ନମ୍ରନ୍ତି ଗୁଣିନୋ ଜନାଃ
ରାମାୟଣ କଥା ଅନୁଯାୟୀ ଆସନ୍ନ ମୃତ୍ୟୁ ଅପେକ୍ଷାରେ ଥିବା ରାବଣଙ୍କୁ ଭେଟି ତାଙ୍କର ପାଣ୍ଡିତ୍ୟ ବା ବିଦ୍ବତ୍ତା ଆହରଣ କରିବାକୁ ଶ୍ରୀରାମ ସାନଭାଇ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ। ଲକ୍ଷ୍ମଣ ଯଦିଓ ଶତ୍ରୁ ରାବଣଙ୍କୁ ଦେଖା କରିବାକୁ ଇଚ୍ଛା କରୁ ନ ଥିଲେ ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କ ଆଦେଶକୁ ଅମାନ୍ୟ କରି ନ ଥିଲେ। ଏହି କଥାଟି ଶ୍ରୀରାମଙ୍କର ଦୁଇଟି ଐଶ୍ୱରୀୟ ଗୁଣର ସୂଚନା ଦେଇଥାଏ। ପ୍ରଥମଟି ହେଲା ତାଙ୍କର ନମ୍ରତା ଏବଂ ଅନ୍ୟଟି ଜ୍ଞାନ ଆହରଣ କରିବାର ଇଚ୍ଛା, […]
ରାମାୟଣ କଥା ଅନୁଯାୟୀ ଆସନ୍ନ ମୃତ୍ୟୁ ଅପେକ୍ଷାରେ ଥିବା ରାବଣଙ୍କୁ ଭେଟି ତାଙ୍କର ପାଣ୍ଡିତ୍ୟ ବା ବିଦ୍ବତ୍ତା ଆହରଣ କରିବାକୁ ଶ୍ରୀରାମ ସାନଭାଇ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ। ଲକ୍ଷ୍ମଣ ଯଦିଓ ଶତ୍ରୁ ରାବଣଙ୍କୁ ଦେଖା କରିବାକୁ ଇଚ୍ଛା କରୁ ନ ଥିଲେ ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କ ଆଦେଶକୁ ଅମାନ୍ୟ କରି ନ ଥିଲେ। ଏହି କଥାଟି ଶ୍ରୀରାମଙ୍କର ଦୁଇଟି ଐଶ୍ୱରୀୟ ଗୁଣର ସୂଚନା ଦେଇଥାଏ। ପ୍ରଥମଟି ହେଲା ତାଙ୍କର ନମ୍ରତା ଏବଂ ଅନ୍ୟଟି ଜ୍ଞାନ ଆହରଣ କରିବାର ଇଚ୍ଛା, ଯେଉଁଠୁ ଅଥବା ଯାହାଠାରୁ ହେଉପଛେ, ଏପରିକି ସେ ତାଙ୍କର ଚରମ ଶତ୍ରୁ ହୋଇଥିଲେ ମଧ୍ୟ।
ଶିକ୍ଷା, ପାଣ୍ଡିତ୍ୟ ଅଥବା ଜ୍ଞାନ ଜଣେ ଶତ୍ରୁଠାରୁ ମଧ୍ୟ ଗ୍ରହଣ କରିବାରେ ଅସୁବିଧା ନାହିଁ। କାରଣ କୌଣସି ବି ଲୋକର କ୍ଷମତା ଥାଇପାରେ କିଛିବିଷୟରେ ଶିକ୍ଷା ଦେବାକୁ। ରାବଣ ସୀତାଦେବୀଙ୍କୁ ଅପହରଣ କରିଥାଇପାରେ, କିନ୍ତୁ ସେ ଯେ ପରମଜ୍ଞାନୀ ଏହା ଅନସ୍ୱୀକାର୍ଯ୍ୟ। ଏପରିକି ତା’ର ଅସୀମ ଜ୍ଞାନ, ଗରିମା ସୁର, ନର, ଅସୁରଙ୍କ ଦ୍ୱାରା ଥିଲା ଗ୍ରହଣୀୟ ତଥା ପ୍ରଶଂସିତ। ବାସ୍ତବରେ ଜ୍ଞାନପ୍ରାପ୍ତି ମଣିଷର ଧୈର୍ଯ୍ୟ ଓ ଗ୍ରହଣଶୀଳତା ଗୁଣକୁ ଆବଶ୍ୟକ କରେ। କୁହାଯାଏ ଆଦିଶଙ୍କରାଚାର୍ଯ୍ୟ ଜୀବନଧାରଣର ଅନେକ ବିଦ୍ୟା ଗ୍ରହଣ କରିଥିଲେ ଜଣେ ଚଣ୍ଡାଳଠାରୁ। ନମ୍ରତା ଓ ପାଣ୍ଡିତ୍ୟ ଏକସଙ୍ଗରେ ଆସିଥା’ନ୍ତି। ସେଇଥିପାଇଁ ତ କୁହାଯାଇଛି – ‘ନମ୍ରନ୍ତି ଫଳିନା ବୃକ୍ଷାଃ, ନମ୍ରନ୍ତି ଗୁଣିନୋ ଜନାଃ, ଶୁଷ୍କ କାଷ୍ଠାଶ୍ଚ ମୂର୍ଖଶ୍ଚ ନ ନମନ୍ତି କଦାଚନ।’ ଅର୍ଥାତ୍ ଫଳଭରା ବୃକ୍ଷ ନଇଁଲା ଭଳି ଜ୍ଞାନୀବ୍ୟକ୍ତି ସର୍ବଦା ନମ୍ର ହୋଇଥା’ନ୍ତି। ପୁରୁଷୋତ୍ତମ ଶ୍ରୀରାମ ଥିଲେ ନମ୍ରତାର ପ୍ରତୀକ। କାରଣ ସେ ଜ୍ଞାନ ଆହରଣ ପାଇଁ ଥିଲେ ଇଚ୍ଛୁକ। ତାହା ରାବଣ ଭଳି ଅହଂକାରୀ ଦାନବଠାରୁ ଗ୍ରହଣ କରିବାକୁ ଥିଲେ ମଧ୍ୟ।
ପ୍ରଜ୍ଞା ବିନାମ୍ରଷ୍ଟ। ଅର୍ଥାତ୍ ପାଣ୍ଡିତ୍ୟ ହିଁ ବିନମ୍ରତା। ବିଜ୍ଞ ଲୋକମାନଙ୍କ ମତରେ ପାଣ୍ଡିତ୍ୟ କେବଳ ନମ୍ରତାର ପରିଭାଷା ନୁହେଁ। ଏହା ଏକ ବ୍ୟାବହାରିକ ମାନବୀୟ ଗୁଣ ମଧ୍ୟ। ନମ୍ରତାର ପଥ ଦେଇ ଜଣେ ବିଜ୍ଞତା ଆହରଣ କରିପାରେ। କାରଣ ତାହାକୁ ଆତ୍ମସ୍ଥ କରିବାର ପ୍ରଥମସର୍ତ୍ତ ହେଉଛି ସମ୍ପୃକ୍ତ ବ୍ୟକ୍ତିକୁ ନମ୍ର ହେବାକୁ ପଡ଼ିବ। ଗର୍ବ ବା ଅହଂକାର କୌଣସି ବ୍ୟକ୍ତିକୁ ବିଜ୍ଞ କରାଇ ଦିଏ ନାହିଁ। ନମ୍ରତା ଓ ବିଜ୍ଞତା ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ। ଏ ସମ୍ୱନ୍ଧରେ ଗୋଟିଏ ଛୋଟ ଗଳ୍ପର ଅବତାରଣା କରାଯାଇପାରେ।
ବଗିଚା କୋଣରେ ଥିବା ଗୋଟିଏ ଫୁଲ ଗଛରେ ଫୁଟିଥିଲେ ଦୁଇଟି ଫୁଲ। ଥରେ ବାହାରେ ଖରା ତାପକୁ ଦେଖି ପତ୍ର ଗହଳ ମଝିରେ ଥିବା ଫୁଲଟିଏ ତା’ ସୌଭାଗ୍ୟ କଥା ଅନ୍ୟ ଫୁଲଟିକୁ କହି ସେ ସେମିତି ପତ୍ର ତଳେ ଆଶ୍ରୟ ନେବାକୁ କହିଲା। ସେ କଥା ଗ୍ରହଣ ନକରି ଅନ୍ୟଟି ଉତ୍ତର ଦେଲା ଯେ ପତ୍ରମାନେ କୌଣସି ଗୁଣରେ ତା’ ସହିତ ସମକକ୍ଷ ନୁହନ୍ତି। ତେଣୁ ସେମାନେ ତା’କୁ ସୁରକ୍ଷା ଦେଇ ପାରିବେ ନାହିଁ। ପରବର୍ତ୍ତୀ ସମୟରେ ପତ୍ର ତଳେ ଆଶ୍ରୟ ନେବାକୁ ଉପଦେଶ ଦେଇଥିବା ଫୁଲଟି ସତେଜ ରହିପାରିଲା ସୂର୍ଯ୍ୟତାପ କବଳରୁ, କିନ୍ତୁ ଅହଙ୍କାରର କଥା କହିଥିବା ଫୁଲ ତା’ର ରଙ୍ଗ ରୂପ ହରାଇ ମଉଳି ପଡ଼ିଲା। ଯଦି ସେ ଅନ୍ୟ ଫୁଲଟିର ବିଜ୍ଞ ପରାମର୍ଶ ଗ୍ରହଣ କରି ପତ୍ରମାନଙ୍କ ଗହଳରେ ରହିଥା’ନ୍ତା, ତେବେ ତା’ର ଏ ଅବସ୍ଥା ହୋଇ ନ ଥା’ନ୍ତା।
ବିଜ୍ଞତା ମଧ୍ୟରେ ତିଷ୍ଠି ରହିବାର ମାନସିକତା ସ୍ୱାଭାବିକ ପ୍ରକ୍ରିୟା ଅଙ୍ଗାଙ୍ଗୀ ଭାବରେ ନିହିତ ରହିଥିଲା ବେଳେ ଉପରୋକ୍ତ ସୁଭାଷିତ ସଂସ୍କୃତ ଶ୍ଳୋକର ବର୍ଣ୍ଣନାନୁଯାୟୀ ଶୁଖିଲା କାଠ ଭଳି ମୂର୍ଖ ମଣିଷ ମଧ୍ୟରେ ଭାଙ୍ଗି ନଷ୍ଟ ହୋଇଯିବାର ଅବିଦ୍ୟାଟି ରହିଥାଏ। ସୁତରାଂ ପ୍ରାୟୋଗିକତା ଦୃଷ୍ଟିରୁ ମାନବ ସଭ୍ୟତାର ବିକାଶ ତଥା ତିଷ୍ଠି ରହିବା ପାଇଁ ବିଜ୍ଞତା ଅପରିହାର୍ଯ୍ୟ ଉପାଦାନ। ବିଜ୍ଞତା ହିଁ ସୁରକ୍ଷା, ସଂରକ୍ଷଣ ଓ ସ୍ଥାୟିତ୍ୱର ପରିଭାଷା।
ଉପରୋକ୍ତ ଆଲୋଚନା ପରିପ୍ରେକ୍ଷୀରେ ଭଗବତ୍ ଗୀତା ଆମକୁ ଶିକ୍ଷା ଦେଇଥାଏ ଯେ ଆନ୍ତରିକ ଓ ଉତ୍ସର୍ଗୀକୃତ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଦ୍ୱାରା ସାମଗ୍ରିକ ଉତ୍ତମତାରେ ନିଜକୁ ସାମିଲ୍ କରାଯାଇ ପାରିବ ଏବଂ ନିଜ ଜୀବନର ପ୍ରାସଙ୍ଗିକତା ଓ ସନ୍ତୁଷ୍ଟି ମଧ୍ୟ ଅନୁଭବ କରାଯାଇପାରିବ। ମାନବ ଜୀବନର ଏହା ହିଁ ଧ୍ୟେୟ। ଗୀତାରେ ସ୍ୱୟଂ ଭଗବାନ କହିଛନ୍ତି – ‘କର୍ମଣ୍ୟେ ବାଧିକାରସ୍ତୁ ମା ଫଳେଷୁ କଦାଚନ।’ ଅର୍ଥାତ୍ କର୍ମ କରିବାରେ ହିଁ ତୁମର ଅଧିକାର ରହିଛି, କର୍ମର ଫଳ ଉପରେ ତୁମର ଅଧିକାର ନାହିଁ। ନିଜ କର୍ମ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ପ୍ରତି ନିରପେକ୍ଷତା ଅବଲମ୍ୱନ କରିବା ବିଜ୍ଞତାର ପ୍ରକୃଷ୍ଣ ଉଦାହରଣ। ଦୂରଦୃଷ୍ଟି ସମ୍ପନ୍ନ ମଣିଷର ସ୍ୱକୀୟ ବୁଦ୍ଧି ଦ୍ୱାରା ଆଗରୁ ବିପଦ ବା ବିନାଶକୁ ଲକ୍ଷ୍ୟ କରିବାର କର୍ମ ଉପଯୋଗୀ ସାମର୍ଥ୍ୟ ହିଁ ବିଜ୍ଞତା।
କେବଳ ଭାରତ କାହିଁକି, ବିଶ୍ୱ ଇତିହାସ ଅଥବା କାବ୍ୟ ପୁରାଣ ବିଜ୍ଞତାର ଅଲୌକିକ କାହାଣୀରେ ସମୃଦ୍ଧ। ଏସବୁକୁ ଅନୁଧ୍ୟାନ କଲେ ଜାଣି ହେବ ଯେ ବିଜ୍ଞତାର ବୁଦ୍ଧିଦୀପ୍ତ ସ୍ପଷ୍ଟତା ଯୋଗୁଁଁ ଏ ସୁନ୍ଦର ପୃଥିବୀ ତିଷ୍ଠି ରହିଛି। କାରଣ ପ୍ରତ୍ୟେକ କାଳଖଣ୍ଡରେ ଯେମିତି ସବୁ ଯୁଦ୍ଧ ପିପାସୁ ଧ୍ୱଂସକାରୀ ଅମଣିଷମାନଙ୍କର ଆବିର୍ଭାବ ହୋଇଛି, ସେମାନଙ୍କ କବଳରୁ ମାନବ ସଭ୍ୟତାକୁ ରକ୍ଷା କରାଇ ପାରିଛନ୍ତି ବିଜ୍ଞ ବହୁଦର୍ଶୀ କର୍ମବୀରମାନେ। ସେଇଥି ପାଇଁ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି – ‘ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ / ଅଭ୍ୟୁଥାନମଧର୍ମସ୍ୟ ତଦାମାନ ସୃଜାମ୍ୟହମ। ଅର୍ଥାତ୍ ଯେଉଁ ଯେଉଁ ସମୟରେ ଧର୍ମର ଅବକ୍ଷୟ ହୁଏ ଏବଂ ଅଧର୍ମର ବୃଦ୍ଧି ହୁଏ ସେହି ସେହି ସମୟରେ ମୁଁ ନିଜର ରୂପ ସୃଷ୍ଟି କରିଥାଏ। ଅର୍ଥାତ୍ ସାକାର ରୂପରେ ଲୋକମାନଙ୍କ ସମ୍ମୁଖରେ ପ୍ରକଟ ହୁଏ। ସୁତରାଂ ବିଜ୍ଞତା ହିଁ ମାନବତା ଧର୍ମ ଧାରଣାର ସ୍ୱର୍ଗୀୟ ସ୍ୱର ଏବଂ ଅସ୍ଥିର ଏ ବିଶ୍ୱ ପାଇଁ ଶାନ୍ତିଯୁକ୍ତ ସହାବସ୍ଥାନର ମୂଳମନ୍ତ୍ର। ମଣିଷର ଧୀଶକ୍ତି ଏବଂ ତାହାର ବାସ୍ତବ କାର୍ଯ୍ୟକାରିତାର ଅନ୍ୟ ନାମ ବିଜ୍ଞତା।
ସରୋଜ କାନ୍ତ ଚୌଧୁରୀ
(ପ୍ରାକ୍ତନ ପ୍ରଶାସକ)
କଟକ, ମୋ:୯୪୩୭୩୬୦୯୮୧






