ଆସନ୍ତା ୭ ବର୍ଷ ମଧ୍ୟରେ କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ବିଜୁଳି ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇଛି; କିନ୍ତୁ ପରିବେଶ ସୁରକ୍ଷା ଏବଂ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ନବୀକୃତ ବା ଅକ୍ଷୟଶକ୍ତିର ଆବଶ୍ୟକତା ରହିଛି। ତେଣୁ ଏହି କ୍ଷେତ୍ରକୁ ବଳ ଦେବା ପାଇଁ ଶକ୍ତି ବିଭାଗ କାର୍ଯ୍ୟାରମ୍ଭ କରିଛି। ଆସନ୍ତା ୭ ବର୍ଷ ମଧ୍ୟରେ ଓଡ଼ିଶା କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଚଳିତ ବଜେଟରେ ୧୦୦ କୋଟି ଟଙ୍କା ଦିଆଯାଇଛି। […]

ଭୁବନେଶ୍ୱର: ବିଜୁଳି ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇଛି; କିନ୍ତୁ ପରିବେଶ ସୁରକ୍ଷା ଏବଂ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ନବୀକୃତ ବା ଅକ୍ଷୟଶକ୍ତିର ଆବଶ୍ୟକତା ରହିଛି। ତେଣୁ ଏହି କ୍ଷେତ୍ରକୁ ବଳ ଦେବା ପାଇଁ ଶକ୍ତି ବିଭାଗ କାର୍ଯ୍ୟାରମ୍ଭ କରିଛି। ଆସନ୍ତା ୭ ବର୍ଷ ମଧ୍ୟରେ ଓଡ଼ିଶା କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଚଳିତ ବଜେଟରେ ୧୦୦ କୋଟି ଟଙ୍କା ଦିଆଯାଇଛି। ଅକ୍ଷୟଶକ୍ତି କ୍ଷେତ୍ରରେ ସମୃଦ୍ଧି ଆଣିବା ପାଇଁ ସଦ୍ୟ ସମାପ୍ତ ମେକ୍‌‌ ଇନ୍‌‌ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତିର ଶୁଭାରମ୍ଭ କରିଛନ୍ତି। ସମ୍ପ୍ରତି ରାଜ୍ୟରେ ପାରମ୍ପରିକ ଉତ୍ସରୁ ୭୨୯୦ ମେଗାୱାଟ୍‌‌ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଓଡ଼ିଶାରେ ବିଦ୍ୟୁତ ଶକ୍ତିର ଅଭାବ ନାହିଁ। ତଥାପି ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସେଥିପାଇଁ ସ୍ୱତନ୍ତ୍ର ଭାବେ ଅକ୍ଷୟଶକ୍ତି ନୀତି କାର୍ଯ୍ୟକାରୀ କରାଯାଇଛି। ଉକ୍ତ ନୀତି ଅନୁସାରେ ସବୁଜ ଶକ୍ତି କରିଡର୍‌‌ ନିର୍ମାଣ କରିବା ପାଇଁ ୫୦ କୋଟି ଟଙ୍କା ଏବଂ ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ନାମକ ନୂତନ ଯୋଜନା ପାଇଁ ଆଉ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଉତ୍ପାଦନ କ୍ଷେତ୍ରରେ ଆମେ ବଳକା ରାଜ୍ୟ ହୋଇ ସୁଦ୍ଧା ଆଗକୁ ଚାହିଦା ବହୁତ ବଢ଼଼ିବ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅପରପକ୍ଷେ ଆମକୁ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ସହିତ ଗ୍ରାହକଙ୍କୁ କମ୍‌‌ ମୂଲ୍ୟଯୁକ୍ତ ଶକ୍ତି ଯୋଗାଇବାର ଆବଶ୍ୟକତା ରହିଛି। ସେଥିପାଇଁ ଚଳିତ ବର୍ଷରୁ ସ୍ୱତନ୍ତ୍ର ଅଭିଯାନ କ୍ରମେ ଅକ୍ଷୟଶକ୍ତିକୁ ପ୍ରୋତ୍ସାହନ ଦିଆଯିବ। ପୂର୍ବରୁ କେବଳ ପବନ ଓ ସୌର ଶକ୍ତିକୁ ଅକ୍ଷୟଶକ୍ତିରେ ସାମିଲ କରାଯାଉଥିଲା। ଏବେ ସେଥିରେ ଜଳ ବିଦ୍ୟୁତ୍‌‌ ସ୍ଥାନ ପାଇଛି। ଆମ ରାଜ୍ୟରେ ପବନ ଶକ୍ତି ବିଶେଷ ଉପାଦେୟ ହେବ ନାହିଁ। ତେଣୁ ଜଳ ଓ ସୌର ଶକ୍ତିରୁ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ରାଜ୍ୟର ବୃହତ ଜଳ ଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ସେହିପରି ଅବ୍ୟବହୃତ ଜମି ଚିହ୍ନଟ କରାଯାଇ ସେଠାରେ ସୂର୍ଯ୍ୟାଲୋକରୁ ଶକ୍ତି ଉତ୍ପାଦନ କରାଯିବ। କେବଳ ଅକ୍ଷୟଶକ୍ତି ଉତ୍ପାଦନ ନୁହେଁ ଏହା କିପରି ବିତରଣକାରୀ ସଂସ୍ଥା ଏବଂ ଗ୍ରାହକଙ୍କ ପାଇଁ ଉପାଦେୟ ହେବ ସେଥିପାଇଁ ମଧ୍ୟ ଆମେ ପଦକ୍ଷେପ ନେଉଛୁ। ବିଦ୍ୟୁତ ବିତରଣ କରୁଥିବା ଓପିଟିସିଏଲ୍‌‌କୁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ବିଦ୍ୟୁତ ଶକ୍ତି ବିତରଣ ପାଇଁ ୟୁନିଟ୍‌‌ ପିଛା ୨୮ ପଇସା ପ୍ରଦାନ କରାଯାଉଥିବା ବେଳେ ଅକ୍ଷୟଶକ୍ତି ବିତରଣ ପାଇଁ ୟୁନିଟ୍‌‌ ପିଛା ୨୦ ପଇସା ରିହାତି ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସେହିପରି ଭାୟାବଲ ଗ୍ୟାପ୍‌‌ ଫଣ୍ଡିଂ (ଭିଜିଏଫ୍‌‌) ମଧ୍ୟ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଉଭୟ ଶିଳ୍ପ ଏବଂ ଘରୋଇ ଗ୍ରାହକଙ୍କୁ ଅକ୍ଷୟଶକ୍ତି ଯୋଗାଇ ଦିଆଯିବ। ଅକ୍ଷୟଶକ୍ତିର ବ୍ୟବହାର ଫଳରେ ୫୦% ଚାହିଦା ପୂରଣ ହୋଇପାରିବ। ବିଦ୍ୟୁତ ଦେୟ ହ୍ରାସ ପାଇବ। ୨୦୩୦ ସୁଦ୍ଧା ରାଜ୍ୟରେ ୧୦ ହଜାରରୁ ୧୧ ହଜାର ମେଗାୱାଟ୍‌‌ ଶକ୍ତି ଉତ୍ପାଦନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଅପରପକ୍ଷେ ବିଦ୍ୟୁତ ସଂରକ୍ଷଣ, ବିତରଣ କ୍ଷତି ହ୍ରାସ ପାଇଁ ପଦକ୍ଷେପ ନିଆଯାଉ ଥିବାରୁ ଆଗାମୀ ଦିନରେ ଅକ୍ଷୟଶକ୍ତି ଉପକୃତ ହୋଇପାରିବ ବୋଲି ଶ୍ରୀ ଧଳ କହିଛନ୍ତି। ରାଜ୍ୟ ସରକାର ଅକ୍ଷୟଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ପୂର୍ବରୁ ପଦକ୍ଷେପ ନେଇଛନ୍ତି। ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରଛି। ତଥାପି ଅକ୍ଷୟଶକ୍ତିର ବିଧିବଦ୍ଧ ପ୍ରୋତ୍ସାହନ ନିମନ୍ତେ ରାଜ୍ୟ ସରକାର ଚଳିତ ବଜେଟରେ ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର