“ଆପଣଙ୍କୁ ଡାକ୍ତର ଲେଖିବାର ଅଧିକାର ନାହିଁ”: ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍

Suryakanta Picture
Published On

“ଆପଣଙ୍କୁ ନିଜ ନାମ ଆଗରେ 'ଡାକ୍ତର' ଲେଖିବାର କୌଣସି ଅଧିକାର ନାହିଁ।” ଗାଜିଆବାଦର ଏକ ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ମାମଲାରେ ଘରୋଇ ଡାକ୍ତରଖାନା ଏବଂ ଡାକ୍ତରଙ୍କୁ ଏହିଭଳି କଡ଼ା ଭାଷାରେ ତାଗିଦ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଠିକ୍ ସମୟରେ ଜରୁରୀକାଳୀନ ଚିକିତ୍ସା ନମିଳିବାରୁ ମାସୁମ ଝିଅଟିର ଜୀବନ ଯାଇଥିଲା, ଯାହାକୁ ନେଇ କୋର୍ଟ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଗରିବ ହୋଇଥିବାରୁ ମିଳିଲାନି ଚିକିତ୍ସା

ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରି ଡାକ୍ତରମାନଙ୍କ ଆଚରଣକୁ ଅତ୍ୟନ୍ତ ନିର୍ଦ୍ଦୟ, ନିଷ୍ଠୁର ଏବଂ ସମ୍ବେଦନହୀନ ବୋଲି ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି ଯେ, କେବଳ ଗରିବ ହୋଇଥିବାରୁ ଏବଂ ହସ୍ପିଟାଲ୍ ଫିସ୍ ଦେବାକୁ ଅସମର୍ଥ ଥିବାରୁ ଝିଅଟିକୁ ଚିକିତ୍ସା ଯୋଗାଇ ଦିଆଯାଇନଥିଲା। ଯଦି ଆପଣମାନଙ୍କ ପାଖରେ ଜରୁରୀକାଳୀନ ସୁବିଧା ନଥିଲା, ତେବେ ଟିକିଏ ସମ୍ବେଦନଶୀଳତା ଦେଖାଇ ତାକୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବାର ଥିଲା ବୋଲି ଖଣ୍ଡପୀଠ କହିଛନ୍ତି। ନିଜ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବାରୁ ନିଜ ନାମ ଆଗରୁ 'ଡାକ୍ତର' ପଦବୀ ହଟାଇ ଦେବାକୁ କୋର୍ଟ ସିଧାସଳଖ ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଏହି ଘୋର ଅବହେଳା ପାଇଁ କୋର୍ଟ ସମ୍ପୃକ୍ତ ଡାକ୍ତରଖାନାଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଏଭଳି ଦାୟିତ୍ୱହୀନତା ପାଇଁ ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଯିବ। ଆସନ୍ତା ଜୁଲାଇ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କ'ଣ ଥିଲା ପୂରା ଘଟଣା?

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ନନ୍ଦଗ୍ରାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପଡ଼ୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତି ୪ ବର୍ଷର ନିଷ୍ପାପ ବାଳିକାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ନିଜ ସହ ନେଇଯାଇଥିଲା। ପରେ ଝିଅଟି ରକ୍ତାକ୍ତ ଏବଂ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପରିବାର ଲୋକେ ତାକୁ ତୁରନ୍ତ ସ୍ଥାନୀୟ ଦୁଇଟି ଘରୋଇ ଡାକ୍ତରଖାନା ଏବଂ ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ନିକଟକୁ ନେଇଥିଲେ ମଧ୍ୟ ସେମାନେ ଆଡମିଶନ କରିବାକୁ ସିଧାସଳଖ ମନା କରିଦେଇଥିଲେ। ପୋଲିସର ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଏବଂ ଡାକ୍ତରଖାନା ଗୁଡ଼ିକର ଏଭଳି ଅବହେଳା ବିରୋଧରେ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ଅତି ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର