ଦାରୁବ୍ରହ୍ମଙ୍କ ସ୍ନାନୋତ୍ସବର ଐତିହ୍ୟ

The Sakala Picture
Published On

‘‘ ମଞ୍ଚାସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ବେ ପାର୍ଶ୍ବାବୃତ୍ତିଃ ଶୟନନିବୃତ୍ତିଃ ପ୍ରାବୃତ୍ତିଃ ପୁଷ୍ୟପୂଜା ଦୋଳଯାତ୍ରା ଦମନକମହୋଽକ୍ଷଯ୍ୟପୁଣ୍ୟା ତୃତୀୟା ଚୈତା ଯାତ୍ରା ବିଧିନିଗଦିତା ଦ୍ବାଦଶେତି ନରେନ୍ଦ୍ର॥’’ ସ୍ବୟଂ ଭଗବାନ ବିଷ୍ଣୁ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହେବାପରେ ତାଙ୍କର ସମସ୍ତ ନିତ୍ୟ-ନୈମିତ୍ତିକ ନୀତିର ଆରମ୍ଭ ତାଙ୍କର ଜନ୍ମ ଦିନଠାରୁ ହିଁ କରାଯିବା ଲୌକିକ ଉପଚାର। ତେଣୁ ସମସ୍ତ ପୁରାଣ, ଆଧ୍ୟାତ୍ମିକ ଗ୍ରନ୍ଥାଦିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ବର୍ଣ୍ଣନା କରାଯିବା ଅବସରରେ ସ୍ନାନଯାତ୍ରା ଠାରୁ ହିଁ ଆରମ୍ଭ କରାଯାଇଛି। ଏହାକୁ […]

‘‘ ମଞ୍ଚାସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ବେ
ପାର୍ଶ୍ବାବୃତ୍ତିଃ ଶୟନନିବୃତ୍ତିଃ ପ୍ରାବୃତ୍ତିଃ ପୁଷ୍ୟପୂଜା
ଦୋଳଯାତ୍ରା ଦମନକମହୋଽକ୍ଷଯ୍ୟପୁଣ୍ୟା ତୃତୀୟା
ଚୈତା ଯାତ୍ରା ବିଧିନିଗଦିତା ଦ୍ବାଦଶେତି ନରେନ୍ଦ୍ର॥’’

ସ୍ବୟଂ ଭଗବାନ ବିଷ୍ଣୁ ଦାରୁବ୍ରହ୍ମ ରୂପରେ ଅବତୀର୍ଣ୍ଣ ହେବାପରେ ତାଙ୍କର ସମସ୍ତ ନିତ୍ୟ-ନୈମିତ୍ତିକ ନୀତିର ଆରମ୍ଭ ତାଙ୍କର ଜନ୍ମ ଦିନଠାରୁ ହିଁ କରାଯିବା ଲୌକିକ ଉପଚାର। ତେଣୁ ସମସ୍ତ ପୁରାଣ, ଆଧ୍ୟାତ୍ମିକ ଗ୍ରନ୍ଥାଦିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ବର୍ଣ୍ଣନା କରାଯିବା ଅବସରରେ ସ୍ନାନଯାତ୍ରା ଠାରୁ ହିଁ ଆରମ୍ଭ କରାଯାଇଛି। ଏହାକୁ ଜ୍ୟେଷ୍ଠା ସ୍ନାନ, ଦେବ ସ୍ନାନ ତଥା ମଞ୍ଚ ସ୍ନାନ ନାମରେ ବର୍ଣ୍ଣନା କରାଯାଇଅଛି। ଦ୍ବାଦଶ ଯାତ୍ରା ମଧ୍ୟରେ ଆଦ୍ୟ ଯାତ୍ରା ସ୍ନାନ ମହୋତ୍ସବ ଅନ୍ୟତମ।

ଏହି ସ୍ନାନ ମହୋତ୍ସବର ସୃଷ୍ଟି ସମ୍ପର୍କରେ ‘‘ନୀଳାଦ୍ରିମହୋଦୟଃ’ ଗ୍ରନ୍ଥରୁ ଜଣାଯାଏ ଯେ, ସ୍ବୟଂ ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ସ୍ବାୟଂଭୁବ ମନୁ ଏକ ଯଜ୍ଞାରମ୍ଭ କରିଥିଲେ, ମୁଁ ଉକ୍ତ ଯଜ୍ଞବେଦୀରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଅବତୀର୍ଣ୍ଣ ହୋଇଥିଲି। ତେଣୁ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ହେଉଛି ମୋର ଜନ୍ମ ଦିବସ। ହେ ରାଜା! ଏହି ପୂର୍ଣ୍ଣିମା ଦିନ ତୁମ୍ଭେ ଅତି ଆଦର ସହକାରେ ଭକ୍ତିପୂତ ହୃଦୟରେ ମହୋତ୍ସବ ସହିତ ଯଥାବିଧି ମୋର ମହାସ୍ନାନ କରାଇବ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାର ମାହାତ୍ମ୍ୟ ଓ ସ୍ନାନ ବିଧିର ପ୍ରାଚୀନତା ସମ୍ପର୍କରେ ସ୍କନ୍ଦପୁରାଣ, ବ୍ରହ୍ମପୁରାଣ, ପଦ୍ମପୁରାଣ, ବାମଦେବସଂହିତା, ନୀଳାଦ୍ରିମହୋଦୟ, ଯାତ୍ରାଭାଗବତ ଇତ୍ୟାଦି ପ୍ରାଚୀନ ପୁରାଣାଦି ଗ୍ରନ୍ଥମାନଙ୍କରେ ସବିଶେଷ ଉଲ୍ଲେଖ ମିଳେ। ଏଥିରୁ ଜଣାଯାଏ ଯେ, ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ହିଁ ପ୍ରଭୁଙ୍କର ଆବିର୍ଭାବ ବା ଜନ୍ମ ଦିବସ।

ଏହି ଯାତ୍ରାରେ ରତ୍ନସିଂହାସନାଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀକୁ ବିଜେ କରିଥା’ନ୍ତି। ଅତୀତରେ ସ୍ନାନ ମଣ୍ଡପଟି କାଷ୍ଠରେ ନିର୍ମିତ ହୋଇ ଏକ ମଞ୍ଚ ସଦୃଶ ହୋଇଥିବାରୁ ସ୍ନାନଯାତ୍ରା ‘ମଞ୍ଚାସ୍ନାନ’ ନାମରେ କଥିତ ହେଉଥିଲା। ଜନଶ୍ରୁତି ଅନୁଯାୟୀ, ସ୍ନାନ ଉତ୍ସବରେ ବ୍ୟବହୃତ ଜଳ ଅତୀତରେ ଭାରତବର୍ଷର ସବୁ ତୀର୍ଥମାନଙ୍କରୁ ସଂଗୃହୀତ ହୋଇ ଏକ ସୁବର୍ଣ୍ଣ ପାତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଉଥିଲା। କାଳକ୍ରମେ ପ୍ରତିବର୍ଷ ସବୁ ତୀର୍ଥମାନଙ୍କରୁ ଜଳ ଆଣିବା ସମ୍ଭବପର ହୋଇ ପାରି ନ ଥିବାରୁ ସେ ଜଳକୁ ସୁବର୍ଣ୍ଣ ପାତ୍ରରେ ରଖି ଶ୍ରୀମନ୍ଦିର ବାହାର ବେଢ଼ାସ୍ଥ ଶୀତଳା ଦେବୀଙ୍କ ସମ୍ମୁଖରେ ଥିବା ସୁନା କୂପରେ ବୁଡ଼ାଇ ରଖାଯାଇଥିଲା। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ଏହି କୂପର ଜଳକୁ ଉତ୍ତୋଳନ କରାଯାଇ କୁମ୍ଭମାନଙ୍କରେ ରଖାଯାଇ ତହିଁରେ ଚୁଆ, ଚନ୍ଦନ, କର୍ପୂର ଆଦି ପକାଯାଇ ଅଧିବାସ କରାଯାଇଥାଏ। ସେହି ବ୍ରହ୍ମରୂପୀପ୍ରତିମା ମୂର୍ତ୍ତିଧାରୀ ଶ୍ରୀଜଗନ୍ନାଥ ଦେବଙ୍କୁ ସ୍ନାନମଞ୍ଚରେ ସ୍ଥାପନ ପୂର୍ବକ ସେମାନଙ୍କର ମୁଖମଣ୍ଡଳ ବ୍ୟତୀତ ସର୍ବାଙ୍ଗ ଆଚ୍ଛାଦନ କରି ନୈବେଦ୍ୟ ଭିନ୍ନ ପୂର୍ବୋକ୍ତ ଅପର ସମସ୍ତ ଉପଚାର ଦ୍ବାରା ପୂଜାନ୍ତେ ଶାନ୍ତି ପାଠ କରି ‘ସମୁଦ୍ର େଜ୍ୟଷ୍ଠା’ ଇତ୍ୟାଦି ମନ୍ତ୍ରପାଠ ପୂର୍ବକ ଅଧିବାସିତ କଳସ ସମୂହ ନେଇ ଅଭିଷିକ୍ତ କରାଯାଏ।

ସ୍କନ୍ଦପୁରାଣ ବର୍ଣ୍ଣନାନୁଯାୟୀ, ଯେଉଁ ବ୍ୟକ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସର୍ବତୀର୍ଥମୟ କୂପରୁ ଉତ୍ତୋଳିତ ସୁଗନ୍ଧିତ ଜଳ ଦ୍ବାରା ଭଗବାନଙ୍କୁ ସ୍ନାନ କରାଇବା ସମୟରେ ଦର୍ଶନ କରେ, ତାହାର ଶରୀରରେ କୌଣସି ପ୍ରକାର ପାପ ସମ୍ବନ୍ଧ ରହେ ନାହିଁ। ବସ୍ତୁତଃ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭକ୍ତିଭାବ ନେଇ ଯଦି ଭଗବାନ ଶ୍ରୀପତିଙ୍କର ସ୍ନାନଯାତ୍ରା ଅବଲୋକନ କରାହୁଏ, ତାହାହେଲେ ସକଳ ସନ୍ତୋଷ ଓ ଅଶେଷ ପାପ ପ୍ରଶମିତ ହୋଇଥାଏ। ପଦ୍ମପୁରାଣ ମତରେ ଯେଉଁ ମନୁଷ୍ୟ ମହାପ୍ରଭୁଙ୍କର ମହାସ୍ନାନକୁ ଭକ୍ତିଭାବରେ ଦର୍ଶନ କରନ୍ତି ସେ ବିଷ୍ଣୁଙ୍କର ପରମପଦକୁ ଲାଭ କରିଥା’ନ୍ତି। ସେହିପରି ‘ନୀଳାଦ୍ରିମହୋଦୟ’ ଗ୍ରନ୍ଥର ଉଲ୍ଲେଖ ପ୍ରକାରେ ଜଗତ୍‌ପତି ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନୋତ୍ସବରେ ତ୍ରିଲୋକରେ ଯେଉଁମାନେ ମହାପ୍ରଭୁଙ୍କୁ ଭକ୍ତି ସହକାରେ ଦର୍ଶନ କରନ୍ତି, ସେମାନେ ଭବସାଗରରୁ ଶୀଘ୍ର ମୁକ୍ତି ପାଆନ୍ତି। ଏପରିକି ସ୍ବର୍ଗରୁ ଦେବତାମାନେ ମହାପ୍ରଭୁଙ୍କର ଏହି ଦିବ୍ୟସ୍ନାନକୁ ଦର୍ଶନ କରି ଅତ୍ୟନ୍ତ ସନ୍ତୋଷ ଲାଭ କରିଥା’ନ୍ତି। ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁଙ୍କ ଏହି ପବିତ୍ର ସ୍ନାନୋତ୍ସବରେ ମଣ୍ଡପ ସାଜସଜ୍ଜାଠାରୁ ଆରମ୍ଭ କରି ପହଣ୍ଡି ବିଜେ, ଜଳଗଡ଼ୁ ବିଜେ, ଛେରାପହଁରା, ଗଜାନନ ବେଶ, ଭୋଗ ନୈବେଦ୍ୟ ଇତ୍ୟାଦି ନୀତିରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ସେବକଙ୍କର ସଂପୃକ୍ତି ରହିଥÒବା ବେଳେ ତିନି ଶହରୁ ଊର୍ଦ୍ଧ୍ବ ସୂପକାରମାନେ ଦୀର୍ଘ ସମୟ ଧରି ସମସ୍ତ ଭୋଗ ଦ୍ରବ୍ୟାଦିକୁ ରୋଷଘରୁ ସ୍ନାନ ମଣ୍ଡପକୁ ବୁହାଯିବାର ଦୃଶ୍ୟ ଅବର୍ଣ୍ଣନୀୟ।

(ଡକ୍ଟର ଭାସ୍କର ମିଶ୍ର)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp