ମନୋରଞ୍ଜନ
ଓଡ଼ିଶା
ଗଳାରେ କଫ ଜମି ରହୁଛି କି? ପୋଷ୍ଟ ନାଜାଲ୍ ଡ୍ରିପ୍ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର
ବଦଳୁଥିବା ଋତୁରେ ଅନେକ ଲୋକଙ୍କର ଗଳାରେ କଫ ଜମିବା କିମ୍ବା ନାକରୁ ଗଳା ଭିତରକୁ ସିଙ୍ଘାଣି ବୋହିବା ଭଳି ସମସ୍ୟା ଦେଖାଦେଇଥାଏ। ଡାକ୍ତରୀ ଭାଷାରେ ଏହାକୁ 'ପୋଷ୍ଟ ନାଜାଲ୍ ଡ୍ରିପ୍' (Post Nasal Drip) କୁହାଯାଏ। ଏହା ଦ୍ୱାରା ଗଳା ଦରଜ ହେବା, କୁଣ୍ଡାଇ ହେବା ସହ ବାରମ୍ବାର କାଶ ହୋଇଥାଏ। ତେବେ କିଛି ସହଜ ଘରୋଇ ଉପଚାର ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ।
ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ
ଶରୀରକୁ ହାଇଡ୍ରେଟେଡ୍ ବା ଜଳୀୟ ଅଂଶ ବଜାୟ ରଖିବା ନିହାତି ଜରୁରୀ। ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଗଳାରେ ଥିବା କଫ ପତଳା ହୋଇଥାଏ, ଯାହା ସହଜରେ ବାହାରିଯାଏ। ଉଷୁମ ପାଣି, ସୁପ୍ କିମ୍ବା ହର୍ବାଲ୍ ଟି ପିଇବା ଏଥିପାଇଁ ଅଧିକ ଲାଭଦାୟକ।
ଲୁଣ ପାଣିରେ କୁଳି କରନ୍ତୁ
ଦିନକୁ ଦୁଇରୁ ତିନି ଥର ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ କୁଳି ବା ଗାର୍ଗଲ୍ (Gargle) କରନ୍ତୁ। ଏହା ଗଳାରେ ହେଉଥିବା ଇନଫେକ୍ସନ ଓ ଯନ୍ତ୍ରଣା କମାଇବା ସହ କଫ ସଫା କରିବାରେ ସାହାଯ୍ୟ କରେ।
ବାମ୍ଫ ନିଅନ୍ତୁ (Steam Inhalation)
ନାକ ଏବଂ ଗଳା ପାଇଁ ବାମ୍ଫ ନେବା ଏକ ରାମବାଣ ସଦୃଶ। ଗରମ ପାଣିର ବାମ୍ଫ ନେବା ଦ୍ୱାରା ନାକ ଭିତର ଓଦା ରହେ ଏବଂ ଜମି ରହିଥିବା କଫ ତରଳି ବାହାରି ଆସେ। ଆପଣ ଚାହିଁଲେ ପାଣିରେ ଏସେନସିଆଲ୍ ଅଏଲ୍ କିମ୍ବା ୟୁକାଲିପଟାସ୍ ତେଲ ପକାଇପାରିବେ।
ଶୋଇବା ସମୟରେ ଧ୍ୟାନ ଦିଅନ୍ତୁ
ଯଦି ରାତିରେ ଶୋଇବା ବେଳେ କାଶ ଅଧିକ ହେଉଛି, ତେବେ ମୁଣ୍ଡ ତଳେ ଅଧିକ ତକିଆ ଦେଇ ମୁଣ୍ଡକୁ ଟିକେ ଉଚ୍ଚାରେ ରଖନ୍ତୁ। ଏହା ଦ୍ୱାରା ନାକରୁ ବାହାରୁଥିବା ତରଳ ପଦାର୍ଥ ଗଳାରେ ଜମା ନ ହୋଇ ସହଜରେ ତଳକୁ ଯାଇଥାଏ।
ଯଦି ଏହି ଘରୋଇ ଉପଚାର ପରେ ମଧ୍ୟ ସମସ୍ୟା ଲାଗି ରହେ କିମ୍ବା କଫର ରଙ୍ଗ ପରିବର୍ତ୍ତନ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।





