ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

The Sakala Picture
Published On

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି । ଇଟଂରନ୍ୟାସନାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ସେଂଟର୍‌ସ ଅଥରିଟି (ଆଇଏଫ୍‌ଏସ୍‌ସିଏ) ପକ୍ଷରୁ ଆୟୋଜିତ ଇନ୍‌ଫିନିଟି ଫୋରମ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା […]

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି ।

ଇଟଂରନ୍ୟାସନାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ସେଂଟର୍‌ସ ଅଥରିଟି (ଆଇଏଫ୍‌ଏସ୍‌ସିଏ) ପକ୍ଷରୁ ଆୟୋଜିତ ଇନ୍‌ଫିନିଟି ଫୋରମ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା କରିବାର ଅଧିକାର ଦେଶ ପାଖରେ ରହିଛି । ଆଧାର, ଡିଜିଟାଲ୍ ବ୍ୟାଙ୍କ ଖାତା ଏବଂ ଡିଜିଟାଲ୍ ପେମେଣ୍ଟ ଆଦି ଜରିଆରେ ଦେଶର ଡିଜିଟାଲ୍ ପରିଚୟ ବେଶ ଉତ୍ସାହଜନକ ରହିଛି । ଆମେ ତଥ୍ୟର ଗୋପନୀୟତା ସୁରକ୍ଷା ବିଲ୍ ଓ କ୍ରିପ୍ଟୋକରେନ୍ସି ବିଲ୍ ଉପସ୍ଥାପନ କରିବାକୁ ଯାଉଛେ । ଆମେ ସଠିକ୍ ପଥରେ ଅଛନ୍ତି ବୋଲି ମୁକେଶ କହିଛନ୍ତି ।

ଭାରତ ଓ ବିଶ୍ୱର ପ୍ରତିଟି ଦେଶ ଲାଗି ଡାଟା ଓ ଡିଜିଟାଲ୍ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ । ପ୍ରତି ଦେଶ ପାଖରେ ନିଜ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା କରିବାର ଅଧିକାର ରହିଛି ବୋଲି ସେ କହିଛନ୍ତି । ସୀମାପାର କାରବାର ଲାଗି ଏକ ଏକକ ବିଶ୍ୱ ମାନକ ପ୍ରଚଳନ ହେବା ଆବଶ୍ୟକତା ରହିଥିବା ମୁକେଶ କହିଛନ୍ତି । ତଥ୍ୟର ସୁରକ୍ଷା ଓ ଡିଜିଟାଲ୍ ଭିତ୍ତିଭୂମି ଲାଗି ନୀତି ଓ ନିୟମରେ ସଠିକ୍ ସନ୍ତୁଳନ ରହିବା ଦରକାର ବୋଲି ସେ କହିଛନ୍ତି ।

ମୁକେଶ କହିଛନ୍ତି ଯେ, ମୁଁ ବ୍ଲକ୍‌ଚେନ୍ ପ୍ରଯୁକ୍ତି ଉପରେ ବିଶ୍ୱାସ କରେ । ଏହା କ୍ରିପ୍ଟୋକରେନ୍ସି ଠାରୁ ସମ୍ପୂର୍ଣ୍ଣ ଅଲଗା । ଏକ ବିଶ୍ୱାସ ଭିତିକ ସମାନତାର ସମାଜ ଲାଗି ବ୍ଲକ୍‌ଚେନ୍ ପ୍ରଯୁକ୍ତି ଜରୁରୀ । ବ୍ଲକ୍‌ଚେନ୍‌କୁ ବ୍ୟବହାର କରି ପ୍ରତି ପ୍ରକାର କାରବାରରେ ଆମେ ଅତୁଳନୀୟ, ବିଶ୍ୱାସଜନକ, ସ୍ୱୟଂକ୍ରିୟ ଓ ଦକ୍ଷତା ହାସଲ କରିପାରିବା । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ଯୋଗାଣ ଶୃଙ୍ଖଳକୁ ଆମେ ଏହା ଜରିଆରେ ଆଧୁନିକୀକରଣ କରିପାରିବା ବୋଲି ସେ କହିଛନ୍ତି ।

ଭାରତ ଏକ ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେଉଛି । ତଥ୍ୟ ହେଉଛି ନୂଆ ତୈଳ । ଏହା କିନ୍ତୁ ପାରମ୍ପରିକ ତୈଳ ଠାରୁ ଭିନ୍ନ । ପାରମ୍ପରିକ ତୈଳ କିଛି ନିର୍ଦିଷ୍ଟ ଦେଶରେ ଉତୋଳନ କରାଯାଉଛି ମାତ୍ର ନୂଆ ତୈଳ ବା ତଥ୍ୟକୁ ଯେକେହି ଯେକୌଣସି ସ୍ଥାନରେ ରହି ସୃଷ୍ଠି କରିପାରୁଛନ୍ତି । ସବୁ କ୍ଷେତ୍ର, ଭୌଗୋଳିକ ସ୍ଥିତି ଓ ଶ୍ରେଣୀରେ ସମାନତା ଆଣିବାର ଶକ୍ତି ଏହା ପାଖରେ ରହିଛି ବୋଲି ମୁକେଶ କହିଛନ୍ତି ।

ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍‌, କ୍ଲାଉଡ୍ ଏବଂ ଡାଟା ସେଣ୍ଟର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ । ପରବର୍ତୀ ପଦକ୍ଷେପ ହେବ ମେସିନ୍‌, ଡିଭାଇସ୍ ଓ ଗାଡ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଯାହା ହେଉଛି ଇଟଂରନେଟ୍ ଅଫ୍ ଥିଙ୍ଗସ୍ । ଆସନ୍ତା ବର୍ଷ ଭାରତରେ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ବିଶ୍ୱର ଅନ୍ୟତମ ସବୁଠୁ ଉନ୍ନତ ଡିଜିଟାଲ୍ ଭିତ୍ତିଭୂମି ଥିବା ରାଷ୍ଟ୍ରରେ ଆମେ ପରିଣତ ହେବାକୁ ଯାଉଛୁ ।

ମୁକେଶ କହିଛନ୍ତି ଯେ ଡିଜିଟାଲ୍ ଭିତିଭୂମି ଓ ନୀତି ନିୟମ ପ୍ରଣୟନ କରି ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେବାର ପଥରେ ଭାରତ ବହୁତ ଭଲ ଭାବେ ରହିଛି । ସବୁ କିଛିର ମୂଳ କେନ୍ଦ୍ର ହେଉଛି ଫାଇନାନ୍ସ । ମୋର ବିଶ୍ୱାସ ରହିଛି ଯେ ଆମେ ଡିଜିଟାଲକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ ଏବଂ ନୂଆ ପିଢ଼ିର ପ୍ରଯୁକ୍ତିର ଅଭ୍ୟୁଦୟ ହେଉଥିବାରୁ ଫାଇନାନ୍ସର ଏକ ବିକେନ୍ଦ୍ରୀକରଣ ମଡେଲ୍‌କୁ ଗ୍ରହଣ କରିବାର ସୁଯୋଗ ଆମ ପାଖରେ ରହିଛି । କେନ୍ଦ୍ରୀୟ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ରହିବ, କିନ୍ତୁ ଏହା ସହିତ ଏକ ବିକେନ୍ଦ୍ରୀକରଣ ପ୍ରଯୁକ୍ତି ସମାଧାନ ରହିବ ଯେଉଁଥିରେ ଫାଇନାନ୍ସ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

ରିଅଲ ଟାଇମ୍ ପ୍ରଯୁକ୍ତି ବାଣିଜ୍ୟକୁ କେବଳ ଦିନକରେ କିମ୍ବା ଘଣ୍ଟାକରେ ନୁହେଁ ବରଂ ସେହି ସମୟରେ ସମ୍ପାଦନ କରିବ । ସ୍ମାର୍ଟ କଂଟ୍ରାକ୍ଟ ବାସ୍ତବତାରେ ପରିଣତ ହେବ । ଇଟଂରନେଟ୍ ଅଫ୍ ଥିଙ୍ଗସକୁ ବ୍ୟବହାର କରି ଭୌତିକ ଭିତିଭୂମି ସହିତ ରିଅଲ ଟାଇମ୍ ପ୍ରଯୁକ୍ତି, ଡିଷ୍ଟ୍ରିବ୍ୟୁଟେଡ୍ ଲେଜର୍‌, ବ୍ଲକ୍‌ଚେନ୍‌, ସ୍ମାର୍ଟ ଟୋକେନ୍ ଆଦିର ସମନ୍ୱୟ ହେଲେ ବିକେନ୍ଦ୍ରୀକରଣ ଫାଇନାନ୍ସ କ୍ଷେତ୍ର ବଡ଼ ଧରଣର ପୁନମାର୍ଜିତ ହୋଇପାରିବ ଯାହା କେବେ କଳ୍ପନା କରାଯାଇନଥିଲା ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର