ଜି.ଏସ୍.ଟି: ଏକ ଆକଳନ
ଭାରତ ସ୍ବାଧୀନ େହବା ପରେ ଦେଶରେ ଆର୍ଥିକ ସଂସ୍କାର କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଇନ ହେଉଛି ଜି.ଏସ୍.ଟି, ଯାହା ୦୧.୦୭.୨୦୧୭ରେ ପ୍ରଚଳନ କରାଯାଇଛି। ଜି.ଏସ୍.ଟି ହେଉଛି ଭାରତ ଭଳି ଏକ ସାର୍ଭଭୌମରାଷ୍ଟ୍ରରେ ଏକକ ପରୋକ୍ଷ କର ବ୍ୟବସ୍ଥା। ଏକଦା ବିଖ୍ୟାତ ଅର୍ଥନୀତିଜ୍ଞ ଫ୍ରାଙ୍କଲିନ ବେଞ୍ଜାମିନ, ପୃଥିବୀରେ ମୃତ୍ୟୁ ଓ ଟିକସ୍ ଦୁଇଟି ଧ୍ରୁବସତ୍ୟ ବୋଲି କହିଥିଲେ। ତେଣୁ ରାଷ୍ଟ୍ର ରହିଲେ କର ରହିବ, ହେଲେ ଏହାର ସ୍ୱରୂପ କିପରି ହେବ ଓ ଏକ ଜନମଙ୍ଗଳ ରାଷ୍ଟ୍ରରେ ସମୂହ […]
ଭାରତ ସ୍ବାଧୀନ େହବା ପରେ ଦେଶରେ ଆର୍ଥିକ ସଂସ୍କାର କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଇନ ହେଉଛି ଜି.ଏସ୍.ଟି, ଯାହା ୦୧.୦୭.୨୦୧୭ରେ ପ୍ରଚଳନ କରାଯାଇଛି। ଜି.ଏସ୍.ଟି ହେଉଛି ଭାରତ ଭଳି ଏକ ସାର୍ଭଭୌମରାଷ୍ଟ୍ରରେ ଏକକ ପରୋକ୍ଷ କର ବ୍ୟବସ୍ଥା। ଏକଦା ବିଖ୍ୟାତ ଅର୍ଥନୀତିଜ୍ଞ ଫ୍ରାଙ୍କଲିନ ବେଞ୍ଜାମିନ, ପୃଥିବୀରେ ମୃତ୍ୟୁ ଓ ଟିକସ୍ ଦୁଇଟି ଧ୍ରୁବସତ୍ୟ ବୋଲି କହିଥିଲେ। ତେଣୁ ରାଷ୍ଟ୍ର ରହିଲେ କର ରହିବ, ହେଲେ ଏହାର ସ୍ୱରୂପ କିପରି ହେବ ଓ ଏକ ଜନମଙ୍ଗଳ ରାଷ୍ଟ୍ରରେ ସମୂହ ସ୍ୱାର୍ଥଦୃଷ୍ଟିରୁ ଏହା କିପରି ବିନିଯୋଗ ହେବ ତାହା ବିଚାର୍ଯ୍ୟର ବିଷୟ। ଯେ କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ଓ ପରୋକ୍ଷ କର ଏହିପରି ଭାବରେ ଦୁଇ ପ୍ରକାର କର ଦେଇଥା’ନ୍ତି। ଆୟକର ଯାହାକି ଏକ ପ୍ରତ୍ୟକ୍ଷ କର ତାହା ଅଧିକ ଆୟ କରୁଥିବା ବ୍ୟକ୍ତିମାନେ ଦେଇଥା’ନ୍ତି। ସାଧାରଣ ଜନତା ଆୟର ହାରାହାରି ୫୦ ରୁ ୬୦ ପ୍ରତିଶତ ଅଂଶ ନିତ୍ୟ ବ୍ୟବହୃତ ଦ୍ରବ୍ୟରେ ଖର୍ଚ୍ଚ କରିଥା’ନ୍ତି।
ତେଣୁ ସେହିଦୃଷ୍ଟିରୁ ସେଥିଉପରେ ଲାଗୁ ପରୋକ୍ଷ କର ତାଙ୍କ ପ୍ରତି ବିଶେଷ ଗୁରୁତ୍ୱ ବହନ କରେ। ଧନିକ ଗୋଷ୍ଠୀ ଆୟକର ଦେଲେ ମଧ୍ୟ ତାଙ୍କର ଅଧିକ ଆୟକୁ ବିନିଯୋଗ କରି ଲାଭବାନ ହୋଇଥା’ନ୍ତି। ସେମାନେ ଆୟର ଖୁବ୍ କମ ଅଂଶ ମାତ୍ର ଦୈନନ୍ଦିନ ବ୍ୟବହୃତ ସାମଗ୍ରୀରେ ଖର୍ଚ୍ଚ କରିଥା’ନ୍ତି ଓ ପରୋକ୍ଷ କର ଆୟର ତୁଳନାତ୍ମକ ପ୍ରତିଶତ ଭାବେ କମ୍ ଦେଇଥାନ୍ତି। ପୂର୍ବରୁ ଏକସାଇଜ୍, ଭାଟ୍, ସର୍ଭିସ୍ ଟ୍ୟାକ୍ସ, ଏଣ୍ଟ୍ରି ଟ୍ୟାକ୍ସ ଇତ୍ୟାଦି ୨୧ପ୍ରକାର ଟ୍ୟାକସ୍ ପ୍ରଚଳିତ ଥିଲା ଓ ସର୍ବାଧିକ କେତେକ ବସ୍ତୁ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଟ୍ୟାକ୍ସ ଲାଗୁଥିଲା। ଏହି ସମସ୍ତ କରକୁ ଉଚ୍ଛେଦ କରି ବହୁ ବାଦାନୁବାଦ ତଥା ପ୍ରାୟ ଏକ ଦଶନ୍ଧିର ନିରବିଚ୍ଛିନ୍ନ ପ୍ରୟାସ ପରେ ଜୁଲାଇ ୨୦୧୭ରୁ କେନ୍ଦ୍ର ସରକାର ଜି.ଏସ୍.ଟି ପ୍ରଚଳନ କରିବାକୁ ସକ୍ଷମ ହେଲେ। ଯାହାକି ବାସ୍ତବିକ ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଜି.ଏସ୍.ଟି ପ୍ରଚଳନ ହେବା ସମୟରେ ଯାହା ପ୍ରାଥମିକ ସ୍ଥରରେ ମାସିକ ୯୦-୯୫୦୦୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା ତାହା ଏବେ ୧୬୫୦୦୦ କୋଟି ଟଙ୍କ।ରେ ପହଞ୍ଚିଛି।
ସରକାର ରାଜ୍ୟମାନଙ୍କୁ ୧୪ପ୍ରତିଶତ ଜି.ଏସ୍.ଟି ସଂଗ୍ରହର ବାର୍ଷିକ ଅଭିବୃଦ୍ଧି ପ୍ରତିଶ୍ରୁତି ୫ ବର୍ଷ ପାଇଁ ଦେଇଥିଲେ। କୌଣସି ରାଜ୍ୟ ସେହି ପରିମାଣର ଜି.ଏସ୍.ଟି ସଂଗ୍ରହରେ ଅସଫଳ ହେଲେ କେନ୍ଦ୍ର ସରକାର ଏହାର ଭରଣା କରିବେ ବୋଲି କହିଥିଲେ। ସାମଗ୍ରିକ ଭାବରେ ଜି.ଏସ୍.ଟି. ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିଲେ ମଧ୍ୟ ଅନେକ ରାଜ୍ୟରେ ଏହି ଲକ୍ଷ ପୁରଣ ହୋଇନାହିଁ। ଏହି ମର୍ମରେ ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ ପରି ରାଜ୍ୟ କେନ୍ଦ୍ର ସରକାରଙ୍କ ଠାରୁ ୨୦୨୨ ପର୍ଯ୍ୟନ୍ତ ସର୍ବାଧିକ ହାରାହାରି ୬୫ ହଜାର କୋଟି ଟଙ୍କ। ଭରଣା ନେଇଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ଓ କେନ୍ଦ୍ର ଜି.ଏସ୍.ଟି ରାଜସ୍ୱର ସମପରିମାଣରେ ଅଂଶୀଦାର। ବର୍ତ୍ତମାନ ଆଲୋଚ୍ୟର ବିଷୟ ଦୀର୍ଘ ୬ ବର୍ଷ ପରେ ସବୁଠାରୁ ଏହି ଆଇନ୍ ଜନସାଧାରଣଙ୍କର ଆଶା-ଆକାଂକ୍ଷାକୁ କେତେ ମାତ୍ରାରେ ପୂରଣ କରିପାରିଛି ।
ଜି.ଏସ୍.ଟି. କହିଲେ ସାଧାରଣତଃ ଗୋଟିଏ ଦେଶରେ ଗୋଟିଏ କର ଓ ଗୋଟିଏ ଦରକୁ ବୁଝାଏ। କିନ୍ତୁ ଆମ କ୍ଷେତ୍ରରେ ମୁଳତଃ ୪ଟି ଦର ଯଥା ୫, ୧୨, ୧୮ ଓ ୨୮ ପ୍ରତିଶତ ଲାଗୁ କରାଯାଇଛି। କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଖାଇବା ପଦାର୍ଥରେ ୫ ପ୍ରତିଶତ କର ଲାଗୁ ହେଲେ ସୌଖିନ ଦ୍ରବ୍ୟ ଯଥା କାର, ଏସି ଓ ବିଳାସ ସାମଗ୍ରୀ ଉପରେ ୨୮ ପ୍ରତିଶତ ଓ ଅନ୍ୟାନ୍ୟ ଅଧିକାଂଶ ସାମଗ୍ରୀରେ ୧୮ ପ୍ରତିଶତ ଲାଗୁ କରାଯାଇଛି। ମୂଲ୍ୟବାନ ଧାତୁ ଉପରେ ୦.୨୫ ପ୍ରତିଶତ ଓ ସୁନା ଉପରେ ୩ ପ୍ରତିଶତ ଜି.ଏସ୍.ଟି. ଲାଗୁ କରାଯାଇଛି। ବର୍ତ୍ତମାନ ଏହିପରି ଅନେକ ଦର ପ୍ରଚଳିତ ଥିବାରୁ ସରକାର ସମାଲୋଚନାର ଶିକାର ହେଉଛନ୍ତି, କିନ୍ତୁ ଭାରତ ଭଳି ବହୁବିଧ ବିଭିନ୍ନତା ଥାଇ ବିଶାଳ ଦେଶରେ ଅନେକଗୁଡ଼ିଏ ଦର ରହିବା ଆବଶ୍ୟକ ଓ ସ୍ୱାଭାବିକ। ଅବଶ୍ୟ ନିକଟ ଭବିଷ୍ୟତରେ ୧୨ ଓ ୧୮ ପ୍ରତିଶତକୁ ମିଶାଇ ୧୫ପ୍ରତିଶତ ଦର ଯଦି କରାଯାଏ ତେବେ ପ୍ରଥମେ କିଛିଟା ରାଜସ୍ୱ କ୍ଷତି ହୁଏତ ହୋଇପାରେ, କିନ୍ତୁ ଦେଶର ମୋଟ ଅଭିବୃଦ୍ଧି ହାର ଆଶାନୁରୂପକ ହେଉଥିବାରୁ, ଏହା ବିଶେଷ ପ୍ରଭାବ ପଡ଼ିବନାହିଁ।
ବରଂ ଆମ ଅର୍ଥନୀତିରେ ‘କଞ୍ଜପସନ୍’, ଯାହା ଏକଦା ୬୨ ପ୍ରତିଶତ ଥିଲା ତାହା ହ୍ରାସ ପାଇ ବର୍ତ୍ତମାନ ୫୨ ପ୍ରତିଶତ ହୋଇଛି। ଜି.ଏସ.ଟି ଦର ହ୍ରାସ ହେଲେ ଏହାର ଅଭିବୃଦ୍ଧି ହୋଇ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ। ଜି.ଏସ୍.ଟି. ପ୍ରଚଳନ ପରେ ପୁନଃପୌନିକ ଭାବରେ ଯେଉଁ ବିଭିନ୍ନ ପ୍ରକାର କର ଲଗାଯାଉଥିଲା ତାହାର ଏକ କୁପ୍ରଭାବରୁ ସାମଗ୍ରୀ ବା ସେବାର ଅହେତୁକ ଦରବୃଦ୍ଧି ଘଟୁଥିଲା ଯାହା ବର୍ତ୍ତମାନ ବହୁ ମାତ୍ରାରେ ହ୍ରାସ ପାଇଛି। ଜି.ଏସ୍.ଟି. ଏକ ଏକକକୈନ୍ଦ୍ରିକ ପରୋକ୍ଷ କର ବ୍ୟବସ୍ଥା ଓ ଏହା ନୀତିଗତ ଓ ପ୍ରଶାସନିକ ଭାବରେ ଏକୀକୃତ ନିୟମରେ ପରିଚାଳିତ ହେଉଛି, ଯାହାକି ପୂର୍ବରୁ ରାଜ୍ୟ-ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରକାର ନିୟମ ଓ ଦର ତାରତମ୍ୟକୁ ଦୂର କରି ଅତି ଶୃଙ୍ଖଳିତ ଭାବରେ ସାରା ଭାରତରେ ବାଣିଜ୍ୟ ବ୍ୟବସାୟ ପାଇଁ ଏକକ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଛି। ଜି.ଏସ୍.ଟି. ସର୍ବଶେଷ ବ୍ୟବହାରକାରୀ ସ୍ଥଳରେ ଲାଗୁ ହେଉଥିବା କର ବ୍ୟବସ୍ଥା। ଅର୍ଥାତ ଯେଉଁ ରାଜ୍ୟରେ ସାମଗ୍ରୀ ବା ସେବା ବ୍ୟବହୃତ ହେବ, ଜିଏସଟି ସେହି ରାଜ୍ୟରେ ଲାଗୁ ହେବ।
ପୂର୍ବରୁ ଅନେକ ସାମଗ୍ରୀ ଉତ୍ପାଦନ ଓ ଉତ୍ସଭିତ୍ତିକ ଥିବାରୁ ଶିଳ୍ପ କ୍ଷେତ୍ରରେ ଉନ୍ନତ ରାଜ୍ୟ ଅଧିକ କର ଆଦାୟ କରି ଲାଭବାନ ହେଉଥିଲେ ଓ ଅନୁନ୍ନତ ରାଜ୍ୟ ଯେଉଁମାନେ ଉତ୍ପାଦନ ଅପେକ୍ଷା ବେଶି କ୍ରୟ କରୁଥିଲେ ସେମାନେ ରାଜସ୍ୱ କ୍ଷତି ସହୁଥିଲେ। ଓଡ଼ିଶା ମଧ୍ୟ ତା’ ମଧ୍ୟରୁ ଅନ୍ୟତମ ଥିଲା। ଏକଥା ସତ ଯେ ଜି.ଏସ୍.ଟି. ଲାଗୁ ହେବା ପରେ ଉତ୍ପାଦକତା ଓ ଯୋଗାଣ ଶୃଙ୍ଖଳରେ ବହୁମାତ୍ରାରେ ଉନ୍ନତି ଆସିଛି ଓ ବ୍ୟବସାୟ ବାଣିଜ୍ୟ ପ୍ରକ୍ରିୟା ସରଳ ହୋଇଛି। ଏହା ଅଧିକ ବହୁରାଷ୍ଟ୍ରୀୟ କଂପାନୀଙ୍କୁ ଭାରତରେ ବ୍ୟବସାୟ କରିବା ପାଇଁ ଆକୃଷ୍ଟ କରୁଛି। ଭାରତରେ ଜି.ଏସ୍.ଟି. ଲାଗୁହେବା ପରେ ଅନେକ ଅସଂଗଠିତ କ୍ଷେତ୍ର ଯଥା ବୟନ ଶିଳ୍ପ, ଗୃହ ନିର୍ମାଣ ଇତ୍ୟାଦି ଏହାର ପରିସରଭୁକ୍ତ ହୋଇଛନ୍ତି। ପୂର୍ବରୁ ଅନ୍ୟାନ୍ୟ ଅନେକ ଅସଂଗଠିତ କ୍ଷେତ୍ରରେ ବହୁମାତ୍ରାରେ ଟିକସ୍ ଫାଙ୍କି ହେଉଥିଲା, ତାହା ବର୍ତ୍ତମାନ ଅନେକାଂଶରେ ପ୍ରତିରୋଧ କରାଯାଇପାରିଛି। ଜି.ଏସ୍.ଟି. ଏକ ପୂର୍ଣ୍ଣ ମାତ୍ରାରେ ଜିଡିଟାଇଜଡ ପ୍ରକ୍ରିୟା ହୋଇଥିବାରୁ, ବ୍ୟବସାୟରେ ପାରଦର୍ଶିତା ବହୁମାତ୍ରାରେ ବୃଦ୍ଧି ପାଇଛି। ଅନ୍ୟ ଦେଶ ତୁଳନାରେ ଭାରତରେ ଜି.ଏସ୍.ଟି.ର ନିୟମ ସାମାନ୍ୟ ଜଟିଳ। କାରଣ ଏଠାରେ ମୂଳରୁ ବି୨ବି ବିଲ୍ ର ଅନୁରୂପ ବିଲ ସହ ତୁଳନା କରାଯାଇଥାଏ। ଫଳ ସ୍ୱରୂପ ରାଜସ୍ୱ, ପୁଞ୍ଜି ଲଗାଣ ଏବଂ କରଣୀୟମ ଅନୂପାଳନ ବୃଦ୍ଧି ପାଇଛି। ଜି.ଏସ୍.ଟି. ଆରମ୍ଭ ସମୟରେ ଥିବା ୬୮ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନର ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ୧.୫ କୋଟିରୁ ଅଧିକ ଏହାର ପରିସରଭୁକ୍ତ ହୋଇଛନ୍ତି।
ପ୍ରତ୍ୟକ୍ଷ ଭାବରେ ଜି.ଏସ୍.ଟି.ରୁ ଅନେକ ସୁଫଳ ପରିଲକ୍ଷିତ ହେଉଥିଲେ ମଧ୍ୟ ପରୋକ୍ଷ ଭାବରେ ମଧ୍ୟ ଆମେ ବହୁମାତ୍ରାରେ ଏଥିରୁ ଉପକୃତ ହେଉଛୁ। ଭାରତ ବର୍ଷରେ ଅର୍ଥନୈତିକ ଓ ଆର୍ଥିକ ପରିସଂଖ୍ୟାନର ଗୁଣବତ୍ତା ଓ ସତ୍ୟତାକୁ ନେଇ ସମାଲୋଚନା ହେଉଥିଲା। କିନ୍ତୁ ଏବେ ଜି.ଏସ୍.ଟି. ତଥ୍ୟ ଅନୁଯାୟୀ ଆମ ଅର୍ଥନୀତି କେତେ ସଂଗଠିତ ହୋଇଛି, କେଉଁ ଜିଲ୍ଲା କେତେ ଅଗ୍ରଗତି କରୁଛି ବା କେଉଁ ଜିଲ୍ଲା କେତେ ଅନୁନ୍ନତ ରହିଛି, ଉପଭୋକ୍ତାଙ୍କର ସଂଖ୍ୟାରେ ପ୍ରକାରଭେଦ କ’ଣ, ଏହିପରି ଅନେକ ସମୀକ୍ଷା ଆମେ ଭଲଭାବେ କରିପାରୁଛୁ। ସରକାର ଜି.ଏସ୍.ଟି.ର ତଥ୍ୟକୁ ଆୟକର ବିଭାଗ ସହ ତଥ୍ୟ ବିନିମୟ କରୁଥିବାରୁ ଆୟକରରେ ସ୍ୱଚ୍ଛତା ଆସି ଆୟକର ସଂଗ୍ରହ ମଧ୍ୟ ବହୁମାତ୍ରାରେ ବୃଦ୍ଧି ପାଇଛି। ବିଗତ ଦିନରେ ଯଦିଓ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଗଲାଣି, ତଥାପି ବର୍ତ୍ତମାନ ମଧ୍ୟ ଏଥିରେ ଅଧିକ ସଂସ୍କାର ଆବଶ୍ୟକତା ଅଛି।
ଜି.ଏସ୍.ଟି. ଆଇନ ଅନୁଯାୟୀ କୌଣସି ଦ୍ରବ୍ୟ ବା ସେବା ଯେତେବେଳେ କିଣା ବା ବ୍ୟବହୃତ ହେବ ସେତେବେଳେ ତା’ର ଶେଷ ପର୍ଯ୍ୟାୟରେ ବା ଉପଭୋକ୍ତା ପାଖରେ ପହଞ୍ଚିଲେ ଯାଇ ଟ୍ୟାକ୍ସ ଲାଗିବ। ଏହା ଆଗରୁ ଉତ୍ପାଦନ ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ଯାହାବି କର ଲାଗିଥିବ ତାହା ‘ଇନ୍ପୁଟ୍ କ୍ରେଡିଟ୍’ ଆକାରରେ ଫେରସ୍ତ ମିଳିଯିବ। କିନ୍ତୁ ବାସ୍ତବରେ ବିଭିନ୍ନ ବୈଷୟିକ କାରଣ ଯୋଗୁଁ ଏହା ପୂର୍ଣ୍ଣମାତ୍ରାରେ ଠିକ୍ ସମୟରେ ଫେରସ୍ତ ମିଳିପାରୁଥିବାରୁ କଂପାନୀମାନଙ୍କର ‘ୱାର୍କିଂ କ୍ୟାପିଟାଲ’ ଦୀର୍ଘ ସମୟ ଧରି ଅଟକି ରହୁଛି, ଏବଂ ପୁଞ୍ଜି ପୁନର୍ବିନିଯୋଗ ବାଧାପ୍ରାପ୍ତ ହେଉଛି। ରପ୍ତାନୀକାରିଙ୍କ ପାଇଁ ଏହା ବିଶେଷ ସମସ୍ୟା ହୋଇଛି। ଇନ୍ପୁଟ କ୍ରେଡିଟରେ ସାମାନ୍ୟ ତ୍ରୁଟିକୁ ନେଇ ଆଇନଗତ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଯେ କୌଣସି ଟ୍ୟାକ୍ସ ବ୍ୟବସ୍ଥାରେ କର କେତେ ପରିମାଣରେ ଲାଗିବ ଏହା ସ୍ଥିର ଓ ସ୍ପଷ୍ଟ ହେବା ଆବଶ୍ୟକ, ଯାହା ଫଳରେ ଘରୋଇ ଓ ବିଦେଶୀ କଂପାନୀମାନେ ଆକୃଷ୍ଟ ହେବେ। ଏହାର ସମାଧାନ ପାଇଁ ଜି.ଏସ୍.ଟି. କ୍ଷେତ୍ରରେ ଥିବା ଅଥରିଟି ଅଫ୍ ଆଡ୍ଭାନ୍ସ ରୁଲିଂ ଓ ଅପିଲ ଅଥରିଟି ଅଫ୍ ଆଡ୍ଭାନ୍ସ ରୁଲିଂ ଏକ ସ୍ୱତନ୍ତ୍ର ନିରପେକ୍ଷ ସଂସ୍ଥା ହେଲେ ଏହାର ପାରଦର୍ଶିତା ବୃଦ୍ଧି ପାଇବ, ଯାହାକି ଏ ପର୍ଯ୍ୟନ୍ତ ହୋଇପାରିନାହିଁ ଓ ଏହା ଜି.ଏସ୍.ଟି. କାଉନସିଲର ଏକ ନିଜସ୍ୱ ବିଭାଗ ଭାବରେ କାର୍ଯ୍ୟ କରୁଛି।
ଜି.ଏସ୍.ଟି. ଧାରା ୧୨୧ ଅନୁଯାୟୀ ନୂତନ କର ବ୍ୟବସ୍ଥାରେ ଦର ହ୍ରାସ ହେଉ ବା ଆଇ.ଟି.ସି ଜନିତ ଲାଭ ହେଉ, ଏହାର ଲାଭ ଖାଉଟିମାନଙ୍କୁ ମିଳିବା ଦରକାର। ଏହି ମର୍ମରେ ସରକାର ପ୍ରଥମେ ଯେଉଁ ଆଣ୍ଟି ପ୍ରଫିଟିଅରିଂ ଅଥରିଟି ଗଠନ କରିଥିଲେ ତାହା ଡିସେମ୍ୱର ୨୦୨୨ରୁ କଂପିଟିସନ୍ କର୍ପୋରେସନ୍ ଅଫ ଇଣ୍ଡିଆ ସହ ମିଶ୍ରଣ ହୋଇ ଯାଇଛି। କିନ୍ତୁ ବିଗତ ୬ ବର୍ଷର ଜି.ଏସ୍.ଟି. ଲାଗୁ ହେବା ପରେ ଯେଉଁ ପରିମାଣର ଲାଭ ଖାଉଟି ନିକଟରେ ପହଞ୍ଚିବା କଥା ତାହା ଅନେକ କ୍ଷେତ୍ରରେ ସନ୍ତୋଷଜନକ ନୁହେଁ ବୋଲି ପରିଲକ୍ଷିତ ହୁଏ। ଅବଶ୍ୟ ଏଥିପାଇଁ କ୍ରମବର୍ଦ୍ଧିଷ୍ଣୁ ଗତିଶୀଳ ବ୍ୟବସାୟ, ଜଟିଳ ନିୟମାବଳୀ, ମନ୍ଥର ପ୍ରଶାସନିକ ବ୍ୟବସ୍ଥା ଅନେକ ମାତ୍ରାରେ ଦାୟୀ। କେବଳ ନିୟମ ପ୍ରବର୍ତ୍ତନ କରିଦେଲେ ସୁଫଳ ମିଳେ ନାହିଁ। ଏହାର ସରଳୀକରଣ ଓ ସଫଳ ରୂପାୟନ ମଧ୍ୟ ଆବଶ୍ୟକ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଜି.ଏସ୍.ଟି ପ୍ରଚଳନ ହେବାପରେ ଅଧିକ କର ଦେବାକୁ ପଡୁଛି। କାରଣ ଆଗରୁ ୧.୫କୋଟି କାରବାର ଉପରେ ଅବକାରୀ କର ଦେବାକୁ ପଡୁଥିଲା, ଯାହାକି ବର୍ତ୍ତମାନ ୨୦ ଲକ୍ଷରୁ ଅଧିକ ହେଲେ ପଡୁଛି। ଯଦିଓ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଂପୋଜିଟ୍ ସ୍କିମ୍ ଅବଲମ୍ୱନ କଲେ ଏହା କିଛି ମାତ୍ରାରେ ଲାଭ ପହଞ୍ଚାଇପାରୁଛି। ଅତି କ୍ଷୁଦ୍ର ଶିଳ୍ପ ସଂସ୍ଥା ହେଉ ବା କ୍ଷୁଦ୍ର ଓ ମଧ୍ୟମ ବର୍ଗ ବ୍ୟବସାୟୀ ହୁଅନ୍ତୁ ତାଙ୍କୁ ଜି.ଏସ୍.ଟିର ସମସ୍ତ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି ଓ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହି ଦୃଷ୍ଟିରୁ ଜି.ଏସ୍.ଟି ଆଇନର ଆହୁରି ସରଳୀକରଣ କରିବାର ଆବଶ୍ୟକତା ଅଛି।
ଭାରତବର୍ଷରେ ଅସଂଗଠିତ କ୍ଷେତ୍ରରୁ ହାରାହାରି ୫୦ ପ୍ରତିଶତ ଜିଡିପିରେ ଯୋଗଦାନ ହୋଇଥାଏ, କିନ୍ତୁ ଏମାନେ ୯୨ ପ୍ରତିଶତ କର୍ମନିଯୁକ୍ତି ସୃଷ୍ଟି କରିଥା’ନ୍ତି। ଜି.ଏସ୍.ଟି ଲାଗୁ ହେବାପରେ ସେମାନେ ସଂଗଠିତ କ୍ଷେତ୍ର ସହିତ ପ୍ରତିଯୋଗିତାରେ ସମକକ୍ଷ ହୋଇପାରୁନାହାନ୍ତି। ତେଣୁ ସେ ଦିଗରେ ସରକାରଙ୍କର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମଧ୍ୟ ଅନେକ ଜି.ଏସ୍.ଟି ଜନିତ ବାଦାନୁବାଦ ମଧ୍ୟ ଉପୁଜୁଛି। ତେଣୁ ନିୟମାବଳୀ ଓ କାର୍ଯ୍ୟକାରିତାରେ ଅଧିକ ସରଳୀକରଣ ଓ ପାରଦର୍ଶିତାର ଆବଶ୍ୟକତା ଅଛି।
ଭାରତ ଏକ ସଂଘୀୟ ବ୍ୟବସ୍ଥା ବିଶିଷ୍ଟ ରାଷ୍ଟ୍ର ଓ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ନିଜସ୍ୱ ସ୍ୱାଧୀନ ଭୂମିକା ରହିଛି। ଜି.ଏସ୍.ଟି ପ୍ରଚଳନ ପରେ ରାଜ୍ୟମାନେ ସ୍ୱାଧୀନ ଭାବରେ ନିଜସ୍ୱ ରାଜସ୍ୱ ନୀତି ଅବଲମ୍ୱନର ସ୍ୱାଧୀନତା ଆପାତତଃ ହରାଇ ବସିଛନ୍ତି। ଉତ୍ପାଦନ, କଞ୍ଜପସନ୍ ଇତ୍ୟାଦି କ୍ଷେତ୍ରରେ ସବୁ ରାଜ୍ୟ ସମାନ ନୁହନ୍ତି। ତେଣୁ ରାଜ୍ୟମାନଙ୍କର ଆବଶ୍ୟକତାକୁ ନେଇ ଜି.ଏସ୍.ଟି ପରିସର ବାହାରେ ମଧ୍ୟ ଅନୁନ୍ନତ ଗରିବ ରାଜ୍ୟ ଯେପରି କ୍ଷଟିଗ୍ରସ୍ତ ନ ହୁଅନ୍ତି ତଥା ସେମାନଙ୍କର ବିକାଶର ପ୍ରକ୍ରିୟା କିପରି ତ୍ୱରାନ୍ୱିତ ହୋଇପାରିବ, ସେହି ଦିଗରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। ବର୍ତ୍ତମାନ ବିଦ୍ୟୁତ ଓ ପେଟ୍ରୋଲିୟମ ଜାତ ପଦାର୍ଥ ଜି.ଏସ୍.ଟି ପରିସରଭୁକ୍ତ ହେବା ଉଚିତ। ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ଜି.ଏସ୍.ଟି ପରିସରଭୁକ୍ତ ହେବା ପାଇଁ ବର୍ତ୍ତମାନର ୨୦ଲକ୍ଷ ଟଙ୍କା ସୀମାକୁ ୩୦ଲକ୍ଷ ଟଙ୍କା ଓ କଂପୋଜିଟ୍ ସ୍କିମ୍କୁ ଅନ୍ୟୁନ ୫ କୋଟି ଟଙ୍କା କରାଗଲେ କ୍ଷୁଦ୍ର ବ୍ୟବସାୟୀ ଓ ଉତ୍ପାଦନକାରୀ ବିଶେଷ ଉପକୃତ ହେବେ।
କେନ୍ଦ୍ର ସରକାର ଆଦାୟ କରୁଥିବା ସେସ୍ ଉପରେ ରାଜ୍ୟମାନଙ୍କର କୌଣସି ଭାଗ ନଥାଏ। ସେସ୍, ଯାହାକି ଏକ ସ୍ୱଳ୍ପକାଳୀନ କର ବ୍ୟବସ୍ଥା ତାକୁ ଦୀର୍ଘଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଳବତ୍ତର ରଖୁଛନ୍ତି ଓ ରାଜ୍ୟମାନେ ରାଜସ୍ୱ ହରାଉଛନ୍ତି। ସର୍ବୋପରି ଜି.ଏସ୍.ଟି ପ୍ରଣୟନ ପରେ ଅର୍ଥନିତୀ ଅଧିକ ଗତିଶୀଳ ଓ ରାଜସ୍ୱବୃଦ୍ଧି ସହ କରଫାଙ୍କିକୁ ଅଧିକ ମାତ୍ରାରେ ପ୍ରତିରୋଧ କରାଯାଇ ପାରିଛି। ଭବିଷ୍ୟତରେ କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଏହାକୁ ଆହୁରି ସମୟୋପଯୋଗୀ କରିବାର ଆବଶ୍ୟକତା ଅଛି।
ନଳିନୀକାନ୍ତ ଧର ରାଉରକେଲା, ୯୪୩୭୩୪୪୬୫୪





