ପରିକ୍ରମା: ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଅନୁଶୀଳନ

The Sakala Picture
Published On

ଆଜି ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଉଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏହି ପରିକ୍ରମା ଉତ୍ସବ ଏକ ବିଦ୍ୟ ଅନୁଭୂତି ଆଣିବ। ଏହା କେବଳ ଏକ ମହୋତ୍ସବ, ଅନୁଷ୍ଠାନ ଓ ପର୍ଯ୍ୟଟନର ଆନନ୍ଦ ଉପଲବ୍ଧି ନୁହେଁ, ବରଂ ମହାପୁଣ୍ୟ ଅର୍ଜନର ମହାର୍ଘ ମୁହୂର୍ତ୍ତ। ଦେବଦେବୀଙ୍କ ଦର୍ଶନ ପରେ ଏବଂ ପୂର୍ବରୁ ମନ୍ଦିର ଓ ପୀଠସ୍ଥଳୀର ପରିକ୍ରମା କରାଯିବାର ଶାସ୍ତ୍ରସମ୍ମତ ବିଧି ରହିଛି। ଦର୍ଶନ ଓ ପୂଜନର ଏହା ଏକ ଅଙ୍ଗ। ପରିକ୍ରମା ବିଧି ପଛରେ ଯେତିକି […]

ଆଜି ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଉଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏହି ପରିକ୍ରମା ଉତ୍ସବ ଏକ ବିଦ୍ୟ ଅନୁଭୂତି ଆଣିବ। ଏହା କେବଳ ଏକ ମହୋତ୍ସବ, ଅନୁଷ୍ଠାନ ଓ ପର୍ଯ୍ୟଟନର ଆନନ୍ଦ ଉପଲବ୍ଧି ନୁହେଁ, ବରଂ ମହାପୁଣ୍ୟ ଅର୍ଜନର ମହାର୍ଘ ମୁହୂର୍ତ୍ତ। ଦେବଦେବୀଙ୍କ ଦର୍ଶନ ପରେ ଏବଂ ପୂର୍ବରୁ ମନ୍ଦିର ଓ ପୀଠସ୍ଥଳୀର ପରିକ୍ରମା କରାଯିବାର ଶାସ୍ତ୍ରସମ୍ମତ ବିଧି ରହିଛି। ଦର୍ଶନ ଓ ପୂଜନର ଏହା ଏକ ଅଙ୍ଗ। ପରିକ୍ରମା ବିଧି ପଛରେ ଯେତିକି ଆଧ୍ୟାତ୍ମିକ ମହତ୍ୱ ରହିଛି ସେତିକି ଦାର୍ଶନିକ ଓ ବୈଜ୍ଞାନିକ କାରଣ ମଧ୍ୟ ନିହିତ ଅଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

କୌଣସି ବିଶେଷ ପୂଜାନୁଷ୍ଠାନ, ଯଜ୍ଞାନୁଷ୍ଠାନ ହେଉ କିମ୍ୱା ବିବାହ, ଅଗ୍ନିକୁ ପ୍ରଦକ୍ଷିଣ ବା ପରିକ୍ରମା କରିବା ଷୋଡ଼ଶପଚାର ପୂଜାବିଧିର ଏକ ଅଙ୍ଗ। ବଟ ଓ ଅଶ୍ୱତ୍ଥ ବୃକ୍ଷର ପରିକ୍ରମା ମଧ୍ୟ ପୁଣ୍ୟଫଳ ପ୍ରଦାନ କରିଥାଏ। କେବଳ ହିନ୍ଦୁ ଧର୍ମ ନୁହେଁ, ପ୍ରତ୍ୟେକ ଧର୍ମରେ ପରିକ୍ରମା ବା ପ୍ରଦକ୍ଷିଣ କରିବାର ପରମ୍ପରା ରହିଛି। ପରିକ୍ରମାର ସଂସ୍କୃତ ଶବ୍ଦ ହେଉଛି ‘ପ୍ରଦକ୍ଷିଣ’। ଏହି ଶବ୍ଦ ‘ପ୍ର + ଦକ୍ଷିଣ’ ଶବ୍ଦର ସମଷ୍ଟି ସୃଷ୍ଟି। ‘ପ୍ର’ର ଅର୍ଥ ହେଉଛି ଅଗ୍ରଗତି ବା ଆଗକୁ ବଢ଼ିବା ଏବଂ ‘ଦକ୍ଷିଣ’ର ଅର୍ଥ ହେଉଛି ଦକ୍ଷିଣ ଦିଗ। ତେଣୁ ଦକ୍ଷିଣ ଦିଗରୁ ପରିକ୍ରମା ଆରମ୍ଭ କରିବା ଉଚିତ। ଏଥିରେ ବ୍ୟକ୍ତିର ଡାହାଣ ଅଙ୍ଗ ଦେବ ମୂର୍ତ୍ତି କିମ୍ୱା ଯଜ୍ଞକୁଣ୍ଡ ଆଡ଼କୁ ରହିବ। ଏହି ପରିକ୍ରମାକୁ ‘ଶବ୍ଦକଳ୍ପଦ୍ରୁମ’ରେ ‘ଦକ୍ଷିଣାବର୍ତ୍ତ ପ୍ରଦକ୍ଷିଣ’ ଭାବେ ବର୍ଣ୍ଣନା କରାଯାଇଛି। ମନୁଷ୍ୟର ଦକ୍ଷିଣ ବା ଡାହାଣ ଅଙ୍ଗଗୁଡ଼ିକ ଦେବଅଙ୍ଗ ବା ପବିତ୍ର ଭାବେ ବିବେଚିତ। ତେଣୁ ପ୍ରତ୍ୟେକ ଦେବକାର୍ଯ୍ୟରେ ଡାହାଣ ହାତର ପ୍ରୟୋଜନ ହୁଏ ଏବଂ ପରିକ୍ରମା ମଧ ଦକ୍ଷିଣାବର୍ତ୍ତ ହୋଇଥାଏ। ଏଭଳି ନାମକରଣର ପ୍ରଥମ କାରଣ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କ ଦୈନିକ ଗତି ସହ ସମ୍ୱନ୍ଧିତ। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ଦକ୍ଷିଣ ଦିଗ ମଧ୍ୟ ଦେଇ ପଶ୍ଚିମରେ ଅସ୍ତ ହୋଇଥା’ନ୍ତି। ସୂର୍ଯ୍ୟଦେବଙ୍କ ଏହି ଦୈନିକ ଗତି ବିନାକୌଣସି ପ୍ରତିବନ୍ଧକରେ ପୂର୍ଣ୍ଣ ହୁଏ ଏବଂ ପୃଥିବୀରେ ସଫଳତାର ସହ ଗୋଟିଏ ଦିନ ସମ୍ପୂର୍ଣ୍ଣ ହୋଇଥାଏ। ଏହି ପ୍ରକୃତି ତତ୍ତ୍ୱ ଆଧାରରେ ବେଦଶାସ୍ତ୍ର, ଉପନିଷଦ ଆଦିରେ ଦକ୍ଷିଣାବର୍ତ୍ତ ପରିକ୍ରମାକୁ ଶ୍ରେଷ୍ଠ ବୋଲି କୁହାଯାଉଛି ଏବଂ ଦେବ ପରିକ୍ରମା ଓ ପୂଜାଯଜ୍ଞାଦି ଆଦି ଧାର୍ମିକ କୃତ୍ୟକୁ ବାଧାବିଘ୍ନ ରହିତ ସମ୍ପାଦନ କରିବା ଏବଂ ପୁଣ୍ୟଫଳ କାମନା ପାଇଁ ଦକ୍ଷିଣାବର୍ତ୍ତ ପ୍ରଦକ୍ଷିଣ କରିବା ଉଚିତ ବୋଲି ବେଦଜ୍ଞମାନେ ଉପଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ପରିକ୍ରମାକୁ ସଫଳ କରିବା ପାଇଁ ପ୍ରଦକ୍ଷିଣ କରିବା ସମୟରେ ମନ୍ତ୍ରଜପ ଏବଂ ନାମ ସ୍ମରଣର ମହିମା ମଧ୍ୟ ଅଛି। ପରିକ୍ରମାର ବିଶେଷ ମନ୍ତ୍ର ହେଉଛି-

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

‘ଜାନି କାନି ଚ ପାପାନି ଜନ୍ମାନ୍ତରଂ କୃତାନି ଚ / ତାନି ସର୍ବାଣୀ ନଶ୍ୟନ୍ତୁ ପ୍ରଦକ୍ଷିଣୋ ପଦେପଦେ’

ଏହାର ଅର୍ଥ ହେଉଛି ଆମ ଦ୍ୱାରା ଜାଣତରେ କିମ୍ୱା ଅଜାଣତରେ କରାଯାଉଥିବା ପାପ ଏବଂ ପୂର୍ବଜନ୍ମର ସମସ୍ତ ପାପ ପ୍ରଦକ୍ଷିଣ ଦ୍ୱାରା ନାଶ ହୋଇଯାଉ। ପରମପିତା ପରମେଶ୍ୱର ମୋତେ ସଦ୍‌‌ବୁଦ୍ଧି ଏବଂ ଧାର୍ମିକ କାର୍ଯ୍ୟର ପୁଣ୍ୟଫଳ ପ୍ରଦାନ କରନ୍ତୁ। ଦେବଦେବୀଙ୍କ ସହସ୍ରନାମ ପାଠପୂର୍ବକ ପ୍ରଦକ୍ଷିଣ କଲେ, ସପ୍ତଦ୍ୱୀପବତି ପୃଥ୍ୱୀର ସମ୍ପୂର୍ଣ୍ଣ ପରିକ୍ରମାର ପୁଣ୍ୟଫଳ ପ୍ରାପ୍ତ ହେବା ସହ ସମାନ ବୋଲି ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ସେହିପରି ଶାସ୍ତ୍ରବିଧି ଅନୁଯାୟୀ, ଯେଉଁଠାରୁ ପରିକ୍ରମା ଆରମ୍ଭ କରାଯିବ, ଉକ୍ତ ସ୍ଥାନରେ ପରିକ୍ରମା ଶେଷ କରାଯିବା ଉଚିତ। କିନ୍ତୁ ଦେବ ଦେବ ମହାଦେବଙ୍କ ପରିକ୍ରମା ସମ୍ପୂର୍ଣ୍ଣ କରାଯାଏ ନାହିଁ। ସର୍ବଦା ମହାଦେବଙ୍କୁ ଅର୍ଦ୍ଧପରିକ୍ରମା କରାଯିବାର ବିଧି ରହିଛି। ଏହାକୁ ‘ଚନ୍ଦ୍ରାକାର ପରିକ୍ରମା’ କୁହାଯାଏ। ‘ନାରଦ ପୁରାଣ’ ଏବଂ ‘କର୍ମ ଲୋଚନ’ ନାମକ ଗ୍ରନ୍ଥ ଅନୁସାରେ, ମହାଦେବଙ୍କ ଭଳି ଅନ୍ୟ ଦେବଦେବୀଙ୍କ ପାଇଁ ମଧ୍ୟ ପରିକ୍ରମା ସଂଖ୍ୟା ଭିନ୍ନ ରହିଛି। ମା’ ଦୁର୍ଗାଙ୍କୁ ଗୋଟିଏ ଥର, ସୂର୍ଯ୍ୟଙ୍କୁ ୭ଥର, ଗଣେଶଙ୍କୁ ୩ଥର, ଶ୍ରୀବିଷ୍ଣୁ ଏବଂ ତାଙ୍କର ପ୍ରତ୍ୟେକ ଅବତାରଙ୍କୁ ୪ଥର ଏବଂ ସୋମବତି ଅମାବାସ୍ୟାରେ ଅଶ୍ୱତ୍ଥ ବୃକ୍ଷକୁ ୧୦୮ ଥର ପରିକ୍ରମା କରିବାର ନିୟମ ରହିଛି। ଯଜ୍ଞ ତିଳକ ଲଗାଇବା ପରେ ଯଜ୍ଞଦେବତା ଅଗ୍ନି କିମ୍ୱା ଯଜ୍ଞବେଦୀର ୩ଥର ପରିକ୍ରମା କରିବା ଉଚିତ। ବିବାହ ସମୟରେ ବରବଧୂ ଅଗ୍ନିଙ୍କୁ ୭ଥର ପ୍ରଦକ୍ଷିଣ କରିଥା’ନ୍ତି।

ପବିତ୍ର ଧାର୍ମିକ ସ୍ଥଳ ଅଯୋଧ୍ୟା, ମଥୁରା ଆଦିରେ ପଞ୍ଚକୋଶୀ ପରିକ୍ରମା ଏବଂ ବ୍ରଜଧାମରେ ଗୋବର୍ଦ୍ଧନ ପୂଜାବିଧିରେ ସପ୍ତକୋଶୀ ପରିକ୍ରମା କରିବାର ବିଧି ଅଛି। ଦେବଦର୍ଶନ ପରେ ଦେବଭୂମିରେ ପରିକ୍ରମା କରିବା ଦ୍ୱାରା ଅଶ୍ୱମେଧ ଯଜ୍ଞର ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରାଦିରେ ଉଲ୍ଳେଖ ଅଛି।

ପ୍ରଦକ୍ଷିଣର ଦାର୍ଶନିକ ତତ୍ତ୍ୱ ହେଉଛି – ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପ୍ରତ୍ୟେକ ଗ୍ରହନକ୍ଷତ୍ର ପରିକ୍ରମା କରିଥା’ନ୍ତି। ଏହି ପରିକ୍ରମା ହେଉଛି ଜୀବନର ସତ୍ୟତା। ବ୍ୟକ୍ତିର ଜନ୍ମମୃତ୍ୟୁ ବା ଜୀବନଚକ୍ର ଏକ ପରିକ୍ରମା ଭଳି। ଭଗବାନଙ୍କ ଭିତରେ ସମ୍ପୂର୍ଣ୍ଣ ସୃଷ୍ଟି ବିଦ୍ୟମାନ। ତେଣୁ ଭଗବାନଙ୍କ ମୂର୍ତ୍ତି କିମ୍ୱା ଯଜ୍ଞାନୁଷ୍ଠାନର ପରିକ୍ରମା କରିବା ଦ୍ୱାରା ସମ୍ପୂର୍ଣ୍ଣ ସୃଷ୍ଟିର ପରିକ୍ରମା ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଦାର୍ଶନିକ ତତ୍ତ୍ୱର ପ୍ରମାଣ ଭାବେ ଦେବଦେବ ମହାଦେବ, ମା’ ପାର୍ବତୀ, କାର୍ତ୍ତିକେୟ ଓ ଗଣେଶଙ୍କୁ ନେଇ ପରିକ୍ରମା ସମ୍ପର୍କିତ ଏକ ପୌରାଣିକ ଆଖ୍ୟାନ ମଧ୍ୟ ରହିଛି। ଏକଦା ଦେବ ସନ୍ତାନ ଶ୍ରୀଗଣେଶ ଓ କାର୍ତ୍ତିକେୟଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହେଲା, ତାହାର ସମାଧାନ କରିବାକୁ ଯାଇ ଶ୍ରୀଗଣେଶ ମୂଷା ପିଠିରେ ବସି ପିତାମାତାଙ୍କ ପ୍ରଦକ୍ଷିଣ କରିବାକୁ ଲାଗିଲେ ଏବଂ କାର୍ତ୍ତିକେୟ ମୟୂର ବାହନରେ ବସି ସୃଷ୍ଟି ଭ୍ରମଣ କଲେ। ଶ୍ରେଷ୍ଠ ପ୍ରତିପାଦିତ ହେଲେ ଶ୍ରୀଗଣେଶ। କାରଣ ମହାଦେବ ଓ ମା’ ପାର୍ବତୀଙ୍କ ଭିତରେ ସମଗ୍ର ସୃଷ୍ଟି ବିଦ୍ୟମାନ। ତେଣୁ ପିତାମାତାଙ୍କୁ ପ୍ରଦକ୍ଷିଣ କରିବା ଅର୍ଥ ସମଗ୍ର ସୃଷ୍ଟିର ପ୍ରଦକ୍ଷିଣ କରିବା। ତେଣୁ ଦର୍ଶନ ତତ୍ତ୍ୱରେ ପରିକ୍ରମା ବା ପ୍ରଦକ୍ଷିଣର ମହତ୍ତ୍ୱ ଓ ଗୁରୁତ୍ୱ ଅଧିକ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ପରିକ୍ରମାର ପ୍ରଭାବ ଆମର ଶାରୀରିକ ଓ ମାନସିକ ସ୍ତରରେ ପ୍ରତିଫଳିତ ହୋଇଥାଏ। ଅନେକଗୁଡ଼ିଏ ମନସ୍ତାତ୍ତ୍ୱିକ ବିଶ୍ଲେଷଣରେ ଦର୍ଶାଯାଇଛି ଯେ, କୌଣସି ବ୍ୟକ୍ତି ଯେତେବେଳେ ଅଧିକ ଭାବେ ମାନସିକ ଭାରାକ୍ରାନ୍ତ ହୋଇଯାଏ, ସେ ଶାନ୍ତି ପାଇବା ପାଇଁ କୌଣସି ଧାର୍ମିକ ପ୍ରବଚନ ଶୁଣିଥାଏ, ଧାର୍ମିକ ଉତ୍ସବ ଆଦିରେ ଯୋଗ ଦିଏ କିମ୍ୱା ଦେବ ଦର୍ଶନ କରିବାକୁ ଆଗ୍ରହ ପ୍ରକାଶ କରେ। ଠାକୁରଙ୍କୁ ଦର୍ଶନ କରିବା ପରେ ସେ ପରିକ୍ରମା ଆରମ୍ଭ କରେ। ପରିକ୍ରମା ଶେଷ ହେବା ପରେ ଉକ୍ତ ବ୍ୟକ୍ତିର ମନରେ ସ୍ୱଳ୍ପ ସମୟ ପାଇଁ ଏକ ଦିବ୍ୟଶାନ୍ତି ଅନୁଭୂତ ହୁଏ। ଏହାର କାରଣ ହେଉଛି ଦେବସ୍ଥାନ ବା ଆଧ୍ୟାତ୍ମସ୍ଥଳୀରେ ଥିବା ସକାରାତ୍ମକ ଶକ୍ତି। ଉକ୍ତ ସକାରାତ୍ମକ ଶକ୍ତିର ପ୍ରତିଫଳନ ଯୋଗୁଁ ମନରେ ଥିବା ନକାରାତ୍ମକ ଶକ୍ତି, ଚିନ୍ତା ଓ ଅବସାଦର ସ୍ତର ହ୍ରାସ ପାଏ। ମସ୍ତିଷ୍କରୁ ଡୋପାମାଇନ୍‌‌ ନାମକ ହର୍ମୋନ ନିର୍ଗତ ହୁଏ। ଏହି ଡୋପାମାଇନ୍‌‌ ଯୋଗୁଁ କିଛି ସମୟ ପାଇଁ ମନରେ ଖୁସିର ସଞ୍ଚାର ହୋଇଥାଏ ଏବଂ ଏହି ଖୁସି ଆଶାର ଏକ ନୂତନ ଦିଗ ଆଡ଼କୁ ଯିବା ପାଇଁ ମସ୍ତିଷ୍କକୁ ଆଦେଶ ଦେଇଥାଏ। ତେଣୁ ମନ୍ଦିରରୁ ଫେରିଆସିବା ପରେ ଚିନ୍ତାଗ୍ରସ୍ତ ଥିବା ବ୍ୟକ୍ତି ନିଜକୁ ସ୍ଫୂର୍ତ୍ତି ମନେ କରି କର୍ମଚଞ୍ଚଳ ହୁଏ। ତେଣୁ ମାନସିକ ସ୍ୱାସ୍ଥ୍ୟକୁ ସଠିକ୍‌‌ ରଖିବା ପାଇଁ ହେଲେ ପ୍ରତିଦିନ ପୂଜା, ଯୋଗ, ପ୍ରାଣାୟାମ ସହିତ ପରିକ୍ରମାର ଆବଶ୍ୟକତା ମଧ୍ୟ ରହିଛି। ଶାରୀରିକ ବିଜ୍ଞାନ ଦୃଷ୍ଟିରୁ ଦେଖିବାକୁ ଗଲେ ପରିକ୍ରମା ଦ୍ୱାରା ଆମେ ଯେତିକି ସମୟ ପାଦରେ ଚାଲିଥାଉ, ତାହା ଆମ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ବ୍ୟାୟାମ। ଖାଲି ପାଦରେ ଚାଲିବା ଦ୍ୱାରା ପାଦତଳେ ଥିବା ପ୍ରତ୍ୟେକ ଆକ୍ୟୁପ୍ରେସର୍‌‌ ବିନ୍ଦୁ ଉପରେ ଚାପ ପଡ଼ିଥାଏ। ଏହାର ପ୍ରଭାବରେ ଶରୀରରେ ରକ୍ତ ସଞ୍ଚାଳନ ଏବଂ ଅମ୍ଳଜାନର ମାତ୍ରା ସଠିକ୍‌‌ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ।

ଦୀପ୍ତିମୟୀ ମହାପାତ୍ର
ଭୁବନେଶ୍ବର, ମୋ: ୭୯୭୮୦୩୮୭୯୯

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର