ଶାନ୍ତିର ବାର୍ତ୍ତାବହ ‘ଜଳ’

The Sakala Picture
Published On

ଜୀବନ ଧାରଣ ପାଇଁ ଜଳ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଏହି କାରଣରୁ ପୃଥିବୀରେ ମାନବ ସଭ୍ୟତା ନଦୀକୂଳ ଓ ସମୁଦ୍ର ତଟରୁ ହିଁ ଆରମ୍ଭ ହୋଇଥିଲା। ଅପରପକ୍ଷରେ ଜଳସଙ୍କଟ ଯୋଗୁଁ ମାନବ ସଭ୍ୟତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ପ୍ରମାଣ ମଧ୍ୟ ଆମ ପାଖରେ ରହିଛି। ତେଣୁ ଯଥାର୍ଥରେ କୁହାଯାଏ ଯେ ‘ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ।’ ତେଣୁ ଜଳର ସଂରକ୍ଷଣ, ସୁରକ୍ଷା ଓ ପୁନଃଚକ୍ରୀକରଣ ଆମର ଦାୟିତ୍ୱ। ଜଳ, ଜନ ଓ ଜୀବିକା […]

ଜୀବନ ଧାରଣ ପାଇଁ ଜଳ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଏହି କାରଣରୁ ପୃଥିବୀରେ ମାନବ ସଭ୍ୟତା ନଦୀକୂଳ ଓ ସମୁଦ୍ର ତଟରୁ ହିଁ ଆରମ୍ଭ ହୋଇଥିଲା। ଅପରପକ୍ଷରେ ଜଳସଙ୍କଟ ଯୋଗୁଁ ମାନବ ସଭ୍ୟତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ପ୍ରମାଣ ମଧ୍ୟ ଆମ ପାଖରେ ରହିଛି। ତେଣୁ ଯଥାର୍ଥରେ କୁହାଯାଏ ଯେ ‘ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ।’ ତେଣୁ ଜଳର ସଂରକ୍ଷଣ, ସୁରକ୍ଷା ଓ ପୁନଃଚକ୍ରୀକରଣ ଆମର ଦାୟିତ୍ୱ। ଜଳ, ଜନ ଓ ଜୀବିକା ମଧ୍ୟରେ ଥିବା ପରିପୂରକ ସମ୍ପର୍କର ଗୁରୁତ୍ୱ ଦୃଷ୍ଟିରୁ ୨୦୨୩ ମାର୍ଚ୍ଚରେ ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘର ‘ବିଶ୍ୱ ଜଳ ସମ୍ମିଳନୀ’ରେ ଜାତିସଂଘର ମହାସଚିବ ଚଳିତ ବର୍ଷ ବିଶ୍ୱ ଜଳ ଦିବସ ପାଇଁ ବାର୍ତ୍ତା ରଖିଥିଲେ ‘ଜଳ ଓ ଶାନ୍ତି।’ ତେଣୁ ବିଶ୍ୱଶାନ୍ତି ପାଇଁ ଜଳ ସଂରକ୍ଷଣ, ପୁନଃଚକ୍ରୀକରଣ ଓ ଜଳ ଅମଳ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ବ୍ୟକ୍ତିବିଶେଷ ବିଶେଷ ଅଭିଯାନ ଆରମ୍ଭ କରିବା ଉଚିତ।

ଭାରତର ‘ଜଳପୁରୁଷ’ ଭାବେ ଖ୍ୟାତ ରମଣ ମାଗାସେସେ ଆୱାର୍ଡ ବିଜେତା ଡ. ରାଜେନ୍ଦ୍ର ସିଂହଙ୍କ ନେତୃତ୍ୱରେ ପରିଚଳିତ ଭାରତର ଅନ୍ୟତମ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂସ୍ଥା ‘ତରୁଣ ଭାରତ ସଂଘ’ ଦ୍ୱାରା ଗତ ମାର୍ଚ୍ଚ ମାସରେ ରାଜସ୍ଥାନର କୁରୌଲି ଜିଲ୍ଲାରେ ଜୈନ ତୀର୍ଥ ମହାବୀର ଜୀଠାରେ ‘ଜନଶାନ୍ତି ଓ ଜଳ ସମ୍ମିଳନୀ’ ନାମରେ ଏକ ଦୁଇଦିନିଆ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଭାରତର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଶେଷଜ୍ଞ ସମେତ ସ୍ୱିଡେନ୍‌‌, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ ଓ ଇଂଲଣ୍ଡର ବହୁ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ। ସେହି ସମ୍ମିଳନୀରେ ମୋତେ ମଧ୍ୟ ଭାଗ ନେବାର ସୁଯୋଗ ମିଳିଥିଲା। ସମ୍ମିଳନୀରେ ବହୁ ଉପାଦେୟ ସାରଗର୍ଭକ ଭାଷଣ ସହିତ କ୍ଷେତ୍ର ପରିଦର୍ଶନରୁ ଜ୍ଞାନ ଆହରଣର ସୁଯୋଗ ମଧ୍ୟ ମିଳିଥିଲା। ବିଶେଷକରି ଚମ୍ବଲ୍‌‌ ଉପତ୍ୟକାର ଅନୁଭୂତି ବିରଳ ଥିଲା। ସେହି ଅଞ୍ଚଳ ଏକଦା ଡକାୟତମାନଙ୍କ ଆଶ୍ରୟସ୍ଥଳ ଭାବେ କୁଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ସେମାନେ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତର ସାମିଲ୍‌‌ ହେବା ପରେ କୃଷି, ପଶୁପାଳନ, ମତ୍ସ୍ୟଚାଷ ଆଦି କରି ଶାନ୍ତିରେ ଜୀବିକା ଉପାର୍ଜନ କରିପାରିଲେ ଏବଂ ସମାଜରେ ଶାନ୍ତି ସହାବସ୍ଥାନ ସ୍ଥାପିତ ହେଲା। କହିବା ବାହୁଲ୍ୟ, ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନର ମୁଖ୍ୟ ବାହକ ଥିଲା ଜଳ। ତେଣୁ ଜଳ କିପରି ଜୀବନକୁ ଓ ସମାଜକୁ ପରିବର୍ତ୍ତନ କରି ଶାନ୍ତି ମାର୍ଗରେ ପରିଚାଳିତ କରିପାରେ ସେହି ବାର୍ତ୍ତା ବିଶ୍ୱ ସହିତ ବାଣ୍ଟିବାକୁ ଚମ୍ବଲ୍‌‌ ବାସିନ୍ଦାଙ୍କୁ ଅନୁରୋଧ କରାଯାଇଥିଲା। ସେହି ଆଲୋଚନାଚକ୍ରର ଆଉ ଏକ ବିଶେଷତ୍ୱ ଥିଲା ଯେ ସେଠାରେ ଡ. ରାଜେନ୍ଦ୍ର ସିଂହଙ୍କ ଦ୍ୱାରା ଲିଖିତ ହିନ୍ଦୀ ପୁସ୍ତକ ‘ପୁନଃଜୀବିତ ସଭ୍ୟତାକି ସରିତା: ପାର୍ବତୀ ସୈର୍‌‌ନି’ ଏବଂ ‘ସଭ୍ୟତାକି ସୁଖତି ସରିତା: ଜଳପୁରୁଷ ରାଜେନ୍ଦ୍ର ସିଂହ କି ବିଶ୍ୱ ଜଲୟାତ୍ରା କଥା’ର ମରାଠୀ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ବିଶେଷକରି ଜଳ, ମହିଳା ଓ ନଦୀ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସେଠାରେ ବିସ୍ତୃତ ଆଲୋଚନା ହୋଇଥିଲା।

ଚମ୍ବଲ ଉପତ୍ୟକାର ଦୁଇ ପ୍ରମୁଖ ନଦୀ ବା ଜୀବନଧାରା ହେଉଛି ଆରାବଳୀ ପର୍ବତରୁ ବାହାରିଥିବା ୮୪୧ ବର୍ଗ କିମି ପରିମିତ ଓ ୭୦ କିମି ଦୈର୍ଘ୍ୟ ବିଶିଷ୍ଟ ପାର୍ବତୀ ନଦୀ ଓ ୩୫ କିମି ଦୈର୍ଘ୍ୟ ବିଶିଷ୍ଟ ଏହାର ଉପନଦୀ ସୈର୍‌‌ନି। ବିଭିନ୍ନ ଅଞ୍ଚଳରୁ ଆସି ମିଶିଥିବା ଝରଣା ଓ ଜଳସ୍ରୋତ ଏହି ଦୁଇ ନଦୀକୁ ଚିରସ୍ରୋତା କରି ରଖିଥିଲେ। ୧୯୮୦ ପୂର୍ବରୁ ଏହି ଦୁଇନଦୀ ସମ୍ପୃକ୍ତ ଅଞ୍ଚଳର କୃଷି ପାଇଁ ବରଦାନ ଥିଲା। କାମକ୍ରମେ ଖଣି ଖନନ, ଜଙ୍ଗଲ ନଷ୍ଟ, ସହରୀକରଣ ସହିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ନଦୀ ଦୁଇଟିର ଜଳସ୍ରୋତ କମିବାରେ ଲାଗିଲା। କେବଳ ବର୍ଷା ଋତୁକୁ ଛାଡ଼ିଦେଲେ ଅନ୍ୟ ସମୟରେ ନଦୀଗୁଡ଼ିକ ପ୍ରାୟତଃ ଶୁଷ୍କ ରହିଲା। ଫଳରେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇ ନଳକୂପ, ପୋଖରୀ, ଜଳାଶୟଗୁଡ଼ିକ ଶୁଖିବାରେ ଲାଗିଲା। ଲୋକମାନଙ୍କର ଜୀବିକା ଗୁରୁତର ବାଧାପ୍ରାପ୍ତ ହେଲା ଏବଂ ସ୍ଥାନୀୟ ଲୋକେ ଜୀବିକା ଅନ୍ୱେଷଣରେ ସ୍ଥାନାନ୍ତରିତ ହେବାକୁ ଲାଗିଲେ। କିଛି ଲୋକ ଉତ୍ତରପ୍ରଦେଶ ଓ ଗାଙ୍ଗେୟ ଭୂମି ଅଞ୍ଚଳରେ ଅସ୍ଥାୟୀ ବସତି ସ୍ଥାପନ କଲେ। ଆଉ କିଛି ଲୋକ, ବିଶେଷକରି ଯୁବବର୍ଗ, ବିଭିନ୍ନ ଜୀବନଜୀବିକା ପାଇଁ ବିଭିନ୍ନ ଅସାମାଜିକ କାର୍ଯ୍ୟକୁ ଆପଣେଇଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଅଞ୍ଚଳରେ ଡକାୟତିକୁ ପେସା ଭାବରେ ଗ୍ରହଣ କରିନେଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସେମାନେ ବିଭିନ୍ନ ପାର୍ବତ୍ୟାଞ୍ଚଳରେ ଲୁଚି ରହିଲେ। ଏହିକ୍ରମରେ ସବୁଠାରୁ ଅଧିକ ପ୍ରଭାବିତ ହେଲେ ମହିଳାମାନେ।

୧୯୯୦ ମସିହା ବେଳକୁ ‘ତରୁଣ ଭାରତ ସଂଘ’ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇ ସ୍ଥାନୀୟ ଅଞ୍ଚଳର ପରିବେଶକୁ ରକ୍ଷା କରିବାକୁ ହେଲେ ଖଣି ଖାଦାନ କାର୍ଯ୍ୟକଳାପ ବନ୍ଦ କରିବାକୁ ନିବେଦନ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଅଞ୍ଚଳରେ ଖଣି ଖାଦାନ ସରକାରୀ ଭାବେ ବନ୍ଦ ହୋଇଥିଲେ ହେଁ ବନ୍ଧୁକ ଭୟ ଦେଖାଇ ଅନେକ ଖଣି କାର୍ଯ୍ୟକଳାପ ଘରୋଇ ସଂସ୍ଥାମାନେ ଜାରି ରଖିଲେ। ଏହାପରେ ‘ତରୁଣ ଭାରତ ସଂଘ’ ପକ୍ଷରୁ ଏକ ଅଭିନବ ଯୋଜନା ଆରମ୍ଭ କରାଗଲା। ସ୍ଥାନୀୟ ଅଞ୍ଚଳର ବୟୋଜ୍ୟେଷ୍ଠ ଓ ମହିଳାମାନଙ୍କୁ ପ୍ରରୋଚିତ କରାଇ ଜଳ ସଂରକ୍ଷଣ ଜରିଆରେ ପାର୍ବତୀ ଓ ସୈର୍‌‌ନି ନଦୀକୁ ପୁନଃଜୀବନ ଦେବା ପାଇଁ ସଂସ୍ଥାର ଉଦ୍ୟମ ଫଳପ୍ରଦ ହେଲା। ବିନା ସରକାରୀ ସାହାଯ୍ୟ ଓ ପ୍ରୋତ୍ସାହନରେ ନଦୀ ଓ ଝରଣାଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ବ କ୍ଷୁଦ୍ର ଡ୍ୟାମ୍‌‌, ବନ୍ଧ, ପୋଖରୀ ଇତ୍ୟାଦି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଗଲା। ଦୁଇ ନଦୀ ପୁଣି ଚିରସ୍ରୋତା ହେବାରେ ଲାଗିଲେ। ଭୂତଳ ଜଳସ୍ତର ବୃଦ୍ଧି ପାଇବାରୁ ଏକଦା ଶୁଷ୍କ ନଳକୂପ, ପୁଷ୍କରିଣୀଗୁଡ଼ିକ ବର୍ଷସାରା ଜଳପୂର୍ଣ୍ଣ ରହିଲେ। ଧରିତ୍ରୀ ପୁଣି ଶସ୍ୟଶ୍ୟାମଳା ହେଲା। ବିଶେଷକରି ଗହମ ଓ ସୋରିଷ ଅମଳ ଆଶାନୁରୂପ ହୋଇପାରିଲା। ଜଙ୍ଗଲ ମଧ୍ୟ ଜୀବନ୍ୟାସ ପାଇଲା ଏବଂ ବଢ଼଼ିବାରେ ଲାଗିଲା। ଲୋକମାନେ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷାରେ ପୁନଃ ମନୋନିବେଶ କଲେ। ଫଳରେ ପରିବାରର ରୋଜଗାର କ୍ରମଶଃ ବଢ଼଼ିଲା, ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା। ଗୋପାଳନ ମଧ୍ୟ ବୃଦ୍ଧି ପାଇଲା। ଲୋକମାନେ ଆଉ ଜୀବିକା ଅନ୍ୱେଷଣରେ ଦେଶାନ୍ତରିତ ହେଲେ ନାହିଁ।

ଏହାଦ୍ୱାରା ଏକ ଅବିଶ୍ୱସନୀୟ ପରିବର୍ତ୍ତନ ମଧ୍ୟ ଦେଖାଦେଲା। ପେଟପାଟଣା ପାଇଁ ଲୁଚାଛପା ଜୀବନ ବିତାଉଥିବା ଡକାୟତମାନଙ୍କୁ ସେମାନଙ୍କ ସ୍ତ୍ରୀମାନେ ଘରକୁ ଫେରି ଆସିବାକୁ ଏବଂ ଜଳ ଓ ଜମି ସଂରକ୍ଷଣ ଅଭିଯାନରେ ଭାଗିଦାରୀ ହେବାକୁ ପ୍ରବର୍ତ୍ତାଇଲେ। ଏଥିରେ ନେତୃତ୍ୱ ନେଇଥିଲେ ଡାକୁ ସର୍ଦ୍ଦାର ଜଗଦୀଶଙ୍କ ପତ୍ନୀ ତଥା ଖିଜୁରା ଗ୍ରାମନିବାସୀ ଭଗବତୀ ନାମ୍ନୀ ମହିଳା। ନିଜ ଜମିରେ ଗହମ ଓ ସୋରିଷ ଚାଷରୁ ମଳିଥିବା ଲାଭରେ ସେ ଏକ ଧଳା ଧୋତି ଓ କୁର୍ତ୍ତା କିଣି ଡ. ରାଜେନ୍ଦ୍ର ସିଂହଙ୍କ ସାମ୍ନାରେ ସ୍ୱାମୀଙ୍କୁ ଦେବାକୁ ସ୍ଥିର କଲେ, ଯାହାକୁ ଶାନ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଏ। ପତ୍ନୀଙ୍କ ଅନୁରୋଧ ରକ୍ଷା କରି ନିର୍ଦ୍ଦିଷ୍ଟ ଦିନ ଜଗଦୀଶ ନିଜ ଦଳର ସଶସ୍ତ୍ର ସାଥୀମାନଙ୍କ ସହିତ ଗ୍ରାମ ବୁଲିବାକୁ ଆସି ନିଜ ଘରକୁ ଗଲେ। କିଛି ସମୟ ପରେ ରାଜେନ୍ଦ୍ର ସିଂହ ମଧ୍ୟ ଆସିଲେ। ଏହି ସମୟରେ ଭଗବତୀ ପୂର୍ବ ଯୋଜନା ମୁତାବକ ଉକ୍ତ ଧଳା ଧୋତି ଓ କୁର୍ତ୍ତା ସ୍ୱାମୀଙ୍କୁ ଉପହାର ଦେଲେ। ଏଥିରେ ଭାବବିହ୍ୱଳିତ ହୋଇ ଜଗଦୀଶ ଡକାୟତି ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌‌ ହେବା ପାଇଁ ନିଷ୍ପତ୍ତି ନେଲେ। ଏଥିରେ ଆଇନଗତ ସହାୟତା ପାଇଁ ‘ତରୁଣ ଭାରତ ସଂଘ’ ସହାୟତା କରିଥିଲା।

ଜଗଦୀଶ ଓ ପୁଲିସ ବିଭାଗ ମଧ୍ୟରେ ମଧ୍ୟସ୍ଥତା କରିଥିବା ଡ. ରାଜେନ୍ଦ୍ର ସିଂହଙ୍କ ଅନୁରୋଧକ୍ରମେ ଏକ ନିର୍ଦ୍ଦିଷ୍ଟ ଦିନ ପୁଲିସ୍‌‌ ଆଗରେ ଜଗଦୀଶ ଆତ୍ମସମର୍ପଣ କଲେ। ଆଇନଗତ ଔପଚାରିକତା ପୂରଣ ପରେ ତାଙ୍କୁ ଜେଲ୍‌‌ ହାଜତକୁ ପଠାଇଦିଆଗଲା। କିଛିଦିନ ପରେ ସେ କ୍ଷମା ଆବେଦନ କଲେ। ବିଚାରପତି ତାଙ୍କ ରାୟରେ କହିଲେ ଯେ ପୁଲିସ ବିଭାଗ ଏତେ ଚେଷ୍ଟା ସତ୍ତ୍ବେ ଜଗଦୀଶଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା। କିନ୍ତୁ ଜଗଦୀଶ ଯଦି ଜଳ ଓ ଶାନ୍ତି ପାଇଁ ଆତ୍ମସମର୍ପଣ କରିଛନ୍ତି ତେବେ ତାଙ୍କୁ ଜେଲ୍‌‌ ଦଣ୍ଡରୁ ମୁକ୍ତ କରି ସେ ଦିଗରେ କାମ କରିବାକୁ ସୁଯୋଗ ଦେବା ଉଚିତ। ଏହି ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଗଦୀଶଙ୍କ ସାଥୀମାନେ ମଧ୍ୟ ଉତ୍ସାହିତ ଓ ଅନୁପ୍ରାଣିତ ହୋଇ ଅସ୍ତ୍ରତ୍ୟାଗ ଓ ଆତ୍ମସମର୍ପଣ କଲେ ଏବଂ ଜଳ ଓ ଶାନ୍ତି ପାଇଁ କାମ କରିବାକୁ କ୍ଷମା ପ୍ରାର୍ଥନା କଲେ। କାଳକ୍ରମେ ସମସ୍ତ ଡକାୟତ ଦଳର ସଦସ୍ୟ ହିଂସା ଓ ଅସ୍ତ୍ର ତ୍ୟାଗ କରି ଜଳ ଓ ଶାନ୍ତି ପାଇଁ ସମର୍ପିତ ହୋଇଗଲେ। ଏହାଦ୍ୱାରା ଗୁଜ୍ଜର ସମ୍ପ୍ରଦାୟ ଓ ସ୍ଥାନୀୟ ଅଞ୍ଚଳ ସମୃଦ୍ଧ ହୋଇପାରିଲା। ଏକଦା ପୁଲିସ ଭୟରେ ଲୁଚିଛପି ଜୀବନ ନିର୍ବାହ କରୁଥିବା ଲୋକେ ଏବେ ପରିବାର ଓ ବନ୍ଧୁବର୍ଗ ସହିତ ସମ୍ମାନ, ଶାନ୍ତି ଓ ସୁରକ୍ଷିତ ଜୀବନ ବଞ୍ଚି ପାରିଲେ। ଜଳ ସଂରକ୍ଷଣର ବିକେନ୍ଦ୍ରୀକରଣ କିପରି ଏକ ବିରାଟ ସକାରାତ୍ମକ ପରିବର୍ତ୍ତନ ଆଣିପାରେ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିପାରେ ଉପରୋକ୍ତ ଘଟଣାକ୍ରମ ତାହାର ଏକ ଜ୍ୱଳନ୍ତ ଉଦାହରଣ।

ଜଳ ମଧ୍ୟ କିପରି ଶାନ୍ତି ଓ ସହାବସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ ଏବଂ ନଦୀ, ନାରୀ ଓ ଜଳ ଭିତରେ କିପରି ସୁସମ୍ପର୍କ ରହିଛି ସେ ସମ୍ପର୍କରେ ଉକ୍ତ ଆଲୋଚନାଚକ୍ର ଜରିଆରେ ବିଶ୍ୱକୁ ଏକ ସୁନ୍ଦର ବାର୍ତ୍ତା ଯାଇପାରିଲା। ଏକଦା ଚମ୍ବଲର ଡାକୁ ନାମରେ କୁଖ୍ୟାତି ଅର୍ଜନ କରିଥିବା ଏବଂ ଏବେ ଶାନ୍ତି ସହାବସ୍ଥାନ ଜୀବନ ନିର୍ବାହ କରୁଥିବା ସେହି ସ୍ଥାନୀୟ ଲୋକଙ୍କୁ ଆଲୋଚନାଚକ୍ର ଶେଷରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମଗ୍ର ପ୍ରକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳାମାନଙ୍କୁ ମଧ୍ୟ ଯଥାର୍ଥ ସମ୍ମାନିତ କରିବା ପାଇଁ ‘ନିର(ଜଳ), ନାରୀ(ମହିଳା) ଓ ନଦୀ’ ସ୍ଲୋଗାନ୍‌‌କୁ ଗ୍ରହଣ କରାଯାଇଥିଲା।

ପ୍ରଫେସର ବିନାୟକ ରଥ
ଭୁବନେଶ୍ବର, ମୋ: ୯୪୩୯୦୧୩୫୮୫

05 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର