ନେହେରୁ ଜୀଙ୍କର କାମ ହିଁ ତାଙ୍କ ପରିଚୟ… ତାଙ୍କ ନାମ ନୁହେଁ।”, ଜାଣନ୍ତୁ କ’ଣ ପାଇଁ ଏପରି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ନାମ ପାଇଁ ନୁହେଁ ବରଂ ନିଜ କାମ ପାଇଁ ନେହେରୁ ସୁପରିଚିତ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ର ନାମ ପରିବର୍ତ୍ତନ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ୍ ଏହା କହିଛନ୍ତି। ସେ କହିଛନ୍ତି, ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି, ତାଙ୍କ ନାମରେ ନାହିଁ। ‘ନେହେରୁ ସଂଗ୍ରହାଳୟ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ’ କରାଯିବା ପ୍ରସଙ୍ଗକୁ ନେଇ ‘ବିଜେପି’ […]
ନୂଆଦିଲ୍ଲୀ : ନାମ ପାଇଁ ନୁହେଁ ବରଂ ନିଜ କାମ ପାଇଁ ନେହେରୁ ସୁପରିଚିତ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ର ନାମ ପରିବର୍ତ୍ତନ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ୍ ଏହା କହିଛନ୍ତି। ସେ କହିଛନ୍ତି, ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି, ତାଙ୍କ ନାମରେ ନାହିଁ। ‘ନେହେରୁ ସଂଗ୍ରହାଳୟ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ’ କରାଯିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦର ଦିନକ ପରେ ରାହୁଲ୍ ଏହି ଟିପ୍ପଣୀ ଦେଇଛନ୍ତି।
ସେପଟେ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି – “ଆଜିଠାରୁ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ନୂଆ ନାମ ପାଇଛି। ବିଶ୍ୱ ପ୍ରସିଦ୍ଧ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ (ଏନ୍ଏମ୍ଏମ୍ଏଲ୍) ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ (ପିଏମ୍ଏମ୍ଏଲ୍) ରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଭୟ, ହୀନମନ୍ୟତା ଓ ଅସୁରକ୍ଷିତ ଅନୁଭବ କରୁଥିବା ମନେ ହେଉଛନ୍ତି, ବିଶେଷକରି ଯେତେବେଳେ ଆମର ପ୍ରଥମ ତଥା ସବୁଠୁ ଅଧିକ ଦିନ ପଦରେ ରହିଥିବା ପ୍ରଧାନମନ୍ତ୍ରୀଙ୍କ କଥା ଆସେ ।
ଜୟରାମ ରମେଶ କହିଛନ୍ତି, ମୋଦୀଙ୍କ ଏକମାତ୍ର ଏଜେଣ୍ଡା ହେଉଛି ନେହେରୁ ଏବଂ ନେହେରୁବାଦୀ ଲିଗାସିକୁ ମିଥ୍ୟା ସାବ୍ୟସ୍ତ କରିବା, ବଦନାମ ତଥା ବିକୃତ କରିବା ଏବଂ ନଷ୍ଟ କରିବା । ସେମାନେ ‘ଏନ୍’ କୁ ହଟାଇ ‘ପି’ ଲଗାଇ ଦେଇଛନ୍ତି । ଏହି ‘ପି’ ପ୍ରକୃତରେ (Pettiness) ସଂକୀର୍ଣ୍ଣତା ଏବଂ (Peeve) କ୍ରୋଧକୁ ଦର୍ଶାଉଛି । କିନ୍ତୁ ସେମାନେ ଭାରତୀୟ ରାଷ୍ଟ୍ରର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ଏବଂ ଉଦାରବାଦୀ ମୂଳଦୁଆ ପକାଇବାରେ ନେହେରୁଙ୍କ ମହାନ ଉପଲବ୍ଧିକୁ ନଗଣ୍ୟ କରିପାରିବେ ନାହିଁ । ”
ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୧୪ ତାରିଖରୁ ‘ଦି ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରି’କୁ ଆନୁଷ୍ଠାନିକ ଭାବେ ‘ଦି ପ୍ରାଇମ୍ମିନିଷ୍ଟର୍ସ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରି ସୋସାଇଟି’ ଭାବେ ପୁନଃନାମିତ କରାଯାଇଛି। ପୁନଃନାମକରଣକୁ ସମର୍ଥନ କରି ‘ବିଜେପି’ କହିଛି ନେହେରୁଙ୍କ ଉପରୁ ଧ୍ୟାନ ହଟାଇ ଏହି ସଂଗ୍ରାହାଳୟ ବର୍ତ୍ତମାନ ସବୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଲୋକପାତ କରୁଛି। ପୂର୍ବରୁ ନେହେରୁ ସଂଗ୍ରାହାଳୟରେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କର ସ୍ଥାନ ନ ଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।





