଥିଲା ଶ୍ରେଣୀ ଗୃହ। ସେ ସମୟରେ ଶିକ୍ଷକମାନେ ଦରମା କେବେ ପାଉଥିଲେ, କେତେ ପାଉଥିଲେ ସେ […]
ଆମ ସମୟରେ ସ୍କୁଲ କହିଲେ କିଛି ଟାଇଲ ଛପର ବା ଚାଳ ଛପର ଘର ଥିଲା, ଯେଉଁଥିରେ ବର୍ଷାଋତୁରେ ଶ୍ରେଣୀ ଗୃହକୁ ବର୍ଷା ଅନାୟାସରେ ଆସି ପାରୁଥିଲା। ଶ୍ରେଣୀ ଗୃହର ମେଜିଆ କହିଲେ ଆଣ୍ଠୁଏ ଆଣ୍ଠୁଏ ଦେବୀ ନଦୀର ଚିକ ଚିକ ବାଲି। ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ପାଠ ପଢ଼଼ା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣର ବରଗଛ ଛାଇ ହେଉଥିଲା ଶ୍ରେଣୀ ଗୃହ। ସେ ସମୟରେ ଶିକ୍ଷକମାନେ ଦରମା କେବେ ପାଉଥିଲେ, କେତେ ପାଉଥିଲେ ସେ ବିଷୟରେ କେହି କେବେ ଭାବୁ ନଥିଲେ କି ଜାଣୁ ନଥିଲେ। ଶିକ୍ଷକମାନଙ୍କ ଦୋକାନରେ ବାକି ଖାତା ତାଙ୍କ ଆର୍ଥିକ ସ୍ଥିତିର ପରିଚୟ ସହଜରେ ଦେଉଥିଲା।
ଏ ସବୁସତ୍ତ୍ବେ ଉଭୟ ଶିକ୍ଷକ ଓ ଛାତ୍ର କେବେ ନିଜ ଦାୟିତ୍ୱଠାରୁ ଦୂରେଇ ଯିବାର ଅନୁଭବ ହେଉ ନଥିଲା। ସେ ସମୟରେ ପ୍ରତ୍ୟେକ ବିଷୟ ପାଇଁ ସବୁ ଶ୍ରେଣୀରେ ଶିକ୍ଷକ ଉପଲବ୍ଧ ହେଉନଥିଲେ। କିନ୍ତୁ କେବେ ଶିକ୍ଷକ ଅଭାବରୁ ଆମର ପାଠ ପଢ଼଼ାରେ ବ୍ୟାଘାତ ସୃଷ୍ଟି ହେବାର କଥା ମୋର ମନେ ନାହିଁ। ଏହାର ମୁଖ୍ୟ କାରଣ ଥିଲା ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କ ସ୍ୱେଚ୍ଛାକୃତ ଶିକ୍ଷାଦାନ ପ୍ରବୃତ୍ତି। ଅନେକ ସମୟରେ ନୂଆନୂଆ ଶିକ୍ଷକ ରୂପରେ ସେମାନେ ଆମକୁ କିଛିଦିନ ପାଇଁ ପଢ଼଼ାଇବାକୁ ଆସୁଥିଲେ। କିଛି ନୂଆ କଥା ନୂଆ ଢଙ୍ଗରେ ଆମକୁ ବୁଝାଉ ଥିଲେ, ଯାହା ଆମ ସମସ୍ତଙ୍କର ସହଜରେ ମନେ ରହିଯାଉଥିଲା। ଏହାବ୍ୟତୀତ ଆମ ନିୟମିତ ଶିକ୍ଷକଙ୍କ ମାଡ଼ ଭୟ ମଧ୍ୟ କମି ଯାଉଥିବାରୁ ପିଲାମାନେ ସାମୟିକ ଭାବେ ଅଧିକ ଉତ୍ସାହର ସହିତ ଅଧ୍ୟୟନ କରୁଥିଲେ।
ଏବେ ସମୟ ବଦଳିଛି। ପ୍ରାୟତଃ ଦେଖାଯାଏ ଶ୍ରେଣୀଗୃହ, ପାଠାଗାର, ଖେଳପଡ଼ିଆ ତଥା ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସରକାରୀ ବିଦ୍ୟାଳୟରେ ଉପଲବ୍ଧ। ଏହି ସବୁ ସମସ୍ୟାକୁ ‘ମୋ ସ୍କୁଲ ଅଭିଯାନ’ ଯୋଜନାରେ ଅତି ସୁନ୍ଦର ଭାବରେ ସମାଧାନ କରିବାର ପ୍ରୟାସ ହେଉଛି। ଯେଉଁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ବର୍ଷା ଦିନେ କିଛି ଶ୍ରେଣୀର ପାଠ ପଢ଼଼ା ବାତିଲ କରଯାଉଥିଲା, ସେହି ସବୁ ବିଦ୍ୟାଳୟରେ ଆଜି ଶ୍ରେଣୀ ଗୃହ ଛାତ୍ରଛାତ୍ରୀପୂର୍ଣ୍ଣ ହୋଇ ଛିଡ଼ା ହୋଇଛି। ଆଜି ଅନେକ ବିଦ୍ୟାଳୟରେ ସବୁ ଶ୍ରେଣୀ ପାଇଁ ଶିକ୍ଷକ ନାହାନ୍ତି ବା ଅନ୍ୟକାମରେ ବ୍ୟସ୍ତ ରହି ପାଠପଢ଼଼ା କାର୍ଯ୍ୟ ଠିକ ଭାବରେ କରିପାରୁନାହାନ୍ତି। ଯ’ଦ୍ୱାରା ଶିକ୍ଷାର ମାନ ନିମ୍ନାଭିମୁଖୀ ହେଉଥିବା ଅଭିଯୋଗ ହେଉଛି। ଯେଉଁମାନେ ଶିକ୍ଷକତା ଚାକିରିକୁ ଗ୍ରହଣ କଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ସହପାଠୀ, ଯିଏ ବହୁଦେଶୀୟ କମ୍ପାନୀରେ ଚାକିରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି, ତା’ କଥା ଭାବି ହତୋତ୍ସାହିତ ହେବା ସହିତ ଶିକ୍ଷାଦାନର ବ୍ରତଠାରୁ ଦୂରେଇ ରହୁଛନ୍ତି। ଏହି ମାନସିକ ଆଶାନ୍ତିକୁ ଅଧିକ ବୃଦ୍ଧି କରାଉଛି ସମାନ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ଦରମା ବ୍ୟବସ୍ଥା। ଶିକ୍ଷକମାନଙ୍କୁ ଅଧିକରୁ ଅଧିକ ଅଣଶିକ୍ଷା କାର୍ଯ୍ୟରେ ବ୍ୟସ୍ତ ରଖିବା ଗୁଣାତ୍ମକ ଶିକ୍ଷା ଦିଗରେ ଏକ ଶକ୍ତ ପ୍ରତିବନ୍ଧକ ବୋଲି ମଧ୍ୟ ମତ ପ୍ରକାଶ ପାଉଛି।
‘ମୋ ସ୍କୁଲ ଅଭିଯାନ’ ସର୍ବଭାରତୀୟ ସ୍ତରରେ ଏକ ବିରଳ ଉଦାହରଣ, ଯେଉଁଥିରେ ବିଦ୍ୟାଳୟର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କ ସହଭାଗିତା ବ୍ୟବସ୍ଥିତ କରାଯାଇଛି। ଏହି ସୁପରିକଳ୍ପିତ ପ୍ରକ୍ରିୟା ମଧ୍ୟରେ ଭାଗ ଓ ଭାଗିଦାରୀ ମଧ୍ୟରେ ଯେଉଁ ପାର୍ଥକ୍ୟ, ତାହା କିପରି ଅଣଦେଖା କାରାଯିବା ଭଳି ମନେହୁଏ। ବିଦ୍ୟାଳୟର ଉନ୍ନତିକରଣ ପାଇଁ ଆସୁଥିବା ଅର୍ଥକୁ ରାଜନୀତି ସହିତ ଜଡ଼ିତ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ସର୍ବଦା ଉପଯୋଗ କରୁଥÒବା ଅଭିଯୋଗ ମଧ୍ୟ ଆସୁଛି। ଅବଶ୍ୟ ଏହା କେତେ ସତ କେତେ ମିଛ ତାହା ଅନୁସନ୍ଧାନସାପେକ୍ଷ। ଏପରି ସ୍ଥିତିରେ ବିଦ୍ୟାଳୟର ଭିତ୍ତିଭୂମି ତଥା ଗୁଣାତ୍ମକ ମାନ ବିଷୟରେ ଭାବୁଥିବା ପୂର୍ବତ୍ତନ ଛାତ୍ରଛାତ୍ରୀ ଗାଁଠାରୁ ଦୂରରେ ରହି ଏ ସବୁକୁ ହୃଦୟଙ୍ଗମ କରି ହତୋତ୍ସାହିତ ହେବା ସାର ହେଉଛି।
ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେଲେ ‘ମୋ ସ୍କୁଲ ଅଭିଯାନ’ର ପରିଚାଳନା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ତଥା ସୁକଳ୍ପିତ କରିବାକୁ ପଡ଼ିବ। ବିଦ୍ୟାଳୟର ଯେଉଁ ପୂର୍ବତନ ଛାତ୍ରଛାତ୍ରୀ ଶିକ୍ଷା ବିଭାଗ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି ବା ସେବାନିବୃତ ହୋଇଛନ୍ତି, ସେମାନଙ୍କୁ ନେଇ ପ୍ରତ୍ୟେକ ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ବ୍ୟବସ୍ଥାକୁ ପୁନଃଗଠନ କରିବାର ପ୍ରୟାସ ହେବା ସହିତ ନିଜ ନିଜ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସହିତ ସେମାନଙ୍କୁ ସାମିଲ କରି ପାରିଲେ ଶିକ୍ଷାର ମାନ ନିଶ୍ଚୟ ବୃଦ୍ଧି ପାଇବ। ନିଜର ଭାଗ ଖୋଜୁଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କ ଅଧିକାରରୁ ବିଦ୍ୟାଳୟଗୁଡ଼ିକୁ ମୁକ୍ତ କରାଇ ବିଦ୍ୟାଳୟର ଉନ୍ନତି ପାଇଁ ଭାଗିଦାରୀ ରଖିବାକୁ ପ୍ରସ୍ତୁତ ଥିବା ସମର୍ପିତ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ଆବଶ୍ୟକ। ବର୍ତ୍ତମାନ ସମୟରେ ଶିକ୍ଷକ ଅଭାବ ଗୋଟିଏ ସାଧାରଣ ସମସ୍ୟା, କିନ୍ତୁ ପ୍ରତ୍ୟେକ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ଯେଉଁମାନେ ସେବାନିବୃତ ହୋଇସାରିଛନ୍ତି ସେମାନଙ୍କୁ ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥା ମଧ୍ୟରେ ରଖିପାରିଲେ ଏହି ସମସ୍ୟା କିଛି ପରିମାଣରେ ସମାଧାନ ହୋଇପାରନ୍ତା।
ବିଦ୍ୟାଳୟ ଶିକ୍ଷା ପ୍ରତ୍ୟେକ ଦେଶର ଉନ୍ନତିର ପ୍ରଥମ ସୋପାନ। ଯେଉଁ ଦେଶର ବିଦ୍ୟାଳୟ ଶିକ୍ଷା ଯେତେ ସୁଦୃଢ଼ ସେ ଦେଶ ସେତେ ଉନ୍ନତ। ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଅର୍ଥ ନୁହେଁ ଅତୀତର ଗୌରବମୟ ପରମ୍ପରାକୁ ସ୍ମରଣ କରି ବର୍ତ୍ତମାନକୁ ନଷ୍ଟ ହେବାର ଦେଖି କେବଳ ଦୀର୍ଘନିଃଶ୍ୱାସ ତ୍ୟାଗ କରିବା। ଭାରତୀୟ ଶିକ୍ଷା ବ୍ୟବସ୍ଥା ସର୍ବକାଳୀନ ପ୍ରଣମ୍ୟ। ତେଣୁ ବର୍ତ୍ତମାନକୁ ସୁଧାରିବାକୁ ହେଲେ ଆମକୁ ଆମର ଗୌରବମୟ ଐତିହ୍ୟକୁ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ପଡ଼ିବ। ଅତୀତରୁ ମାର୍ଗ ଦର୍ଶନ ନେଇ ବର୍ତ୍ତମାନର ଆବଶ୍ୟକତାକୁ ବିଚାର କରି ପଦକ୍ଷେପମାନ ଗ୍ରହଣ କଲେ ଆଗାମୀ ପିଢ଼ି ଆମ ପାଇଁ ଗର୍ବ କରିବ। ଆମର ନିରବତା ହୁଏତ ଆମକୁ ସାମୟିକ ଭାବେ ଏକ ନିର୍ବିବାଦୀୟ ସରଳ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠତି କରିପାରେ; କିନ୍ତୁ ପରବର୍ତ୍ତୀ ସମୟରେ ଏକ ସ୍ୱାର୍ଥପର ବ୍ୟକ୍ତି ଭାବରେ ଚିତ୍ରିତ କରିବ। ସବୁ କାର୍ଯ୍ୟରେ ଭାଗ ଖୋଜିବା; କିନ୍ତୁ ଭାଗିଦାରୀ ପାଇଁ ପ୍ରସ୍ତୁତ ନହେବା ନୀତି କେବଳ ସ୍ୱାର୍ଥପରତାର ପରିଚୟ ନୁହେଁ, ବରଂ ଅଗଣତାନ୍ତ୍ରିକ ଅଟେ।
ତେଣୁ ଏକ ସୁନ୍ଦର ଶିକ୍ଷା ବ୍ୟବସ୍ଥା ପାଇଁ ସରକାରଙ୍କର ଯେତେ ଦାୟିତ୍ୱ, ତା’ଠାରୁ ଅଧିକ ଦାୟିତ୍ୱ ସେହି ବିଦ୍ୟାଳୟର ସମସ୍ତ ସଫଳ ପୂର୍ବତନ ଛାତ୍ରଛାତ୍ରୀଙ୍କର। ନିଜ ଜମିର ଫସଲ ଉଜୁଡ଼ି ଗଲେ ଯେପରି ଆମେ ସ୍ଥିର ହୋଇ ରହିପାରୁନା, ଠିକ ସେହିପରି ଆମେ ଅଧ୍ୟୟନ କରିଥିବା ଅନୁଷ୍ଠାନଗୁଡ଼ିକରେ ସାମାନ୍ୟ ଅନିୟମିତା ଦେଖିଲେ ତାହାର ପ୍ରତିକାର ପାଇଁ ଆମକୁ ସାମ୍ନାକୁ ଆସି ତା’ର ସମାଧାନର ସୂତ୍ର ଖୋଜିବାକୁ ପ୍ରୟାସ କରିବା ଉଚିତ।
ଦେବେନ୍ଦ୍ର ନାଥ ରାଉତ
ନୂଆଦିଲ୍ଲୀ, ମୋ: ୯୩୫୦୧୨୭୩୭୦





