କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସିଆଣ୍ଡି ପଞ୍ଚାୟତସ୍ଥିତ ମା’ ଚଣ୍ଡୀଦେବୀଙ୍କ ପୀଠରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଲକ୍ଷ୍ମୀଧର ଦାଶ ସଭାପତିତ୍ୱ କରି ଦଳର ସାଙ୍ଗଠନିକ ଦୁର୍ବଳତା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ଉପରେ ମତବିନିମୟ କରିଥିଲେ। ଏହି ଅବସରରେ ନୂଆ ସଭାପତି ଭାବେ ପ୍ରାଣନାଥ ବିଶ୍ୱାଳ ଏବଂ ସମ୍ପାଦକ ଭାବେ ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକଙ୍କୁ ଚୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସାଧାରଣ ଲୋକଙ୍କ ସମସ୍ୟା ଓ ଦୁଃଖ ସମୟରେ ସେମାନଙ୍କ ନିକଟରେ ପହଞ୍ଚି ସମାଧାନ ପାଇଁ ଉଦ୍ୟମ କରିବା ସହ ସଙ୍ଗଠନକୁ କିପରି ମଜଭୁତ କରାଯାଇପାରିବ, ସେନେଇ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ବ୍ଲକ ବିଜେଡି ସଭାପତି ପଦ୍ମଚରଣ ଜେନା ଓ ସମ୍ପାଦକ ମନୋଜ କୁମାର ସାହୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ, ବୁଧିବର ସରପଞ୍ଚ ସଞ୍ଜୁକ୍ତା ବିଶ୍ୱାଳ, ରାମଲେଙ୍କା ସରପଞ୍ଚ ସବିତା ବିଶ୍ୱାଳ, ସିଆଳ ସରପଞ୍ଚ ରବି ମାଝୀ, ବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ସନ୍ତୋଷ ଜେନା, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନନ୍ଦକିଶୋର ବିଶ୍ୱାଳ, ସମିତି ସଭ୍ୟ କାଳୁଚରଣ ଜେନା ଓ ତିନି ମୌଜା ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ ପ୍ରମୁଖ ଯୋଗଦେଇଥିଲେ।

ବକ୍ତାମାନେ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ଜହ୍ନିକୁଦାରୁ ସାତପଡ଼ାକୁ ବ୍ରିଜ୍ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ବାରମ୍ବାର ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଥିବା ନେଇ ସେମାନେ ମତ ପ୍ରକାଶ କରିଥିଲେ।ପରିଶେଷରେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ପଞ୍ଚାୟତର ଶତାଧିକ କର୍ମୀ ଓ ଯୁବକ ଯୋଗଦେଇ ସହଯୋଗ କରିଥିଲେ।






