ଡିଜିଟାଲ ମୁଦ୍ରା ପାଇଁ ଆର୍ବିଆଇର ବଡ଼ ଯୋଜନା: କମିବ ଆମେରିକୀୟ ଡଲାର୍ର ଦବ୍ଦବା
ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ଏକ ବଡ଼ ଅନ୍ତର୍ଜାତୀୟ ପଦକ୍ଷେପ ପାଇଁ ଭାରତ ସମ୍ପ୍ରତି ପ୍ରସ୍ତୁତି ଚଳାଇଛି। ଏ କ୍ଷେତ୍ରରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ (ଆର୍ବିଆଇ)ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛି। ଆର୍ବିଆଇ ବ୍ରିକ୍ସ ଦେଶଗୁଡ଼ିକୁ ପରାମର୍ଶ ଦେଇଛି ଯେ ସେମାନେ ପରସ୍ପର ମଧ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ବାବଦ ପେମେଣ୍ଟକୁ ସହଜ କରିବା ପାଇଁ ସେମାନଙ୍କର ସରକାରୀ ଡିଜିଟାଲ୍ ମୁଦ୍ରା (ସିବିଡିସି)କୁ ଲିଙ୍କ୍ କରନ୍ତୁ, ଯାହାଦ୍ୱାରା ସୀମାପାର ବାଣିଜ୍ୟ ଏବଂ ପର୍ଯ୍ୟଟନ ସମ୍ବନ୍ଧୀୟ ପେମେଣ୍ଟ ସହଜ ହୋଇପାରିବ। ଏହି ପଦକ୍ଷେପର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା। ଆର୍ବିଆଇ ସରକାରଙ୍କୁ ଏହା ମଧ୍ୟ ପରାମର୍ଶ ଦେଇଛି ଯେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଡିଜିଟାଲ୍ ମୁଦ୍ରାକୁ ଲିଙ୍କ୍ କରିବାର ପ୍ରସ୍ତାବ ୨୦୨୬ ବ୍ରିକ୍ସ ସମ୍ମିଳନୀର ଏଜେଣ୍ଡାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଯଦି ଏହା ହୁଏ ତେବେ ଆମେରିକା ନାରାଜ ହେବ। କାରଣ ସାରା ଦୁନିଆରେ ଆଉ ଆମେରିକୀୟ ଡଲାରର ଦବ୍ଦବା ରହିବ ନାହିଁ।
ପ୍ରଥମ ଥର ପାଇଁ ବ୍ରିକସ ସଦସ୍ୟଙ୍କୁ ଡିଜିଟାଲ ମୁଦ୍ରା ସହ ଯୋଡିହେବା ପାଇଁ ଏଭଳି ଏକ ପ୍ରସ୍ତାବ ଉପସ୍ଥାପନ କରାଯିବ। ସୂଚନାଯୋଗ୍ୟ ଯେ, ବ୍ରିକ୍ସ ସଂଗଠନରେ ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ଅନ୍ତର୍ଭୁକ୍ତ। ତଥାପି, ଏହି ପଦକ୍ଷେପ ଆମେରିକାକୁ କ୍ରୋଧିତ କରିପାରେ। କାରଣ ଆମେରିକୀୟ ଡଲାରକୁ ବାଇପାସ୍ କରିବା ପାଇଁ ଯେ କୌଣସି ପଦକ୍ଷେପ ବିରୁଦ୍ଧରେ ଟ୍ରମ୍ପ୍ ପ୍ରଶାସନ ଚେତାବନୀ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ବ୍ରିକ୍ସ ମେଣ୍ଟକୁ ଆମେରିକୀୟ ବିରୋଧୀ ବୋଲି କହି ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଏହା ସ୍ପଷ୍ଟ କରି ଦେଇଥିଲେ ଯେ ଆମେରିକା ପୂର୍ବରୁ ବ୍ଲକ୍ ର କାର୍ଯ୍ୟକଳାପ ସମ୍ପର୍କରେ ସତର୍କ ଏବଂ କଠୋର ମନୋଭାବ ବଜାୟ ରଖିଛି। ଏହା ଉପରେ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା କହିଛି ଯେ ସେମାନଙ୍କ ପାଖରେ ଏହି ବିଷୟରେ କୌଣସି ସୂଚନା ନାହିଁ। ତେବେ ଦକ୍ଷିଣ ଆଫ୍ରିକା ଏବଂ ରୁଷର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକଏହା ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।
ଆର୍ବିଆଇର ପ୍ରସ୍ତାବ ରିଓ ଡି ଜେନେରିଓରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ୨୦୨୫ ଘୋଷଣା ଉପରେ ଆଧାରିତ, ଯେଉଁଥିରେ ସୀମାପାର କାରବାରକୁ ସହଜ କରିବା ପାଇଁ ସଦସ୍ୟ ଦେଶଗୁଡ଼ିକର ପେମେଣ୍ଟ ସିଷ୍ଟମ ମଧ୍ୟରେ ଆନ୍ତଃକାର୍ଯ୍ୟକ୍ଷମତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସୀମାପାର କାରବାରକୁ ତ୍ୱରାନ୍ୱିତ କରିବା ଏବଂ ଏହାର ମୁଦ୍ରାର ବିଶ୍ୱବ୍ୟାପୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ବିଆଇ ଭାରତର ଡିଜିଟାଲ୍ ଟଙ୍କାକୁ ଅନ୍ୟ ଦେଶର ସିବିଡିସି ସହିତ ସଂଯୋଗ କରିବାକୁ ସାର୍ବଜନୀନ ଭାବରେ ଆଗ୍ରହ ପ୍ରକାଶ କରିଛି। ତଥାପି, ଏହା କହିଛି ଯେ ଟଙ୍କାର ବିଶ୍ୱବ୍ୟାପୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରୟାସ ଡି-ଡଲାରାଇଜେସନ୍ କୁ ପ୍ରୋତ୍ସାହିତ କରିବା ପାଇଁ ନୁହେଁ। ଯଦିଓ ବ୍ରିକ୍ସ ସଦସ୍ୟମାନଙ୍କ ମଧ୍ୟରୁ କେହି ସେମାନଙ୍କର ଡିଜିଟାଲ୍ ମୁଦ୍ରାକୁ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିନାହାଁନ୍ତି, ସମସ୍ତ ୫ଟି ମୁଖ୍ୟ ସଦସ୍ୟ ଏ ନେଇ ପାଇଲଟ୍ ପ୍ରକଳ୍ପ ଚଳାଉଛନ୍ତି। ଭାରତର ଡିଜିଟାଲ୍ ମୁଦ୍ରା (ଯାହାକୁ ଇ-ରୁପି କୁହାଯାଏ) ୨୦୨୨ ଡିସେମ୍ବରରେ ଶୁଭାରମ୍ଭ ହେବା ପରଠାରୁ ମୋଟ ୭ ନିୟୁତ ଖୁଚୁରା ବ୍ୟବହାରକାରୀଙ୍କୁ ଏହା ଆକର୍ଷିତ କରିଛି, ଯେତେବେଳେ କି ଚୀନ୍ ଡିଜିଟାଲ୍ ୟୁଆନର ନ୍ତର୍ଜାତୀୟ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇଛି।





