ଛୁଟିଦିନର ସଂଜ୍ଞା
ଛୁଟିଦିନକୁ ନେଇ ବିଭିନ୍ନ ବୟସରେ ବିଭିନ୍ନ ଧାରଣା ହେବା ସ୍ୱାଭାବିକ। ବିଶିଷ୍ଟ ପାଶ୍ଚାତ୍ୟ ଦାର୍ଶନିକ ସି.ଇ.ଏମ୍ ଜୋଡ୍ ସୋସିଆଲିଜମ୍ ବା ସମାଜବାଦ ବିଷୟରେ କ’ଣ କହିଥିଲେ ମନେପଡ଼ୁଛି? ମହାଶୟଙ୍କ ବକ୍ତବ୍ୟଟି ବହୁଧା ଆଲୋଚିତ – ‘ସମାଜବାଦ ଏମିତି ଏକ ଟୋପି, ଯାହାର ନିଜସ୍ୱ ରୂପ କିଛି ନାହିଁ, କାରଣ ସମସ୍ତେ ତା’କୁ ନିଜ ଇଚ୍ଛା ଅନୁସାରେ ପିନ୍ଧିବାକୁ ଚେଷ୍ଟା କରନ୍ତି।’ ପିଲାଦିନେ ଛୁଟି କହିଲେ, ବିଶେଷତଃ ସେଇ ଘଣ୍ଟା ଶବ୍ଦର ଦୀର୍ଘବ୍ୟାପ୍ତିକୁ ବୁଝାଯାଉଥିଲା, ଯାହା ସ୍କୁଲ ସମୟର […]
ଛୁଟିଦିନକୁ ନେଇ ବିଭିନ୍ନ ବୟସରେ ବିଭିନ୍ନ ଧାରଣା ହେବା ସ୍ୱାଭାବିକ। ବିଶିଷ୍ଟ ପାଶ୍ଚାତ୍ୟ ଦାର୍ଶନିକ ସି.ଇ.ଏମ୍ ଜୋଡ୍ ସୋସିଆଲିଜମ୍ ବା ସମାଜବାଦ ବିଷୟରେ କ’ଣ କହିଥିଲେ ମନେପଡ଼ୁଛି? ମହାଶୟଙ୍କ ବକ୍ତବ୍ୟଟି ବହୁଧା ଆଲୋଚିତ – ‘ସମାଜବାଦ ଏମିତି ଏକ ଟୋପି, ଯାହାର ନିଜସ୍ୱ ରୂପ କିଛି ନାହିଁ, କାରଣ ସମସ୍ତେ ତା’କୁ ନିଜ ଇଚ୍ଛା ଅନୁସାରେ ପିନ୍ଧିବାକୁ ଚେଷ୍ଟା କରନ୍ତି।’
ପିଲାଦିନେ ଛୁଟି କହିଲେ, ବିଶେଷତଃ ସେଇ ଘଣ୍ଟା ଶବ୍ଦର ଦୀର୍ଘବ୍ୟାପ୍ତିକୁ ବୁଝାଯାଉଥିଲା, ଯାହା ସ୍କୁଲ ସମୟର ଶେଷ ଘୋଷଣା କରିବା ସହିତ ଦୀର୍ଘଶ୍ୱାସ ପକାଇବା ପାଇଁ ଥିଲା ଅବସର। ତା’ପରେ ପ୍ରତିଯୋଗିତା କରି କୁନିପିଲାମାନେ ନିଜ ଘରମୁହାଁ ହେଉଥିଲେ ନିଜ ନିଜର ବହିବସ୍ତାନି ସହିତ। ସେତେବେଳେ ଆଜିକାଲି ପରି କେହି ଅଭିଭାବକ ନିଜ ନିଜର ଗାଡ଼ି ଘୋଡ଼ା ଧରି ଅପେକ୍ଷା କରୁନଥିଲେ ସ୍କୁଲ ହତା ବାହାରେ। ଗ୍ରୀଷ୍ମଛୁଟି ଆଉ ଦୁର୍ଗାପୂଜା ଛୁଟି ଦୁଇଟି ଥିଲା ଅପେକ୍ଷାକୃତ ଲମ୍ବା। ଗ୍ରୀଷ୍ମଛୁଟି ଏତେ ଲମ୍ବା ଥିଲା ଯେ ଖରାଦିନରେ ଆମ୍ବଗଛ ମୂଳରେ କିମ୍ବା ଗାଁ ପୋଖରୀରେ ପହଁରିବା ଭିତରେ ସମୟ କଟି ଯାଉଥିଲା। ପ୍ରକୃତରେ ପାଠପଢ଼଼ା କିଛି ନଥିଲା କହିଲେ ଚଳେ ଏବଂ ଫଳ ଏଇଆ ହେଉଥିଲା ଯେ ଯେତେବେଳେ ନୂଆ ବର୍ଷ ଆରମ୍ଭ ହେଉଥିଲା ସେତେବେଳେ ପ୍ରଥମେ ପଢ଼଼ା ହେଉଥିଲା, ‘ପୁରୁଣା ପାଠର ଆଲୋଚନା’। ଅର୍ଥାତ୍ ଛୁଟି ସବୁ ‘ପାଠପଢ଼଼ାରୁ ଛୁଟି’ ପ୍ରମାଣିତ କରୁଥିଲେ। କେତେବେଳେ ମାମୁ ଘର ପିଉସୀ ଘର ବୁଲି ଆସିଲେ ଛୁଟିର ମିଆଦ ସରି ଆସୁଥିଲା। ଛୋଟ ଥିଲାବେଳେ ଛୁଟିର ମହକ ଥିଲା ଅଲଗା। ଦୁଇଟି ଦିନ ଥିଲା ବିଶେଷ ଭାବରେ ଅଲଗା। ସେଇ ଦୁଇଟି ଥିଲା ସରସ୍ୱତୀ ପୂଜା ଆଉ ଗଣେଶ ପୂଜା। ପୂଜାର ପୂର୍ବଦିନରୁ ବହିପତ୍ର ବନ୍ଧା ହେଉଥିଲା ଠାକୁରଙ୍କ ପାଖରେ ପୂଜା ହେବା ପାଇଁ। ପୂଜା ଦିନରେ ଥିଲା ଉତ୍ସବର ମାହୋଲ। ପୂଜା ଦିନଟି ତମାମ ଠାକୁରଙ୍କ ପାଖରେ ବନ୍ଧା ପଡ଼ୁଥିଲା ବହି ଖାତା। ତା’ ପରଦିନ ବିସର୍ଜନ ହୋଇ ସାରିବା ପର୍ଯ୍ୟନ୍ତ ବହି ଖାତା ରହୁଥିଲା ଠାକୁରଙ୍କ ଇଜିଲାସରେ। ଅତଏବ ସେଇ ଦୁଇଦିନ ଥିଲା ପ୍ରକୃତରେ ଛୁଟିର ମଜା। ପାଠପଢ଼଼ା ପାଇଁ ନଥିଲା ସାମାନ୍ୟତମ ଝିନ୍ଝଟ କିମ୍ବା ବଡ଼ମାନଙ୍କ ତରଫରୁ କିଛି ବିରକ୍ତିକର ଟିପ୍ପଣୀ। ପିଲାବେଳେ ଛୁଟିଦିନମାନେ ଥିଲେ ବାସ୍ତବରେ ଅତି ଖୁସିରେ ଦିନ। ଆଜି ତା’କୁ ଭାବିଲେ ଲାଗେ ପ୍ରାଚୁର୍ଯ୍ୟ ସହିତ ଯେମିତି ଆନନ୍ଦର ସେମିତି କିଛି ଖାସ୍ ସମ୍ପର୍କ ନାହିଁ।
ମାଟ୍ରିକ୍ ଶେଷ ବର୍ଷ ଆରମ୍ଭ ହେଉଣୁ ହେଡ୍ମାଷ୍ଟର ଆସି ପହଞ୍ଚିଗଲେ ଶ୍ରେଣୀରେ ଆଉ ଆରମ୍ଭ କରିଦେଲେ ଗୋଟାଏ ଦୀକ୍ଷାନ୍ତ ଭାଷଣ। ତାଙ୍କର ବକ୍ତବ୍ୟର ମୁଖ୍ୟ ବିଷୟ ଥିଲା ଯେ ଆମ ପାଇଁ ଆଉ ଛୁଟି ନାହିଁ ବର୍ଷ ସାରା। ମ୍ୟାଟ୍ରିକ୍ ପରୀକ୍ଷା ଜୀବନର ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କୁଆଡ଼େ! ଏଇଟା ଜୀବନକୁ ଦି’ଭାଗ କରିଦିଏ କୁଆଡ଼େ! ଯିଏ ଫେଲ୍ ହେଲା ସିଏ ଗୋଟେ ଆଡ଼େ, ଆଉ ଯିଏ ପାସ୍ ହେଲା ସିଏ ସଫଳତାର ସିଡ଼ିରେ। ହେଡ୍ସାର୍ ଦୀର୍ଘ ସମୟ ବକ୍ତବ୍ୟ ରଖିଲେ ବି ତା’ର ତାର ସଂକ୍ଷିପ୍ତ ମର୍ମ ଥିଲା – ’ତମର ଛୁଟି ଆଜିଠୁ ସରିଗଲା’। ଅନ୍ୟ ଅର୍ଥରେ କହିଲେ – ‘ଆଗକୁ ସବୁ ଫୂର୍ତ୍ତି ବନ୍ଦ’। ମନକୁ ମନ ମୁଁ କହିଲି – ‘ଏଥର ବୁଝିଗଲି – ଛୁଟିର ଅର୍ଥ ହେଲା ଫୂର୍ତ୍ତି’। ସାର୍ମାନେ ଏତେ ଅଣୁବୀକ୍ଷଣ ଯନ୍ତ୍ରରେ ଆମକୁ ଚାରିଆଡ଼ୁ ନଜର ରଖୁଥିଲେ ଯେ ଗୋଟାଏ ମୁହୂର୍ତ୍ତ ଯେମିତି ଅପଚୟ ନହୁଏ। ଜୀବନ ଗଢ଼ିବାକୁ ହେବ ପରା! ଛୁଟି କଥା ପରେ। ଏଇମିତି ବିତିଗଲା ମାଟ୍ରିକ୍ ପରୀକ୍ଷା।
କଲେଜ ପଢ଼଼ାର ଦିନଗୁଡ଼ାକ କେତେ ଶୀଘ୍ର ବିତିଗଲା ଜାଣି ହେଲା ନାହିଁ। ପ୍ରତିଯୋଗିତା ସବୁଠି। ଯିଏ ସାଙ୍ଗ ଆଉ ସହଯୋଗୀ, ସିଏ ପୁଣି ପ୍ରତିଯୋଗୀ। ଗୋଟେ ନମ୍ବର କମିଗଲେ ଭଲ କଲେଜ ମିଳିବନି। ଭଲ ଅନର୍ସ ପାଇବାକୁ ହେଲେ ଆଗରେ ରହିବାକୁ ହେବ। ଏତେ ବ୍ୟସ୍ତତାରେ କଟିଲା ସମୟ ଯେ ଜାଣି ହେଲାନି କେମିତି ସମୟ ଗଲା। ଛୁଟି କିଏ ମାଗୁଥିଲା ବା କାହାକୁ! ସମସ୍ତେ କହୁଥିଲେ ରୋଜଗାର କରିବାକୁ ହେବ। ତା’ପରେ ଛୁଟି ଯାହାକୁ ଯେତେ। ନୂଆ ନୂଆ ଚାକିରିରେ ଯୋଗଦେଲା ପରେ ଟିକିଏ ସୁସ୍ଥିଆ ଅନୁଭବ ହେଲା। ସିନିଅରମାନେ ବହୁ ଉପଦେଶ ଦେଲେ। ତା’ ଭିତରୁ କେତେ ମନେ ଅଛି, ଅନେକ ପାସୋରା ହୋଇଗଲାଣି। ହେଲେ ଏମିତି କିଛି ପରାମର୍ଶ ଥାଏ ଯାହାକୁ ନା ଭୁଲିହୁଏ ନା ହସକୁ ରୋକି ହୁଏ। ଛ’ ଦିନର ସରକାରୀ କାର୍ଯ୍ୟଦିବସ ପରେ ଗୋଟିଏ ଦିନ ଛୁଟି ରବିବାର। ସେଦିନ ଲୁଗାପଟା ସଫାସଫି, ସପ୍ତାହଯାକର ବଜାରରୁ କିଣାକିଣି କାମ। ଲାଗିଲା ଛୁଟିଟା ସତରେ ନିହାତି ଦରକାର। ଜଣେ ସିନିଅର କହିଲେ, ରବିବାରଟା ହେଉଛି ମାଂସଖିଆ ବାରି। ଦି’ ପହରରେ ମାଂସ ଟିକିଏ ଖାଇଦେଇ ଘଣ୍ଟେ ଦୁଇଘଣ୍ଟା ଶୋଇଯିବ। ସେଇଟା ହେଉଛି ଗୋଟିଏ ସରକାରୀ କର୍ମଚାରୀର ବିଳାସ। ଆଉ କିଛି ନାହିଁ। ଭାରି ହସ ଲାଗିଲା ଛୁଟିର ଏଇ ନୂତନ ସଂଜ୍ଞା ଶୁଣି।
ଛୁଟିକୁ ଖୋଜିବା ଭିତରେ ବୟସ ବଢ଼଼ୁଥିଲା। ବଢ଼଼ୁଥିଲା କାର୍ଯ୍ୟର ପରିସର। ବଢ଼଼ୁଥିଲା ବ୍ୟକ୍ତିଗତ ଜୀବନର ଜଞ୍ଜାଳ। ନିଜ ଜୀବନ କହିଲେ କ୍ରମେ ଗୋଟାଏ ପରିବାରର ବୋଝ। ଗୋଟାଏ ସରକାରୀ ଅଫିସର ଦାୟିତ୍ୱ। ଗୋଟାଏ ଅଞ୍ଚଳର ଲୋକଙ୍କର ବିଭିନ୍ନ ଆଶା ଆକାଂକ୍ଷା ବୁଝାଯାଉଥିଲା। ଛୁଟି ଖାଲି ମିଳିବା କଷ୍ଟ ନଥିଲା। ମାଗିବାକୁ ଇଚ୍ଛା ହେଉ ନଥିଲା। ତଥାପି କେହି କେହି ସହକର୍ମୀ ମଝିରେ ମଝିରେ ଉଭାନ ହୋଇଯାଉଥିଲେ। ଖରାଦିନେ ଶୀତଳ ଅଞ୍ଚଳକୁ ବୁଲିଯାଇଥିଲେ। ଆଉ ଶୀତଦିନେ ଅପେକ୍ଷାକୃତ ଉଷ୍ଣପ୍ରବଣ ଇଲାକାକୁ। ସମସ୍ତେ କହୁଥିଲେ, ସବୁବେଳେ ଅଫିସ୍ କାମରେ ଘସିନେସି ହେଲେ ଗୋଟାଏ କ୍ଲୀବତ୍ୱ ସୃଷ୍ଟି ହୁଏ କୁଆଡ଼େ।
ଛୁଟିଦିନ କହିଲେ ସରକାରୀ ଛୁଟି ସିନା; କିନ୍ତୁ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ବୁଝୁଥିବା ଲୋକଟି ପାଇଁ ସେଇ ଛୁଟି ଭିତରେ ହିଁ କାମ। ଯେତେବେଳେ ଛୁଟି ସଂକ୍ରାନ୍ତ ନିୟମ ପଢ଼଼ା ହେଲା ତାହା ନିଜ ଭିତରେ ଶୂନ୍ୟତା ସୃଷ୍ଟି କରୁଥିଲା। କାରଣ ପ୍ରଥମ ବାକ୍ୟଟି ଥିଲା ଭାରି କର୍କଶ – ‘ଛୁଟିକୁ କେବେ ନିଜର ଅଧିକାର ଭାବି ଦାବି କରାଯାଇପାରିବ ନାହିଁ।’ ମାତ୍ର ପ୍ରଥମ ଚାକିରିରେ ଏକାଡେମୀ ଜୀବନରେ ପଢ଼଼ାଉଥିବା ଅଧିକାରୀ ଥିଲେ ଭାରି ଦରଦୀ। ସେ କହିଥିଲେ ଆଉ ଗୋଟିଏ କଥା। ଜରୁରୀ କାମ ଥିଲେ ଛୁଟି ମଞ୍ଜୁର କଲା ବେଳେ କୃପଣ ହେବ ନାହିଁ। ତମେ ସିନା ଅନ୍ୟର ଛୁଟି ମଞ୍ଜୁର କଲା ବେଳେ କୃପଣ ହେବନି, ହେଲେ ତମ ଛୁଟି ମଞ୍ଜୁର କରୁଥିବା ଲୋକ କୃପଣ ସବୁବେଳେ। ତମକୁ ସବୁବେଳେ କୁହାଯିବ, ତମେ କ’ଣ କିରାଣୀ ଚପରାସୀ ହୋଇଛ ଯେ ଛୁଟି ମାଗିବ। ମଝିମଝିଆ ଚାକିରିରେ ଜୀବନ ସାରା ଛୁଟି ମିଳିବନି। ହିସାବ କରିବ ଚାକିରି ଶେଷରେ ଯେ କେତେ ଇ.ଏଲ୍., ସି.ଏଲ୍. ନଷ୍ଟ ହେଲା ଭଗବାନ ଦୟାଳୁ ନହେଲେ ଆହୁରି କେତେ କ’ଣ ହୋଇଥା’ନ୍ତା। ଛୁଟି ନ ମିଳୁ ପଛେ ଦେହପା ଖରାପ ନହେଉ।
ଚାକିରି ଜୀବନରେ କର୍ମମୟ ଜୀବନରେ ଏମିତି ପରିସ୍ଥିତି ଆସିଯିବ, ଯେତେବେଳେ ଛୁଟି ମଞ୍ଜୁର ହୋଇଥିବ, ଅଥଚ ଏମିତି ଅବସ୍ଥା ସୃଷ୍ଟି ହେବ ଟିକଟ କ୍ୟାନ୍ସଲ କରିବାକୁ ହେବ। ଛୁଟି ଯେମିତି ମାୟାମୃଗ ମନେ ହେଉଥିବ। ଛୁଟି କେତେକଙ୍କ ପାଇଁ ଏତେ ସହଜରେ ମିଳିଯାଉଛି ଅଥଚ ମୋ ପରି ଲୋକଟେ ପାଇଁ ଏମିତି କ’ଣ ହେଉଛି ଯେ! ମନେ ପଡ଼ିଯିବ ବର୍ଟ୍ରାଣ୍ଡ ରସେଲଙ୍କ ପୁସ୍ତକ ‘ଇନ୍ ପ୍ରେଜ୍ ଅଫ୍ ଆଇଡିଲ୍ନେସ୍’ ଯେଉଁଠି ସେ କହୁଥିବେ, ‘ଯେ କୌଣସି କାମ ଦିନକୁ ଚାରିଘଣ୍ଟାରୁ ବେଶି କରିବା କଥା ନୁହେଁ। ବେଶୀ ସମୟ ଚିନ୍ତା କରିବା କଥା, ବହି ପଢ଼଼ିବା କଥା, କଳ୍ପନା ଭିତରେ ନିଜକୁ ମଜେଇ ରଖିବା କଥା।’ ଏତେ କଥାକୁ ସପନ କାହିଁ – ରସେଲ୍ଫ ସାହେବ!
ଏମିତି ଚାହୁଁ ଚାହୁଁ ଅବସର ଆସିଯିବ। ତମକୁ କହିଦିଆଯିବ ଏବେ ତମର ପୂରା ଛୁଟି। ଆଉ ଅଫିସ୍କୁ ଆସିବା ଦରକାର ନାହିଁ। ତମେ ଏତେ ବର୍ଷ ଯେଉଁ ଅଫିସ୍ରେ ଦିନ-ରାତିକୁ ଏକାକାର କରିଦେଉଥିଲ, ତମେ ନହେଲେ ଅଫିସ୍ ଚାଲିବ ନାହିଁ ବୋଲି ଯେଉଁମାନଙ୍କ କଥାରେ ତମେ ମନେ ମନେ ଗର୍ବ କରୁଥିଲ, ସେଗୁଡ଼ାକ କେତେ ମୂଲ୍ୟହୀନ, ଏବେ ବିଚାର କର। ଯେତେବେଳେ ଛୁଟି ମିଳିବ ସେତେବେଳେ ଛୁଟିରେ ଯିବାକୁ ମନ ଆଉ ଶରୀର ପ୍ରସ୍ତୁତ ନଥିବେ।
ସାବଧାନ ହୋଇଯାଅ ଏବେ ଠୁ। ପ୍ରତିଦିନ ନିଜ ପାଇଁ ଛୁଟି ଖୋଜ, ନିଜର ମନ କ’ଣ ଚାହୁଁଛି ତା’ ପାଇଁ କିଛି ସମୟ। ଅଳ୍ପ ସମୟ ହେଉ ପଛେ ପରବାୟ ନାହିଁ। ତା’ ନହେଲେ ଯେତେବେଳେ ଯମ ପାଖରେ ପହଞ୍ଚିବ ଚିତ୍ରଗୁପ୍ତ ତମ ପାଞ୍ଜି ଦେଖି କହିବ – ୟାଙ୍କର ମୋକ୍ଷ ଯୋଗ ଢେର ବାକି। ଜୀବନ ସାରା କିଛି କରିନାହାନ୍ତି। ଖାଲି କାମ ଓ କାମ। ଛୁଟି ନେଇ ନାହାନ୍ତି। ସାଙ୍ଗ ସହିତ ବସି ହସି ନାହାନ୍ତି। ପରିବାର ସହିତ ଗପ କରି ନାହାନ୍ତି। କେବେ କେଉଁଠାକୁ ବୁଲିଯାଇନାହାନ୍ତି। ପୁଣି ଆଉ ଥରେ ଫେରି ଯାଆନ୍ତୁ ପୃଥିବୀକୁ। ଛୁଟିଦିନ ଅଣ୍ଡାଳୁ ଆଉ ଥରେ ପୃଥିବୀକୁ ଯାଇ। କାମ ଆଉ ଛୁଟି ଦି’ଟାକୁ ସନ୍ତୁଳିତ କରନ୍ତୁ ନୂଆ ଜୀବନର ବାସ୍ତବ ସ୍ୱାଦ ଆହରଣ ପାଇଁ। ନିରଞ୍ଜନ ସାହୁ
ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧