ମନୋରଞ୍ଜନ
ଓଡ଼ିଶା
ଓଡ଼ିଶାରେ ଉତ୍କର୍ଷ ସ୍ୱାସ୍ଥ୍ୟ ସେବାର ଯୁଗାରମ୍ଭ
ରାଜ୍ୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ବୁଧବାର ଘରୋଇ ଅଂଶୀଦାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହିସବୁ ହସ୍ପିଟାଲ୍ ଅନୁଗୋଳ, ବଡ଼ବିଲ୍, ଭଦ୍ରକ, ଝାରସୁଗୁଡ଼ାରେ ପ୍ରତିଷ୍ଠା କରାଯିବ। ଏହାଛଡ଼ା ଝାରସୁଗୁଡ଼ାରେ ଏକ ସୁପରସ୍ପେଶାଲିଟି କ୍ୟାନସର ହସ୍ପିଟାଲ୍ ମଧ୍ୟ ପ୍ରତିଷ୍ଠା ହେବ। ଏହି ପାଞ୍ଚଟି ସୁପରସ୍ପେଶାଲିଟି ହସ୍ପିଟାଲରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସହିତ ୩୫୦୦ରୁ ଅଧିକ ଡାକ୍ତର, ପାରାମେଡିକାଲ ନର୍ସିଂ ଓ ଅନ୍ୟାନ୍ୟ ଲୋକଙ୍କୁ ନିଯୁକ୍ତି ସୁବିଧା ମିଳିବ। […]
ରାଜ୍ୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ବୁଧବାର ଘରୋଇ ଅଂଶୀଦାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହିସବୁ ହସ୍ପିଟାଲ୍ ଅନୁଗୋଳ, ବଡ଼ବିଲ୍, ଭଦ୍ରକ, ଝାରସୁଗୁଡ଼ାରେ ପ୍ରତିଷ୍ଠା କରାଯିବ। ଏହାଛଡ଼ା ଝାରସୁଗୁଡ଼ାରେ ଏକ ସୁପରସ୍ପେଶାଲିଟି କ୍ୟାନସର ହସ୍ପିଟାଲ୍ ମଧ୍ୟ ପ୍ରତିଷ୍ଠା ହେବ। ଏହି ପାଞ୍ଚଟି ସୁପରସ୍ପେଶାଲିଟି ହସ୍ପିଟାଲରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବା ସହିତ ୩୫୦୦ରୁ ଅଧିକ ଡାକ୍ତର, ପାରାମେଡିକାଲ ନର୍ସିଂ ଓ ଅନ୍ୟାନ୍ୟ ଲୋକଙ୍କୁ ନିଯୁକ୍ତି ସୁବିଧା ମିଳିବ। ସବୁଠୁ ବଡ଼ କଥା ହେଉଛି ଏହି ହସ୍ପିଟାଲ୍ ସବୁ ସ୍ଥାପନ ହେଲେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଓ ଖଣି ସହରଗୁଡ଼ିକର ଲୋକେ ସୁପରସ୍ପେଶାଲିଟି ଚିକିତ୍ସା ସୁବିଧା ପାଇବେ ଏବଂ ସେମାନଙ୍କୁ ଏଥିପାଇଁ ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତ ସହରକୁ ଯିବାକୁ ପଡ଼ିବ ନାହିଁ।
ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଏକ ଆହ୍ୱାନମୂଳକ ପ୍ରସଙ୍ଗ। ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ଫଳରେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଭିତ୍ତିଭୂମିର ଅଭାବ ସାଙ୍ଗକୁ ଚିକିତ୍ସକଙ୍କ ଅଭାବ ପ୍ରାରମ୍ଭିକ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି କରିଥିଲା। କେନ୍ଦ୍ରୀୟ ସହଯୋଗ ତଥା ରାଜ୍ୟ ସରକାରଙ୍କ ଅଗ୍ରାଧିକାର ଭିତ୍ତିରେ ଏ କ୍ଷେତ୍ରରେ ଗତ ଦୁଇଦଶନ୍ଧି ମଧ୍ୟରେ ଆଖିଦୃଶିଆ ପ୍ରଗତି ଘଟିଛି। ଉନ୍ନତ ସ୍ୱାସ୍ଥ୍ୟ ସେବା ଫଳରେ ଶିଶୁ ଓ ଗର୍ଭବତୀ ଓ ପ୍ରସୂତି ମୃତ୍ୟୁ ସଂଖ୍ୟା ଉଲ୍ଲେଖନୀୟ ଭାବେ କମିଛି। ଜାତୀୟସ୍ତରରେ ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପରକୁ ଉଠିବା ପଛରେ ରହିଛି ରାଜ୍ୟ ସରକାରଙ୍କ ନିରଳସ ଉଦ୍ୟମ ଏବଂ ଦୂରଦର୍ଶୀ କାର୍ଯ୍ୟକ୍ରମ।
ବୁଧବାର ସ୍ୱାକ୍ଷରିତ ବୁଝାମଣାପତ୍ର କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯେଉଁ କଥା କହିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ସେ କହିଥିଲେ ଯେ ଉତ୍ତମମାନର ସ୍ୱାସ୍ଥ୍ୟସେବା ପାଇଁ ଉତ୍ତମ ଭିତ୍ତିଭୂମି ନିର୍ମାଣ ଏକ ମୌଳିକ ଆବଶ୍ୟକତା। ତେଣୁ ତାଙ୍କ ସରକାର ଏହା ଉପରେ ଗୁରୁତ୍ୱ ଦେଉଛନ୍ତି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତି ଉପରେ ଓଡ଼ିଶା ସରକାର ଅଗ୍ରାଧିକାର ଦେଇ ସମସ୍ତଙ୍କୁ ଦକ୍ଷ, ଉଚ୍ଚମାନର ସହଜଲବ୍ଧ ଚିକିତ୍ସା ସେବା ଓ ସୁଯୋଗ ଠିକ୍ ସମୟରେ ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି। ଏହି ଅବସରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତାର ଅବତାରଣା କରିଛନ୍ତି। ଏହି ଯୋଜନାରେ ପ୍ରାୟ ୧ କୋଟି ପରିବାର ଉପକୃତ ହୋଇଛନ୍ତି। ତେଣୁ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୁଞ୍ଜି ନିବେଶକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅତ୍ୟନ୍ତ ସ୍ପଷ୍ଟ ଏବଂ ଏଥିରୁ ସ୍ୱାସ୍ଥ୍ୟ ସେବା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ବାର୍ତ୍ତା ପ୍ରାଞ୍ଚଳ ଭାବେ ମିଳୁଛି।
ବୁଧବାର ଯେଉଁ ପାଞ୍ଚଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ତଦନୁସାରେ ଉତ୍କଳ ହେଲ୍ଥ କେୟାର ପ୍ରାଇଭେଟ୍ ଲିମିଟେଟ୍ ଓ ସିଲିକନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ଏକ କନ୍ସୋର୍ଟିୟମ ଗଠନ କରି ଅନୁଗୋଳ ଓ ବଡ଼ବିଲ୍ରେ ୨୦୦ ଶଯ୍ୟା ବିଶିଷ୍ଟ ଦୁଇଟି ସୁପର ସ୍ପେଶାଲିଟି ହସ୍ପିଟାଲ୍ ତିଆରି କରିବେ। ସେହିଭଳି ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତ୍ୟେକ ୧୦୦ ଶଯ୍ୟା ବିଶିଷ୍ଟ ଦୁଇଟି ସୁପରସ୍ପେଶାଲିଟି ହସ୍ପିଟାଲ୍ ସ୍ନାଇଗସ୍ ମେଡିକେୟାର ଓ ପ୍ରିଣ୍ଟଲିଙ୍କ ଘରୋଇ ସଂସ୍ଥା ନିର୍ମାଣ କରିବେ। ଏହାଛଡ଼ା ଝାରସୁଗୁଡ଼ାରେ ଯେଉଁ ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ହେବ ତାହାର ସ୍ଥାପନା ଭାଇଜାଗ୍ ହସ୍ପିଟାଲ୍ ଓ କ୍ୟାନ୍ସର ରିସର୍ଚ୍ଚ ସେଣ୍ଟର କରିବ। ସ୍ୱାଭାବିକ ଭାବେ ରାଜ୍ୟ ସରକାର ଏ ସବୁ ହସ୍ପିଟାଲ୍କୁ ଜମି, ନିର୍ମାଣ ଜନିତ ପୁଞ୍ଜି, ଯୋଗାଯୋଗ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବେ। ସମ୍ପୃକ୍ତ ଘରୋଇ ସଂସ୍ଥା ହସ୍ପିଟାଲ୍ ନିର୍ମାଣ କରି ୩୦ ବର୍ଷ ଯାଏଁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଓ ଲୋକଶକ୍ତି ନିଯୁକ୍ତି କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ସମୂହରେ ସୁପର ସ୍ପେଶାଲିଟି ହସ୍ପିଟାଲ୍ ଅଭାବ ରହିଛି। ତେବେ ସେସବୁ ସହରର ଲୋକଙ୍କ ଆର୍ଥିକ ଅବସ୍ଥା ଅପେକ୍ଷାକୃତ ଭଲ ଥିବାରୁ ସେମାନେ ନିଜ ଘର ପାଖରେ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ।
ରାଜ୍ୟରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବଢ଼଼ିଛି। ଲୋକେ ବିଭିନ୍ନ ସରକାରୀ ଯୋଜନାରେ ଓ ସେବାର ଲାଭ ଉଠାଇବା ସହିତ ବ୍ୟକ୍ତିଗତ ଭାବେ ଅର୍ଥ ଖର୍ଚ୍ଚ କରି ସୁସ୍ଥ ରହିବାକୁ ମନ ପସନ୍ଦର ଚିକିତ୍ସାଳୟ ଖୋଜୁଛନ୍ତି। ତେଣୁ ଯେତେ ଅଧିକ ଉନ୍ନତମାନର ହସ୍ପିଟାଲ୍ ରାଜ୍ୟରେ ନିର୍ମାଣ ହେବ ତା’ ଦ୍ୱାରା ଲୋକେ ସେତେ ଅଧିକ ଉପକୃତ ହେବେ। ଖର୍ଚ୍ଚାନ୍ତ ହୋଇ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଏବେ ଆମେ ଯେଉଁ ସ୍ଥିତିରେ ପହଞ୍ଚିଛୁ, ସେଥିରେ ଆଉ ଦୁଇବର୍ଷ ଭିତରେ ଓଡ଼ିଶା ଡାକ୍ତରଙ୍କ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିବ। ତେଣୁ ଚିକିତ୍ସକ ଅଭାବ ଆଉ ସମସ୍ୟା ନୁହେଁ। ଏଥିସହିତ ଓଡ଼ିଶାରେ ହୋମି ଭାବା କର୍କଟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ମଧ୍ୟ ବୁଧବାର ମୁଖ୍ୟମନ୍ତ୍ରୀ ସ୍ଥାପନ କରିଛନ୍ତି। ଏହା ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ସରକାର ୬୫ ଏକର ଜମି ଯୋଗାଇ ଦେଇଛନ୍ତି। ସେହିଭଳି ଯାଜପୁର ମେଡିକାଲ୍ କଲେଜ୍ର ମଧ୍ୟ ଶଯ୍ୟା ସଂଖ୍ୟା ୪୨୦କୁ ବୃଦ୍ଧି କରାଯାଇଛି। ଏବେ ରାଜ୍ୟରେ ୯ଟି ସରକାରୀ ଓ ୪ଟି ଘରୋଇ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ। ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି। ଏହାଛଡ଼ା ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ପ୍ରତି ଜିଲ୍ଲାରେ ଅନ୍ତତଃ ଗୋଟିଏ ମେଡିକାଲ୍ କଲେଜ୍ ସ୍ଥାପନାର ଯୋଜନା ରହିଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଯୋଜନା ଓଡ଼ିଶା ପାଇଁ ଅଧିକ ପ୍ରେରଣାଦାୟୀ ହୋଇଛି।
କହିବା ବାହୁଲ୍ୟ ଯେ ଜନସମୁଦାୟଙ୍କ ସୁସ୍ଥତା ଓ ନିରାମୟତା ଉପରେ ଏକ ସୁଦୃଢ଼ ରାଜ୍ୟ ଗଠନର ଭବିଷ୍ୟତ ନିହିତ। ଏକ ରୁଗ୍ଣ, ବ୍ୟାଧିଗ୍ରସ୍ତ ଜନସମୁଦାୟକୁ ନେଇ ନୂଆ ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ ନୁହେଁ। ବିକାଶରେ ସ୍ୱାସ୍ଥ୍ୟର ମହତ୍ତ୍ୱ ଓଡ଼ିଶା ସରକାର ଭଲ ଭାବେ ବୁଝି ଏ କ୍ଷେତ୍ରରେ ବୈପ୍ଳବିକ ତଥା ଅଭିନବ ପଦକ୍ଷେପମାନ ନେଉଛନ୍ତି। ଏଥିରେ ରାଜନୈତିକ ଭେଳିକି କିମ୍ବା ଲୋକଙ୍କୁ ଭଣ୍ଡାଇବାର ହୀନ ଉଦ୍ଦେଶ୍ୟ ନାହିଁ। ନବୀନ ସରକାର ଯାହା କହନ୍ତି ଓ ପ୍ରତିଶ୍ରୁତି ଦିଅନ୍ତି ତାହାକୁ ପାଳନ କରି ଦେଖାନ୍ତି। ସେଇଥିପାଇଁ ତ ରାଜ୍ୟବାସୀ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ତାଙ୍କୁ ଥରକୁ ଥର ବିପୁଳ ଭୋଟରେ ନିର୍ବାଚିତ କରି ଆସୁଛନ୍ତି। ଏବେ ତ ନୂଆ ଡାକରା – ସ୍ୱାସ୍ଥ୍ୟମେବ ଜୟତେ।





