ଆଜି କାରଗିଲ୍ ବିଜୟ ଦିବସ; ଯୁଦ୍ଧରେ ଶହୀଦ ଭାରତୀୟ ବୀର ଯବାନଙ୍କୁ ସଲାମ

The Sakala Picture
Published On

କାରଗିଲ୍ ବିଜୟ ଦିବସ’କୁ ଇତିମଧ୍ୟରେ ପୂରିଛି ୨୩ ବର୍ଷ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ଯବାନମାନେ । ୧୯୯୯ ମସିହାରେ ଯୋଜନାବଦ୍ଧ ଭାବେ ପାକିସ୍ତାନ ତା’ର ପାଖାପାଖି ୫୦୦୦ ସୈନିକଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା। ଏହାପରେ ଭାରତ ‘ଅପରେଶନ ବିଜୟ’ ଆରମ୍ଭ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଏହି ଯୁଦ୍ଧ ମେ’ ମାସରୁ ଆରମ୍ଭ ହୋଇ ଜୁଲାଇ ୨୬ (ପାଖାପାଖି ୬୦ […]

କାରଗିଲ୍ ବିଜୟ ଦିବସ’କୁ ଇତିମଧ୍ୟରେ ପୂରିଛି ୨୩ ବର୍ଷ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ଯବାନମାନେ । ୧୯୯୯ ମସିହାରେ ଯୋଜନାବଦ୍ଧ ଭାବେ ପାକିସ୍ତାନ ତା’ର ପାଖାପାଖି ୫୦୦୦ ସୈନିକଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା। ଏହାପରେ ଭାରତ ‘ଅପରେଶନ ବିଜୟ’ ଆରମ୍ଭ କରି ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଏହି ଯୁଦ୍ଧ ମେ’ ମାସରୁ ଆରମ୍ଭ ହୋଇ ଜୁଲାଇ ୨୬ (ପାଖାପାଖି ୬୦ ଦିନ) ଯାଏଁ ଚାଲିଥିଲା। ଯୁଦ୍ଧରେ ୫୨୭ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ୧୩୬୩ ଯବାନ ଆହତ ହୋଇଥିଲେ। ଅପରପକ୍ଷେ ପାକିସ୍ତାନର ୩ ହଜାର ଯବାନଙ୍କର ମୃତ୍ୟୁ ହୋଇଥିଲା। ଶେଷରେ ପାକିସ୍ତାନ ସେନାକୁ କାରଗିଲ୍‌ରୁ ହଟାଇ ବିଜୟ ବାନା ଉଡ଼ାଇଥିଲା ଭାରତୀୟ ସେନା । ଏହି ଦିବସ ଅବସରରେ କାରଗିଲ୍‌ ଯୁଦ୍ଧରେ ଶହୀଦ ଭାରତୀୟ ବୀର ଯବାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଅନ୍ୟପଟେ ସଶସ୍ତ୍ର ବାହିନୀର ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

୧୯୯୯ ମସିହାର ‘କାର୍‍ଗିଲ୍‍ ଯୁଦ୍ଧ’ ଭାରତର ସମର ଇତିହାସରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲା। ଜିରୋ ଡିଗ୍ରୀ ସେଲ୍‌ଫସିୟସ୍‍ରୁ କମ୍‍ ତାପମାନ, ଅସ୍ଥିମଜ୍ଜା ଶିହରି ଉଠୁଥିବା ଭଳି ବରଫମିଶା ପ୍ରବଳ ବେଗରେ ବୋହୁଥିବା ଅତି ଥଣ୍ଡା ପବନ, ଅତ୍ୟୁଚ୍ଚ ପର୍ବତର ତୀକ୍ଷ୍‌ଣ ବରଫ ଶୃଙ୍ଗରୁ ବରଫ ଧସିଯିବାର ଭୟ, ଅମ୍ଳଜାନର ଘୋର ଅଭାବ କାରଣରୁ ପ୍ରଶ୍ୱାସ ନେବାରେ ଖୁବ୍‍ କଷ୍ଟ ହେଉଥିଲେ ମଧ୍ୟ ଆମ ସେନାବାହିନୀର ବୀର ଯବାନଙ୍କ ମନୋବଳକୁ ହ୍ରାସ କରି ପାରିନଥିଲା।

ଆହୁରି ପଢ଼ନ୍ତୁ: ଗୋପାଳପୁରଠାରୁ ୨୨୦ କି.ମି ଦୂରରେ ଅବପାତ: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳକୁ ଗଭୀର ଅବପାତର ଆଲର୍ଟ

ପାକିସ୍ତାନୀ ‘ନର୍ଦ୍ଦନ-ଲାଇଟ୍‍-ଇନ୍‍ଫ୍ୟାନ୍‍ଟ୍ରି’ର ସୈନ୍ୟ, ପାକିସ୍ତାନର ‘ସ୍ପେଶାଲ ସର୍ଭିସ୍‍ ଗ୍ରୁପ୍‍’ର କମାଣ୍ଡୋ ବାହିନୀ, ଆର୍ଟିଲାରୀ, ଆଣ୍ଟି ଏୟାରକ୍ରାଫ୍ଟ ଗନ୍‍, ରକେଟ୍‍, ଲ୍ୟାଣ୍ଡମାଇନ୍‍, ଅଟୋମେଟିକ୍‍ ଉଇପନରେ ସଜ୍ଜିତ ହୋଇ କାର୍‍ଗିଲ୍‍ର ଉଚ୍ଚ ଉଚ୍ଚ ଶୃଙ୍ଗଗୁଡ଼ିକରେ ନିଜର ଆସ୍ଥାନ ସୁଦୃଢ଼ କରିଥିଲେ। ପଥରକୁ ପଥର ଯୋଡ଼ି ନିର୍ମାଣ କରିଥିଲେ ସୁରକ୍ଷିତ ‘ସଙ୍ଗାଡ଼’, ଗର୍ତ୍ତଖୋଳି ନିର୍ମାଣ କରିଥିଲେ ମଜଭୁତ୍‍ ବଙ୍କର ଓ ଟ୍ରେଞ୍ଚ୍‍। ସେଠାରେ ପ୍ରଚୁର ପରିମାଣରେ ଗୁଳିଗୋଳା, ବୋମା, ଖାଦ୍ୟ, ପାଣି, ଶୀତବସ୍ତ୍ର, ଇନ୍ଧନ ଗଚ୍ଛିତ ରଖି ଆମ ସେନାବାହିନୀର ଅଶେଷ କ୍ଷତି ଘଟାଇବାକୁ ରହିଥିଲେ ପ୍ରସ୍ତୁତ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ: ଗଞ୍ଜାମ ଉପକୂଳରେ ଫସିଲା ୨୭ଟି ଆନ୍ଧ୍ର ଟ୍ରଲର

ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ଶତ୍ରୁ ବିପକ୍ଷରେ ଲଢ଼ିବାକୁ ସେନାବାହିନୀ ପ୍ରସ୍ତୁତ ହୋଇଥିଲା। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତୀୟ ସେନାବାହିନୀ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲା। କାନ୍ଧରେ ସେଲ୍‌ଫଫଲୋଡିଂ ରାଇଫଲ, ବାୟୋନେଟ୍‍, ଗୁଳି, ଗ୍ରିନେଡ୍‍, ପିଠି ଉପରେ ପଚିଶରୁ ତିରିଶ କିଲୋ ଓଜନର ଯୁଦ୍ଧ ସାମଗ୍ରୀ ନେଇ ଆଗେଇ ଥିଲେ ଆମ ବୀର ଯବାନ। ଶୃଙ୍ଗ ଉପରକୁ ପହଞ୍ଚିବାକୁ କେଉଁଠି ଶିଢ଼ି ଏବଂ ଅନ୍ୟ କେଉଁଠି ଦଉଡ଼ି ସାହାଯ୍ୟରେ ଚଢ଼ିବାକୁ ଥିଲା ଅଦମ୍ୟ ପ୍ରଚେଷ୍ଟା। ପ୍ରାୟ ୧୭ ହଜାର ଫୁଟ୍‍ ଊର୍ଦ୍ଧ୍ବରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମ ଯବାନଙ୍କ ମନୋବଳ ଥିଲା ଅତି ଦୃଢ଼। ତୀକ୍ଷ୍ମ ଶୃଙ୍ଗରୁ, ଯେଉଁଠାରୁ ପାଦ ଖସିଗଲେ ହଜାର ହଜାର ଫୁଟ୍‍ ତଳକୁ ଖସିପଡ଼ି ନିଶ୍ଚିହ୍ନ ହୋଇଯିବାର ଭୟ ଥିଲା, ସେଠାରେ ଆମ ବୀର ସୈନିକମାନେ ଶତ୍ରୁ ସଂହାର ପାଇଁ ଆଗେଇ ଯାଇଥିଲେ।

କାର୍‍ଗିଲ୍‍, ଦ୍ରାସ, ବଟାଲିକ୍‍, କାକ୍‍ସର, ମସ୍‍କୋହ ଅଞ୍ଚଳ ଥିଲା ଦୁର୍ଗମ। ଉଚ୍ଚ ଉଚ୍ଚ ଶିଖରରେ ପାକିସ୍ତାନୀ ସୈନ୍ୟ ନିଜର ଆସ୍ଥାନ ଜମାଇ ପାଦଦେଶରେ ଥିବା ଆମ ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରଖି ପାରୁଥିଲେ। ବଙ୍କର ଓ ଟ୍ରେଞ୍ଚ୍‍ ଭିତରେ ସୁରକ୍ଷିତ ଥାଇ ଗୁଳିଗୋଳା ବର୍ଷଣ କରି ଆମ ସେନାର ଅଶେଷ କ୍ଷତି ଘଟାଇବାରେ ସମର୍ଥ ଥିଲେ।

ସାମରିକ ଦୃଷ୍ଟିରୁ ‘ତୋଲଲିଙ୍ଗ’ ଶିଖର ଥିଲା ଖୁବ୍‍ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନୀ କବଳରୁ ଏହାର ମୁକ୍ତି ଥିଲା ଜରୁରି। କାରଣ ଏହା କବଳିତ ହେଲା ପରେ ହିଁ ‘ଟାଇଗର ହିଲ୍‍’କୁ ମୁକ୍ତ କରାଯିବାର ଥିଲା ଲକ୍ଷ୍ୟ।

୧୯୯୯ ମସିହାରେ ‘ଅପରେସନ ବିଜୟ’ ଘୋଷିତ ହେବା ପରେ ‘କାରଗିଲ୍‍ ସେକ୍ଟର’ ଯୁଦ୍ଧ ଭୂମିରେ ନିୟୋଜିତ ଥିଲେ ଓଡ଼ିଶାର ବୀର ହାବିଲ୍‍ଦାର ଗଙ୍ଗାରାମ୍‍ ଦାସ। ‘ରିକଭରୀ ପୋଷ୍ଟ’ କମାଣ୍ଡର ଦାୟିତ୍ୱରେ ଥିଲେ ହାବିଲଦାର ଗଙ୍ଗାରାମ। ଶତ୍ରୁର ଗୁଳି, ଗୋଳା, ବୋମାକୁ ଭୟ ନକରି ପ୍ରତିକୂଳ ପରିସ୍ଥିତିରେ ଥାଇ ଉକ୍ତ ପୋଷ୍ଟର ଦାୟିତ୍ୱ ସମ୍ପାଦନ କରୁଥିଲେ। ୧୯୯୯, ଜୁଲାଇ ୧୯ ତାରିଖ ରାତ୍ରିର ଅନ୍ଧକାରରେ ପାକିସ୍ତାନୀ ସେନା ତାଙ୍କ ପୋଷ୍ଟ ଉପରକୁ ପ୍ରଚୁର ପରିମାଣର ଆର୍ଟିଲାରୀ ଗୋଳା ବର୍ଷଣ ଅହରହ ଜାରି ରଖିଲା। ଶତ୍ରୁର ଗୋଳା ବର୍ଷଣକୁ ଖାତିର ନ କରି ହାବିଲଦାର ଗଙ୍ଗାରାମ ନିଜ ଦାୟିତ୍ୱ ପାଳନରେ ଥିଲେ ବଦ୍ଧପରିକର। ନିଜ ଜୀବନର ସୁରକ୍ଷା ପାଇଁ ସେ ପୋଷ୍ଟ ଛାଡ଼ି ଯାଇନଥିଲେ। ରାଇଫଲ ଓ ସ୍ମଲ୍‌ଆର୍ମସ୍‍ ମାଧ୍ୟମରେ ଶତ୍ରୁ ସହ ମୁକାବିଲା କରିବାକୁ ପ୍ରଚେଷ୍ଟା ଜାରି ରଖିଥିଲେ। କମାଣରେ ଗୋଳା ସହ ରାଇଫଲର ଗୁଳି କେବେ ବି ସକ୍ଷମ ହୋଇ ପାରିବ ନାହିଁ- ଏହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ ମଧ୍ୟ ଶତ୍ରୁର ପ୍ରତ୍ୟୁତ୍ତର ଦେବା ପାଇଁ ବ୍ୟବହାର କରିଥିଲେ ସ୍ମଲ୍‍ ଆର୍ମସ୍‍ର ଗୁଳି। ମାତ୍ର ବିଧିର ବିଧାନ ବିଚିତ୍ର। ଶତ୍ରୁ ନିକ୍ଷିପ୍ତ ଆର୍ଟିଲାରୀ ଗୋଳାବର୍ଷଣ ଦ୍ୱାରା ଗୋଟିଏ ବୋମାର ସ୍ପ୍ରିଣ୍ଟର ଗଙ୍ଗାରାମଙ୍କ ଶରୀରରେ ବିଦ୍ଧ ହେବାରୁ ସେ ଖୁବ୍‍ କଷ୍ଟ ଅନୁଭବ କଲେ। ଭୂମିରେ ଲୋଟି ଯାଇଥିଲେ ମଧ୍ୟ ସେ ନିଜର ସମସ୍ତ ଶକ୍ତି ଜୁଟାଇ ଶତ୍ରୁର ମୁକାବିଲା କରିବାକୁ ପ୍ରଚେଷ୍ଟା ଜାରି ରଖିଥିଲେ। ସାଥୀଯବନାଙ୍କ ମନୋବଳ ବଢ଼଼ାଇବାକୁ ମଧ୍ୟ ଯଥାସାଧ୍ୟ ଚେଷ୍ଟା କରିଥିଲେ। ଆହତ ଥାଇ ମଧ୍ୟ ପୋଷ୍ଟ ଛାଡ଼ି ଯାଇ ନଥିଲେ ନିଜର ଚିକିତ୍ସା ପାଇଁ। ମାତ୍ର ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କ ଅବସ୍ଥା ଖୁବ୍‍ ସଂକଟାପନ୍ନ ହେଲା ଓ ସେ ସେଠାରେ ଚେତାଶୂନ୍ୟ ହୋଇଗଲେ। କିଛି କ୍ଷଣ ପରେ ସେହି କାଳରାତ୍ରିର ଅନ୍ଧକାରରେ କାରଗିଲ୍‍ ରଣାଙ୍ଗନରେ ହାବିଲଦାର ଗଙ୍ଗାରାମ ବୀରଗତି ପ୍ରାପ୍ତ ହେଲେ। କାରଗିଲ୍‍ ଯୁଦ୍ଧରେ ହାବିଲଦାର ଗଙ୍ଗାରାମ ଦାସ ଥିଲେ ଓଡ଼ିଶାର ଅଷ୍ଟମ ଶହୀଦ।

ଏହି ବୀର ଓଡ଼ିଆ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଥାନା ଅନ୍ତର୍ଗତ କୁସୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶ୍ୟାମସୁନ୍ଦର ଥିଲେ ଭାରତୀୟ ସେନାବାହିନୀର ଜଣେ ଅବସରପ୍ରାପ୍ତ ସୈନିକ। ପତ୍ନୀ ମଣିମାଳା ଓ ପୁତ୍ର ଅନୁପଙ୍କୁ ନେଇ ଥିଲା ତାଙ୍କ ସୁଖୀ ସଂସାର। ୧୯୯୯ ମସିହା ଜୁଲାଇ ୧୧ ତାରିଖରେ ଶହୀଦ ହୋଇଥିବା ଗଙ୍ଗାରାମଙ୍କ ପ୍ରାର୍ଥିବ ଶରୀର ୧୪ ଜୁଲାଇରେ ନୂଆଦିଲ୍ଲୀର ପାଲାମ ଏୟାରପୋର୍ଟରେ ପହଞ୍ଚିବା ପରେ ସାମରିକ ବାହିନୀ ଦ୍ୱାରା ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ବିମାନ ଯୋଗେ ଭୁବନେଶ୍ୱରଠାରେ ପହଞ୍ଚିବା ମାତ୍ରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ତାଙ୍କ ପ୍ରାର୍ଥୀବ ଶରୀର ବାଲେଶ୍ୱର ପହଞ୍ଚିଲା ପରେ ତତ୍କାଳୀନ ଜିଲ୍ଲାପାଳ ଅଶ୍ୱିନ ବୈଷ୍ଣବ (ବର୍ତ୍ତମାନର କେନ୍ଦ୍ର ରେଳ ମନ୍ତ୍ରୀ) ସମ୍ମାନ ପ୍ରଦର୍ଶନ କଲା ପରେ ଏକ ବିରାଟ ଶୋଭାଯାତ୍ରାରେ ଅଗଣିତ ଜନତା ଯୋଗ ଦେଇଥିଲେ। ସେ ଦିନଟି ଥିଲା ପବିତ୍ର ରଥଯାତ୍ରା। ସୃଷ୍ଟି ହୋଇଥିଲା ଅପୂର୍ବ ଦୃଶ୍ୟ- ଗୋଟିଏ ପଟେ ରଥଯାତ୍ରା, ଅନ୍ୟ ପାଖେ ଥିଲା କାର୍‍ଗିଲ୍‍ ସହିଦ୍‍ ଗଙ୍ଗାରାମଙ୍କ ଶୋଭାଯାତ୍ରା।

କାର୍‍ଗିଲ୍‍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ ଥିଲା ଅବର୍ଣ୍ଣନୀୟ। ଶତ୍ରୁ ବିପକ୍ଷରେ ଯୁଦ୍ଧରତ ଅବସ୍ଥାରେ ବୀରଗତି ପ୍ରାପ୍ତ ହେଲେ ସେମାନଙ୍କ ପରିବାର ପାଇଁ ସମାଜ କ’ଣ ଦେଇପାରିବ? ଦେଇ ପାରିବ କେବଳ ସାନ୍ତ୍ୱନା ଅଥବା ସାମାନ୍ୟ ଅର୍ଥର ସାହାଯ୍ୟ। କେହି ଦେଇ ପାରିବ କି ସେହି ସହିଦ ପରିବାରକୁ ତା’ର ପିତା, ପୁତ୍ର, ପତ୍ନୀ ଓ ମାତାଙ୍କୁ ତା’ର ଉପସ୍ଥିତି? ସ୍ନେହ, ପ୍ରେମ, ସାନ୍ତ୍ୱନା ଅବା ଭରସା? ପୂରଣ କରି ପାରିବେ କି ସେହି ପରିବାରର ଅପୂରଣୀୟ କ୍ଷତିକୁ? ତଥାପି ମଧ୍ୟ ଜଣେ ସୈନିକ ପାଳନ କରିଥାଏ ତା’ର କର୍ତ୍ତବ୍ୟ। ଦୃଢ଼ ସଂକଳ୍ପ ନେଇ ଦେଶ ମାତୃକା ପାଇଁ ଲଢ଼ିଥାଏ ଶେଷ ବୁଲେଟ୍‍, ଶେଷ ରକ୍ତଟୋପା ଥିବା ପର୍ଯ୍ୟନ୍ତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର