ବନାଗ୍ନିର ସତ୍ୟ
ଗ୍ରୀଷ୍ମ ଆସନ୍ନ ପ୍ରାୟ। ମୁଖ୍ୟତଃ ଗ୍ରୀଷ୍ମ ପ୍ରଭାବରୁ ଉତ୍ତାପ ବୃଦ୍ଧି ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଯାଏ। ମାତ୍ର ଗତ ନଭେମ୍ୱର ମାସରୁ ଦେଶର ଅନେକ ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରିବେଶବିତମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏହି ତାଲିକାରେ କର୍ଣ୍ଣାଟକ ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗତ ପ୍ରାୟ ଦୁଇ ସପ୍ତାହ ହେଲା ଓଡ଼ିଶାରେ ଯେଉଁଭଳି ନିଆଁ ଲାଗୁଛି, ଖୁବଶୀଘ୍ର ଆମ ରାଜ୍ୟ କର୍ଣ୍ଣାଟକକୁ ଟପିଯିବ ବୋଲି ଆଶଙ୍କା କରାଯାଉଛି। ଖରାଦିନେ ଜଙ୍ଗଲରେ ନିଆଁ […]
ଗ୍ରୀଷ୍ମ ଆସନ୍ନ ପ୍ରାୟ। ମୁଖ୍ୟତଃ ଗ୍ରୀଷ୍ମ ପ୍ରଭାବରୁ ଉତ୍ତାପ ବୃଦ୍ଧି ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଯାଏ। ମାତ୍ର ଗତ ନଭେମ୍ୱର ମାସରୁ ଦେଶର ଅନେକ ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରିବେଶବିତମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏହି ତାଲିକାରେ କର୍ଣ୍ଣାଟକ ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗତ ପ୍ରାୟ ଦୁଇ ସପ୍ତାହ ହେଲା ଓଡ଼ିଶାରେ ଯେଉଁଭଳି ନିଆଁ ଲାଗୁଛି, ଖୁବଶୀଘ୍ର ଆମ ରାଜ୍ୟ କର୍ଣ୍ଣାଟକକୁ ଟପିଯିବ ବୋଲି ଆଶଙ୍କା କରାଯାଉଛି। ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ନୂଆ ନ ହେଲେ ମଧ୍ୟ ଏହାର ପ୍ରତିକାର ନ ହେବାରୁ ନକାରାତ୍ମକ ପ୍ରଭାବ ଜୈବ ବିବିଧତା ଉପରେ ପଡୁଛି। ଜଙ୍ଗଲର ପରିସୀମା ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ସହରୀକରଣ, ରାସ୍ତାଘାଟ, ଶିଳ୍ପାଞ୍ଚଳ ପ୍ରତିଷ୍ଠା ଯୋଗୁଁ ଗୋଟିଏ ପଟେ ଜଙ୍ଗଲ ଧ୍ୱଂସ ହେଉଛି ତ, ଅନ୍ୟ ପଟେ କାଠ ମାଫିଆ କାଠ ପାଇଁ ଜଙ୍ଗଲକୁ ନଷ୍ଟ କରିବା ସମସ୍ୟାକୁ ଆହୁରି ସାଂଘାତିକ କରୁଛି।
ଜଙ୍ଗଲରେ ନିଆଁ ଲାଗିବା ପାଇଁ ଅନେକାଂଶରେ ମନୁଷ୍ୟ ହିଁ ଦାୟୀ। ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ପୋଡ଼ାମାଂସ ଏବଂ ଚମଡ଼ା ସଂଗ୍ରହ କରନ୍ତି। ଜଙ୍ଗଲ ପାଖରେ ବାସ କରୁଥିବା ଲୋକ ମହୁଲ ଫୁଲ ଓ ଶାଳ ମଞ୍ଜି ସଂଗ୍ରହ ପାଇଁ ଜଙ୍ଗଲ ସଫା କରିବା ଉଦ୍ଦେଶ୍ୟରେ ନିଆଁ ଲଗାଇଥା’ନ୍ତି। ପ୍ରତିବର୍ଷ ବନ ବିଭାଗ ତରଫରୁ ଶୁଖିଲା ପତ୍ର ସଫା କରାଯାଇ ପରେ ନିଆଁ ଲଗାଯାଏ। ଯଦି ସେଥିରେ କିଛି ଅବହେଳା ଦେଖାଯାଏ, ତେବେ ନିଆଁ ନିଜର ପରିଧି ମେଲେଇ ଜଙ୍ଗଲର ଅନେକ ଅଂଶରେ କ୍ଷତି ପହଞ୍ଚାଇଥାଏ।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ବନାଗ୍ନି ବୃଦ୍ଧି ବନ୍ୟଜନ୍ତୁଙ୍କ ଲାଗି ବିପଦ ସୃଷ୍ଟି କରିଛି। ସବୁଜିମା ସାଙ୍ଗକୁ ଔଷଧୀୟ ବୃକ୍ଷ ଓ ଗୁଳ୍ମ ମଧ୍ୟ ଜଳି ନଷ୍ଟ ହୋଇଯାଉଛି। ବନ୍ୟଜନ୍ତୁଙ୍କ ବାସସ୍ଥଳୀ ପ୍ରଭାବିତ ହେବାରୁ ସେମାନେ ଜନବସତିମୁହାଁ ହେଉଛନ୍ତି। ଜଙ୍ଗଲରେ ନିଆଁର ପ୍ରକୋପ ଏଭଳି ବୃଦ୍ଧି ପାଉଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ବେ ନିଆଁ ଲିଭେଇବା ଅସମ୍ଭବ ହେଉଛି। ପ୍ରକୃତି ଆଗରେ ମଣିଷର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଜୋର୍ କେତେ ତାହା ପ୍ରମାଣିତ ହେଉଛି। ପ୍ରତିବର୍ଷ ନିଆଁ ଲାଗିଲେ ମଧ୍ୟ ଏହାର ପ୍ରତିକାରରେ ବିଳମ୍ୱ ହେବା ପଛରେ ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରୁ ବନବିଭାଗ ଦ୍ୱାରା ଆଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିବାରେ ଅସଫଳତା ଓ ଅନୁପଯୁକ୍ତତାକୁ ମୁଖ୍ୟତଃ ଦାୟୀ କରାଯାଇପାରେ। ଅନ୍ୟ ଏକ କାରଣ ହେଉଛି ବନ ବିଭାଗର ଏ ଘଟଣା ପ୍ରତି ଉଦାସୀନତା।
ଜଙ୍ଗଲର ସୁରକ୍ଷା କେବଳ ସରକାରଙ୍କ ନୁହେଁ, ଜନସାଧାରଣଙ୍କ ମଧ୍ୟ ଦାୟିତ୍ୱ। ଏଥିସହିତ ଜଙ୍ଗଲର ସୁରକ୍ଷା ସହିତ ନୂତନ ଜଙ୍ଗଲ ସୃଷ୍ଟିର ଯୋଜନା କାର୍ଯ୍ୟକାରୀ କରିବାର ମଧ୍ୟ ଦୃଢ଼ ଆବଶ୍ୟକତା ରହିଛି। ଆମ ପଡ଼ୋଶୀ ରାଜ୍ୟ ମଧ୍ୟପ୍ରଦେଶର ବାନ୍ଧବଗଡ଼ଠାରୁ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଶିକ୍ଷା ନିଆଯାଇପାରେ। ଦିନେ ଘୋର ସଂକଟ ଭୋଗୁଥିବା ଏହି ଜଙ୍ଗଲ, ବନ୍ୟ ବିଭାଗ କର୍ମଚାରୀଙ୍କ ପ୍ରଚେଷ୍ଟା ଓ ନିଷ୍ଠା ହେତୁ ବର୍ତ୍ତମାନ ଏସିଆର ସବୁଠାରୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ ହୋଇଛି। ନିୟମିତ ସର୍ଭେ, ଦିନରାତି ପାଟ୍ରୋଲିଂ ଏବଂ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ ହେଉଛି ଜଙ୍ଗଲ ନିଆଁ ନିୟନ୍ତ୍ରଣ। ବନବିଭାଗ କର୍ମଚାରୀଙ୍କ ତଦାରଖରେ ନିୟମିତ ବଫର୍ ଜୋନ୍ ମଧ୍ୟରେ ନିଆଁ ଲାଗିଲେ ତାହା ବେଶୀଦୂରକୁ ମାଡ଼ିବ ନାହିଁ – ଏଭଳି ପଦକ୍ଷେପ ଓଡ଼ିଶାରେ ନିଆଯାଇ ପାରିଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ। ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରିବା ସହିତ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ଉତ୍ସାହିତ କରିପାରିଲେ ମନୁଷ୍ୟକୃତ ବିପଦରୁ ଜଙ୍ଗଲକୁ ସୁରକ୍ଷା ଦିଆଯାଇପାରିବ। ପ୍ରତିବର୍ଷ ବନୀକରଣ ପାଇଁ ବହୁ କୋଟି ଟଙ୍କା ବ୍ୟୟ କରାଯାଉଛି। ‘ଗ୍ରୀନ ଇଣ୍ଡିଆ ମିଶନ’, ‘ଗ୍ରୀନ ମହାନଦୀ’ ଯୋଜନା ଅନୁଯାୟୀ ବ୍ୟାପକ ଚାରା ରୋପଣ ଏବଂ ବଣ୍ଟନ କରାଯାଉଛି। ବନବିଭାଗ ସହିତ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଏ ଦିଗରେ କାମ୍ୟ। ଜଙ୍ଗଲ ନିଆଁର ପ୍ରତିକାର ପାଇଁ ତାହା ପ୍ରଥମେ ନଜରକୁ ଆସିବା ଦରକାର।
ଶେଷରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କେବଳ ଯେ ବନ ବିଭାଗ ତତ୍ପରତା ଏବଂ ଆଗ୍ରହ ଦେଖେଇବେ, ତା’ ନୁହେଁ। ଓଡ଼ିଶାରେ ବାସ କରୁଥିବା ପ୍ରତ୍ୟେକ ବାସିନ୍ଦା ଗଛ ଲଗେଇବା ସହିତ ତା’ର ଯତ୍ନ ନେବାର ମଧ୍ୟ ଆବଶ୍ୟକତା ରହିଛି। ନୂତନ ଜଙ୍ଗଲଟିଏ ସୃଷ୍ଟି ହେବା ପାଇଁ ଅନେକ ବର୍ଷ ଲାଗିଥାଏ, କିନ୍ତୁ ତା’ର ବିନାଶ ପାଇଁ କିଛି ମୁହୂର୍ତ୍ତ କିମ୍ୱା ଗୋଟିଏ ଭୁଲ ଯଥେଷ୍ଟ। ମଣିଷ ବୁଝିବା ଦରକାର ଯେ ଭବିଷ୍ୟତରେ ଜଙ୍ଗଲ ଅଭାବ ଜନିତ ଅସୁବିଧା ସେ ନିଜେ ଏବଂ ତା’ର ଆଗାମୀ ପିଢ଼ି ହିଁ ଭୋଗିବାକୁ ଯାଉଛି। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯଦି ପୃଥିବୀର ସମସ୍ତ ଜଙ୍ଗଲ ନଷ୍ଟ ହୋଇଯାଏ, ତେବେ ମାତ୍ର କିଛି ଘଣ୍ଟା ଭିତରେ ସମ୍ପୂର୍ଣ୍ଣ ଜୀବଜଗତ ଲୋପ ପାଇଯିବ। ଶୁଦ୍ଧ ଜଳବାୟୁ, ସମୟ ଅନୁଯାୟୀ ବୃଷ୍ଟିପାତ, ଜଙ୍ଗଲ ଜାତ ଦ୍ରବ୍ୟ, ବନ୍ୟପ୍ରାଣୀଙ୍କ ବଂଶରକ୍ଷା ସବୁ ଆମ ମାନବ ସମାଜ ହାତରେ। ତେଣୁ ବିଚାର କରିବାର ଅଛି ଯେ ମଣିଷ ଜଙ୍ଗଲ ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନେଲେ ଏହାକୁ ସୁରକ୍ଷିତ ରଖିପାରିବ। ଆଧୁନିକୀକରଣ ଆଳରେ ଜଙ୍ଗଲ ହ୍ରାସ କରୁଥିବା ଆଧୁନିକ ମାନବ ଜାତି ଏ ବିଷୟରେ ଯେତେ ଶୀଘ୍ର ସଚେତନ ହେବ ଭଲ। ଅନ୍ୟଥା ଏମିତି ବି ଦିନ ଆସିବ ନିଃଶ୍ୱାସ ନେବା ପାଇଁ ମଧ୍ୟ ଅମ୍ଳଜାନ ଥଳି ଧରି ବୁଲିବାକୁ ପଡ଼ିପାରେ।
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ୱର