ପ୍ରଭୁ ଲିଙ୍ଗରାଜଙ୍କର ଯେତେ ଯାତ, ସେତେ ନୈବେଦ୍ୟ; ଜାଣନ୍ତୁ ନୀତିକାନ୍ତିରେ ଲାଗି ହେଉଥିବା ଭୋଗ ତଥା ମହାପ୍ରସାଦ ବିଷୟରେ…
ଭୁବନେଶ୍ୱର(ଦତ୍ତାତ୍ରେୟ ନାୟକ): ବ୍ରହ୍ମଲିଙ୍ଗଙ୍କଠାରେ ଲାଗି ନୈବେଦ୍ୟ ମହାପ୍ରସାଦର ମାନ୍ୟତା ପାଇଛି। ଯାହା ଦେବ ଭୋଗ୍ୟ; ହରି, ହର ଓ ବ୍ରହ୍ମାଙ୍କର ଅତି ପ୍ରିୟ ତାହାକୁ ମହାପ୍ରସାଦ ବ୍ୟତିରେକ ଅନ୍ୟ କିଛି କୁହାଯାଇପାରିବ ନାହିଁ। ଏକାମ୍ରକ୍ଷେତ୍ରର ପ୍ରମୁଖ ଶୈବପୀଠ ତଥା ମହାପ୍ରଭୁ ଲିଙ୍ଗରାଜଙ୍କ ମହାପ୍ରସାଦ ପ୍ରାପ୍ତିର ଆସ୍ପର୍ଦ୍ଧା ସମସ୍ତ ଶୈବ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି। ଦୂରଦୂରାନ୍ତରୁ ମନ୍ଦିରମାଳିନୀ ଭୁବନେଶ୍ୱରକୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରି ମୋକ୍ଷପ୍ରାପ୍ତିର ଆତ୍ମସନ୍ତୋଷ ଲାଭକରନ୍ତି ଓ ପ୍ରଭୁ ଲିଙ୍ଗରାଜଙ୍କର ମହାପ୍ରସାଦ ସେବନ କରନ୍ତି। […]
ଭୁବନେଶ୍ୱର(ଦତ୍ତାତ୍ରେୟ ନାୟକ): ବ୍ରହ୍ମଲିଙ୍ଗଙ୍କଠାରେ ଲାଗି ନୈବେଦ୍ୟ ମହାପ୍ରସାଦର ମାନ୍ୟତା ପାଇଛି। ଯାହା ଦେବ ଭୋଗ୍ୟ; ହରି, ହର ଓ ବ୍ରହ୍ମାଙ୍କର ଅତି ପ୍ରିୟ ତାହାକୁ ମହାପ୍ରସାଦ ବ୍ୟତିରେକ ଅନ୍ୟ କିଛି କୁହାଯାଇପାରିବ ନାହିଁ। ଏକାମ୍ରକ୍ଷେତ୍ରର ପ୍ରମୁଖ ଶୈବପୀଠ ତଥା ମହାପ୍ରଭୁ ଲିଙ୍ଗରାଜଙ୍କ ମହାପ୍ରସାଦ ପ୍ରାପ୍ତିର ଆସ୍ପର୍ଦ୍ଧା ସମସ୍ତ ଶୈବ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି। ଦୂରଦୂରାନ୍ତରୁ ମନ୍ଦିରମାଳିନୀ ଭୁବନେଶ୍ୱରକୁ ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରି ମୋକ୍ଷପ୍ରାପ୍ତିର ଆତ୍ମସନ୍ତୋଷ ଲାଭକରନ୍ତି ଓ ପ୍ରଭୁ ଲିଙ୍ଗରାଜଙ୍କର ମହାପ୍ରସାଦ ସେବନ କରନ୍ତି। ଏଣୁ ଦେବଦେବ ମହାଦେବଙ୍କର ଦୈନନ୍ଦିନ ନୀତିକାନ୍ତିରେ ଲାଗି ହେଉଥିବା ଭୋଗ ତଥା ମହାପ୍ରସାଦକୁ ନେଇ ଏଥରର ସ୍ୱତନ୍ତ୍ର ଉପସ୍ଥାପନା।
ଯେତେ ଯାତ, ସେତେ ନୈବେଦ୍ୟ
ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିକୁ ବାଦଦେଇ ଅନେକ ବାହାର ଓ ଭିତର ଯାତ ମଧ୍ୟ ରହିଛି। ଯାତ ଅନୁସାରେ ମହାପ୍ରଭୁଙ୍କ ନିକଟରେ ଭିନ୍ନ ଭିନ୍ନ ପ୍ରକାର ନୈବେଦ୍ୟ ଲାଗି କରାଯାଇଥାଏ। ଧନୁ ମାସରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ସମୟରେ ଧନୁ ମୁଆଁ ଲାଗି ହୋଇଥାଏ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନିକଟରେ ସାରା ମାସ ଏକ ସ୍ୱତନ୍ତ୍ର ବାଳ ଭୋଗ ହୋଇଥାଏ। ହବିଷ୍ୟାଳୀମାନେ ଏହି ଭୋଗର ଆକାଂକ୍ଷା ରଖିଥାଆନ୍ତି। ନଡ଼ିଆ, ଅଦା, ମୁଗ ଭଳି ଅନେକ ଦ୍ରବ୍ୟରେ ଏହି ବାଳ ଭୋଗ ପ୍ରସ୍ତୁତ ହୋଇଥାଏ। ସେହିଭଳି ପ୍ରତ୍ୟେକ ଚତୁର୍ଦଶୀ ଟେରାଫିଟା ପରେ ଏକ ଯାତ୍ରା ପୂଜା କରାଯାଇଥାଏ। ଏହି ପୂଜାରେ ନଡ଼ିଆ, କଦଳୀ ଭଳି ବିଭିନ୍ନ ପ୍ରକାର ଫଳ ସାଙ୍ଗକୁ ଅଦା ପଡ଼ି ଏକ ନୈବେଦ୍ୟ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ। ସେହିଭଳି ଚନ୍ଦନଯାତ୍ରରେ ମହାପ୍ରଭୁଙ୍କୁ ମାଣ୍ଡୁଅ ପିଠା ଓ କାକରା ଇତ୍ୟାଦି ଲାଗି କରାଯାଏ।
ମହାପ୍ରଭୁଙ୍କର ଅଷ୍ଟବାରି ନୈବେଦ୍ୟ
ସକାଳୁ ଆରମ୍ଭ କରି ବଡ଼ସିଂହାର ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଞ୍ଚ ଅବକାଶ ଓ ତିନି ଧୂପକୁ ମିଶାଇ ଅଷ୍ଟବାରି ନୈବେଦ୍ୟ ଲାଗି ହୋଇଥାଏ। ଏହି ଅଷ୍ଟ ଭୋଗଗୁଡ଼ିକର ନାମ ହେଉଛି, ବାଳ ଧୂପ ବା ବାଳ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ ଧୂପ ବା ଛତ୍ର ଭୋଗ, ବୀରକିଶୋର ବଲ୍ଲଭ, ଦ୍ୱିପ୍ରହର ଧୂପ, ଟେରା ଫିଟା, ସନ୍ଧ୍ୟା ଧୂପ ଓ ବଡ଼ସିଂହାର। ଭିନ୍ନ ଭିନ୍ନ ଭୋଗ ସମୟରେ ମହାପ୍ରଭୁଙ୍କୁ ଭିନ୍ନ ଭିନ୍ନ ବ୍ୟଞ୍ଜନ ଲାଗି ହୋଇଥାଏ।
କୋରାଖଇ, ଦହିରୁ ଭୋଗ ଲାଗି ଆରମ୍ଭ
ବାଳ ବଲ୍ଲଭରେ ମହାପ୍ରଭୁଙ୍କୁ ଭୋଗ ହୁଏ କୋରା ଖଇ ଓ ଦହି। ମହାପ୍ରଭୁଙ୍କ ବଲ୍ଲଭ ସରିବାରେ ପରେ ଭୁବନେଶ୍ୱର ଠାକୁରାଣୀଙ୍କର ଭୋଗ କରାଯାଇଥାଏ। ଏହାପରେ ମହାପ୍ରଭୁ ଲିଙ୍ଗରାଜଙ୍କର ସକାଳ ଧୂପ ଭୋଗ ଆରମ୍ଭ ହୁଏ। ସକାଳ ଧୂପରେ ଅନ୍ନ, ଖେଚୁଡ଼ି, ଡ଼ାଲି, ଶାଗ, ପୁଳି, ହଂସକେଳି, ଦହି ତଡ଼ମା, ଏଣ୍ଡୁରୀ ଓ କାନ୍ତି ଇତ୍ୟାଦି ନୈବେଦ୍ୟ ଅର୍ପଣ କରାଯାଇଥାଏ। ଏହାପରେ ମହାପ୍ରଭୁଙ୍କର ଭୋଗ ମଣ୍ଡପ ପାଇଁ ପ୍ରସ୍ତୁତ କରାଯାଏ। ଭୋଗମଣ୍ଡପରେ ମହାପ୍ରଭୁଙ୍କୁ ଅନ୍ନ, ମୁଗଡ଼ାଲି ଓ ଶାକର ଇତ୍ୟାଦି ଭୋଗ ହୋଇଥାଏ।
ବ୍ୟଞ୍ଜନରେ ଅତିପ୍ରିୟ ଖିରିଗୁଡ଼ା
ବୀରକିଶୋର ବଲ୍ଲଭ ଭୋଗରେ ମହାପ୍ରଭୁଙ୍କୁ କାକରା ଓ ତ୍ରିପୁରୀ ଅର୍ପଣ କରାଯାଇଥାଏ। ଗୋଟିଏ ତ୍ରିପୁରୀ ଓ ତିନୋଟି କାକରା ଭୋଗ ଲାଗି ହୁଏ। ଏହାପରେ ଦ୍ୱିପ୍ରହର ଭୋଗ ହୋଇଥାଏ। ଏଥିରେ ଅନ୍ନ, ଡ଼ାଲି, ବେସର, ଶାଗ, ଖିରିଗୁଡ଼ା, ଆରିଶା ଓ କାକରା ଇତ୍ୟାଦି ଭୋଗ ହୋଇଥାଏ। ଏହାପରେ ଠାକୁରାଣୀ ମା ଭୁବନେଶ୍ୱରୀଙ୍କର ଦ୍ୱିପ୍ରହର ଧୂପ ଯାଇଥାଏ। ଦ୍ୱିପ୍ରହର ଧୂପରେ ଠାକୁରାଣୀଙ୍କୁ କାନ୍ତି ଓ ଖିରିଗୁଡ଼ା ଲାଗି ହୋଇଥାଏ। ଗୁଡ଼ରେ ପ୍ରସ୍ତୁତ ହୋଇଥିବା ଏହି ନୈବେଦ୍ୟ(ଖିରିଗୁଡ଼ା) ଉଭୟ ମହାପ୍ରଭୁ ଓ ମା’ଙ୍କର ଅତିପ୍ରିୟ ବୋଲି କୁହାଯାଏ। ଖିରିଗୁଡ଼ା ପ୍ରସ୍ତୁତି ପ୍ରଣାଳୀ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥିବା ବେଳେ ମହାପ୍ରଭୁଙ୍କ ନୈବେଦ୍ୟ ଅର୍ପଣରେ ଏହାର ଯଥେଷ୍ଟ ସ୍ୱତନ୍ତ୍ରତା ରହିଛି ବୋଲି ଶ୍ରୀଲିଙ୍ଗରାଜଙ୍କର ସେବାୟତମାନେ କହିଛନ୍ତି।
ଜାଗରରେ ଚରୁ ଅନ୍ନ; ଭାଦ୍ରବ ଚତୁର୍ଦଶୀରେ ସପ୍ତପୁରୀ
ଶିବରାତ୍ରି ଶ୍ରୀଲିଙ୍ଗରାଜର ସବୁଠାରୁ ବଡ଼ ମହୋତ୍ସବ। ଜାଗରରେ ପ୍ରତ୍ୟେକ ଚାରିପ୍ରହର ପୂଜାରେ ମହାପ୍ରଭୁଙ୍କୁ ଚରୁ ଅନ୍ନ ଭୋଗ ହୋଇଥାଏ। ଏହା ଖେଚୁଡ଼ି ଭଳି ଏକ ବ୍ୟଞ୍ଜନ। ଯଦିଓ ଏହା ଏକ କୋଠଭୋଗ। ଜାଗରରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ଅଧିକ ହୋଇଥିବା ହେତୁ ଚରୁ ଅନ୍ନ ଅଧିକ ପରିମାଣରେ ପ୍ରସ୍ତୁତ କରାଯାଇଥାଏ। ସେହିଭଳି ଭାଦ୍ରବ ମାସ ଚତୁର୍ଦଶୀରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଲାଗି ହୋଇଥାଏ। ସାତପ୍ରକାର ପୁରୀରେ ପ୍ରସ୍ତୁତ ହୋଇଥିବା ପିଠାକୁ ସପ୍ତପୁରୀ ବୋଲି କୁହାଯାଇଥାଏ। ସପ୍ତପୁରୀ ଅମାବାସ୍ୟରେ ମଧ୍ୟ ସପ୍ତପୁରୀ ପିଠା ମହାପ୍ରଭୁଙ୍କୁ ଅର୍ପଣ କରାଯାଏ।
ବଡ଼ସିଂହାରରେ ପ୍ରତିଦିନ ଲାଗି ହୁଏ ଦହିପଖାଳ
ପହୁଡ଼ ନୀତି ଶେଷ ପରେ ମହାପ୍ରଭୁଙ୍କର ଟେରାଫିଟା ଭୋଗ ହୋଇଥାଏ। ଏହି ଭୋଗରେ ଖେଇ ଆରିଶା ଭୋଗ ଲାଗେ। ଏହାପରେ ଆରମ୍ଭ ହୁଏ ସନ୍ଧ୍ୟା ଧୂପ। ସନ୍ଧ୍ୟା ଧୂପ ଭୋଗ ଶୋଧୁଅ ଓ ଦହିପଖାଳ ଭୋଗ ହୋଇଥାଏ। ତେବେ ମା’ଭୁବନେଶ୍ୱରୀଙ୍କ ପାଖରେ ସନ୍ଧ୍ୟାଧୂପରେ କେବଳ ଦହିପଖାଳ ଭୋଗ ହୋଇଥାଏ। ଶେଷରେ ରାତ୍ର ସମୟରେ ମହାପ୍ରଭୁଙ୍କର ବଡ଼ସିଂହାର ଭୋଗରେ ଖେଇ, ଆରିସା, ସୋଧୁଅ, ଖର୍ଜୁର ଓ ଦହିପଖାଳ ଅର୍ପଣ କରାଯାଇଥାଏ। ସେହିଭଳି ଲଡ଼ୁ ଓ ଖଜା ଇତ୍ୟାଦି ମଧ୍ୟ ମହାପ୍ରଭୁଙ୍କ ନିକଟରେ ବଡ଼ସିଂହାର ଭୋଗରେ ସାମିଲ ହୋଇଥାଏ।
ରଥ ଉପରେ ମୁଆଁ ଭୋଗ
ରୁକୁଣା ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ସକଳା ଧୂପ ଓ ଦ୍ୱିପ୍ରହର ଧୂପରେ ମୁଆଁ ଲାଗି ହୋଇଥାଏ। ସନ୍ଧ୍ୟା ଧୂପରେ ମୁଆଁ ସହ ମାଣ୍ଡୁଅ ପିଠା ଲାଗି କରାଯାଇଥାଏ। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ମୁଆଁ ଭୋଗକୁ ଶ୍ରଦ୍ଧାଳୁମାନେ ଅନାଇ ବସିଥାଆନ୍ତି। ପୁରୁଣା ଭୁବନେଶ୍ୱରର ବାସିନ୍ଦାମାନେ ମହାପ୍ରଭୁ ରଥାରୂଢ଼ ହୋଇଥିବା ତଳେ ମୁଆଁ ଭୋଗ ମଧ୍ୟ କରିଥାଆନ୍ତି। ମହାପ୍ରଭୁଙ୍କୁ ଭୋଗ ଲାଗିଥିବା ମୁଆଁ ଭୋଗକୁ ଆତ୍ମୀୟ ସ୍ୱଜନମାନଙ୍କ ମଧ୍ୟରେ ମଧ୍ୟ ବାଣ୍ଟନ୍ତି। ଏକାମ୍ର କ୍ଷେତ୍ରର ବାସିନ୍ଦା ପ୍ରତାପ ବିଶୋଇ କହିଛନ୍ତି ଯେ ଖଇ କୋରା ସାଙ୍ଗକୁ ମୁଆଁ ଭୋଗ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସ୍ୱତନ୍ତ୍ରତା। ରଥଦାଣ୍ଡ ଦେଇ ପ୍ରଭୁ ଯିବା ବେଳେ ଶ୍ରଦ୍ଧାଳୁମାନେ ମୁଆଁ ଭୋଗ କରନ୍ତି। ମୋ ଜୀବନକାଳ ମଧ୍ୟରେ କେବେ ହେଲେ ଏହି ଭୋଗ ଅର୍ପଣରେ ବ୍ୟତିକ୍ରମ କରିନାହିଁ। ଏହା ଆମ ପରିବାରର ଏକ ପରମ୍ପରା ଭଳି।
ବରାଦୀ ଭୋଗର ରହିଛି ଲମ୍ବା ତାଲିକା
ମହାପ୍ରଭୁଙ୍କର ଅଷ୍ଟ ନୈବେଦ୍ୟ ଭୋଗଗୁଡ଼ିକ ପ୍ରତ୍ୟହ କରାଯାଇଥାଏ। ମହାପ୍ରଭୁଙ୍କ ନୀତିକାନ୍ତି ଅନୁସାରେ ଏହି ବ୍ୟଞ୍ଜନ ଲାଗି ହେବା ବାଧ୍ୟତାମୂଳକ। ଏଣୁ ଏହାକୁ କୋଠଭୋଗ ବୋଲି କୁହାଯାଏ। ଏହା ବ୍ୟତୀତ ବରାଦୀ ଭୋଗ ମଧ୍ୟ ରହିଛି। ବରାଦୀ ଭୋଗରେ ଅନେକ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିଥାଏ। ଏହି ବରାଦୀ ଭୋଗକୁ ଶ୍ରଦ୍ଧାଳୁମାନେ ବଡ଼ ଧରଣରେ ଖରିଦ କରି ନିଅନ୍ତି। କୋଠଭୋଗ କମ୍ ପରିମାଣରେ କରାଯାଉଥିବା ବେଳେ ବରାଦୀ ଭୋଗ ଭକ୍ତଙ୍କ ଚାହିଦା ଓ ଆଗମନକୁ ଦୃଷ୍ଟିରେ ରଖି କରାଯାଇଥାଏ। ସାଧାଅନ୍ନ, ମିଷ୍ଟାନ୍ନ, କାନିକା, ମିଠା ଡାଲି, ବେସର, ମହୁର, ଡାଲେମା, ସୋଲା, ପୋଟଳ ରଶା, ଲେମନ୍ ରାଇସ୍, ହବିଷ ଡାଲି, ଖଜୁରୀ ଖଟା ଓ ଆମ୍ବ ଖଟା ଭଳି ୫୦ ପ୍ରକାରର ବ୍ୟଞ୍ଜନ ରହିଛି। ଦିନକୁ ଦିନ ବରାଦି ଭୋଗର ତାଲିକା ବଢ଼ିବାରେ ଲାଗିଛି।
ପ୍ରତ୍ୟହ ଆନନ୍ଦବଜାରରେ ମହାପ୍ରସାଦ ପାଆନ୍ତି ୨ ହଜାର ଶ୍ରଦ୍ଧାଳୁ
ପ୍ରତ୍ୟହ ଲିଙ୍ଗରାଜ ମନ୍ଦିରରେ ଆନୁମାନିକ ୨ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅବଢ଼ା ପ୍ରସ୍ତୁତ ହୁଏ। ବରାଦ ଅଧିକ ଥିଲେ ଏହାଠାରୁ ଅଧିକ ପ୍ରସ୍ତୁତ କରାଯାଏ। ଯାନିଯାତ ସମୟରେ ଅଧିକ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ସେହିଭଳି ଆନନ୍ଦବଜାରରେ ସୋମବାର ଓ ସଂକ୍ରାନ୍ତିରେ ଅଧିକ ଗହଳି ଦେଖିବାକୁ ମିଳେ। ଏହାକୁ ଦୃଷ୍ଟିରେ ରଖି ସୁଆରମାନେ ଅତିରିକ୍ତ ଭୋଗ ଲାଗି କରିଥାଆନ୍ତି।
ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଅବଢ଼଼ାର ଦର ନିର୍ଦ୍ଧାରଣ ହୋଇପାରୁ ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତମାନଙ୍କ କହିବା କଥା ଯେ ଅବଢ଼ାର ଦର ନିର୍ଦ୍ଧାରଣ ଅବଢ଼ାକୁ ଅପମାନ ସଦୃଶ। ଏହା ମହାପ୍ରଭୁଙ୍କ ମହାପ୍ରସାଦ। ଧନୀ, ଗରିବ ସମସ୍ତେ ଏହାକୁ ପାଇ ପାରିବେ। ଏକ ଦର ଭିତରେ ଏହାକୁ ବାନ୍ଧି ରଖିବା ଉଚିତ୍ ନୁହେଁ। ମହାପ୍ରସାଦ କାହାରିକୁ ମନା କରାଯାଏ ନାହିଁ।
ମହାପ୍ରଭୁଙ୍କ ବ୍ୟଞ୍ଜନ ପ୍ରସ୍ତୁତ କରିବା ଏକ ଅପୂର୍ବ ଆନନ୍ଦ
ମହାପ୍ରଭୁଙ୍କ ସୁଆର ସେବାୟତମାନେ ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି। ପାରମ୍ପରିକ ଭାବେ ୩୬୫ ଘର ବ୍ରାହ୍ମଣ ନିଯୋଗ ସମିତି ଅଧୀନରେ ୧୮ ସେବାୟତ ବର୍ଗ ରହିଥିବା ବେଳେ ସୁଆର-ମହାସୁଆର ନିଯୋଗ ଏହି ନିଯୋଗ ଅନ୍ତର୍ଗତ। ସମ୍ପ୍ରତି ସୁଆର-ମହାସୁଆର ସେବାୟତଙ୍କ ସଂଖ୍ୟା ବଢ଼଼ି କରି ୫ଶହରେ ପହଞ୍ଚିଲାଣି। ମହାପ୍ରଭୁଙ୍କ ବ୍ୟଞ୍ଜନ ପ୍ରସ୍ତୁତର ସୁଯୋଗ ମିଳିଥିବା ହେତୁ ମୁଁ ଗର୍ବିତ। ମହାପ୍ରଭୁଙ୍କ ସେବାରେ ଯେଉଁ ଆତ୍ମସନ୍ତୋଷ ତାହ ସର୍ବଦା ଅତୁଳନୀୟ। ପିଢ଼ି ପରେ ପିଢ଼ି ଆମେ ଏହି ଦାୟିତ୍ୱ ସମ୍ପାଦନ କରିଆସୁଛି। କୋଠ ଭୋଗ ସମେତ ବରାଦୀ ଭୋଗ ପ୍ରସ୍ତୁତ କରୁଛୁ। କୋଠ ଭୋଗ ସଦାସର୍ବଦା ନିର୍ଦ୍ଧାରିତ ହୋଇଥିବାବେଳେ ବରାଦୀ ଭୋଗ ଚାହିଦାକୁ ଦେଖି ବନାଉଛି।
-ଶିବ ପ୍ରସାଦ ମହାପାତ୍ର, ସେବକ