ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀ ଏବଂ ଶିଶୁମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଗଭୀର ଅବପାତରେ ପରିଣତ ହେବ। ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଗତି କରିବ। ସେପ୍ଟେମ୍ବର ୨୩ ତାରିଖ ରାତି କିମ୍ବା ସେପ୍ଟେମ୍ବର ୨୪ ର ସକାଳ ସମୟରେ ଏହା ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ଏବଂ ବେଳେବେଳେ ଏହା ୭୫ କିଲୋମିଟର ଛୁଇଁପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି।
ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିସହ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ତିନି ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିୟମିତ ଭାବେ ସ୍କୁଲକୁ ଆସିବେ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ ପ୍ରସ୍ତୁତ ରଖିବେ। ଅନ୍ୟପକ୍ଷରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ମଧ୍ୟ ପ୍ରଶାସନ ପକ୍ଷରୁ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ମାତ୍ର ଖୋର୍ଦ୍ଧା ଜିଲ୍ଲାରେ ସେପ୍ଟେମ୍ବର ୨୨ ରେ ହେବାକୁ ଥିବା ଜାତୀୟ ଗ୍ରାମୀଣ ମେଧାବୃତ୍ତି (NRTS) ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କେନ୍ଦ୍ରଗୁଡ଼ିକରେ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ କରାଯାଇଛି।
ମାଲକାନଗିରି ଜିଲ୍ଲାରେ ମଧ୍ୟ ୩ ଦିନ ସ୍କୁଲ୍, ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ୨୫ ଯାଏଁ ସମସ୍ତ ସ୍କୁଲ୍ ଛୁଟି ଘୋଷଣା ହୋଇଛି । ଜିଲ୍ଲାର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ୍ ବନ୍ଦ ରହିବ । ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ତେବେ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ।
ସେହିପରି ପ୍ରବଳ ବର୍ଷା ଆଶଙ୍କା କରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ସେପ୍ଟେମ୍ବର ୨୨ ତାରିଖ ପାଇଁ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାରେ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷକମାନଙ୍କୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ନିଜ ମୁଖ୍ୟାଳୟ ନ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।






