ଦ୍ୱନ୍ଦ୍ବରେ ପଡ଼ିଛି କମିଶନରେଟ୍‍ ପୁଲିସ: ପୂଜା ନ କରି ଭସାଣ ଅନୁମତି ପାଇଁ ଆବେଦନ କରିଛନ୍ତି ବିଭିନ୍ନ କ୍ଲବ

The Sakala Picture
Published On

କଟକ: ଗଣେଶ ପୂଜା ଭସାଣୀ ଅନୁମତିକୁ ନେଇ ଏବେ ଦ୍ୱନ୍ଦ୍ବରେ ପଡ଼ିଛି କମିଶନରେଟ୍‍ ପୁଲିସ। ସହରର ୧୭ଟି ଥାନାରେ ୧୦୦ଟି କ୍ଲବ୍‍ ବୁଢ଼ା ଗଣେଶ ଭସାଣ କାର୍ଯ୍ୟକ୍ରମ କରିବା ନିମନ୍ତେ ମିଛରେ ପୁଲିସକୁ ମାଗିଛନ୍ତି ଭସାଣ ଅନୁମତି। ସାଧାରଣ ଭାବେ ଭସାଣର ଶେଷ ପର୍ଯ୍ୟାୟରେ ବୁଢ଼ା ଗଣେଶ ଦ୍ୱିତୀୟା ଘାଣ୍ଟ ଖାଇ ଭସାଣ ହୁଅନ୍ତି। କିନ୍ତୁ କୋଭିଡ୍‍ କଟକଣା ଯୋଗୁଁ ୨ବର୍ଷ ପରେ ଭସାଣ ଶୋଭାଯାତ୍ରା ବାହାରିବ। ପୁଲିସର ସୂଚନା ମୁତାବକ, ବିଭିନ୍ନ ଥାନାରେ ଏଥି ନିମନ୍ତେ୧୦୦ଟି […]

କଟକ: ଗଣେଶ ପୂଜା ଭସାଣୀ ଅନୁମତିକୁ ନେଇ ଏବେ ଦ୍ୱନ୍ଦ୍ବରେ ପଡ଼ିଛି କମିଶନରେଟ୍‍ ପୁଲିସ। ସହରର ୧୭ଟି ଥାନାରେ ୧୦୦ଟି କ୍ଲବ୍‍ ବୁଢ଼ା ଗଣେଶ ଭସାଣ କାର୍ଯ୍ୟକ୍ରମ କରିବା ନିମନ୍ତେ ମିଛରେ ପୁଲିସକୁ ମାଗିଛନ୍ତି ଭସାଣ ଅନୁମତି। ସାଧାରଣ ଭାବେ ଭସାଣର ଶେଷ ପର୍ଯ୍ୟାୟରେ ବୁଢ଼ା ଗଣେଶ ଦ୍ୱିତୀୟା ଘାଣ୍ଟ ଖାଇ ଭସାଣ ହୁଅନ୍ତି। କିନ୍ତୁ କୋଭିଡ୍‍ କଟକଣା ଯୋଗୁଁ ୨ବର୍ଷ ପରେ ଭସାଣ ଶୋଭାଯାତ୍ରା ବାହାରିବ।

ପୁଲିସର ସୂଚନା ମୁତାବକ, ବିଭିନ୍ନ ଥାନାରେ ଏଥି ନିମନ୍ତେ୧୦୦ଟି ଆବେଦନ ହୋଇ ସାରିଲାଣି। ସାଧାରଣ ଗଣେଶ (ବୁଢ଼ା ଗଣେଶକୁ ବାଦ ଦେଇ) ଭସାଣ ଚଳିତ ମାସ ୩ଟି ରବିବାରରେ ଅନୁଷ୍ଠିତ ହେବ। ୧୭୦୦ ପୂଜା ମଣ୍ଡପର ଭସାଣ ଶୋଭାଯାତ୍ରା ପୂର୍ବନିର୍ଦ୍ଧାରିତ ୩ଟି ରବିବାର କରାଯିବ। ଏତେ ସଂଖ୍ୟକ ଗଣେଶ ମୂର୍ତ୍ତି ଭସାଣ ଉତ୍ସବରେ ସାମିଲ ହେଉଥିବାରୁ ଏହି ୩ଦିନ ସ୍ଥିରିକୃତ ବାର ମଧ୍ୟରେ ବହୁ ସଂଖ୍ୟକ କ୍ଲବ୍‍କୁ ପସନ୍ଦ ମୁତାବକ ସାଉଣ୍ଡ୍‍ , ଲାଇଟ୍‍ ଏବଂ ସାଜସଜ୍ଜା ମିଳି ପାରୁନାହିଁ। ଯଦି ଭସାଣ ତାରିଖକୁ ଘୁଞ୍ଚାଇ ମାସର ଶେଷ ରବିବାରକୁ କରାଯାଏ, ତେବେ ବାଜା, ବାଣ, ଲାଇଟ୍‍ ସହଜରେ ମିଳି ପାରିବ। ଏହି ସବୁ ସୁବିଧା ଯୋଗୁଁ ଅଧିକାଂଶ କ୍ଲବ୍‍ ବୁଢ଼ା ଗଣେଶ ମୂର୍ତ୍ତି ପୂଜା କରୁଥିବା ମିଛରେ ଦର୍ଶାଇ ଏଥିପାଇଁ କମିଶନରେଟ୍‍ ପୁଲିସକୁ ଭସାଣ ଅନୁମତି ମାଗିଛନ୍ତି।

ଏହି ଘଟଣାରେ ପୁଲିସ ପ୍ରକୃତରେ କେଉଁ କ୍ଲବ୍‍ ବୁଢ଼ା ଗଣେଶ ମୂର୍ତ୍ତି ପୂଜା କରୁଛି, ତାହା ଉପରେ ଖୋଳତାଡ କରିବା ପରେ ଭସାଣ ଅନୁମତି ଦେବ ବୋଲି ଜଣାପଡ଼ିଛି। ନଗର ବଢ଼଼ା ଗଣେଶ କମିଟିର ସଭାପତି ଶିବେନ୍ଦ୍ର ହାତୀଙ୍କୁ ଏ ବାବଦରେ ପ୍ରଶ୍ନ କରିବାରୁ ସେ କହିଛନ୍ତି ସହରରେ ମାତ୍ର ୧୪ଟି ବୁଢ଼ା ଗଣେଶ ମଣ୍ଡପ ରହିଛି। ପୁଲିସ ନିକଟରେ ଯେଉଁ ୧୦୦ଟି ପୂଜା ମଣ୍ଡପ ଗଣେଶ ପୂଜା କରିଛନ୍ତି, ଅଥଚ ବୁଢ଼ା ଗଣେଶ ପୂଜା ଆଳରେ ଭସାଣୀ ନିମନ୍ତେ କମିଶନରେଟ୍‍ ପୁଲିସକୁ ଅନୁମତି ମାଗୁଛନ୍ତି, ସେମାନଙ୍କ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

ବଣିଆସାହି ବୁଢ଼ା ଗଣେଶ, ବାସୁଳି ସାହି ଘାଣ୍ଟଖିଆ ଗଣେଶ, ମାଛୁଆବଜାର ଶାନ୍ତି କ୍ଲବ୍‍, ମଙ୍ଗଳାବାଗ ମଝିସାହି, ବଣିଆସାହି ଗଣେଶ କ୍ଲବ୍‍, ଅଲିସାବଜାରର ନୀଳମାଧବ କ୍ଲବ୍‍, ଚାନ୍ଦିନୀଚୌକର ବନ୍ଧବାସେଳି କ୍ଲବ୍‍, କାଫଲାବଜାରର ଘାଣ୍ଟଖିଆ ଗଣେଶ, ଡଗରପଡ଼ାର ମା’ ସିଦ୍ଧବାସୁଳି କ୍ଲବ୍‍, ବାଲୁବଜାରର ଜେମିନି କ୍ଲବ୍‍, ଦେଉଳସାହି ପୁଲିସର କଲୋନୀର ଘାଣ୍ଟଖିଆ ଗଣେଶ, ଅଲିସାବଜାରର ମା’ ଭଗବତୀ କ୍ଲବ୍‍, କାଳିଗଳିର ଏଭରେଷ୍ଟ୍‍ କ୍ଲବ୍‍ ଓ ମଙ୍ଗଳାବାଗର ନ୍ୟୁ-ଫ୍ରେଣ୍ଡସ୍‍ କ୍ଲବ୍‍ରେ ବୁଢ଼ା ଗଣେଶ ପୂଜା ପାଉଛନ୍ତି। ଏହାକୁ ଛାଡ଼ି ଦେଲେ ସହରରେ ଆଉ କେଉଁଠି ବି ବୁଢ଼ା ଗଣେଶ ନାହାନ୍ତି। ଯଦି କୌଣସି କ୍ଲବ୍‍ ବୁଢ଼ା ଗଣେଶ ପୂଜାର ମିଛ ପରିଚୟ ଦେଇ ଭସାଣ ଅନୁମତି ମାଗୁଛନ୍ତି, ନଗର ବୁଢ଼ା ଗଣେଶ କମିଟି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ହାତୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁଙ୍କୁ ଏ ବାବଦରେ ପଚାରିବାରୁ ସେ କହିଛନ୍ତି, ଯଦି ମିଛ କହି କୌଣସି ଗଣେଶ କ୍ଲବ୍‍ ନିଜକୁ ବୁଢ଼ା ଗଣେଶ ପୂଜା କରୁଥିବା କହୁଛନ୍ତି ତେବେ ପୁଲିସ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉ। କମିଶନରରେଟ୍‍ ପୁଲିସ ଏବେ ପ୍ରତିଟି ଆବେଦନକୁ ଯାଞ୍ଚ କରୁଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର