ଜୟ ସିନ୍ଦୂର

The Sakala Picture
Published On

ତାରିଖ, ସ୍ଥାନ ଓ ସମୟ ନିର୍ଣ୍ଣୟ କରିଛି ଭାରତୀୟ ସେନା। କାଶ୍ମୀରର ପହଲ୍‌‌ଗାମ୍‌‌ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ମହିଳା ପର୍ଯ୍ୟଟକଙ୍କ ମଥାରୁ ସିନ୍ଦୂର ପୋଛିବାର ଯେଉଁ ଅପକର୍ମ କରିଥିଲେ ତାହାର ପରାଭବ ଭାରତୀୟ ବାୟୁସେନା ‘ଅପରେସନ୍‌‌ ସିନ୍ଦୂର’ ଜରିଆରେ ଦେଇଛି। ଆତଙ୍କବାଦୀମାନେ ଭାରତ ମାଟିରେ ସାମ୍ପ୍ରଦାୟିକତା ଆଧାରରେ ବାଛି ବାଛି ପୁରୁଷମାନଙ୍କୁ ହତ୍ୟା କରିଥିଲେ। ଏହି ବର୍ବରୋଚିତ ଓ ନାରକୀୟ କାଣ୍ଡର ପ୍ରତିଶୋଧ ନେବା ପାଇଁ ଭାରତ ସରକାର ସେନାକୁ ଦେଇଥିବା ଅଧିକାର ଓ କ୍ଷମତାର ଉପଯୋଗ […]

ତାରିଖ, ସ୍ଥାନ ଓ ସମୟ ନିର୍ଣ୍ଣୟ କରିଛି ଭାରତୀୟ ସେନା। କାଶ୍ମୀରର ପହଲ୍‌‌ଗାମ୍‌‌ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ମହିଳା ପର୍ଯ୍ୟଟକଙ୍କ ମଥାରୁ ସିନ୍ଦୂର ପୋଛିବାର ଯେଉଁ ଅପକର୍ମ କରିଥିଲେ ତାହାର ପରାଭବ ଭାରତୀୟ ବାୟୁସେନା ‘ଅପରେସନ୍‌‌ ସିନ୍ଦୂର’ ଜରିଆରେ ଦେଇଛି। ଆତଙ୍କବାଦୀମାନେ ଭାରତ ମାଟିରେ ସାମ୍ପ୍ରଦାୟିକତା ଆଧାରରେ ବାଛି ବାଛି ପୁରୁଷମାନଙ୍କୁ ହତ୍ୟା କରିଥିଲେ। ଏହି ବର୍ବରୋଚିତ ଓ ନାରକୀୟ କାଣ୍ଡର ପ୍ରତିଶୋଧ ନେବା ପାଇଁ ଭାରତ ସରକାର ସେନାକୁ ଦେଇଥିବା ଅଧିକାର ଓ କ୍ଷମତାର ଉପଯୋଗ କରି ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ଡେଇଁ ପାକ୍‌‌ ଅଧିକୃତ କାଶ୍ମୀରରେ ବାଛି ବାଛି ଆତଙ୍କବାଦୀ ଆଡାଗୁଡ଼ିକୁ ଧ୍ୱଂସ କରିଛି। ଭାରତୀୟ ସିମନ୍ତିନୀର ସିନ୍ଦୂରର ମୂଲ୍ୟ କ’ଣ ତାହା ପାକିସ୍ତାନ ପୁଣି ଥରେ ଅଙ୍ଗେ ନିଭେଇଛି, ବିଶ୍ୱ ଦେଖିଛି ଏବଂ ଇତିହାସରେ ପ୍ରତିଶୋଧ-ପରାକ୍ରମର ବିଜୟ ଗାଥା ଲେଖି ହୋଇଯାଇଛି।

୭ ତାରିଖ ରାତି ୧.୦୫ ବେଳେ ଆରମ୍ଭ ହୋଇଥିବା ଏହି ଅପରେସନ୍‌‌ରେ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା, ଜୈସ ଏ ମହମ୍ମଦ ପରିଚାଳିତ ୯ଟି ଆତଙ୍କବାଦୀ ଆଡା ଧ୍ୱଂସ ହେବା ସହିତ ୭୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିବା ଦାବି କରାଯାଇଛି ଏବଂ ପାକିସ୍ତାନ ମଧ୍ୟ ଭାରତୀୟ ବାୟୁସେନାର ସର୍ଜିକାଲ୍‌‌ ଷ୍ଟ୍ରାଇକ୍‌‌କୁ ସ୍ୱୀକାର କରିଛି। ପହଲ୍‌‌ଗାମ୍‌‌ରେ କାପୁରୁଷୋଚିତ ଓ ବର୍ବର ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତବାସୀ ଏଭଳି ଏକ କାର୍ଯ୍ୟାନୁଷ୍ଠାନ ଆଶା କରୁଥିଲେ। ତେଣୁ ରାଜନୀତିରୁ ଊର୍ଦ୍ଧ୍ବରେ ଦଳମତ ନିର୍ବିଶେଷରେ ‘ଅପରେସନ୍‌‌ ସିନ୍ଦୂର’କୁ ବିପୁଳ ସମର୍ଥନ, ପ୍ରଶଂସା ସହିତ ଭାରତୀୟ ବାୟୁସେନାର ସାହସ, ବୀରତ୍ୱ ଓ ଦକ୍ଷତାକୁ ଜୟଜୟକାର ମିଳିଛି। ଭାରତର ଏୟାର ଷ୍ଟ୍ରାଇକ୍‌‌ ପରେ ପରିସ୍ଥିତିର ସମୀକ୍ଷା ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ପାକିସ୍ତାନ ସରକାର ସେନାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଇତିମଧ୍ୟରେ ପାକିସ୍ତାନସେନା ପକ୍ଷରୁ ସୀମାରେ ଗୁଳିଗୋଳା ବର୍ଷଣ ଜାରି ରହିଛି ଏବଂ ଭାରତୀୟ ସୀମା ସୁରକ୍ଷା ବାହିନୀ ମଧ୍ୟ ପାଲଟା ଜବାବ୍‌‌ ଦେଉଛନ୍ତି, ଯେଉଁଥିରେ ବେସାମରିକ ନାଗରିକଙ୍କ ମୃତାହତ ସଂଖ୍ୟା ବଢ଼଼ିବାରେ ଲାଗିଛି। ସ୍ୱାଭାବିକ ଭାବେ ପାକିସ୍ତାନ ଜନତାଙ୍କ ଚାପରେ ସେଠାକାର ସରକାର ଥିବାରୁ ଭାରତ ଉପରେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଭାରତର ତିନି ସେନାବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି ଏବଂ ବିମାନ ଚଳାଚଳ ବାତିଲ୍‌‌ ପରି ଅନେକ ଜରୁରିକାଳୀନ ପ୍ରତିରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି।

ସୀମାପାର ଆତଙ୍କବାଦ ପଛରେ ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌‌ଆଇର ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ସହାୟତା ରହିଥିବା କଥା ଆଉ ବିଶ୍ୱ ସମୁଦାୟକୁ ଅଛପା ନାହିଁ। ଭାରତରେ ବିଭିନ୍ନ ସମୟରେ ସଙ୍ଘଟିତ ଲୋମହର୍ଷଣକାରୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପକ୍ଷରୁ ଏ ସମ୍ପର୍କିତ ପ୍ରମାଣ ମଧ୍ୟ ବିଶ୍ୱସମୁଦାୟ ଆଗରେ ବାରମ୍ବାର ଉପସ୍ଥାପନ କରାଯାଇଛି। ତେଣୁ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ମୁଖ୍ୟତଃ ଆତଙ୍କବାଦୀଙ୍କ ଆଡାସ୍ଥଳୀକୁ ଧ୍ୱଂସସାଧନରେ ସୀମିତ ରହିଛି। ଜାତିସଂଘ ସମେତ ବିଶ୍ୱସମୁଦାୟ ଏପରିକି ଇସ୍‌‌ଲାମିକ୍‌‌ ରାଷ୍ଟ୍ରମାନେ ମଧ୍ୟ ଭାରତର ଏହି ସର୍ଜିକାଲ୍‌‌ ଷ୍ଟ୍ରାଇକ୍‌‌କୁ ସମର୍ଥନ କରିଛନ୍ତି।

ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌‌ ପରେ ପାକିସ୍ତାନ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି। ପ୍ରଥମତଃ, ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସେହି ଦେଶ ଭାରତ ବିରୋଧରେ ଯୁଦ୍ଧ ଡାକରା ନ ଦେଇ ଅନ୍ତତଃ ଆଗାମୀ କିଛି ମାସ କିମ୍ବା ବର୍ଷ ପାଇଁ ନିରବ ରହିପାରେ। ଦ୍ୱିତୀୟତଃ, ଭାରତର ସେନାଘାଟି ଉପରେ ଅନୁରୂପ ଭାବେ ଏୟାରଷ୍ଟ୍ରାଇକ୍‌‌ କରିପାରେ। ଭାରତର ଏୟାର ଷ୍ଟ୍ରାଇକ୍‌‌ର ଲକ୍ଷ୍ୟ ମୁଖ୍ୟତଃ ପାକ୍‌‌ ଅଧିକୃତ କାଶ୍ମୀର ଆତଙ୍କବାଦୀ ସଂଗଠନ ବୋଲି ଆନ୍ତର୍ଜାତିକ ସମୁଦାୟ ଆଗରେ ଭାରତ ଯୁକ୍ତିଯୁକ୍ତ ଦାବି ଓ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିଥିବା ବେଳେ ପାକିସ୍ତାନ ପାଖରେ ସେଭଳି କୌଣସି ଯୁକ୍ତି କିମ୍ବା ପ୍ରମାଣ ନାହିଁ। ତେଣୁ ପାକିସ୍ତାନ ପକ୍ଷରୁ ଯଦି ଭାରତୀୟ ସେନା ଘାଟି ଉପରେ ଆକ୍ରମଣ ହୁଏ ତେବେ ଭାରତ ବିଶ୍ୱ କୂଟନୈତିକ ସ୍ତରରେ ପାକିସ୍ତାନ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିିତିରେ ରହିବ।

ବିଶ୍ୱସ୍ତରରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ଅନେକ ଦୃଷ୍ଟାନ୍ତ ରହିଛି। ବିଶ୍ୱ ବାଣିଜ୍ୟ କେନ୍ଦ୍ର ଧ୍ୱଂସ ପରେ ଏହାର ମାଷ୍ଟରମାଇଣ୍ଡ ଅଲକାଏଦା ମୁଖ୍ୟ ଓସାମା ବିନ ଲାଦେନ୍‌‌କୁ ପାକିସ୍ତାନ ମାଟିରେ ଆମେରିକା ସେନାର ସର୍ଜିିକାଲ ଷ୍ଟ୍ରାଇକ୍‌‌ଠାରୁ ଆରମ୍ଭ କରି ଆଫଗାନିସ୍ତାନ, ଇରାକ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ, ସିରିଆ ଓ ଚେଚେନ୍ୟାରେ ଆତଙ୍କବାଦ ବିରୋଧରେ ରୁଷିଆର ଏୟାର ଷ୍ଟ୍ରାଇକ୍‌‌, ଇସ୍ରାଏଲ୍‌‌ର ସର୍ଜିକାଲ୍‌‌ ଷ୍ଟ୍ରାଇକ୍‌‌ ଆଦି ଏହାର ଅନ୍ତର୍ଭୁକ୍ତ। ତେଣୁ ଏ କ୍ଷେତ୍ରରେ ଭାରତକୁ ଉପରୋକ୍ତ ରାଷ୍ଟ୍ରସମୂହର ସହାୟତା ଓ ସମର୍ଥନ ମିଳିବା ଆଶା ଉଜ୍ଜ୍ୱଳ। ଯଦିବା ଆମେରିକା ନିରପେକ୍ଷ ଭୂମିକାରେ ଅବତୀର୍ଣ୍ଣ ହୁଏ ତେବେ ରୁଷିଆ ଓ ଇସ୍ରାଏଲର ସମର୍ଥନ ହାସଲ କରିବାରେ ଭାରତ ସଫଳ ହେବ। ଏଭଳି କ୍ଷେତ୍ରରେ ପାକିସ୍ତାନର ଏକମାତ୍ର ଭରସା ଚୀନ୍‌‌। କିନ୍ତୁ ଆମେରିକା ସହିତ ବାଣିଜ୍ୟ କଟକଣା ପରେ ଚୀନ ପାଇଁ ଭାରତ ହିଁ ଏକମାତ୍ର ବୃହତ ବଜାର। ତେଣୁ ପାକିସ୍ତାନର ସାମରିକ କାର୍ଯ୍ୟାନୁଷ୍ଠାନକୁ ହଠାତ୍‌‌ ପ୍ରତ୍ୟକ୍ଷ ବା ପରୋକ୍ଷ ସମର୍ଥନ କରିବାକୁ ଯାଇ ଚୀନ୍‌‌ ଅଯଥା ତାହାର ବୃହତ୍‌‌ ବଜାରକୁ ହାତଛଡ଼ା କରିବାକୁ ଚାହିଁ ନପାରେ। ଅପରପକ୍ଷରେ ଚୀନର ବାହୁଛାୟା ତଳେ ରହି ଭାରତର ସାମରିକ ଶକ୍ତିକୁ ଭ୍ରୂକ୍ଷେପ କରୁନଥିବା ପାକିସ୍ତାନ ହୁଏତ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଓ ସହାୟତା ଜରିଆରେ ଛାୟାଯୁଦ୍ଧ ଜାରି ରଖିପାରେ।

‘ଅପରେସନ୍‌‌ ସିନ୍ଦୂର’ର ଜୟଜୟକାର ସତ୍ତ୍ବେ ଭାରତୀୟଙ୍କ ମନର ନିଭୃତ କୋଣରୁ ଏକ ନିରବ ସ୍ୱରଟିଏ ପ୍ରତିଧ୍ୱନିତ ହେଉଛି, ଯାହା ବିଗତଦିନରେ ଏକ ବହୁଦେଶୀୟ କମ୍ପାନୀର ଲୋକପ୍ରିୟ ମୃଦୁପାନୀୟ ଉତ୍ପାଦ ବିଜ୍ଞାପନ ପାଇଁ ଉଦ୍ଦିଷ୍ଟ – ‘ଏ ଦିଲ୍‌‌ ମାଙ୍ଗେ ମୋର(ଆହୁରି ଅଧିକ ଦରକାର)’ ଦିଗକୁ ଇଙ୍ଗିତ କରୁଛି। ପାକିସ୍ତାନ ମାଟିରେ ଚଳଚଞ୍ଚଳ ଆତଙ୍କବାଦୀ ଶିବିରଗୁଡ଼ିକର ଧ୍ୱଂସରଚନାରେ ପୂର୍ବ ସର୍ଜିକାଲ୍‌‌ ଷ୍ଟ୍ରାଇକ୍‌‌ଗୁଡ଼ିକ ତୁଳନାରେ ‘ଅପରେସନ୍‌‌ ସିନ୍ଦୂର’ର ଫଳାଫଳ ଭାରତୀୟମାନଙ୍କର ଆକ୍ରୋଶ ଓ ପ୍ରତିଶୋଧ ବିଜଡ଼ିତ ଆଶାନୁରୂପ ହୋଇପାରିନାହିଁ। ଏପରିକି ଭାରତୀୟମାନେ ପାକ୍‌‌ ଅଧିକୃତ କାଶ୍ମୀରକୁ ଭାରତରେ ମିଶାଇବା ପାଇଁ ନିର୍ଣ୍ଣାୟକ ଲଢ଼େଇର ଅପେକ୍ଷା କରୁଛନ୍ତି। କିନ୍ତୁ ସାମ୍ପ୍ରତିକ ସ୍ଥିତିର ସମ୍ବେଦନଶୀଳତାକୁ ଗ୍ରହଣ କରି ଭାରତୀୟ ସେନାର ବାଧ୍ୟବାଧକତାକୁ ହୃଦୟଙ୍ଗମ କରି ‘ଅପରେରସନ୍‌‌ ସିନ୍ଦୂର’ର ଫଳାଫଳରେ ସନ୍ତୁଷ୍ଟ ହେବା ହିଁ ବର୍ତ୍ତମାନର ରାଷ୍ଟ୍ରଧର୍ମ। ଯୁଦ୍ଧ କୌଣସି ପକ୍ଷ ପାଇଁ ହିତକର ଓ ନିର୍ଣ୍ଣାୟକ ନୁହେଁ। ଏହି ଆପ୍ତ ସତ୍ୟକୁ ସର୍ବଦା ମନେ ରଖିବାକୁ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର