ମନୋରଞ୍ଜନ
ଓଡ଼ିଶା
ମହାତ୍ମାଙ୍କ ଦୃଷ୍ଟିରେ ଉତ୍କଳମଣି
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମହାପ୍ରୟାଣର ୯୬ ବର୍ଷ ପରେ ବି ଓଡ଼ିଆ ଜାତି ସେହି ପୁଣ୍ୟାତ୍ମାଙ୍କୁ ଝୁରୁଛି ଏବଂ ଯେତେଦିନ ପର୍ଯ୍ୟନ୍ତ ଏ ଜାତି ରହିଥିବ ସେତେଦିନ ପର୍ଯ୍ୟନ୍ତ କୃତଜ୍ଞତାର ସହିତ ତାଙ୍କୁ ସ୍ମରଣ କରି ଚାଲିଥିବ। ସେବା, ସଂଗ୍ରାମ, ସମର୍ପଣ, ସତ୍ୟାଗ୍ରହ, ସଂକଳ୍ପ, କରୁଣା ଓ ତ୍ୟାଗର ପ୍ରତୀକ ଥିଲେ ଦାସେ ଆପଣେ। ମାତ୍ର ୫୧ବର୍ଷ ବୟସରେ ତାଙ୍କର ପବିତ୍ର କର୍ମମୟ ଜୀବନର ଅବସାନ ଘଟିଥିଲା କର୍ମଭୂମି ସାକ୍ଷୀଗୋପାଳର ସତ୍ୟବାଦୀ ବିଦ୍ୟାଳୟ ପରିସରରେ। ମହାମାନବ […]
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମହାପ୍ରୟାଣର ୯୬ ବର୍ଷ ପରେ ବି ଓଡ଼ିଆ ଜାତି ସେହି ପୁଣ୍ୟାତ୍ମାଙ୍କୁ ଝୁରୁଛି ଏବଂ ଯେତେଦିନ ପର୍ଯ୍ୟନ୍ତ ଏ ଜାତି ରହିଥିବ ସେତେଦିନ ପର୍ଯ୍ୟନ୍ତ କୃତଜ୍ଞତାର ସହିତ ତାଙ୍କୁ ସ୍ମରଣ କରି ଚାଲିଥିବ। ସେବା, ସଂଗ୍ରାମ, ସମର୍ପଣ, ସତ୍ୟାଗ୍ରହ, ସଂକଳ୍ପ, କରୁଣା ଓ ତ୍ୟାଗର ପ୍ରତୀକ ଥିଲେ ଦାସେ ଆପଣେ। ମାତ୍ର ୫୧ବର୍ଷ ବୟସରେ ତାଙ୍କର ପବିତ୍ର କର୍ମମୟ ଜୀବନର ଅବସାନ ଘଟିଥିଲା କର୍ମଭୂମି ସାକ୍ଷୀଗୋପାଳର ସତ୍ୟବାଦୀ ବିଦ୍ୟାଳୟ ପରିସରରେ।
ମହାମାନବ ମହାତ୍ମା ଗାନ୍ଧୀଙ୍କଠାରୁ ଉତ୍କଳମଣି ଥିଲେ ବୟସରେ ପ୍ରାୟ ୮ବର୍ଷ ସାନ। ଉଭୟେ ଉଭୟଙ୍କୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ କରୁଥିଲେ। ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ସେବା କରିବା କ୍ଷେତ୍ରରେ ଗୋପବନ୍ଧୁ ଯେପରି ସମର୍ପିତ ହୋଇ କାମ କରୁଥିଲେ ଏବଂ ‘ସ୍ୱରାଜ’ ସଂଗ୍ରାମକୁ ଓଡ଼ିଶାରେ ବ୍ୟାପକ କରିବା ପାଇଁ ଲାଗିଥିଲେ, ତାହା ଥିଲା ଅନନ୍ୟ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଚାଲିଥିବା ଆନ୍ଦୋଳନର ସେ ବି ଥିଲେ ଅନ୍ୟତମ କର୍ଣ୍ଣଧାର। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ସମୃଦ୍ଧି ଲାଗି ସେ ମଧ୍ୟ ଯେ କୌଣସି ଆହ୍ୱାନକୁ ହସିହସି ଗ୍ରହଣ କରୁଥିଲେ। ପାଠ ପଢ଼଼ିବା ବୟସରେ ଗାଁ ପାଖ ଭାର୍ଗବୀ ନଦୀ ତଟବର୍ତ୍ତୀ ଶ୍ମଶାନ ଘାଟ ନିକଟରେ ସତୀର୍ଥମାନଙ୍କ ସହ ସେ ଶପଥ ନେଇଥିଲେ, ଜନ୍ମବେଳେ ଦେଶ ମାତୃକାକୁ ଯାହା ଦେଖିଥିଲେ ତାହାଠାରୁ ଭଲ ଦେଖି ମାରିବାକୁ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରାୟ ୧୫ବର୍ଷ ପୂର୍ବରୁ ଗାନ୍ଧିଜୀ ଓଡ଼ିଶାକୁ ଜାତୀୟସ୍ତରରେ ସ୍ୱତନ୍ତ୍ର ପରିଚିତି ଦେବା ପାଇଁ ଗଠନ କରାଇଥିଲେ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ‘ଉତ୍କଳ ପ୍ରଦେଶ କଂଗ୍ରେସ କମିଟି।’ ଗୋପବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ସପ୍ତାହବ୍ୟାପୀ ଗସ୍ତ ଆରମ୍ଭ ହୋଇଥିଲା ୧୯୨୧ ମାର୍ଚ୍ଚ ୨୩ ତାରିଖରେ। ସତ୍ୟାଗ୍ରହ ସଂଗ୍ରାମର ପବିତ୍ର ଧାରାକୁ ଉତ୍କଳ ମାଟିରେ ପ୍ରବାହିତ କରିବା କ୍ଷେତ୍ରରେ ଭଗୀରଥଙ୍କ ଭୂମିକା ନେଇଥିଲେ ଗୋପବନ୍ଧୁ।
ପ୍ରଥମ ଓଡ଼ିଶା ଗସ୍ତ ପରେ ଗାନ୍ଧିଜୀ ୧୩/୦୪/୧୯୨୧ରେ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ଗୋପବନ୍ଧୁଙ୍କ ଭୂୟସୀ ପ୍ରଶଂସା କରି ଲେଖିଥିଲେ ଯେ ତାଙ୍କ ଭଳି କିଛି ସାଧୁକର୍ମୀ ମିଳିଗଲେ ବର୍ଷକ ଭିତରେ ‘ସ୍ୱରାଜ’ ଆସିଯିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ସେତେବେଳେ ‘ନବଜୀବନ’ ପତ୍ରିକାରେ ଅନ୍ୟ ଏକ ଆଲେଖ୍ୟରେ ଗାନ୍ଧିଜୀ ପୁଣି ଲେଖିଛନ୍ତି, ‘ପ୍ରକୃତିର କ୍ରୋଧ ହେତୁ ଓଡ଼ିଶାର ଲୋକେ ଦୁଃଖ ପାଉଛନ୍ତି। କେତେବେଳେ ବର୍ଷା ଅଭାବରୁ ଫସଲ ହେଉନାହିଁ ତ ଆଉ କେତେବେଳେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ବନ୍ୟାରେ ଫସଲ ଓ ଘରଦ୍ୱାର ଧୋଇ ଯାଉଛି। ଏମିତି ଏକ ଭଗବାନଙ୍କ ପରିତ୍ୟକ୍ତ ଅଞ୍ଚଳରେ ଜଣେ ପ୍ରକୃତ ନେତା ଅଛନ୍ତି, ସେ ହେଉଛନ୍ତି ଗୋପବନ୍ଧୁ ଦାସ…।… ଗୋପବନ୍ଧୁ ଓ ତାଙ୍କ ସହକର୍ମୀମାନେ ପୂର୍ବରୁ ଖାଦ୍ୟରେ କେତେ ଟୋପା ଘିଅ ଖାଉଥିଲେ, ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବା ପରେ ସେମାନେ ତାହା ଛାଡ଼ି ଦେଇଛନ୍ତି। ଆମ ଦେଶରେ ଏପରି କ୍ୱଚିତ ଲୋକ ଥିବେ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ଏତେ ଦୁଃଖରେ ବଞ୍ଚିଥିବେ। ମୁଁ ପଚାରିଥିଲି ଯେ ଏଭଳି ଖାଦ୍ୟ ଖାଇ ରହିଲେ ସ୍ୱାସ୍ଥ୍ୟହାନି ଘଟିବ ନାହିଁ କି? ଏହାର ଉତ୍ତରରେ ଗୋପବନ୍ଧୁବାବୁ କହିଥିଲେ ଯେ ଏ ପ୍ରକାରର ଦୈନ୍ୟ ଓ ଅଭାବ ‘ସ୍ୱରାଜ’ ପାଇଁ ମାନିନେବା କ’ଣ ଉଚିତ୍ ନୁହେଁ। ମୁଁ ଚୁପ୍ ହୋଇଗଲି। ଯେତେବେଳେ ଜଣେ ଲୋକ କୌଣସି ଦୁଃଖଯନ୍ତ୍ରଣାର ସମ୍ମୁଖୀନ ହୁଏ, ସେ ଜାଣିପାରେ ନାହିଁ ଭଗବାନ ତା’କୁ ତାହା ସହିବାର କେତେ ଶକ୍ତି ଦିଅନ୍ତି।’ ଗାନ୍ଧିଜୀ ଆହୁରି ଲେଖିଥିଲେ, ‘ସାଧାରଣ ଜନତାଙ୍କ ସ୍ୱାର୍ଥ ଲାଗି ଗୋପବନ୍ଧୁବାବୁ ବିହାର-ଓଡ଼ିଶା କାଉନ୍ସିଲର୍ ସଭ୍ୟପଦ ସହିତ ଓକିଲାତି ବୃତ୍ତି ବି ଛାଡ଼ି ଦେଇଥିଲେ ଏବଂ ବ୍ରିଟିଶ ସରକାରର ଅନୁକମ୍ପା ନନେଇ ତାଙ୍କର ପ୍ରାଣଠାରୁ ଅଧିକ ପ୍ରିୟ ସତ୍ୟବାଦୀ ବନବିଦ୍ୟାଳୟକୁ ବାଜି ଲଗାଇ ଦେଇଥିଲେ।’
ଗୋପବନ୍ଧୁ ଓ ତାଙ୍କ ପ୍ରତିଷ୍ଠିତ ‘ସମାଜ’କୁ ଦବାଇ ରଖିବା ପାଇଁ ସରକାରୀ ସ୍ତରରେ ଷଡ଼ଯନ୍ତ୍ର ଚାଲିଥିବା ବେଳେ ଏ ପ୍ରସଙ୍ଗରେ ସେ ଗାନ୍ଧୀଙ୍କ ପରାମର୍ଶ ଲୋଡ଼ିଥିଲେ। ଏକ ତାରବାର୍ତ୍ତାରେ ୧୯୨୧ ଅକ୍ଟୋବର ୮ ତାରିଖରେ ଗୋପବନ୍ଧୁଙ୍କୁ ଗାନ୍ଧୀ କହିଥିଲେ, ‘କେବଳ ନିର୍ଭୀକ ଓ ସତ୍ୟ ବିବୃତି ଦିଅନ୍ତୁ। ପରିଣାମକୁ ଖାତିର କରନ୍ତୁ ନାହିଁ।’ ସତକୁ ସତ ସମାଜ ସମ୍ପାଦକ ଗୋପବନ୍ଧୁଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇ ତାଙ୍କୁ ଖୋରଧା ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ସେ ଜାମିନରେ ନଯାଇ ଓଲଟା ତାଙ୍କ ଭଳି ଜଣେ ସତ୍ୟାଗ୍ରହୀଙ୍କୁ କଠୋରରୁ କଠୋରତମ ଦଣ୍ଡବିଧାନ କରିବା ପାଇଁ ବିଚାରପତିଙ୍କୁ ଆହ୍ୱାନ ଦେଇଥିଲେ। ତେବେ ସ୍ୱାଧୀନଚେତା ବିଚାରପତି ଜଣକ ଏହି ମାମଲାରେ ଗୋପବନ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ ଏବଂ ଯେଉଁ ସରକାର ବିଚାର ବିଭାଗର ନିରପେକ୍ଷତାକୁ ପ୍ରଭାବିତ କରିବା ପାଇଁ ଚାପ ପ୍ରୟୋଗ କରନ୍ତି ସେହି ସରକାରରେ ସେ କାମ କରିବାକୁ ଉଚିତ୍ ନମଣି ବିଚାରପତି ପଦବୀରୁ ବି ଇସ୍ତଫା ଦେଇଥିଲେ। ଏହି ବିଚାରପତି ଜଣକ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଡ଼ଭାଇ ସୁରେଶ ଚନ୍ଦ୍ର ବୋଷ। ଏଠାରେ ଉଲ୍ଲେଖନୀୟ ଯେ ଏହାପରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବି ମାମଲା ରୁଜୁ କରାଯାଇ ତାଙ୍କୁ ୬ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ଗାନ୍ଧୀ ଓ ଗୋପବନ୍ଧୁଙ୍କ ଭିତରେ ବହୁ ପତ୍ର ବିନିମୟ ହୋଇଛି। ଏ ସବୁ ଏବେ ଇତିହାସର ଦସ୍ତାବିଜ ଭାବେ ‘କଲେକ୍ଟେଡ୍ ୱାର୍କ୍ସ ଅଫ୍ ମହାତ୍ମା ଗାନ୍ଧୀ’ରେ ସଂରକ୍ଷିତ ହୋଇ ରହିଛି। ଏଥିରୁ ଗୋଟିଏ ଚିଠିରେ ଗୋପବନ୍ଧୁଙ୍କୁ ଗାନ୍ଧୀ ଲେଖିଛନ୍ତି, ‘ଭୂତର ଆଦେଶ ପରି ଓଡ଼ିଶା ମୋ ମନକୁ ଆଚ୍ଛନ୍ନ କରି ରଖିଛି। ଏପରି ଏକ ଗୌରବୋଜ୍ଜ୍ୱଳ ତଥା ବୀରତ୍ୱପୂର୍ଣ୍ଣ ମାଟି ଦାରିଦ୍ର୍ୟ ପ୍ରପୀଡ଼ିତ ଏବଂ ଏହାର କର୍ମୀମାନେ ସତ୍ ଅଥଚ ଅସହାୟ। ଏଣେତେଣେ ବୁଲି ନିଜ ଶରୀରର ସ୍ୱାଭାବିକ ଅବସ୍ଥାକୁ ଆପଣ ନଷ୍ଟ କରନ୍ତୁ ନାହିଁ। ସରଳ ସ୍ୱାସ୍ଥ୍ୟବିଧି ପାଳନ କରି ନିଜ ସ୍ୱାସ୍ଥ୍ୟ ରକ୍ଷା କରନ୍ତୁ।’ ଗୋପବନ୍ଧୁ ବଞ୍ଚିଥିବା ବେଳେ ଗାନ୍ଧିଜୀ ୧୯୨୧ ଓ ୧୯୨୭ରେ ସତ୍ୟବାଦୀ ଆସିଥିଲେ। ୧୯୨୮ ନେତ୍ରୋତ୍ସବ ପୂର୍ବରୁ ଗୋପବନ୍ଧୁଙ୍କ ଦେହାନ୍ତ ଘଟିଲା ଜୁନ୍ ୧୭ ତାରିଖରେ। ଏହାପରେ ଗାନ୍ଧିଜୀ ୧୯୩୪ ମଇ ୮ ତାରିଖରେ ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଗୋପବନ୍ଧୁଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରି କହିଥିଲେ, ‘ଗୋପବନ୍ଧୁ ଆମକୁ ଅପୂର୍ବ ଆଦର୍ଶ ଦେଖାଇ ଯାଇଛନ୍ତି। ସେ ଜଣେ ତ୍ୟାଗୀ ଦେଶସେବକ ଥିଲେ। ଆପଣମାନେ ତାଙ୍କ ଆଦର୍ଶ ଯେତେ ଦେଖିଛନ୍ତି ଓ ଜାଣିଛନ୍ତି ମୁଁ ହୁଏତ ସେତେ ଜାଣିନାହିଁ। ତେବେ ତାଙ୍କର ଧର୍ମନିଷ୍ଠା, ସତ୍ୟନିଷ୍ଠା, ସାଧୁତା, ସରଳତା ଓ ବୀରତ୍ୱର ପ୍ରଭାବ ମୋ ଜୀବନ ଉପରେ ପଡ଼ିଛି। ଆଜି ଏ ପୁଣ୍ୟ ଭୂମିରେ ମୁଁ ତାଙ୍କର ଅଭାବ ଅଧିକ ଅନୁଭବ କରୁଛି…।… ତାଙ୍କ ମହତ୍ ଆତ୍ମା ଅମର ହୋଇ ରହିଛି ଓ ଚିରକାଳ ପାଇଁ ରହିବ। ମୋର ଆଶା ଯେ କେବଳ ଉତ୍କଳ କାହିଁକି ସମଗ୍ର ଭାରତ ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗ ମାର୍ଗ ଅନୁସରଣ କରି ତାଙ୍କ ସ୍ମୃତିର ପ୍ରଭାବରେ ନିଜକୁ ଧନ୍ୟ କରିବ।’ ପରଦିନଠାରୁ ଗାନ୍ଧିଜୀ ଆରମ୍ଭ କରିଥିଲେ ଓଡ଼ିଶାରେ ତାଙ୍କର ‘ହରିଜନ ପଦଯାତ୍ରା’। ଏହି ଅବସରରେ ସେ ସତ୍ୟବାଦୀ ଆସି ଗୋପବନ୍ଧୁଙ୍କ ହାତଗଢ଼ା କାଦୁଆ ଆଶ୍ରମରେ ରହିଥିଲେ। ସେତେବେଳେ ସେଠାରେ ଖଦି କାମ ଧିମା ପଡ଼ିଯାଇଥିବାରୁ ଗାନ୍ଧିଜୀ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବା ସହ ‘ଦାସେ ଆପଣେ’ଙ୍କ ନାମରେ ଏହି ଅନୁଷ୍ଠାନକୁ ‘ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ’ ନାମରେ ନାମିତ କରିବା ସହ ଏହି ଦାୟିତ୍ୱ ଗୋପବନ୍ଧୁ ଚୌଧୁରୀଙ୍କ ଉପରେ ନ୍ୟସ୍ତ କରିଥିଲେ।
‘ନବଜୀବନ’ ପତ୍ରିକାରେ ୧୯୨୮ ଜୁଲାଇ ପହିଲା ସଂସ୍କରଣରେ ‘ଜଣେ ସଚ୍ଚା ସେବକ’ ଶିରୋନାମାରେ ଗାନ୍ଧିଜୀ ଗୋପବନ୍ଧୁଙ୍କ ପ୍ରତି ତାଙ୍କ ଅନ୍ତରର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ସେ ଲେଖିଥିଲେ, ‘ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମୃତ୍ୟୁ ଫଳରେ ଭାରତବର୍ଷ, ବିଶେଷକରି ଉତ୍କଳ, ଜଣେ ସଚ୍ଚା ଓ ଶୁଦ୍ଧମନା ସେବକଙ୍କୁ ହରାଇଲା। ସେ ଓଡ଼ିଶାର ରତ୍ନ ଥିଲେ…।… ଗୋପବନ୍ଧୁବାବୁଙ୍କ ମନରେ କୌଣସି ଗ୍ଲାନି ମୁଁ କେବେ ଅନୁଭବ କରିନାହିଁ। ଓଡ଼ିଶାର ଦାରିଦ୍ର୍ୟ ଦୂର ଲାଗି ଖଦି ଉପରେ ସେ ଗୁରୁତ୍ୱ ଦେଉଥିଲେ। ଏଥିପାଇଁ ମୋ ସହିତ ବାରମ୍ବାର ପରାମର୍ଶ କରୁଥିଲେ। ଲାଲାଜୀଙ୍କ ଲୋକସେବକ ମଣ୍ଡଳ ସହିତ ଗୋପବନ୍ଧୁବାବୁଙ୍କ ସୁସମ୍ପର୍କ ଥିଲା। ସେ ଏହି ମଣ୍ଡଳର ଉପ-ସଭାପତି ଥିଲେ। ଆମେ ଏହାହିଁ ଆଶା କରିବା ଯେ ଓଡ଼ିଶାର ସ୍ୱେଚ୍ଛାସେବକମାନେ ତାଙ୍କର କାମକୁ ମୁଣ୍ଡାଇବେ। ସାଧୁ ପୁରୁଷମାନେ ମରି ସୁଦ୍ଧା ଅମର, ଅସାଧୁ ଲୋକ ବଞ୍ଚିଥିଲେ ବି ମଲା ପରି। ଗୋପବନ୍ଧୁବାବୁଙ୍କ ଭଳି ସାଧୁ ପୁରୁଷଙ୍କ ଦୈହିକ ମୃତ୍ୟୁରେ ଆମେ ସ୍ୱାର୍ଥପରବଶ ହୋଇ ଦୁଃଖ କରୁଛୁ, ମାତ୍ର ପବିତ୍ର ଦୃଷ୍ଟିରେ ଦେଖିଲେ ଜାଣିବା ଯେ ଈଶ୍ୱର ନିର୍ଦ୍ଦୟ ନୁହନ୍ତି, ନ୍ୟାୟବନ୍ତ। ସେ ଜୀବିତ ଥିଲା ବେଳେ ଆମେ ତାଙ୍କର ପବିତ୍ର ଜୀବନକୁ ଅନୁକରଣ କରିପାରି ନାହୁଁ, ବର୍ତ୍ତମାନ ତାଙ୍କର ଗୁଣଗୁଡ଼ିକ ସ୍ମରଣ କରି ଆମେ ନିଜ ଭିତରେ ସେଭଳି କରିପାରିବାର ଶକ୍ତି ଜନ୍ମାଇବା ଉଚିତ୍।’
‘ୟଙ୍ଗ୍ ଇଣ୍ଡିଆ’ର ୧୯୨୮ ଜୁନ୍ ୨୧ ସଂସ୍କରଣରେ ‘ସ୍ୱର୍ଗୀୟ ଗୋପବନ୍ଧୁବାବୁ’ ଶୀର୍ଷକରେ ଗାନ୍ଧିଜୀ ଅନ୍ୟ ଏକ ଶ୍ରଦ୍ଧାଞ୍ଜଳିରେ ଲେଖିଛନ୍ତି, ‘ଦୁଃଖ ବା ବିପତ୍ତିରେ ଓଡ଼ିଶାର ଶ୍ରେଷ୍ଠ ସୁପୁତ୍ରମାନଙ୍କ ଭିତରୁ ପଣ୍ଡିତ ଗୋପବନ୍ଧୁ ଦାସ ଅନ୍ୟତମ। ସେ ଓଡ଼ିଶାକୁ ନିଜର ସର୍ବସ୍ୱ ସମର୍ପଣ କରିଦେଇଥିଲେ। ଗୋପବନ୍ଧୁବାବୁଙ୍କ ନିଷ୍କଳଙ୍କ ଚରିତ୍ର ଓ ଦୃଢ଼ତା ସମ୍ପର୍କରେ ମୁଁ ଅନେକ ଜାଣିଛି…।… ଗୋପବନ୍ଧୁ ନିଜ ମାର୍ଗରୁ କେବେ ବିଚ୍ୟୁତ ହୋଇ ନାହାନ୍ତି। ତାଙ୍କ କୀର୍ତ୍ତି ଚିରକାଳ ଲାଗି ଜୀବିତ ରହିବ। ତାଙ୍କ ଜୀବନର ଗୋଟିଏ ଅଭିଳାଷ ଥିଲା ଖଣ୍ଡବିଖଣ୍ଡିତ ଉତ୍କଳକୁ ଏକତ୍ରୀକରଣ କରି ତାକୁ ସୁଖୀ ଦେଖିବେ…।… ଗୋପବନ୍ଧୁବାବୁଙ୍କ ମୃତ୍ୟୁରେ ଦେଶ ଆହୁରି ଗରିବ ହୋଇଗଲା। ସେ ସଶରୀରରେ ଆମ ପାଖରେ ନଥିଲେ ବି ତାଙ୍କ ଆତ୍ମା ଆମ ନିକଟରେ ରହିଛି। ଏହି ପୁଣ୍ୟାତ୍ମା ଓଡ଼ିଶାର କର୍ମୀଙ୍କୁ ପଥପ୍ରଦର୍ଶନ କରନ୍ତୁ…।… ତାଙ୍କ ମୃତ୍ୟୁ ପରେ କର୍ମୀମାନେ ନିଜ ନିଜର ସେବା କାର୍ଯ୍ୟରେ ମିଳିତ ଭାବେ ପୂର୍ବାପେକ୍ଷା ଅଧିକ ଯତ୍ନ କରନ୍ତୁ ଏବଂ ଅଧିକ ଆତ୍ମତ୍ୟାଗ କରନ୍ତୁ, ସେମାନଙ୍କ ଭିତରେ ବେଶୀ ଏକତା ଆସୁ ଏବଂ ଏହି ପ୍ରେରଣା ସେମାନଙ୍କୁ ମିଳୁ। ଏହି ବିରଳ ସ୍ୱର୍ଗତଃ ଦେଶଭକ୍ତଙ୍କ ପରିବାର ଓ ଶିଷ୍ୟମାନଙ୍କ ପ୍ରତି ସମବେଦନା ପ୍ରକଟ କରୁଛି।’
ଗାନ୍ଧିଜୀ ଲବଣ ସତ୍ୟାଗ୍ରହ, ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ନାରୀ ଜାଗରଣ, ଗ୍ରାମୋଦ୍ୟାଗ ଆଦି କାର୍ଯ୍ୟକ୍ରମ ଆରମ୍ଭ କରିବାର ଢେର ପୂର୍ବରୁ ଗୋପବନ୍ଧୁ ଏ ସଂକ୍ରାନ୍ତରେ ସମାଜ ପୃଷ୍ଠାରେ, ସଭା ସମିତିରେ ଏମିତି କି ବିହାର-ଓଡ଼ିଶା ବିଧାନ ପରିଷଦରେ ପ୍ରସଙ୍ଗ ବାରମ୍ବାର ଉଠାଇଛନ୍ତି। ଗୋପବନ୍ଧୁଙ୍କ ପ୍ରସଙ୍ଗରେ ଗାନ୍ଧିଜୀ ଯେତେ କଥା କହିଛନ୍ତି ଓ ଲେଖିଛନ୍ତି ଏବଂ ଗାନ୍ଧିଜୀ ଓ ତାଙ୍କ ନେତୃତ୍ୱରେ ପରିଚାଳିତ ସ୍ୱାଧୀନତା ସଂଗ୍ରାମ ସଂକ୍ରାନ୍ତରେ ଗୋପବନ୍ଧୁ ଯେତେସବୁ ମନ୍ତବ୍ୟ ଦେଇଛନ୍ତି ଓ କାମ କରିଛନ୍ତି ସେ ସବୁକୁ ଲେଖି ବସିଲେ ପୋଥିଟିଏ ହେବ। ଦେଶ ପାଇଁ ବାରମ୍ବାର କାରାବରଣ କରିବା ଥିଲା ଏହି ମହାପୁରୁଷମାନଙ୍କ ଲାଗି ପବିତ୍ର ପ୍ରବାସ। ଗୋପବନ୍ଧୁଙ୍କ ଅବର୍ତ୍ତମାନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଛି ଏବଂ ଦେଶ ବି ବ୍ରିଟିଶ କବଳରୁ ମୁକୁଳିଛି। ଗୋପବନ୍ଧୁଙ୍କ ବିୟୋଗର ୯୬ବର୍ଷ ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୭ ବର୍ଷ ପରେ ଏବଂ ସ୍ୱାଧୀନତା ପ୍ରାପ୍ତିର ୭୭ବର୍ଷରେ ଗାନ୍ଧୀ-ଗୋପବନ୍ଧୁଙ୍କୁ କୃତଜ୍ଞତାର ସହ ସ୍ମରଣ କରିବା ବେଳେ ଯେଉଁ ଲକ୍ଷ୍ୟ ନେଇ ସେମାନେ କାମ କରିଥିଲେ ତାହା କେତେଦୂର ସଫଳ ହୋଇଛି ତା’ର ସମୀକ୍ଷା କରି ବିଫଳତାର କାରଣ ଓ ନିରାକରଣ ଖୋଜି ଆଗକୁ ବଢ଼଼ିପାରିଲେ ତାହା ହେବ ଗାନ୍ଧୀ-ଗୋପବନ୍ଧୁଙ୍କ ସମେତ ଯେଉଁ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ ଜୀବନଦାନ, କାରା ଓ ନିର୍ଯାତନା ବରଣ ଭିତ୍ତିଭୂମିରେ ଆମେ ସ୍ୱାଧୀନତା ପାଇଛୁ, ସେମାନଙ୍କ ପ୍ରତି ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି।
ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫