ମନୋରଞ୍ଜନ
ଓଡ଼ିଶା
ବିଶ୍ୱର ଶ୍ରେଷ୍ଠ ପାରା ତୀରନ୍ଦାଜ ହେଲେ ଭାରତର ଶୀତଳ ଦେବୀ, ରଚିଲେ ଇତିହାସ
ବିଶ୍ବ ତୀରନ୍ଦାଜୀ ମହାସଂଘ (ୱର୍ଲଡ ଆର୍ଚେରୀ) ପକ୍ଷରୁ ଭାରତର ତାରକା ଶୀତଳ ଦେବୀଙ୍କୁ ୨୦୨୫ ବର୍ଷ ପାଇଁ ସର୍ବଶ୍ରେଷ୍ଠ ପାରା ତୀରନ୍ଦାଜ ଭାବେ ଘୋଷଣା କରାଯାଇଛି। ନିଜର ଅଦମ୍ୟ ସାହସ ଏବଂ ନିଷ୍ଠା ବଳରେ ସେ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଅସମ୍ଭବକୁ ସମ୍ଭବ କଲେ ଶୀତଳ
ଜାମ୍ମୁ-କାଶ୍ମୀରର ୧୯ ବର୍ଷ ବୟସ୍କା ଶୀତଳ ଦେବୀ ବିନା ଦୁଇ ହାତରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଜୀବନ ସଂଗ୍ରାମରେ କେବେ ହାର ମାନି ନଥିଲେ। ନିଜ ପାଦ, ଗୋଡ଼ ଓ କାନ୍ଧର ବ୍ୟବହାର କରି ସେ ତୀରଚାଳନା କ୍ଷେତ୍ରରେ ଅସାଧାରଣ ନିପୁଣତା ହାସଲ କରିଛନ୍ତି। ସେ ହେଉଛନ୍ତି ବିଶ୍ୱର ପ୍ରଥମ ଦୁଇ ହାତ ନଥିବା ମହିଳା ତୀରନ୍ଦାଜ, ଯିଏକି ବିଶ୍ବ ପାରା ତୀରନ୍ଦାଜୀ ଚମ୍ପିଆନ୍ସିପରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
ମେଡାଲ୍ ଏବଂ ସଫଳତାର ଯାତ୍ରା
ଗତ ବର୍ଷ ଦକ୍ଷିଣ କୋରିଆର ଗ୍ବାଙ୍ଗ୍ଜୁଠାରେ ଆୟୋଜିତ ଏହି ଚମ୍ପିଆନ୍ସିପରେ ସେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ପରେ ବିଶ୍ବ ଚମ୍ପିଆନ୍ସିପ୍ରେ ସେ ମହିଳା ଦଳଗତ ବର୍ଗରେ ରୌପ୍ୟ ଓ ମିଶ୍ରିତ ଦଳଗତ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏହା ବ୍ୟତୀତ ପ୍ୟାରିସ୍ ପାରାଲିମ୍ପିକ୍ସରେ ମଧ୍ୟ ସେ ଦଳଗତ କାଂସ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିଲେ।
ତାଙ୍କର କ୍ରମାଗତ ସଫଳତା ମଧ୍ୟରେ ୨୦୨୨ ଓ ୨୦୨୩ ଏସୀୟ ଚମ୍ପିଆନ୍ସିପ୍ରେ ହାସଲ କରିଥିବା ରୌପ୍ୟ ପଦକ ସାମିଲ ରହିଛି। ତାଙ୍କର ଏହି ଅତୁଳନୀୟ କ୍ରୀଡ଼ା ପ୍ରଦର୍ଶନ ଏବଂ କୃତିତ୍ବ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଭାରତୀୟ କ୍ରୀଡ଼ା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି।






