ମାଲିକ ସିଆଣା; କର୍ମଚାରୀ ଅଜଣା: ଲକ୍ଷାଧିକ ପାଉନାହାନ୍ତି ଇଏସ୍‌ଆଇ ସୁବିଧା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ କର୍ମଚାରୀ ବିମା ନିଗମ ବା ଇଏସ୍‌ଆଇ ବୀମାରେ ସୁବିଧା ଅନେକ। ରୋଗ ଚିକିତ୍ସା ହେଉ ବା ଅକର୍ମଣ୍ୟ ହୋଇଗଲେ ପେନ୍‌ସନ୍; ଏତେ ସବୁ ସୁବିଧା ଥିଲେ ମଧ୍ୟ ରାଜ୍ୟରେ କାମ କରୁଥିବା ବିଭିନ୍ନ ଘରୋଇ ସଂସ୍ଥାର ସ୍ବଳ୍ପ ବେତନଭୋଗୀ କର୍ମଚାରୀ ଏଥିରୁ ବଞ୍ଚିତ ହେଉଛନ୍ତି। କାରଣ କର୍ମନିଯୁକ୍ତି ଦେଇଥିବା ସଂସ୍ଥା ଇଏସ୍‍ଆଇ ଫାଙ୍କୁଛନ୍ତି। ଖର୍ଚ୍ଚାନ୍ତ ହେବା ଭୟରେ ସଂସ୍ଥାର ମାଲିକ ନିଜ କର୍ମଚାରୀଙ୍କୁ ବୀମା ଅନ୍ତର୍ଭୁକ୍ତ କରୁ ନାହାନ୍ତି ଆଉ ସଚେତନତା ଅଭାବରୁ କର୍ମଚାରୀମାନେ […]

ଭୁବନେଶ୍ୱର: ରାଜ୍ୟ କର୍ମଚାରୀ ବିମା ନିଗମ ବା ଇଏସ୍‌ଆଇ ବୀମାରେ ସୁବିଧା ଅନେକ। ରୋଗ ଚିକିତ୍ସା ହେଉ ବା ଅକର୍ମଣ୍ୟ ହୋଇଗଲେ ପେନ୍‌ସନ୍; ଏତେ ସବୁ ସୁବିଧା ଥିଲେ ମଧ୍ୟ ରାଜ୍ୟରେ କାମ କରୁଥିବା ବିଭିନ୍ନ ଘରୋଇ ସଂସ୍ଥାର ସ୍ବଳ୍ପ ବେତନଭୋଗୀ କର୍ମଚାରୀ ଏଥିରୁ ବଞ୍ଚିତ ହେଉଛନ୍ତି। କାରଣ କର୍ମନିଯୁକ୍ତି ଦେଇଥିବା ସଂସ୍ଥା ଇଏସ୍‍ଆଇ ଫାଙ୍କୁଛନ୍ତି। ଖର୍ଚ୍ଚାନ୍ତ ହେବା ଭୟରେ ସଂସ୍ଥାର ମାଲିକ ନିଜ କର୍ମଚାରୀଙ୍କୁ ବୀମା ଅନ୍ତର୍ଭୁକ୍ତ କରୁ ନାହାନ୍ତି ଆଉ ସଚେତନତା ଅଭାବରୁ କର୍ମଚାରୀମାନେ ମଧ୍ୟ ମାଲିକ ଆଗରେ ଏହି ଦାବି ଉପସ୍ଥାପନ କରୁ ନାହାନ୍ତି। ତେଣୁ ଏଭଳି ଠକ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଇଏସ୍‍ଆଇ, ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟରେ ଏପରି ଠକ ସଂସ୍ଥାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ନୋଟିସ୍‍ ଦିଆଯିବ। ଯଦି ଏଥିରେ ବିଳମ୍ବ ହୁଏ ତା ହେଲେ ଜୋରିମାନା ଲାଗୁ କରାଯିବା ସହ ମାମଲା ରୁଜୁ କରାଯିବ ବୋଲି ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଯେଉଁ ସଂସ୍ଥା ନିଜର ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଇଏସ୍‌ଆଇର ଅନ୍ତର୍ଭୁକ୍ତ କରାଇଛନ୍ତି ସେମାନେ ଅନେକ ସୁବିଧା ପାଉଛନ୍ତି। କିଛି ମାସ ତଳେ ଏକ ଘରୋଇ ସଂସ୍ଥାର ଟେକ୍ନସିଆନ୍‍ କାର୍ଯ୍ୟରତ ଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ସେହିପରି ଆଉ ଏକ ସଂସ୍ଥାର କର୍ମଚାରୀ କର୍ମକ୍ଷେତ୍ରକୁ ଯାଉଥିବା ସମୟରେ ସଡ଼କ ଦୁର୍ଘଟଣାରେ ଏକ ଗୋଡ଼ ହରାଇବାରୁ ଚାକିରୀରୁ ବିଦା ହୋଇଛନ୍ତି। କିନ୍ତୁ ଉଭୟ କର୍ମଚାରୀଙ୍କ ପରିବାର ଏବେ ଘର ଚଳାଇବା ପାଇଁ ସମସ୍ୟା ଭୋଗୁ ନାହାନ୍ତି। କାରଣ ସେମାନଙ୍କ ଘରକୁ ମାସିକ ପେନସନ୍‍ ପହଞ୍ଚିଯାଉଛି। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) ପକ୍ଷରୁ ହିତାଧିକାରୀଙ୍କୁ ପେନସନ୍‍ ଯୋଗାଇ ଦିଆଯାଉଛି। କିନ୍ତୁ ଏହି ସୁବିଧା ସମସ୍ତଙ୍କ ଭାଗ୍ୟରେ ଜୁଟୁ ନାହିଁ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଓଡ଼ିଶାରେ ଏବେ ଇଏସ୍‍ଆଇସି ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୭ ଲକ୍ଷ ୪୧ ହଜାର। ଯେଉଁ ସଂସ୍ଥାରେ ୧୦ କିମ୍ବା ତଦୁର୍ଦ୍ଧ କର୍ମଚାରୀ ଥିବେ ଆଉ ମାସିକ ସର୍ବାଧିକ ୨୧ ହଜାର ଟଙ୍କା ଦରମା ପାଉଥିବେ ସେମାନଙ୍କୁ ଇଏସ୍‍ଆଇସି ବୀମାଭୁକ୍ତ କରାଯାଇପାରିବ। ଇଏସ୍‍ଆଇସି ମାସିକ କିସ୍ତି ବାବଦରେ କର୍ମଚାରୀ ଶହେରୁ ଦୁଇ ଶହ ଟଙ୍କା ତାଙ୍କ ଦରମାରୁ କଟାଯାଇ ଥାଏ ଆଉ ସମାନ ଅର୍ଥ କମ୍ପାନୀ ଦେଇଥାଏ। କିନ୍ତୁ ଖର୍ଚ୍ଚାନ୍ତ ନ ହେବା ପାଇଁ ନିଯୁକ୍ତିଦାତା ନିଜ କର୍ମଚାରୀଙ୍କୁ ବୀମାଭୁକ୍ତ କରୁ ନାହାନ୍ତି। କର୍ମଚାରୀଙ୍କ ଇପିଏଫ୍‍ ବାବଦରେ ଅର୍ଥ କଟାଯାଉଛି କିନ୍ତୁ ଇଏସ୍‍ଆଇସି ଅନ୍ତର୍ଭୁକ୍ତ କରାଯାଉ ନାହିଁ। ରାଜ୍ୟରେ ସାଢ଼େ ସାତ ଲକ୍ଷ ହିତାଧିକାରୀ ଅଛନ୍ତି, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାର ଏହା ମାତ୍ର ୧୦ ପ୍ରତିଶତ ବୋଲି କୁହାଯାଉଛି। କେବଳ ଭୁବନେଶ୍ୱରରେ ୫ ହଜାରରୁ ଅଧିକ ସଂସ୍ଥା ନିଜ କର୍ମଚାରୀଙ୍କୁ ଇଏସ୍‍ଆଇସି ବୀମା ଅନ୍ତର୍ଭୁକ୍ତ କରିନଥିବା ବିଭାଗ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ସମ୍ପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂସ୍ଥାଙ୍କ ବିବରଣୀ ସଂଗ୍ରହ କରାଯାଇ ନୋଟିସ୍‍ ଜାରି କରିବା ପାଇଁ ପ୍ରସ୍ତୁତି ଚାଲିଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଅପରପକ୍ଷେ ପ୍ରତ୍ୟେକ ସଂସ୍ଥାର ମାନବ ସମ୍ବଳ (ଏଚ୍‍ଆର) ବିଭାଗର ମ୍ୟାନେଜର୍‍ ଏକ ଇଏସ୍‍ଆଇସି ପାଠ୍ୟକ୍ରମ ଶେଷ କରିବା ବାଧ୍ୟତାମୂଳକ। କିନ୍ତୁ ଏଥିପ୍ରତି କ୍ୱଚିତ ସଂସ୍ଥାର ଏଚ୍‍ଆର ମ୍ୟାନେଜର ଦୃଷ୍ଟି ଦେଉଥିବା ଆଞ୍ଚଳିକ କାର୍ଯ୍ୟାଳୟ ଜାଣିବାକୁ ପାଇଛି। ତେଣୁ ଏହି ପାଠ୍ୟକ୍ରମ ଶେଷ କରିବା ପାଇଁ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ କୁହାଯିବ। ଏବେ ବହୁ ଶ୍ରମିକ ସଂଗଠନ, ସଚେତନ ନାଗରିକ କର୍ମଚାରୀଙ୍କ ବୀମା କରିନଥିବା ସଂସ୍ଥା ସମ୍ପର୍କରେ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରୁଛନ୍ତି। ଇଏସ୍‍ଆଇସି, ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ଯେଉଁ ସଂସ୍ଥା କର୍ମଚାରୀଙ୍କର ବୀମା କରିନାହାନ୍ତି ଆମ ଇନ୍ସପେକ୍ଟର ସେହି ସଂସ୍ଥାକୁ ଯାଇ ଅନୁସନ୍ଧାନ କରି ବୀମା କରାଇବା ପାଇଁ ପ୍ରୋତ୍ସାହିତ କରିବେ। ଯଦି ସେମାନେ ଏହାକୁ ଅଣଦେଖା କରନ୍ତି ତା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୀମାଭୁକ୍ତ କର୍ମଚାରୀ ମୃତ୍ୟୁବରଣ କଲେ କିମ୍ବା ପଙ୍ଗୁ ହୋଇଗଲେ ଶେଷ ଦରମାର ୯୦ ପ୍ରତିଶତ ପେନସନ୍‍ ଆକାରରେ ମିଳିବ। ସେହିପରି କୌଣସି ପ୍ରକାର ଚିକିତ୍ସା ପାଇଁ ସମସ୍ତ ଅର୍ଥ ଯୋଗାଇ ଦିଆଯାଉଛି। ଏପରିକି କୌଣସି କାରଣ ପାଇଁ ଚାକିରୀରୁ ବିଦା ହେଲେ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ଲେଖାଏଁ ଦରମା ପ୍ରଦାନ କରିବା ବ୍ୟବସ୍ଥା ଅଛି। ଏହା ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପାଇଁ ଉପାଦେୟ। କିନ୍ତୁ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ସଚେତନତା ଅଭାବରୁ ବହୁ ଯୋଗ୍ୟ ହିତାଧିକାରୀ ଏତେ ବଡ଼ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର