ମାଡ଼ିଆସୁଛି ‘ମାନ୍ଦା ମହାମାରୀ’, କାମ ଦେଉନି ଆର୍ଥିକ ସଂସ୍କାର ଯୋଜନା

The Sakala Picture
Published On

ଭୁବନେଶ୍ୱର: କରୋନାର ପ୍ରକୋପ ଥମି ନ ଥିବାବେଳେ ସାରା ବିଶ୍ୱକୁ ମାଡ଼ିଆସୁଛି ଆଉ ଏକ ଭିନ୍ନ ମହାମାରୀ। ଏ ମହାମାରୀ କରୋନା ଭଳି କୌଣସି ମାରାତ୍ମକ ଭୂତାଣୁ ଜନିତ ନୁହେଁ। କୋଭିଡ୍ -୧୯ ଭୂତାଣୁର ପ୍ରଭାବ, ରୁଷ୍-ୟୁକ୍ରେନ ଯୁଦ୍ଧ ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁକାଳୀନ ପାଣିପାଗ ଶୃଙ୍ଖଳାକୁ ବିଗାଡ଼ି ଦେଇଛି। ଏହାର ସିଧାସଳଖ ପ୍ରଭାବ ବିଭିନ୍ନ ଦେଶର ଆର୍ଥିକ ବଜାର ଓ ଖାଦ୍ୟ ଭଣ୍ଡାର ଉପରେ ପଡ଼ିଛି। ଫଳତଃ ଆର୍ଥିକ ମାନ୍ଦାବସ୍ଥା […]

ଭୁବନେଶ୍ୱର: କରୋନାର ପ୍ରକୋପ ଥମି ନ ଥିବାବେଳେ ସାରା ବିଶ୍ୱକୁ ମାଡ଼ିଆସୁଛି ଆଉ ଏକ ଭିନ୍ନ ମହାମାରୀ। ଏ ମହାମାରୀ କରୋନା ଭଳି କୌଣସି ମାରାତ୍ମକ ଭୂତାଣୁ ଜନିତ ନୁହେଁ। କୋଭିଡ୍ -୧୯ ଭୂତାଣୁର ପ୍ରଭାବ, ରୁଷ୍-ୟୁକ୍ରେନ ଯୁଦ୍ଧ ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁକାଳୀନ ପାଣିପାଗ ଶୃଙ୍ଖଳାକୁ ବିଗାଡ଼ି ଦେଇଛି। ଏହାର ସିଧାସଳଖ ପ୍ରଭାବ ବିଭିନ୍ନ ଦେଶର ଆର୍ଥିକ ବଜାର ଓ ଖାଦ୍ୟ ଭଣ୍ଡାର ଉପରେ ପଡ଼ିଛି। ଫଳତଃ ଆର୍ଥିକ ମାନ୍ଦାବସ୍ଥା ସଂପ୍ରତି ଭିନ୍ନ ଏକ ମହାମାରୀ ସଦୃଶ ବିଶ୍ବ ସମ୍ମୁଖରେ ଛିଡ଼ା ହୋଇଛି।
ଆମେରିକା, ଇଂଲଣ୍ଡ, ଚୀନ ଭଳି ବିକଶିତ ରାଷ୍ଟ୍ର ସହିତ ଭାରତ ଏହି ‘ମାନ୍ଦା ମହାମାରୀ’ ଦ୍ବାରା ପ୍ରଭାବିତ ହୋଇଛି। ଏହାର ପ୍ରତିଫଳନ ଭାରତୀୟ ଷ୍ଟକ୍‍ ବଜାର ଉପରେ ପଡ଼ିଛି। ଗତ କିଛିଦିନ ମଧ୍ୟରେ ଭାରତୀୟ ଷ୍ଟକ ବଜାର ଭୟଙ୍କର ଭାବରେ ପ୍ରଭାବିତ ହୋଇଛି। କେଇମାସ ମଧ୍ୟରେ ବିଏସ୍‍ଇ ଓ ନିଫ୍ଟିରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଏସ୍‍ଇ ସେନ୍‌ସେକ୍ସ କିଛିମାସ ମଧ୍ୟରେ ୬୦ହଜାରରୁ ଖସି ୫୨ ହଜାରରେ ପହଞ୍ଚିଛି। ନିବେଶକମାନେ ଏହି ସମୟ ମଧ୍ୟରେ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ସହି ସାରିଛନ୍ତି। ଅନ୍ୟପକ୍ଷରେ ବିଦେଶୀ ନିବେଶକମାନେ ଗତ ୩ ମାସ ମଧ୍ୟରେ ଭାରତୀୟ ବଜାରରୁ ପ୍ରାୟ ୧୦ ଲକ୍ଷ କୋଟିର ନିବେଶ ପ୍ରତ୍ୟାହାର କରିବା ଷ୍ଟକ୍‌ ବଜାରକୁ ଗଭୀର ପ୍ରଭାବିତ କରିଛି। ଲୋକଙ୍କ ହାତରେ ଚଳନ୍ତି ଅର୍ଥର ଅଭାବ, ମୁଦ୍ରାସ୍ଫୀତି, ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବାରେ ଲାଗିଛି। ପରିଣତିସ୍ୱରୂପ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନସ୍ତରରେ ପହଞ୍ଚିଛି। ଦେଶର ସବୁଠାରୁ ବିଶ୍ୱସନୀୟ ସଂସ୍ଥା କୁହାଯାଉଥିବା ଏଲ୍‍ଆଇସି ସେୟାର ମୂଲ୍ୟ ଗତ ୩ ମାସ ମଧ୍ୟରେ ୨୯% ହ୍ରାସ ପାଇଛି। ଅନ୍ୟପକ୍ଷରେ ଭାରତର ବିଦେଶୀ ମୁଦ୍ରାଭଣ୍ଡାର କ୍ରମାଗତ ଭାବରେ ହ୍ରାସ ପାଇବା ଏକ ବଡ଼ ଧରଣର ଆର୍ଥିକ ଅସ୍ଥିରତାର ଆଭାସ ଦେଇଛି।

ଭାରତର ଷ୍ଟକ୍‍ ବଜାରରେ ସୃଷ୍ଟି ହୋଇଥିବା ଅସ୍ଥିରତା ନିମନ୍ତେ ଆମେରିକା ଓ ଚୀନକୁ ଦାୟୀ କରାଯାଉଛି। ଆମେରିକାରେ ମହଙ୍ଗା ଦର ପୁଣିଥରେ ଉଗ୍ର ହୋଇଛି। ୧୯୮୧ ମସିହା ପରେ ପ୍ରଥମଥର ପାଇଁ ଆମେରିକାରେ ମୁଦ୍ରାସ୍ଫୀତି ଭୟଙ୍କର ସ୍ଥିିତିରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଓ ଋଣ ହାର ବୃଦ୍ଧି ଆଶଙ୍କା ନିବେଶକମାନଙ୍କ ଉପରେ ପଡ଼ିଛି। ଅନ୍ୟପକ୍ଷରେ ଚୀନରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିର ପ୍ରଭାବ ବଜାର ଉପରେ ପଡ଼ିଛି। ବେଜିଂର ସବୁଠୁ ବିତ୍ତଶାଳୀ ଓ ଜନସଂଖ୍ୟା ବହୁଳ ଅଞ୍ଚଳ ଚାଓୟାଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପରେ ଲକ୍‌ଡାଉନ ପରି ସ୍ଥିତି ଉପୁଜିଛି, ଯାହା ପରୋକ୍ଷରେ ଭାରତୀୟ ବଜାରକୁ ପ୍ରଭାବିତ କରିଛି। ଦେଶର ଚାରିଆଡ଼େ ବ୍ୟାବସାୟିକ ଓ ଆର୍ଥିକ କାର୍ଯ୍ୟକଳାପ ମାନ୍ଦା। ଏଭଳି ସ୍ଥିତି ଘରୋଇ ବଜାରରେ ବି ଦେଖିବାକୁ ମିଳିଲାଣି। ତେଲ ତାତିରେ ବଜାର ମହଙ୍ଗା ହେବା ଯୋଗୁଁ ସବୁଠି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବଢ଼ିଚାଲିଛି। ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଆୟ କମିବା ଏବଂ ମହଙ୍ଗା ବଜାରରେ ଖର୍ଚ୍ଚ ବଢ଼ିବା ପାରିବାରିକ ବଜେଟକୁ ମଧ୍ୟ ବଢ଼ାଇଦେଇଛି। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ଢେର୍ ବଢ଼ିଯାଇଛି। ଏହାସହ ପରିବହନଜନିତ ଖର୍ଚ୍ଚ ଦୁଇଗୁଣରୁ ଅଧିକ ହୋଇଛି। ଏଥିଯୋଗୁଁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି। ଏଭଳି ସମୟରେ ଭାରତରେ ମୌସୁମୀକୁ ନେଇ କରାଯାଉଥିବା ଆକଳନ କେତେକାଂଶରେ ଅର୍ଥନୀତିକୁ ଆହୁରି ମାନ୍ଦା ଆଡ଼କୁ ଠେଲିଦେଇଛି। ପ୍ରତିକୂଳ ଜଳବାୟୁଜନିତ ସ୍ଥିତି ମାନ୍ଦାବସ୍ଥାର ଭୟକୁ ଅଧିକ ବଢ଼ାଇଦେଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଅନ୍ୟପକ୍ଷରେ ପୁଞ୍ଜିବଜାର ଧରାଶାୟୀ ହେଉଥିବାରୁ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ)ମାନେ ସେମାନଙ୍କର ପାଣ୍ଠି ପ୍ରତ୍ୟାହାର କରିନେଉଛନ୍ତି। ଅପରପକ୍ଷେ ବିଶ୍ବ ବଜାରରେ ମାନ୍ଦାସ୍ଥିତି ଯୋଗୁଁ ଦେଶକୁ ଏଫ୍ଡିଆଇ ଆଗମନ ଆଖିଦୃଶିଆ ରହିନାହିଁ। ଦେଶରେ ବଢ଼ିଚାଲିଥିବା ମୁଦ୍ରାସ୍ଫୀତିିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କ୍ରମାଗତ ଭାବେ ରେପୋ ହାରରେ ବୃଦ୍ଧି ଘଟାଇଛି। ଏଥିଯୋଗୁ ଗୃହ ଋଣଠାରୁ ଆରମ୍ଭ କରି ଅଟୋ ଏବଂ ଶିକ୍ଷା ଋଣ ମହଙ୍ଗା ହୋଇଛି। ଏହାର ପ୍ରଭାବରେ ଋଣଗ୍ରହିତାଙ୍କ ଉପରେ ଇଏମ୍ଆଇ ଚାପ ବଢ଼ିଯାଇଛି। ହେଲେ ଏ ଯାଏ ଦର ବୃଦ୍ଧି କମିନାହିଁ; ବରଂ ବଜାରରେ ମହଙ୍ଗା ମାଡ଼ ଜାରି ରହିଛି। ଅପରପକ୍ଷେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ଅବମୂଲ୍ୟାୟନ ଘଟି ଚାଲିଛି। ଏଥିଯୋଗୁଁ ଅଧିକ ମୂଲ୍ୟରେ ଦେଶକୁ ଉତ୍ପାଦ ଆମଦାନୀ କରାଯାଉଥିବାରୁ ବଜାରରେ ବିଭିନ୍ନ ସାମଗ୍ରୀର ଦର ଅଧିକ ହେଉଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଦୀର୍ଘ ଦୁଇ ବର୍ଷ ଧରି କୋଭିଡ୍ ମହାମାରୀ ସହ ଲଢ଼ିବା ପରେ ସାରା ବିଶ୍ବ ଉଧୁରିବାକୁ ଚେଷ୍ଟା ଚଳାଇଥିବାବେଳେ ରୁଷ-ୟୁକ୍ରେନ୍ ଯୁଦ୍ଧ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଏଥିଯୋଗୁଁ ବିଶ୍ବ ଅର୍ଥନୀତି ଉପରେ ପୁଣିଥରେ ଚଡ଼କ ପଡ଼ିଛି। ପରିସ୍ଥିତି ଏଭଳି ହୋଇଛି, ବିଶ୍ବର ସବୁଠାରୁ ଧନୀ ରାଷ୍ଟ୍ର ଆମେରିକାରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେଉଛି। ସେଠାରେ ମୁଦ୍ରାସ୍ଫୀତି ବିଗତ ୪୦ ବର୍ଷର ରେକର୍ଡ ଟପିଛି। ବିଶ୍ବ ପୁଞ୍ଜି ବଜାରରେ କାରବାର ଅସ୍ଥିର ରହିବାରେ ଲାଗିଛି। ଏଥିଯୋଗୁଁ ନିବେଶକଙ୍କୁ ଅଧିକାଂଶ କାରବାର ଦିବସରେ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଘରୋଇ ପୁଞ୍ଜି ବଜାର ଉପରେ ଆଉ ଆସ୍ଥା ରଖୁନାହାନ୍ତି ବିଦେଶୀ ନିବେଶକ। ଏଥିଯୋଗୁଁ ସେନ୍ସେକ୍ସରେ ବଡ଼ ହ୍ରାସ ଦେଖÒବାକୁ ମିଳୁଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଚଳିତଥର ମାନ୍ଦାବସ୍ଥା ୧୯୭୬-୧୯୭୯ର ସ୍ଥିତି ତୁଳନାରେ ଦୁଇଗୁଣ ଅଧିକ ସାଂଘାତିକ ହେବ ବୋଲି କୁହାଯାଇଛି। ଏହାର ପ୍ରଭାବ ସ୍ବରୂପ ଆଗାମୀ ଦିନରେ ମହଙ୍ଗା ମାଡ଼ ଆହୁରି ତୀବ୍ରତର ହେବା ଆଶଙ୍କା କରାଯାଉଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟ ବୃଦ୍ଧି ପାଇଛି। ଏହି ମାନ୍ଦାବସ୍ଥା ଫଳରେ ୟୁରୋପ ଏବଂ ପୂର୍ବ ଏସିଆର ଅନେକ କମ୍ ବିକଶିତ ଦେଶ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଏହାସହିତ ମୁଦ୍ରାସ୍ଫୀତି ଏବଂ ନିମ୍ନ ଅଭିବୃଦ୍ଧିର ଭୟ ବଢ଼ିଯାଇଛି। ବର୍ତ୍ତମାନ ସମୟରେ ବିଶ୍ବକୁ ଯେଉଁ ମାନ୍ଦାବସ୍ଥାର ଭୟ ରହିଛି, ତାହାର ପ୍ରଭାବରେ ଆଗକୁ ସାରା ଦୁନିଆରେ ଏକ ବଡ଼ ଖାଦ୍ୟ ସଙ୍କଟ ଦେଖାଦେବ। ଏଥିଯୋଗୁଁ ସାରା ବିଶ୍ବରେ ପ୍ରାୟ ୧୬୦ କୋଟି ଲୋକ ଅନାହାର ମଧ୍ୟକୁ ଠେଲି ହୋଇଯିବେ ବୋଲି ଏକାଧିକ ବିଶ୍ବ ସ୍ତରୀୟ ସଂସ୍ଥା ଆକଳନ କରିଛନ୍ତି। ଏଭଳି ପରିସ୍ଥିତିକୁ ପରିଚାଳନା କରିବା ଲାଗି ଏବେ ହାତରେ ସମୟ ବହୁତ କମ୍ ରହିଥିବା ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧ରୁ ୨୦୨୪ମଧ୍ୟରେ ବିଶ୍ବର ଆର୍ଥିକ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ରହିବା ସମ୍ଭାବନା ରହିଛି, ଯାହା ୧୯୭୬ରୁ ୧୯୭୯ ମଧ୍ୟରେ ଦେଖାଦେଇଥିବା ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ ଖରାପ ରହିବ। ୧୯୭୦ରେ ଏହିଭଳି ସ୍ଥିତିରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ଏତେ ମାତ୍ରାରେ ବୃଦ୍ଧି କରାଯାଇଥିଲା ଯେ ୧୯୮୨ରେ ସାରା ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା। ତେଣୁ ବର୍ତ୍ତମାନ ସମୟରେ ଦେଖାଯିବାକୁ ଥିବା ମାନ୍ଦାବସ୍ଥା ସ୍ଥିତିକୁ କିଭଳି ମୁକାବିଲା କରାଯିବ ତାହା ଏବେ ସାରା ବିଶ୍ବ ଆଗରେ ଏକ ଆହ୍ବାନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର