ହରିୟାଣାରେ ସାଂପ୍ରଦାୟିକ ହିଂସା : ଅଗଷ୍ଟ ୮ ଯାଏଁ ବଢ଼ିଲା ଇଣ୍ଟରନେଟ୍ କଟକଣା
ଗୁରୁଗ୍ରାମ: ହରିୟାଣାର ନୁହ ଜିଲ୍ଲାରେ ଜୁଲାଇ ୩୧ରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏହି ନିଷେଧାଦେଶ ଏବେ ଅଗଷ୍ଟ ୮ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର କହିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଭଏସ୍ କଲ୍ ବ୍ୟତୀତ ମୋବାଇଲ୍ ନେଟୱାର୍କରେ ପ୍ରଦାନ କରାଯାଉଥିବା ମୋବାଇଲ୍ ଇଣ୍ଟରନେଟ୍ ସେବା, ବଲ୍କ ଏସ୍ଏମ୍ଏସ୍ ଏବଂ ସମସ୍ତ ଡଙ୍ଗଲ୍ ସେବା ଅଗଷ୍ଟ ୮, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ହିଂସା ଅଭିଯୋଗରେ […]
ଗୁରୁଗ୍ରାମ: ହରିୟାଣାର ନୁହ ଜିଲ୍ଲାରେ ଜୁଲାଇ ୩୧ରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏହି ନିଷେଧାଦେଶ ଏବେ ଅଗଷ୍ଟ ୮ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର କହିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଭଏସ୍ କଲ୍ ବ୍ୟତୀତ ମୋବାଇଲ୍ ନେଟୱାର୍କରେ ପ୍ରଦାନ କରାଯାଉଥିବା ମୋବାଇଲ୍ ଇଣ୍ଟରନେଟ୍ ସେବା, ବଲ୍କ ଏସ୍ଏମ୍ଏସ୍ ଏବଂ ସମସ୍ତ ଡଙ୍ଗଲ୍ ସେବା ଅଗଷ୍ଟ ୮, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଅନ୍ୟପକ୍ଷରେ ହିଂସା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ଗିରଫଦାରୀ ଜାରି ରହିଛି । ଶନିବାର ସ୍ଥାନୀୟ ପ୍ରଶାସନ ମଧ୍ୟ ହିଂସାରେ ସମ୍ପୃକ୍ତ ଲୋକଙ୍କ ଘର ଏବଂ ଦୋକାନ ଉପରେ ବୁଲଡୋଜର ଆକ୍ସନ ନେଇ ବେଆଇନ ନିର୍ମାଣ ଭାଙ୍ଗିଥିଲା । ହିଂସାସ୍ଥଳ ନୁହଠାରୁ ୨୦ କିମି ଦୂର ତଉରୁରେ ଅନେକ ବେଆଇନ ଘର ଏବଂ ଦୋକାନ ଭଙ୍ଗାଯାଇଛି। ଗୁରୁବାର ସନ୍ଧ୍ୟାରୁ ବୁଲଡୋଜର କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜୁଲାଇ ୩୧ ଦଙ୍ଗାରେ ସମ୍ପୃକ୍ତ ଥିବା ଦଙ୍ଗାକାରୀଙ୍କ ବେଆଇନ ଘର ଏବଂ ଦୋକାନ ସବୁ ଭଙ୍ଗାଯାଇଛି ବୋଲି ହରିୟାଣା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ନୁହ ଏସଡିଏମ୍ ଅଶ୍ବିନ କୁମାର କହିଛନ୍ତି, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ନିର୍ଦ୍ଦେଶକ୍ରମେ ଏହି ବୁଲଡୋଜର କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ସମସ୍ତ ବେଆଇନ ନିର୍ମାଣ ଭଙ୍ଗାଯାଉଛି।
ଯେଉଁମାନଙ୍କର ବେଆଇନ ଘର ଏବଂ ଦୋକାନ ସବୁ ଭଙ୍ଗାଯାଇଛି ସେମାନେ ସମସ୍ତେ ଦଙ୍ଗାରେ ସମ୍ପୃକ୍ତ ଥିଲେ ବୋଲି ଏସଡିଏମ୍ କହିଛନ୍ତି। ଗତକାଲି ତଉରୁରେ ୨୫୦ରୁ ଅଧିକ ଝୁମ୍ପୁଡ଼ି ଭଙ୍ଗାଯାଇଛି। ନୁହର ଏସକେଏମ୍ ସରକାରୀ ମେଡିକାଲ କଲେଜ ନିକଟରେ ବେଆଇନ ଝୁମ୍ପୁଡ଼ି ଘର ସବୁ ମାଟିରେ ମିଶିଛି। ହରିୟାଣା ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ବେଆଇନ ନିର୍ମାଣ ଭାଙ୍ଗିବା କାର୍ଯ୍ୟ ଜାରି ରହିଛି।
ହରିୟାଣା ହିଂସାର ପାକିସ୍ତାନ ଲିଙ୍କ୍
ହରିୟାଣା ‘ନୁହ’ ହିଂସାର ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଛି। ହରିୟାଣା ପୁଲିସ ଯାଞ୍ଚରୁ ପାକିସ୍ତାନୀ ୟୁ-ଟ୍ୟୁବର ଜିସାନ ମୁସ୍ତାକ ବିଷୟରେ ଜଣାପଡିଛି। ସେ ଲାହୋରରୁ ସାମାଜିକ ଗଣମାଧ୍ୟମରେ ଉସୁକାଇବା ଭଳି ପୋଷ୍ଟ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ଅହସାନ ମେୱାତୀ ପାକିସ୍ତାନୀ ନାମରେ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ବନାଇ ଥିଲା। ସେ ନିଜକୁ ରାଜସ୍ଥାନ ଅଲୱରର ବାସିନ୍ଦା ଲେଖିଥିଲା। କିନ୍ତୁ ସେ ଲାହୋର ଏବଂ ଇସଲାମାବାଦରୁ ପାକିସ୍ତାନ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ନେଟୱାର୍କ (ପିଇଆରଏନ) ମାଧ୍ୟମରେ ଭିଡିଓ ପୋଷ୍ଟ କରୁଥିଲା। ଏହି ନେଟୱର୍କରୁ ପାକିସ୍ତାନର ଶିକ୍ଷାନୁଷ୍ଠାନ ଗୁଡିକୁ ଇଣ୍ଟରନେଟ ଦିଆଯାଇଥାଏ। ସେ ମୋନୁ ମାନେସରକୁ ହତ୍ୟା ଏବଂ ‘ନୁହ’ ହିଂସା ପାଇଁ ଉସୁକାଇ ଥିଲା। ହିଂସା ଦିନର ଭିଡିଓ ମଧ୍ୟ ଜାରି କରିଥିଲା। ନୁହରେ ଜିସାନର ନେଟୱର୍କ ଥିବା ପୁଲିସ ସନ୍ଦେହ କରୁଛି। ଏହି ମାମଲା ରୁଜୁ କରିବା ପାଇଁ ପୁଲିସ ପ୍ରୟାସ କରୁଛି।





