ଶିକ୍ଷାୟତନରେ ସାମାଜିକ ମୂଲ୍ୟବୋଧ

The Sakala Picture
Published On

କିଛିମାସ ପୂର୍ବେ ବିଦ୍ୟାଳୟସ୍ତରୀୟ ଏକ ବିଜ୍ଞାନମେଳାରେ ଯୋଗ ଦେବାର ସୁଯୋଗ ମିଳିଥିଲା। ମେଳାରେ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ବ ପ୍ରକଳ୍ପ ସ୍ଥାନ ପାଇଥିଲା। ଅର୍ଥାତ୍‌‌ ଦୁଇଶହରୁ ଊର୍ଦ୍ଧ୍ବ କୁନିକୁନି ବୈଜ୍ଞାନିକମାନଙ୍କ ଉପସ୍ଥିତି ବିଦ୍ୟାଳୟ ପରିବେଶକୁ ବିଜ୍ଞାନମୟ କରିଦେଇଥିଲା। କୁନି ବୈଜ୍ଞାନିକମାନଙ୍କ ଉତ୍ସାହ, ମନରେ ନିଜ ପ୍ରକଳ୍ପ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାର ଆତ୍ମବିଶ୍ୱାସ ଓ ଆତ୍ମସନ୍ତୁଷ୍ଟି ଅନୁଭବୀ ହିଁ ବୁଝିପାରିବ। ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି କୁନିକୁନି ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ […]

କିଛିମାସ ପୂର୍ବେ ବିଦ୍ୟାଳୟସ୍ତରୀୟ ଏକ ବିଜ୍ଞାନମେଳାରେ ଯୋଗ ଦେବାର ସୁଯୋଗ ମିଳିଥିଲା। ମେଳାରେ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ବ ପ୍ରକଳ୍ପ ସ୍ଥାନ ପାଇଥିଲା। ଅର୍ଥାତ୍‌‌ ଦୁଇଶହରୁ ଊର୍ଦ୍ଧ୍ବ କୁନିକୁନି ବୈଜ୍ଞାନିକମାନଙ୍କ ଉପସ୍ଥିତି ବିଦ୍ୟାଳୟ ପରିବେଶକୁ ବିଜ୍ଞାନମୟ କରିଦେଇଥିଲା। କୁନି ବୈଜ୍ଞାନିକମାନଙ୍କ ଉତ୍ସାହ, ମନରେ ନିଜ ପ୍ରକଳ୍ପ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାର ଆତ୍ମବିଶ୍ୱାସ ଓ ଆତ୍ମସନ୍ତୁଷ୍ଟି ଅନୁଭବୀ ହିଁ ବୁଝିପାରିବ।

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି କୁନିକୁନି ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ କରିବା। ସେମାନଙ୍କ ମଧ୍ୟରେ ଗବେଷଣାତ୍ମକ ଦୃଷ୍ଟିକୋଣ ଓ ପ୍ରାମାଣିକ ତଥ୍ୟ ତଥା ସିଦ୍ଧାନ୍ତ ଆଧାରରେ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି କରିବା। ବିଶେଷକରି ପାଠ୍ୟପୁସ୍ତକ, ଶିକ୍ଷାଦାନ ଓ ଦୈନନ୍ଦିନ ଜୀବନ ମଧ୍ୟରେ ଥିବା ବୈଜ୍ଞାନିକ ସମ୍ୱନ୍ଧର ଉଜାଗର କରି ବିଜ୍ଞାନକୁ ଅତି ନିକଟରୁ ଦେଖିବା, ପରଖିବା ଓ ଉପଯୋଗ କରିବା ଭଳି ବାସ୍ତବ ଜ୍ଞାନ ଓ ଅନୁଭୂତି ସାଉଁଟିବା ବିଜ୍ଞାନ ମେଳାରେ ଉଦ୍ଦେଶ୍ୟ ବୋଲି ଗ୍ରହଣ କରାଯାଇପାରେ। ସେଥିପାଇଁ ସରକାରୀସ୍ତରରେ ଏଭଳି ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟସ୍ତରରେ ହେଉଥିବା ମେଳା ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ଭାବରେ ପ୍ରତିଷ୍ଠିତ କରିବା ସହ ଦେଶ ଓ ବିଶ୍ୱର ମଙ୍ଗଳ ପାଇଁ ନିଜକୁ ସମର୍ପି ଦେବାରେ ପ୍ରୋତ୍ସାହିତ କରିଥାଏ।

ତେବେ ଏଭଳି ବିଜ୍ଞାନ ମେଳାରେ କେବଳ ଯେ ବୈଜ୍ଞାନିକ ସିଦ୍ଧାନ୍ତ ସମ୍ପର୍କରେ ପିଲାମାନେ ଅବଗତ ହୁଅନ୍ତି ବା ସେମାନଙ୍କ ବୈଜ୍ଞାନିକ ମନୋବୃତ୍ତିର ଉନ୍ମେଷ ହୁଏ ତାହା ନୁହେଁ, ଏହା ପିଲାଙ୍କ ଭିତରେ ସାମାଜିକ ମୂଲ୍ୟବୋଧର ବିକାଶ ମଧ୍ୟ କରାଇଥାଏ। ବିଭିନ୍ନ ବିଦ୍ୟାଳୟରୁ (ସରକାରୀ/ବେସରକାରୀ, ଗ୍ରାମାଞ୍ଚଳ/ସହରାଞ୍ଚଳ, ବିଭିନ୍ନ ମାଧ୍ୟମ ଯଥା ଓଡ଼ିଆ/ଇଂରାଜୀ)ବିଭିନ୍ନ ସାମାଜିକ, ଆର୍ଥିକ ଓ ବୌଦ୍ଧିକ ବର୍ଗର ପିଲାଙ୍କ ସହ ବିଭିନ୍ନ ଶ୍ରେଣୀର ପିଲାଙ୍କ କୁମ୍ଭମେଳା ହେଉଛି ଏଭଳି କାର୍ଯ୍ୟକ୍ରମ। ପିଲାମାନେ ପରସ୍ପରକୁ ଭେଟନ୍ତି। ନିଜ ପ୍ରକଳ୍ପ, ପରିବାର ଓ ବିଦ୍ୟାଳୟ ସମ୍ୱନ୍ଧରେ ଆଲୋଚନା ଓ ଭାବ ବିନିମୟ କରନ୍ତି। ପରସ୍ପର ମଧ୍ୟରେ ବନ୍ଧୁତା ସୃଷ୍ଟି ହୁଏ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କ ଭିତରେ ଆବେଗିକ ବୁଦ୍ଧ୍ୟାଙ୍କର ବିକାଶ ହେବା ସହ ସାମାଜିକ ସଦଭାବନା ଓ ସମରସତାର ବିକାଶ ହୋଇଥାଏ। ଏହାର ପ୍ରଭାବ ଭବିଷ୍ୟତ ଜୀବନରେ ମଧ୍ୟ ପଡ଼ିଥାଏ। ଫଳତଃ ସେମାନେ ଜଣେ ଜଣେ ଦାୟିତ୍ୱବାନ ନାଗରିକ ଓ ସମାଜର ଅଗ୍ରଣୀ ସଦସ୍ୟ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହେବାରେ ବିଶେଷ ଲାଭବାନ ହୋଇଥା’ନ୍ତି।

ତେବେ ବିଜ୍ଞାନ ମେଳାରେ କେତେକ ଦୃଶ୍ୟ ମୋ ଭଳି ଅନେକ ଅଭିଭାବକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କଲା। ଅତିଥିମାନଙ୍କ ହାବଭାବ, ପ୍ରକଳ୍ପ ଦେଖି ଅପ୍ରସ୍ତୁତ ଭାବେ ପ୍ରଶ୍ନ ପଚାରିବାର ମାନସିକତା ଓ ବିଶେଷକରି କିଛି ପିଲାଙ୍କୁ ନଜରଅନ୍ଦାଜ କରି ଚାଲିଯିବା କୁନିକୁନି ବୈଜ୍ଞାନିକମାନଙ୍କ ଭିତରେ କେତେ ଯେ ଆଘାତ ଦିଏ ତାହା କଥାରେ ପ୍ରକାଶ କରିହେବ ନାହିଁ। ପିଲାମାନେ ଏଭଳି କହନ୍ତି ମୋତେ ଅତିଥିମାନେ ପଚାରିଲେ ନାହିଁ କି ଅନେଇଲେ ନାହିଁ, କିନ୍ତୁୁ ପାଖ ପିଲାଟିକୁ ବହୁ ସମୟ ପଚାରିଲେ ଓ ତାଙ୍କ ପରିଚୟ ପଚାରିବା ସହ ବାପାମାଆଙ୍କ ବିଷୟରେ ପଚାରିଲେ। ଏଭଳି ଅନେକ ଅଭାବନୀୟ ଘଟଣା ସେମାନଙ୍କୁ ଦୁର୍ବଳ କରିଦିଏ। ଫଳରେ ପିଲାଟି ନିଜକୁ ଦୁର୍ବଳ ଓ ନିକୃଷ୍ଟ ବୋଲି ତିରସ୍କାର କରେ। ତେଣୁ ଅତିଥିମାନଙ୍କ ଆଚରଣ ସର୍ବସ୍ପର୍ଶୀ ଓ ସମାବେଶୀ ହେବା ଉଚିତ।

ମୋର ମନେ ଅଛି, ଅନେକ କୁନିକୁନି ପିଲା ଗାଁରୁ ଆସିଥିଲେ ଅତି ସାଧାରଣ ପ୍ରକଳ୍ପ ନେଇ। ବୋଧହୁଏ ସେମାନେ ପ୍ରଥମ ଥର ସହରକୁ ଆସିଥାଇ ପାରନ୍ତି। ସେମାନଙ୍କ ପୋଷାକ ଓ ସରଳ ଆଚରଣ ସହରୀ ଓ ଧନୀ ପିଲାଙ୍କ ସହ ସମକକ୍ଷ ହୋଇ ନପାରେ, କିନ୍ତୁ ସେମାନେ ଯେଉଁ ଉତ୍ସାହ ନେଇ ଆସିଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ଅତିଥିମାନଙ୍କ ପ୍ରମୁଖ ଦାୟିତ୍ୱ ଥିଲା। ଅତିଥି ଓ ବିଚାରକ ମଣ୍ଡଳୀ ଭାବିବା ଦରକାର ଯେ ମେଳାରେ ଭାଗ ନେଇଥିବା ପ୍ରତ୍ୟେକ ପ୍ରତିଭାଗୀ ସମାନ ସ୍ନେହ, ଆଦର ଓ ପ୍ରୋତ୍ସାହନ ପାଇବା ଉଚିତ। ଯଦି ଅତିଥିମାନଙ୍କ ସମୟ ନାହିଁ ପିଲାଙ୍କ ପାଖରେ ଠିଆ ହୋଇ ପ୍ରୋତ୍ସାହିତ କରିବା ପାଇଁ ସେମାନେ ସେଭଳି କାର୍ଯ୍ୟକ୍ରମକୁ ନ ଆସିବା ଭଲ। ଯେଉଁ ଗରୀବ ଗାଉଁଲି ପିଲାଟି ନିଜ ସୀମିତ ସମ୍ୱଳ ଭିତରେ କିଛି ସାମଗ୍ରୀ ସଂଗ୍ରହ କରି ବୈଜ୍ଞାନିକ ହେବାର ସ୍ୱପ୍ନ ନେଇ ଆସିଛି, ତା’କୁ ଅନାଦର କରିବା, ତା’ର ସାଧାରଣ ପ୍ରକଳ୍ପକୁ ତାତ୍ସଲ୍ୟ କରିବା ବା ପଦୁଟିଏ ନ ପଚାରି ଚାଲିଯିବା କେଉଁ ପ୍ରକାର ମାନସିକତା! ଏହା ପିଲାଙ୍କ ଭିତରେ ନିରାଶା ଭାବ ସୃଷ୍ଟି କରେ।

ତେଣୁ ବିଜ୍ଞାନ ମେଳା ଭଳି ଗୋଷ୍ଠୀଗତ କାର୍ଯ୍ୟକ୍ରମରେ ସାମାଜିକ ଦିଗକୁ ବିଶେଷ ଦୃଷ୍ଟି ଦେବା ଅତ୍ୟନ୍ତ ପ୍ରୟୋଜନ। ଫଳତଃ ପିଲାଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ସହ ସାମାଜିକ ମୂଲ୍ୟବୋଧର ମଧ୍ୟ ବିକାଶ ହୋଇପାରିବ। ଏତିକି ସହଯୋଗ ପ୍ରତିଭାଗୀଙ୍କୁ ବୈଜ୍ଞାନିକ, ନେତା, ସାମାଜିକ କର୍ମୀ ଓ ସର୍ବୋପରି ଭଲ ନାଗରିକ ହେବାରେ ସୁଯୋଗ ସୃଷ୍ଟି କରିପାରିବ। ଡ. ମନୋରଞ୍ଜନ ପ୍ରଧାନ ଜୟପୁର,ମୋ: ୯୪୩୭୯୧୪୮୧୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର