ମନୋରଞ୍ଜନ
ଓଡ଼ିଶା
ଓଡ଼ିଶାରେ ଅଗଷ୍ଟ ବିପ୍ଳବ
ସ୍ୱାଧୀନତାର ଅଗ୍ନିବର୍ଷୀ ମନ୍ତ୍ରଦାତା, ଅହିଂସା ସୂତ୍ରର ପ୍ରବର୍ତ୍ତକ ଏବଂ ସମଗ୍ର ବିଶ୍ୱର ମହାନ୍ ବିପ୍ଲବୀ ରୂପେ ପରିଚିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜ କୁଶାସନର ପରିସମାପ୍ତି ପାଇଁ ଅନ୍ତିମ ସଂଗ୍ରାମ ଭାବେ ପରିଚିତ ‘ଭାରତ ଛାଡ଼’ ଗଣଆନ୍ଦୋଳନ ଇତିହାସ ପୃଷ୍ଠାରେ ଏକ ଦୃଷ୍ଟାନ୍ତମୂଳକ ବିରଳ ଘଟଣା। ଅରଣ୍ୟ ପର୍ବତର ଆଦିବାସୀଙ୍କଠାରୁ ଆରମ୍ଭ କରି ସହରର ଶିକ୍ଷିତ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ, ଅବୋଧ ବାଳକଠାରୁ ନିରୀହ ଚାଷୀ, ମୂଲିଆ ପର୍ଯନ୍ତ, ନାରୀ, ପୁରୁଷ, ଛାତ୍ର, ଯୁବକ, କବି, […]
ସ୍ୱାଧୀନତାର ଅଗ୍ନିବର୍ଷୀ ମନ୍ତ୍ରଦାତା, ଅହିଂସା ସୂତ୍ରର ପ୍ରବର୍ତ୍ତକ ଏବଂ ସମଗ୍ର ବିଶ୍ୱର ମହାନ୍ ବିପ୍ଲବୀ ରୂପେ ପରିଚିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଇଂରେଜ କୁଶାସନର ପରିସମାପ୍ତି ପାଇଁ ଅନ୍ତିମ ସଂଗ୍ରାମ ଭାବେ ପରିଚିତ ‘ଭାରତ ଛାଡ଼’ ଗଣଆନ୍ଦୋଳନ ଇତିହାସ ପୃଷ୍ଠାରେ ଏକ ଦୃଷ୍ଟାନ୍ତମୂଳକ ବିରଳ ଘଟଣା। ଅରଣ୍ୟ ପର୍ବତର ଆଦିବାସୀଙ୍କଠାରୁ ଆରମ୍ଭ କରି ସହରର ଶିକ୍ଷିତ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ, ଅବୋଧ ବାଳକଠାରୁ ନିରୀହ ଚାଷୀ, ମୂଲିଆ ପର୍ଯନ୍ତ, ନାରୀ, ପୁରୁଷ, ଛାତ୍ର, ଯୁବକ, କବି, ଲେଖକ, ଆଦି ସମଗ୍ର ବର୍ଗର ଲୋକଙ୍କର ଏହି ନିର୍ଣ୍ଣାୟକ ମୁକ୍ତି ସଂଗ୍ରାମରେ ଅମ୍ଳାନ ଅବଦାନ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।
୧୯୪୨ ଅପ୍ରେଲ ମାସ ୨୨ତାରିଖରେ ଗାନ୍ଧିଜୀ ବ୍ରିଟିଶ୍ ସରକାରଙ୍କୁ ଏକ ଚରମ ପତ୍ର ଲେଖି ଭାରତ ଛାଡ଼ି ଚାଲିଯିବା ପାଇଁ ପରାମର୍ଶ ଦେଇଥିଲେ; ମାତ୍ର ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ଗାନ୍ଧିଜୀଙ୍କ ପତ୍ରାଳାପ ଓ ନିବେଦନକୁ କର୍ଣ୍ଣପାତ କରିନଥିଲେ। ପରିଣାମ ସ୍ୱରୂପ, ୧୯୪୨ ଜୁଲାଇ ୧୪ ତାରିଖ ଦିନ ଗାନ୍ଧିଜୀଙ୍କ ନେତୃତ୍ୱରେ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଟି ଗ୍ରହଣ କଲେ, ତାହା ହେଲା ଭାରତର ଶାସନ ଓ ପ୍ରତିରକ୍ଷା ଭାର ଭାରତୀୟଙ୍କ ହସ୍ତରେ ଅର୍ପଣ କରି ଇଂରେଜମାନେ ତତକ୍ଷଣାତ ଭାରତ ଛାଡ଼ି ଚାଲିଯାଆନ୍ତୁ ବୋଲି ଏକ ନିର୍ଦେଶନାମା। ଏହା ହିଁ ଥିଲା ‘ଭାରତଛାଡ଼’ ପ୍ରସ୍ତାବ। ଏହି ପ୍ରସ୍ତାବଟି ଅନୁମୋଦିତ ହୋଇଥିଲା ମୁମ୍ୱାଇ (ବମ୍ୱେ)ସ୍ଥିତ ଗୋୱାଲିଆ ଟ୍ୟାଙ୍କ ମୈଦାନରେ ଅଗଷ୍ଟ ୮ ତାରିଖରେ ଅନୁଷ୍ଠିତ ନିଖିଳ ଭାରତ କଂଗ୍ରେସ କମିଟିର ୫୫ତମ ସାଧାରଣ ଅଧÒବେଶନରେ। ଏଥିସହିତ ଆରମ୍ଭ ହୋଇଥିଲା ‘ଭାରତଛାଡ଼’ ବା ‘ଅଗଷ୍ଟ ବିପ୍ଳବ’। ସେଦିନ ସନ୍ଧ୍ୟାରେ ଜନସାଧାରଣଙ୍କୁ ଆହ୍ୱାନ ଦେଇ ଗାନ୍ଧିଜୀ କହିଥିଲେ, ‘ମୁଁ ଆପଣଙ୍କୁ ଛୋଟ ମନ୍ତ୍ରଟିଏ ଦେଉଛି। ଆପଣମାନେ ଏହାକୁ ହୃଦୟରେ ଛାପି ପାରନ୍ତି। ଆପଣମାନଙ୍କ ପ୍ରତିଟି ଶ୍ୱାସକ୍ରିୟାରେ ଏହା ମଧ୍ୟ ପରିପ୍ରକାଶ ହେଉ। ଏହି ମନ୍ତ୍ରଟି ହେଉଛି ‘କର ବା ମର’। ଆମେ ଭାରତବର୍ଷକୁ ସ୍ୱାଧୀନ କରିବା ଅଥବା ସେହି ପ୍ରଚେଷ୍ଟାରେ ମୃତ୍ୟୁବରଣ କରିବା। କିନ୍ତୁ ଆମେ ଆମର ଚିରନ୍ତନ ଦାସତ୍ୱକୁ ଦେଖିବା ନିମନ୍ତେ ଯେପରି ବଞ୍ଚି ନ ରହିବା।’
ଗାନ୍ଧିଜୀଙ୍କର ଏହି ଉଦ୍ବୋଧନ ସମଗ୍ର ଦେଶରେ ମୁକ୍ତି ସଂଗ୍ରାମର ବହ୍ନିଶିଖା ପ୍ରଜ୍ୱଳିତ କରିଥିଲା। ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରୁ ଗାନ୍ଧିଜୀ ଓ ମୌଲାନା ଆଜାଦ, ନେହେରୁ, ଅରୁଣା ଆସଫ ଅଲ୍ଲୀ, ଆଚାର୍ଯ୍ୟ କୃପାଳିନୀ, ହରେକୃଷ୍ଣ ମହତାବ ପ୍ରମୁଖ ତୁଙ୍ଗ ନେତାମାନଙ୍କୁ ଅଟକ ଆଇନ ବଳରେ ଗିରଫ କରିନେଇ ବିନା ବିଚାରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାରାଗାରରେ ବନ୍ଦୀ କରିଦିଆଗଲା।
ଗାନ୍ଧିଜୀଙ୍କ ସମେତ ପ୍ରବୀଣ ଜାତୀୟ ନେତାମାନଙ୍କର ଗିରଫ ଖବର ପ୍ରଚାର ହେବାକ୍ଷଣି ସମଗ୍ର ଭାରତବର୍ଷରେ ଆରମ୍ଭ ହୋଇଥିଲା ଗଣଆନ୍ଦୋଳନ। ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାରେ ମଧ୍ୟ ଏହାର ଗଭୀର ପ୍ରଭାବ ଅନୁଭୂତ ହୋଇଥିଲା। ସହରରୁ ମଫସଲ ତଥା କୋରାପୁଟର ଘଞ୍ଚ ଜଙ୍ଗଲ ମଧ୍ୟକୁ ମଧ୍ୟ ଏହି ବିଦ୍ରୋହର ବହ୍ନି ବ୍ୟାପି ଯାଇଥିଲା। ଅଗଷ୍ଟ ୯ ତାରିଖରେ ରେଭେନ୍ସା କଲେଜର ଛାତ୍ରମାନେ ଏହି ଆନ୍ଦୋଳନର ଶୁଭଶଙ୍ଖ ଫୁଙ୍କିଥିଲେ। ଅଗଷ୍ଟ ୧୪ ତାରିଖରେ ଛାତ୍ରନେତା ବିବୁ୍ଧେନ୍ଦୁ ମିଶ୍ର, ସୁରଜମଲ୍ଲ ଶାହା, ଅଶୋକ ଦାସ, ବୀରେନ ମିତ୍ର ଓ ବନମାଳୀ ପଟ୍ଟନାୟକ ପ୍ରଭୃତିଙ୍କ ନେତୃତ୍ୱରେ କଲେଜ ଅଫିସର ଆସବାବପତ୍ର ପୋଡ଼ି ଦିଆଗଲା। ବିବୁ୍ଧେନ୍ଦୁ ମିଶ୍ର ଓ ସୁରଜମଲ୍ଲ ଶାହାଙ୍କୁ ଗିରଫ କରି ବ୍ରହ୍ମପୁର ଜେଲକୁ ପଠାଇ ଦିଆଗଲା।
ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ହିଂସାତ୍ମକ ଘଟଣା ଥିଲା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ଥାନାରେ ଅଗ୍ନି ସଂଯୋଗ। ଅଗଷ୍ଟ ୧୭ ତାରିଖରେ ସତ୍ୟାଗ୍ରହୀମାନେ ଏହି ଥାନାକୁ ପୋଡ଼ି ଦେଇଥିଲେ। ସେପ୍ଟେମ୍ୱର ୨୨ ତାରିଖରେ ଧାମନଗର ଥାନା ଅନ୍ତର୍ଗତ ଲୁଣିଆର କଟସାହି ଗ୍ରାମ ନିକଟରେ ଏକ ପଡ଼ିଆରେ ସେଦିନ ପୁଲିସ ଗୁଳିରେ ୨ ଜଣ ସହିଦ ହୋଇଥିଲେ। ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଦିଗଡ଼ିଆ ଖଇରାଡିହି ଗ୍ରାମରେ ସେପ୍ଟେମ୍ୱର ୨୮ତାରିଖରେ ତିନିଜଣ ସତ୍ୟାଗ୍ରହୀ ସହିଦ ହୋଇଥିଲେ। ସେପ୍ଟେମ୍ୱର ୨୮ରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ଇରମଠାରେ ପୁଲିସ ବାହିନୀ ଗୁଳି ଚାଳନା କରି ୨୯ ଜଣଙ୍କର ପ୍ରାଣ ନେଇଥିଲେ ଏବଂ ପୁଲିସ ଗୁଳିରେ ୫୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ପରୀ ବେୱା ନାମକ ଜଣେ ମହିଳା ଥିଲେ, ଯାହାଙ୍କୁ ଓଡ଼ିଶାର ପ୍ରଥମ ମହିଳା ସହିଦର ମାନ୍ୟତା ମିଳିଛି। ସେହି ନାରକୀୟ ଗୁଳିକାଣ୍ଡର ରକ୍ତରଞ୍ଜିତ ଭୂମି ‘ରକ୍ତତୀର୍ଥ ଇରମ’ ନାମରେ ପରିଚିତ।
କଟକ ଜିଲ୍ଲାରେ ବିଶେଷ ଭାବରେ ଅନୁଭୂତ ହୋଇଥିଲା ଆନ୍ଦୋଳନର ବ୍ୟାପକତା। ସେତେବେଳର ଯାଜପୁର ସବଡିଭିଜନର ବିଂଝାରପୁର ଥାନା ଅନ୍ତର୍ଗତ କାଇପଡ଼ା କଳାମାଟିଆଠାରେ ୧୯୪୨ ଅଗଷ୍ଟ ୨୬ ତାରିଖ ଦିନ ପୁଲିସ ଅମାନୁଷିକ ଭାବେ ଗୁଳି ଚାଳନା କରିବାରୁ ୪ ଜଣ ସତ୍ୟାଗ୍ରହୀଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୯ ଜଣ ଆହତ ହୋଇଥିଲେ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଜଣେ ଫାଶୀ ପାଇଥିଲେ ଏବଂ ପୁଲିସ ଗୁଳିରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଜିଲ୍ଲାର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମର ଲକ୍ଷ୍ମଣ ନାଏକଙ୍କ ନେତୃତ୍ୱରେ ଅଗଷ୍ଟ ୨୧ ତାରିଖରେ ମାତିଲି ଥାନା ନିକଟରେ ସମବେତ ଜନତାଙ୍କ ଉପରେ ପୁଲିସ ନିର୍ମମ ଲାଠି ପ୍ରହାର କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ଜଣେ ଫରେଷ୍ଟ ଗାର୍ଡର ମୃତ୍ୟୁ ହୋଇଥିଲା। ଏହାପରେ ପୁଲିସ ଫୌଜ କ୍ରୋଧନ୍ୱିତ ହୋଇ ଜନତାଙ୍କ ଉପରେ ଗୁଳିଚାଳନା କରିବା ଫଳରେ ସେହିଠାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୬ ଜଣ ଆହତ ହୋଇଥିଲେ। ଫରେଷ୍ଟ ଗାର୍ଡକୁ ମାରି ଦେଇଥବା ମିଥ୍ୟା ଅଭିଯୋଗରେ ୨୯ ମାର୍ଚ୍ଚ ୧୯୪୩ରେ ବ୍ରହ୍ମପୁର ଜେଲରେ ଏହି ମହାନ୍ ଦେଶପ୍ରେମୀଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା। ଫାଶୀଖୁଣ୍ଟରେ ଝୁଲିବା ପୂର୍ବରୁ ତାଙ୍କର ଶେଷୋକ୍ତି ଥିଲା, ‘ଯେବେ ଆକାଶରେ ସୂର୍ଯ୍ୟ ଅଛି, ଚନ୍ଦ୍ର ଅଛି, ଦେଖିବ ରଇଥା, ସ୍ୱରାଜ ନିଶ୍ଚୟ ଆସିବ। ମାତ୍ର ମୁଁ ଦୁଃଖିତ ଯେ, ମୁଁ ସ୍ୱରାଜ ଦେଖିବାକୁ ନ ଥିବି।’
୧୯୪୨ ଅଗଷ୍ଟ ୨୪ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ସବଡିଭିଜନ ଠାରୁ ୬ ମାଇଲ ଦୂରରେ ଅବସ୍ଥିତ ପାପଡ଼ାହାଣ୍ଡି ନାମକ ସ୍ଥାନରେ ପ୍ରାୟ ପାଞ୍ଚ ହଜାର ଆଦିବାସୀ ସମବେତ ହୋଇ ନବରଙ୍ଗପୁର ଥାନା ଆକ୍ରମଣ କରିବାର ଯୋଜନା କରିଥିଲେ। ସେଠାରେ ପୁଲିସ ଫୌଜ ପହଞ୍ଚି ଗୁଳି ଚାଳନା କରିବା ଫଳରେ ୧୯ ଜଣ ସତ୍ୟାଗ୍ରହୀ ସହିଦ ହୋଇଥିଲେ ଓ ୧୭ ଜଣ ଆହତ ହୋଇଥିଲେ। ସେହିବର୍ଷ ସେପ୍ଟେମ୍ୱର ୧୬ ଡରିଖ ଦିନ ନିମାପଡ଼ା ଥାନା ନିକଟସ୍ଥ ବାରବାଟି ପଡ଼ିଆରେ ବହୁସଂଖ୍ୟକ ସତ୍ୟାଗ୍ରହୀ ସମବେତ ହୋଇ ସରକାରଙ୍କୁ ଖଜଣା ନ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହାପରେ ସେମାନେ ଏକ ଭବ୍ୟ ଶୋଭାଯାତ୍ରାରେ ଯାଇ ଥାନା ସମ୍ମୁଖରେ ପହଞ୍ଚିବା ପରେ ସେଠାରୁ ତୁରନ୍ତ ଚାଲିଯିବା ପାଇଁ ପୁଲିସ ସତର୍କ କରାଇଥିଲା। ଡିହବାଡି ଗ୍ରାମର ଉତ୍ସବ ମଳିକ ନାମକ ଯୁବକ ଥାନା ଉପରେ ଚଢ଼ି କଂଗ୍ରେସ ପତାକା ଲଗାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ପୁଲିସ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ମାରିବାରୁ ସେ ଘଟଣା ସ୍ଥଳରେ ସହିଦ ହୋଇଯାଇଥିଲେ। ୧୮ ଜଣ ଗୁଳିରେ ଆହତ ହୋଇଥିଲେ। ଏହି ଅଭିଯାନରେ ୪୧ ଜଣ ଗିରଫ ହୋଇ ବିଭିନ୍ନ ଦଫାରେ ଦୀର୍ଘମିଆଦୀ କାରାଦଣ୍ଡ ଭୋଗ କରିଥିଲେ।
ଓଡ଼ିଶାର ଗଡ଼ଜାତ ରାଜ୍ୟରେ ବିଶେଷତଃ ଢେଙ୍କାନାଳ, ତାଳଚେର ଓ ନୟାଗଡ଼ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଥିଲା। ଢେଙ୍କାନାଳ ରାଜ୍ୟରେ ମଢ଼ି ନାମକ ଏକ ସ୍ଥାନରେ ଗୋଟିଏ ଥାନା, ତାହା ସନ୍ନିକଟର ଗୋଟିଏ ଅସ୍ତ୍ରଗାର, କୋଷାଗାର, ତହସିଲ ଅଫିସ, ଫରେଷ୍ଟ ଅଫିସ, ସବଡିଭିଜନ କଚେରୀ ଓ କର୍ମଚାରୀଙ୍କ ବାସଗୃହକୁ ବିଦ୍ରୋହୀମାନେ ଅଗ୍ନି ସଂଯୋଗ କରି ଧ୍ୱଂସସ୍ତୂପରେ ପରିଣତ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ମଢ଼ି ସହର କାମାକ୍ଷାନଗର ନାମରେ ନାମିତ ହୋଇଛି। ତାଳଚେର ରାଜ୍ୟରେ ବିଦ୍ରୋହୀମାନଙ୍କୁ ଦମନ କରିବାକୁ ଉଦ୍ୟମ କରିବାକୁ ଯାଇ ଉଡ଼ାଜାହାଜ ଉପରୁ ମେସିନଗନରୁ ଗୁଳି ବର୍ଷଣ କରାଯାଇଥିଲା। ଏଥିରେ ୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ନୟାଗଡ଼ ରାଜ୍ୟରେ କଷ୍ଟି ଡାକୁଆ ନାମକ ଜଣେ କନ୍ଧ ଯୁବକ ନୂଆଗାଁ ଥାନା ପୋଡ଼ିବାକୁ ଅନ୍ୟମାନଙ୍କ ସହ ଶୋଭାଯାତ୍ରାରେ ଯିବା ପରେ ଥାନା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ଉପରୋକ୍ତ ଗଡ଼ଜାତ ବ୍ୟତୀତ ଆଠଗଡ଼, ବଡ଼ମ୍ୱା, ବୌଦ, ଖଣ୍ଡପଡ଼ା, ମୟୂରଭଞ୍ଜ, ରଣପୁର ଓ ସୋନପୁର ଆଦି ଗଡ଼ଜାତ ଓ ଜମିଦାରୀରେ ମଧ୍ୟ ଅଗଷ୍ଟ ବିପ୍ଳବର ପ୍ରଭାବ ଅନୁଭୂତ ହୋଇଥିଲା।
ଭାରତୀୟ ଅନ୍ତିମ ମୁକ୍ତି ସଂଗ୍ରାମର ୮୨ତମ ଜୟନ୍ତୀ ଅବସରରେ ପଶ୍ଚାତ ଅବଲୋକନ ପୂର୍ବକ ପ୍ରତ୍ୟେକ ଭାରତୀୟଙ୍କର ଆତ୍ମସମୀକ୍ଷାର ପ୍ରକୃଷ୍ଟ ସମୟ ଉପଗତ। ଇତିମଧ୍ୟରେ ଆଠ ଦଶନ୍ଧି ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଜାତୀୟ ଚେତନା ଉତ୍ତର ପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି ଓ ରହିଥିବ।
ପ୍ରାଧ୍ୟାପକ ବଳଭଦ୍ର ଘଡ଼ାଇ
ମୟୂରଭଞ୍ଜ, ମୋ: ୯୪୩୭୩୧୦୩୪୨





